ଫ୍ୟାକ୍ଟ ଚେକ୍: ରମଜାନ ଅବସରରେ ବିବାହକୁ ନେଇ ଜାମିଆ ମିଲିଆ ଇସଲାମିଆ ଅନୁଷ୍ଠାନ ପକ୍ଷରୁ ଜାରି ହୋଇଥିବା ନୋଟିସରେ ନାହିଁ କୌଣସି ସତ୍ୟତା

Update: 2026-03-02 17:23 GMT

ଇସଲାମ୍‌ ଧର୍ମାବଲମ୍ବୀଙ୍କ ପବିତ୍ର ମାସ ରମଜାନ୍‌। ମୁସଲିମ୍‌ ସମ୍ପ୍ରଦାୟ ପାଇଁ ଅନ୍ୟତମ ପବିତ୍ର ମାସ ଭାବେ ବିବେଚିତ ହେଉଥିବା ଏହି ମାସ ସାରା ଶ୍ରଦ୍ଧାଳୁମାନେ ଉପବାସ ବ୍ରତ(ରୋଜା) ପାଳନ କରନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ପୂରା ଉପାସେ ରହନ୍ତି ଏବଂ ରାତି‌ରେ ଥରକ ପାଇଁ କିଛି ଖାଦ୍ୟ ଗ୍ରହଣ କରନ୍ତି। ରୋଜା ପାଳନ ଅବସରରେ ଉପବାସ ରହିବା ଛଡ଼ା ବହୁ ମୁସଲମାନ ଶ୍ରଦ୍ଧାଳୁ ବିଭିନ୍ନ ଖରାପ ଅଭ୍ୟାସ ବି ପରିତ୍ୟାଗ କରିବା ପ୍ରଥା ରହିଛି। ବଡ଼କଥା ହେଉଛି ଏହି ମାସ ସାରା ବହୁ ଶ୍ରଦ୍ଧାଳୁ ନମାଜ ପଢ଼ିବାରେ ଅଧିକ ସମୟ ବିତାଇବା ଦେଖାଯାଏ। ମନରେ ପବିତ୍ରତା ବୃଦ୍ଧି କରିବାକୁ ଏହି ବ୍ରତ ପାଳନ କରାଯାଏ ବୋଲି ବିଶ୍ବାସ ରହିଛି। ତେଣୁ ମସଜିଦ୍‌ଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି ।

ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ନୋଟିସ ଭାଇରାଲ ହେବାରେ ଲାଗିଛି । ଉକ୍ତ ନୋଟିସଟି ଜାମିଆ ମିଲିଆ ଇସଲାମିଆ ପକ୍ଷରୁ ଜାରି କରାଯାଇଥିବାର ଦର୍ଶାଯାଇଛି । ଉକ୍ତ ନୋଟିସରେ ଉଲ୍ଲେଖ ରହିଛି, ରମଜାନ ଅବସରରେ ଯଦି ପୁଅ ଏବଂ ଝିଅକୁ ଏକାଠି ଠିଆ ହୋଇଥିବାର ଦେଖିବାକୁ ମିଳେ ତେବେ ତୁରନ୍ତ ତାଙ୍କର ବିବାହ କରିଦିଆଯିବ । ଉକ୍ତ ନୋଟିସକୁ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, ଏହା ଏକ ବିଶ୍ୱ ବିଦ୍ୟାଳୟ ନା ବିବାହ ଏଜେନ୍ସି ।

ଉକ୍ତ କ୍ୟାପସନରେ ୟୁଜର୍ସ ଜଣଙ୍କ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଶିକ୍ଷା ବିଭାଗକୁ ମଧ୍ୟ ଟ୍ୟାଗ କରିଥିଵାର ଦେଖିବାକୁ ମିଳିଛି । 


ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।

ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ନୋଟିସଟି ଫେକ୍ ଅଟେ । ରମଜାନ ଅବସରରେ ଯଦି ପୁଅ ଏବଂ ଝିଅକୁ ଏକାଠି ଠିଆ ହୋଇଥିବାର ଦେଖିବାକୁ ମିଳେ ତେବେ ତୁରନ୍ତ ତାଙ୍କର ବିବାହ କରିଦିଆଯିବ ବୋଲି କୌଣସି ନୋଟିସ ଜାରି କରି ନାହାଁନ୍ତି ଜାମିଆ ମିଲିଆ ଇସଲାମିଆ କର୍ତ୍ତୃପକ୍ଷ ।

ଦାବି ନେଇ ତଦନ୍ତ କରି ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏଭଳି ଘଟଣା ନେଇ କୌଣସି ପ୍ରମୁଖ ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିବାର ପାଇନଥିଲୁ । ଯଦି ଏଭଳି କୌଣସି ନୋଟିସ ଏତେ ବଡ଼ ପ୍ରମୁଖ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାରି ହୋଇଥାନ୍ତା ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ଗଣମାଧ୍ୟମ ସଂସ୍ଥା ଏନେଇ ନିଶ୍ଚିତ ଖବର ପ୍ରସାରିତ କରିଥାନ୍ତେ ।

ତେବେ ଉକ୍ତ ନୋଟିସ ନେଇ ପ୍ରଣବ କୁମାର ନାମକ ଜଣେ ପୁରାତନ ଛାତ୍ରଙ୍କ ସହ ଯୋଗାଯୋଗ କରିଥିଲୁ । ପ୍ରଣବ ଏନେଇ ପୂର୍ବତନ ଛାତ୍ର ସଂସଦ ସହ ଯୋଗାଯୋଗ କରି ଆମକୁ ସୂଚନା ଦେଇ କହିଛନ୍ତି, ଏଭଳି କୌଣସି ନୋଟିସ ପକ୍ଷରୁ ଜାରି କରାଯାଇ ନାହିଁ ।

ଏନେଇ ଜାମିଆ ୱେବସାଇଡ ଏବଂ ସୋସିଆଲ ମିଡିଆରେ ଅନୁସନ୍ଧାନ କରିବାରୁ ଏଭଳି ନୋଟିସ ନେଇ କୌଣସି ସ୍ଥାନରେ କୌଣସି ସୂଚନା ମିଳିପାରି ନାହିଁ ।

ସେହିପରି ଉକ୍ତ ନୋଟିସକୁ ଯଦି ଆପଣ ତର୍ଜମା କରି ଦେଖିବେ, ନୋଟିସର ହେଡର ଏବଂ ଲେଖା (ଫଣ୍ଟ) ରେ ବହୁ ପାର୍ଥକ୍ୟ ଦେଖିବାକୁ ମିଳିଛି । ମୁଖ୍ୟ ମେସେଜର ଫଣ୍ଟ ଉପର ଲେଖା ତୁଳନାରେ ଭିନ୍ନ ଏବଂ ଅସ୍ପଷ୍ଟ ରହିଛି ଯାହାକି ଏହା ଏଡିଟ ହୋଇଥିବାର ଅନୁମାନ କରାଯାଉଛି । ଅନ୍ୟପଟେ ବିବାହ ବ୍ୟବସ୍ଥା କରିବା' କିମ୍ବା 'ୱାଲିମାର ଖର୍ଚ୍ଚ ବହନ କରିବା' ଭଳି ଭାଷା କୌଣସି ପ୍ରତିଷ୍ଠିତ ବ୍ୟକ୍ତିର ସରକାରୀ ବିଜ୍ଞପ୍ତିରେ ବ୍ୟବହାର କରାଯିବା ଗ୍ରହଣୀୟ ହେଉନାହିଁ ତେଣୁ ପ୍ରାୟତଃ ଉକ୍ତ ନୋଟିସଟି ଫେକ୍ ହୋଇଥାଇ ପାରେ ।

ଅନ୍ୟପଟେ ଉକ୍ତ ଭାଇରାଲ ନୋଟିସ ନେଇ ଆଉ ଏକ ନୋଟିସ ଜାରି  କରିଛନ୍ତି  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।

ନୋଟିଫିକେସନ ନମ୍ବର ସି୮୪୦ - ୯(୨) ଆର ଓ/ ୨୦୨୬ ସହ ୨୦.୨ ୨୦୨୬ରେ ଏକ ନୋଟିସ ଜାରି କରି କର୍ତ୍ତୃପକ୍ଷ ଉଲ୍ଲେଖ କରିଛନ୍ତି, "ଏହାଦ୍ୱାରା ସମସ୍ତ ସମ୍ପୃକ୍ତଙ୍କୁ ସୂଚିତ କରାଯାଉଛି ଯେ, ପବିତ୍ର ରମଜାନ ମାସରେ କୌଣସି ପୁଅ ଏବଂ ଝିଅଙ୍କୁ ଏକାଠି ଠିଆ ହୋଇଥିବାର ଦେଖାଗଲେ ନିକାହ ଆୟୋଜନ କରିବା ସମ୍ପର୍କରେ ୨୦.୦୨.୨୦୨୬ ତାରିଖର ଏକ ବିଜ୍ଞପ୍ତି ସଂଖ୍ୟା C&0-9(2)/RO/2026 ସୋସିଆଲ ମିଡିଆରେ ପ୍ରସାରିତ ହେଉଛି । ଯାହା ସମ୍ପୂର୍ଣ୍ଣ ନକଲି ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏପରି କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ। ସମସ୍ତଙ୍କୁ ଏହାକୁ ଗମ୍ଭୀରତାର ସହ ନ ନେବାକୁ ଅନୁରୋଧ କରାଯାଉଛି କାରଣ ଏହା ବିଶ୍ୱବିଦ୍ୟାଳୟର ଛବିକୁ ଖରାପ କରିବା ପାଇଁ ପ୍ରସାରିତ ହୋଇଛି । ବିଶ୍ୱବିଦ୍ୟାଳୟ ପ୍ରଶାସନ ଏପରି ବିଜ୍ଞପ୍ତିକୁ ନିନ୍ଦା କରିବା ସହ ବିଶ୍ୱବିଦ୍ୟାଳୟ ଦିଲ୍ଲୀ ପୋଲିସର ସାଇବର ସେଲ୍ ନିକଟରେ ଅଭିଯୋଗ କରିଛି ।




 



ଉକ୍ତ ଘଟଣାକୁ ନେଇ ଏନଡିଟିଭି ଖବର ପ୍ରସାରଣ କରି ଉଲ୍ଲେଖ କରିଛି,  ଜାମିଆ ମିଲିଆ ଇସଲାମିଆ 'ରମଜାନ ନିକାହ' ନୋଟିସକୁ ନକଲି ବୋଲି କହିଛି ଇ  ଉକ୍ତ ଘଟଣା ନେଇ ସାଇବର ଥାନାରେ  ଅଭିଯୋଗ ଦାଖଲ କରିଛି ବିଶ୍ୱବିଦ୍ୟାଳୟ I ଛାତ୍ରଛାତ୍ରୀ  ଏବଂ ଜନସାଧାରଣଙ୍କୁ ଏହି ନକଲି ବିଜ୍ଞପ୍ତିକୁ ବିଶ୍ୱାସ କିମ୍ବା ସେୟାର ନକରିବାକୁ ଅନୁରୋଧ କରିଛନ୍ତି  କର୍ତ୍ତୃପକ୍ଷ  । 


ସେହିପରି ଆହୁକିଛି ଗଣମାଧ୍ୟମ ଏନେଇ ସମାନ ସୂଚନ ସହ ