ଫ୍ୟାକ୍ଟ ଚେକ୍: ଭିଡିଓଟି ଦିଲ୍ଲୀର ଅଟେ, ଯେଉଁଥିରେ ଇରାନ ସୁପ୍ରିମ ଲିଡରଙ୍କ ମୃତ୍ୟୁ ପରେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ ହୋଇଥିଲା
ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ କଳା ପୋଷାକ ପିନ୍ଧିଥିବା ଲୋକମାନେ ସ୍ଲୋଗାନ ଦେଉଥିବାରଦେଖା ଯାଇଛି । ଉକ୍ତ ଭିଡିଓକୁ ସେୟାର କରି ୟୁଜର୍ସ ଦାବି କରିଛନ୍ତି, "ଭାରତର ଦିଲ୍ଲୀରେ, ଇସ୍ରାଏଲୀ ଦୂତାବାସ ବାହାରେ ପ୍ରତିବାଦକାରୀ । ଇସ୍ରାଏଲୀ ଦୂତାବାସ ଉପରେ ପେଟ୍ରୋଲ ବୋମା ଫିଙ୍ଗାଯାଉଥିବା ସୁଚନା । "
ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଉକ୍ତ ଭିଡିଓଟି ଦିଲ୍ଲୀର ଅଟେ ଯେଉଁଥିରେ ଇରାନ ସୁପ୍ରିମ ଲିଡରଙ୍କ ମୃତ୍ୟୁ ପରେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ ହୋଇଥିଲା ।
ଉକ୍ତ ଦାବି ନେଇ ଅନୁସନ୍ଧାନ କରିଥିଲୁ, ହେଲେ ଏ ନେଇ କୌଣସି ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ ହୋଇଥିବାର ପାଇନଥିଲୁ । ଯଦି ଏତେବଡ଼ ପ୍ରଦର୍ଶନ ହୋଇଥାନ୍ତା, ନିଶ୍ଚିତଭାବେ କୌଣସି ନା କୌଣସି ପ୍ରମୂଖ ଗଣମାଧ୍ୟମ ଏହାକୁ ପ୍ରସାରିତ କିମ୍ବା ପ୍ରକାଶିତ କରିଥାନ୍ତେ ।
ଉକ୍ତ ଭିଡିଓର କିଛି ଅଂଶକୁ ଋଭ ଇମେଜରେ ସର୍ଚ୍ଚ କରିଥିଲୁ । ଅନୁସନ୍ଧାନରୁ ଏକ୍ସରେ ପୋଷ୍ଟ ହୋଇଥିବାର ଏକ ଭିଡିଓ ହସ୍ତଗତ ହୋଇଥିଲା ।
୧ ମାର୍ଚ୍ଚ ୨୦୨୬ରେ ଉକ୍ତ ଭିଡିଓକୁ ଏନଡିଟିଭି ନିଜ ସୋସିଆଲ ମିଡିଆରେ ଅପଲୋଡ଼ କରି ଉଲ୍ଲେଖ କରିଛି, ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ବିରୋଧରେ ପ୍ରତିବାଦ ଜଣାଇବା ପାଇଁ ଦିଲ୍ଲୀର ଉଲାମା ଏବଂ ଅଖିଳ ଭାରତୀୟ ଶିୟା ପରିଷଦଙ୍କ ନେତୃତ୍ୱରେ ଶିୟା ମୁସଲିମ ସମ୍ପ୍ରଦାୟର ସଦସ୍ୟମାନେ ଦିଲ୍ଲୀର ଜନ୍ତରମନ୍ତରରେ ଏକତ୍ରିତ ହୋଇଥିଲେ ।
ଉକ୍ତ ଘଟଣା ନେଇ ପ୍ରମୁଖ ଖବର କାଗଜ ସମାଜ ଏକ ବିଶୃତ ଖବର ପ୍ରକାଶିତ କରିଥିଵାର ଦେଖିବାକୁ ମିଳିଛି ।
ଖବର ପ୍ରକାଶିତ କରି ସମାଜ ଉଲ୍ଲେଖ କରିଛି, ଇରାନର ସର୍ବୋଚ୍ଚ ଶାସନ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଭାରତର ବିଭିନ୍ନ ସ୍ଥାନରେ ପ୍ରତିବାଦ ପ୍ରଦର୍ଶନ ଦେଖା ଦେଇଛି। ଖାମେନେଇଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଆମେରିକା ଏବଂ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେଇଛନ୍ତି ପ୍ରତିବାଦକାରୀ। ଉତ୍ତେଜନା ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।