ଫ୍ୟାକ୍ଟ ଚେକ୍: ଇରାନ ଉପରେ ଇସ୍ରାଏଲ ଆକ୍ରମଣକୁ ରାଜନାଥ ସିଂହ ସମର୍ଥନ କରୁଥିବା ଭିଡିଓଟି ଏଆଇ ଅଟେ
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚିନ୍ତା ପ୍ରକଟ କରିଛନ୍ତି। ଯୁଦ୍ଧ ପାଇଁ ଦେଶରେ ଅର୍ଥନୈତିକ ପ୍ରଭାବ ପଡ଼ିବା ନେଇ ଚେତାବନୀ ଦେଇଛନ୍ତି ରାଜନାଥ। ପର୍ସିଆନ ଗଲ୍ଫ ଅଞ୍ଚଳ ବିଶ୍ୱର ଶକ୍ତି ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଅଞ୍ଚଳରେ ବ୍ୟାଘାତ ହେଲେ ତେଲ ଓ ଗ୍ୟାସ ଯୋଗାଣରେ ପ୍ରଭାବ ପଡ଼ିବ । ଯାହା ଅର୍ଥନୀତି ଏବଂ ବିଶ୍ୱ ବାଣିଜ୍ୟକୁ ପ୍ରଭାବିତ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ କହିଛନ୍ତି ।
ଇତିମଧ୍ୟରେ ରାଜନାଥଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଇରାନ ଉପରକୁ ଇସ୍ରାଏଲର ଆକ୍ରମଣକୁ ସମର୍ଥନ କରୁଥିବାର ଦାବି ହୋଇଛି ।
ଯାହାର ଏକ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ :
ଦାବିରେ ନାହିଁ କୌଣସି ସତ୍ୟତା, ଏଭଳି କୌଣସି ମନ୍ତବ୍ୟ ଦେଇନାହାଁନ୍ତି ରାଜନାଥ ସିଂହ । ଭାଇରାଲ ହେଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ।
ଦାବିକୁ ଅନୁସନ୍ଧାନ କରିବାରୁ ରାଜନାଥ ସିଂହ ଏଭଳି ମନ୍ତବ୍ୟ ଦେବାର କୌଣସି ପ୍ରମୁଖ ଗଣମାଧ୍ୟମରେ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିବାର ପାଇନଥିଲୁ । ଯଦି ଏତେ ବଡ଼ ପ୍ରତିକ୍ରିୟା ରାଜନାଥ ଦେଇ ଥାନ୍ତେ ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମ ଏନେଇ ଖବର ପ୍ରସାରିତ କରିଥାନ୍ତା ।
ଭାଇରାଲ ଭିଡିଓର ଅନୁସନ୍ଧାନ କରିବାକୁ ଯାଇ, ଉକ୍ତ ଭିଡିଓର କିଛି ଅଂଶକୁ ସ୍କ୍ରୀନସଟ୍ କରି ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ ଟ୍ୱିଟରରେ ସେୟାର ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।
୨୩ ନଭେମ୍ବର ୨୦୨୬ରେ ଏଏନଆଇ ଉକ୍ତ ଭିଡିଓକୁ ସେୟାର କରିଥିଵାର ଦେଖିବାକୁ ପାଇଥିଲୁ ।
ଭିଡିଓରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କିଛି କହୁଥିବାର ଜଣାଯାଉଛି ।
ଉକ୍ତ ଭିଡିଓ ସେୟାର କରି ଏଏନଆଇ ଉଲ୍ଲେଖ କରିଛି, ସିନ୍ଧ ବର୍ତ୍ତମାନ ଭାରତ ମାନଚିତ୍ରର ଏକ ଅଂଶ ନହୋଇଥାଇପାରେ ହେଲେ ଏହାର ସଂସ୍କୃତି ଏବଂ ପରମ୍ପରା ସଦା ସର୍ବଦା ଭାରତର ଅଂଶ ବିଶେଷ ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓର ଅଂଶବିଶେଷ ଲାଗିବାରୁ ଉକ୍ତ କିୱାର୍ଡ ବ୍ୟବହାର କରି ପୁନଃ ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ ଏକ ୟୁଟ୍ୟୁବ ଲିଙ୍କ୍ ହସ୍ତଗତ ହୋଇଥିଲା ।
୨୩ ନଭେମ୍ବର ୨୦୨୫ରେ ଉକ୍ତ ଭିଡିଓଟି ରାଜନାଥ ସିଂହଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୋଇଥିବାର ହସ୍ତଗତ ହୋଇଥିଲା ।
ଯେଉଁଥିରେ ଉଲ୍ଲେଖ ରହିଛି, ଦିଲ୍ଲୀ ସିନ୍ଧି ସମାଜ ସମ୍ମିଳନୀରେ ଆରଏମଙ୍କ ବକ୍ତବ୍ୟ ।
ଉକ୍ତ ଭିଡିଓରେ ସିନ୍ଧି ସମାଜ ସମ୍ପର୍କରେ ଏବଂ ଭାରତରେ ସିନ୍ଧି ସମାଜର ଅବଦାନ ସମ୍ପର୍କରେ କହିଥିଲେ । ଉକ୍ତ ୩୧ ମିନିଟର ଭିଡିଓକୁ ସମ୍ପୂର୍ଣ୍ଣ ଭାବେ ଦେଖିବାରୁ କୌଣସି ସ୍ଥାନରେ ଇରାକ କିମ୍ବା ଇରାନ ବିଷୟରେ ରାଜନାଥ ଆଲୋଚନା କରିଥିଵାର ପାଇନଥିଲୁ ।
ଏଥିରୁ ଅନୁମାନ କରାଯାଏ ଯେ,, ଭାଇରାଲ ହେଉଥିବା ଭିଡିଓଟି କୌଣସି ମତେ ଏଆଇ ଦ୍ୱାରା ନିର୍ମାଣ କରାଯାଇଥାଇ ପାରେ ।
ଅନୁସନ୍ଧାନ କରିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ହାଇଭ ମଡରେସନ ଟୁଲ୍ ରେ ପରୀକ୍ଷା କରିବାରୁ ଉକ୍ତ ଭିଡିଓଟି ୯୯% ଏଆଇ ଦ୍ୱାରା ନିର୍ମିତ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା ।
ଅନ୍ୟପଟେ ପିଆଇବି ଫ୍ୟାକ୍ଟଚେକ୍ ଉକ୍ତ ଭିଡିଓକୁ ଅନୁସନ୍ଧାନ କରି ଏହା ଏକ ଫେକ୍ ଭିଡିଓ ବୋଲି ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛି ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଇରାନ ଉପରକୁ ଇସ୍ରାଏଲର ଆକ୍ରମଣକୁ ସମର୍ଥନ ନେଇ କୌଣସି ବାର୍ତ୍ତା ଦେଇ ନାହାଁନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଭାଇରାଲ ହେଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ଅଟେ ।