ଫ୍ୟାକ ଚେକ୍: ପାକିସ୍ତାନ କ୍ରିକେଟ ବୋର୍ଡ କୁ ପ୍ରଶଂସା କରୁଥିବା ଶଶୀ ଥରୁରଙ୍କ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ଅଟେ
ଟି-୨୦ ବିଶ୍ବକପରେ ପାକିସ୍ତାନକୁ ହରାଇ ଟିମ୍ ଇଣ୍ଡିଆର ବଡ଼ ବିଜୟ । ୬୧ ରନରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ, ୧୭୬ ରନକୁ ପିଛା କରି ୧୧୪ ରନରେ ପାକିସ୍ତାନ ଅଲଆଉଟ୍ । ସବୁ ଆଡ଼େ ଛୁଟିଛି ଟିମ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ । କ୍ରିକେଟିୟର ହୁଅନ୍ତୁ କି ରାଜନେତା ସମସ୍ତଙ୍କ ମୁହଁରେ ଟିମ ଇଣ୍ଡିଆର ପ୍ରଶଂସା ।
ତେବେ ଇତିମଧ୍ୟରେ କଂଗ୍ରେସ ନେତା ତଥା ଏବଂ ତିରୁବନ୍ତପୁରମର ସାଂସଦ ଶଶି ଥରୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଶଶି, ପାକିସ୍ତାନ କ୍ରିକେଟ୍ ବୋର୍ଡର ପ୍ରଶଂସା କରୁଥିବାର ଶୁଣିବାକୁ ମିଳିଛି । ।
"ମୁଁ ଭାବୁଛି ଯେ, ପାକିସ୍ତାନ କିପରି ଖେଳିଲା ତାହା ପ୍ରକୃତରେ ଚମତ୍କାର । ମୁଁ ଜାଣିନାହିଁ ଯେ ସେମାନେ ପଡ଼ିଆରେ କ'ଣ କରିବେ । କିନ୍ତୁ ସେମାନେ କୂଟନୈତିକ ଭାବରେ ଯାହା କଲେ ତାହା ସମ୍ପୂର୍ଣ୍ଣ ଚମତ୍କାର । ଭାରତୀୟ କ୍ରିକେଟ୍ ବୋର୍ଡ ସମ୍ପୂର୍ଣ୍ଣ ଭାବରେ ହାତ ମୁଠାଏ ହୋଇଯାଇଥିଲା । ପାକିସ୍ତାନ ଯାହା କରିଛି, ମୁଁ ଏଥିପାଇଁ ସେମାନଙ୍କୁ ପ୍ରଶଂସା କରିବାକୁ ଚାହୁଁଛି, ଏହା କଳ୍ପନା କରାଯାଇ ପାରିବ ନାହିଁ।" ବୋଲି ଶଶି କହୁଥିବାର ଶୁଣିବାକୁ ମିଳୁଛି ।
ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଏଭଳି କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି ଶଶି ଥରୁର । ଭାଇରାଲ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ହୋଇଥାଇ ପାରେ ।
ଶଶି ଥରୁରଙ୍କ ମୁହଁରୁ ପାକିସ୍ତାନ କ୍ରିକେଟ ବୋର୍ଡ ପାଇଁ ପ୍ରଶଂସା ଲେଖି ଆମେ ଅନୁସନ୍ଧାନ କରିଥିଲୁ । ହେଲେ କୌଣସି ପ୍ରମୁଖ ଗଣମାଧ୍ୟମରେ ଏନେଇ କୌଣସି ଖବର ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିବାର ପାଇନଥିଲୁ । ଯଦି ଏଭଳି କୌଣସି ମନ୍ତବ୍ୟ ଶଶି ଦେଖିଥାନ୍ତେ ନିଶ୍ଚିତଭାବେ ଏହା କୌଣସି ନା କୌଣସି ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥାନ୍ତା ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ ହୋଇଥିବାର ଏକ ଭିଡିଓ ହସ୍ତଗତ ହୋଇଥିଲା ।
୧୦ ଫେବୃଆରୀ ୨୦୨୫ରେ ନ୍ୟୁଜ ଏଜେନ୍ସି ଏଏନଆଇ ଉକ୍ତ ଭିଡିଓକୁ ପୋଷ୍ଟ କରିଥିଵାର ଦେଖିବାକୁ ମିଳିଛି ।
ଭିଡିଓରେ ଶଶି କହିଛନ୍ତି, "ମୁଁ ଜଣେ ରାଜନେତା, କିନ୍ତୁ ମୁଁ କ୍ରିକେଟ ଏବଂ କ୍ରୀଡାରେ ରାଜନୀତି ପସନ୍ଦ କରେ ନାହିଁ । ମୁଁ ଭାବୁଛି କ୍ରୀଡା ଏକ ଭିନ୍ନ କ୍ଷେତ୍ର, ଏକ ଭିନ୍ନ ଖେଳ। ରାଜନେତା ମାନେ ତାଙ୍କ ସ୍ଥାନରେ ରହି ରାଜନୀତି କରନ୍ତୁ, କୂଟନୀତିଜ୍ଞମାନେ ତାଙ୍କ ସ୍ଥାନରେ ରହି ତାଙ୍କ କାମ କରନ୍ତୁ ଏବଂ କ୍ରିକେଟ ଖେଳାଳିମାନେ ସେମାନଙ୍କର ଖେଳ ଖେଳନ୍ତୁ। ମୁଁ ଖୁସି ଯେ ଏହି ମ୍ୟାଚ୍ ସହିତ ଅତି କମରେ କ୍ରିକେଟ୍ ଆଗକୁ ବଢ଼ିବ। କିଏ ଜିତିବ, କିଏ ହାରିବ, ତାହା ଅନ୍ୟ କଥା..."
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ପରି ପରିଲକ୍ଷିତ ହେଉଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ବ୍ୟକ୍ତିର ଗୋଟିଏ ସମୟର ବୋଲି ଜାଣିବାକୁ ପାଇଥିଲୁ । ହେଲେ ଭାଇରାଲ ଭିଡିଓ ସହ ଉକ୍ତ ଭିଡିଓର ଅଡିଓ ସମାନ ନଥିଲାକି ଶଶିଙ୍କ ବାର୍ତ୍ତା ଶୈଳୀ ସହ ତାଙ୍କ ଅଡିଓ ମଧ୍ୟ କୌଣସି ତାଳମେଳ ରହୁନଥିଲା ।
ପରେପରେ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ଓ ମିଟରରେ ପରୀକ୍ଷା କରିଥିଲୁ । ଉକ୍ତ ଭିଡିଓଟି ବହୁମାତ୍ରାରେ ଏଆଇ ଦ୍ୱାରା ନିର୍ମିତ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା ।
ଭାଇରାଲ ଭିଡିଓ ନେଇ ନିଜ ସୋସିଆଲ ମିଡିଆରେ ଶଶି ଥରୁର ଲେଖିଛନ୍ତି, ଏହା ଏକ ଫେକ୍ ଭିଡିଓ ଯାହାକି ଏଆଇ ଦ୍ୱାରା ନିର୍ମିତ । ଏହା ମୋ ସ୍ୱର ନୁହେଁ କି ମୋ ଭାଷା ମଧ୍ୟ ନୁହେଁ ।
ସେହିପରି ରେଡ଼ଲିଫ ନାମକ ଏକ ଡିଜିଟାଲ ଗଣମାଧ୍ୟମ ନିଜ ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ସେୟାର କରି ଏହା ଏଆଇ ଦ୍ୱାରା ନିର୍ମିତ ବୋଲି ସୂଚନା ରଖିଛି ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ହୋଇଥାଇପାରେ । ପ୍ରକୃତ ଭିଡିଓରେ ପାକିସ୍ତାନ କ୍ରିକେଟ ବୋର୍ଡକୁ ପ୍ରଶଂସା କରି ନାହାଁନ୍ତି କଂଗ୍ରେସ ନେତା ଶଶି ଥରୁର ।