ଆମେରିକା ଏବଂ ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ଶାସନ ନେତା ଆୟତୁଲ୍ଲା ଖାମେନିଙ୍କ ହତ୍ୟା ପରେ ଭାରତର ଜମ୍ମୁ ଏବଂ କାଶ୍ମୀର, ଲେହ, ଲଦାଖ, ଦିଲ୍ଲୀ, ମୁମ୍ବଇ ସମେତ ଉତ୍ତର ପ୍ରଦେଶରେ ବ୍ୟାପକ ପ୍ରତିବାଦ ଦେଖାଦେଇଛି। ଜାମ୍ମୁ ଏବଂ କାଶ୍ମୀର ଧର୍ମଗୁରୁ ମୀରୱାଇଜ୍ ଉମର ଫାରୁକ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ତାଙ୍କ ମୃତ୍ୟୁ ଘଟଣାକୁ କଡ଼ା ନିନ୍ଦା କରିବା ସହ ବନ୍ଦ ଡାକରା ଦେଇଥିଲେ। ଲକ୍ଷ୍ନୋରେ ପ୍ରତିବାଦ ସମୟରେ ସିଆ ମୁସଲିମ ମହିଳାମାନେ କାନ୍ଦିଥିଲେ। ଏହାସହ ସେମାନେ ଇସଲାମିକ ଗଣରାଜ୍ୟ ସପକ୍ଷରେ ସ୍ଲୋଗାନ ଦେଉଥିଲେ।
ବୋମା ଫିଙ୍ଗା ଦାବିକୁ ନେଇ ଅନୁସନ୍ଧାନ କରିବାରୁ ୨୭ ଡିସେମ୍ବର ୨୦୨୩ରେ ସମ୍ବାଦ ଏକ ଖବର ପ୍ରକାଶିତ କରିଥିଵାର ଦେଖିବାକୁ ପାଇଥିଲୁ ।
ପ୍ରକାଶିତ ଖବର ଅନୁଯାୟୀ, "କଡ଼ା ସୁରକ୍ଷା ବଳୟରେ ଥିବା ଲୁଟିୟେଞ୍ଜ୍ ଜୋନ୍ ଅଞ୍ଚଳସ୍ଥିତ ଇସ୍ରାଏଲୀ ଦୂତାବାସ ନିକଟରେ ସ୍ବଳ୍ପ ତୀବ୍ରତାସମ୍ପନ୍ନ ବିସ୍ଫୋରଣ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ବିସ୍ଫୋରଣ ସୂଚନା ପାଇବାକ୍ଷଣି ସନ୍ଧାନୀ କୁକୁର ସ୍କ୍ବାଡ୍, କ୍ରାଇମ୍ ଟିମ୍ ଓ ବୋମା ନିଷ୍କ୍ରିୟକାରୀ ଟିମ୍ଙ୍କୁ ଧରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅବିଳମ୍ବେ ଫୋରେନ୍ସିକ୍ ଲାବ୍ରଟରି ବିଶେଷଜ୍ଞମାନେ ବି ସେଠାରେ ହାଜର ହୋଇଥିଲେ।ସମ୍ପୃକ୍ତ ଅଞ୍ଚଳ ତଲାସ କରିବା ବେଳେ ପୁଲିସ ଇସ୍ରାଲୀୟ ରାଷ୍ଟ୍ରଦୂତଙ୍କ ପ୍ରତି ଲେଖାଯାଇଥିବା ଖଣ୍ଡେ ଚିଠି ଦୂତାବାସଠାରୁ କିଛି ମିଟର ଦୂରରେ ଏକ ଖୋଲା ପଡ଼ିଆରୁ ପାଇଛନ୍ତି। ସେ ଚିଠିରେ ଗୋଟାଏ ପତାକା ବି ଗୁଡ଼ା ହୋଇଥିଲା। ସେ ଚିଠି ଓ ପତାକା ସମେତ ଦୀର୍ଘ ୩ ଘଣ୍ଟା କାଳ ସେ ଅଞ୍ଚଳ ତଲାସ କରିବା ବେଳେ ମିଳିଥିବା ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ମଧ୍ୟ ପୁଲିସ ଫୋରେନ୍ସିକ୍ ପରୀକ୍ଷା ନିମନ୍ତେ ପଠାଇଛି। କିନ୍ତୁ, ଘଟଣାସ୍ଥଳରୁ ସେଭଳି କୌଣସି ମାରାତ୍ମକ ପଦାର୍ଥ ମିଳି ନ ଥିବା କଥା ପୁଲିସ କହିଥିବାର ଉକ୍ତ ଖବରରେ ଉଲ୍ଲେଖ ରହିଛି ।"
ଏହା ମଧ୍ୟ ପ୍ରମାଣିତ ହେଲା ଯେ, ବୋମାମାଡ଼ର ଖବରଟି ୨୦୨୩ର ଅଟେ । ନିକଟ ଦିନରେ ଇସ୍ରାଏଲ ଦୂତାବାସ ନିକଟରେ କୌଣସି ବୋମାମାଡ଼ ହୋଇ ନାହିଁ ।
ଏଥିରୁ ଜଣାଯାଏ ଯେ, ଦାବିଟି ଫେକ୍ ଅଟେ । ଉକ୍ତ ଭିଡିଓଟି ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ବିରୋଧରେ ପ୍ରତିବାଦ ଜଣାଇବା ପାଇଁ ଦିଲ୍ଲୀର ଉଲାମା ଏବଂ ଅଖିଳ ଭାରତୀୟ ଶିୟା ପରିଷଦଙ୍କ ନେତୃତ୍ୱରେ ଶିୟା ମୁସଲିମ ସମ୍ପ୍ରଦାୟର ସଦସ୍ୟମାନେ ଦିଲ୍ଲୀର ଜନ୍ତରମନ୍ତରରେ ଏକତ୍ରିତ ହୋଇଥିବା ସମୟର ଅଟେ ।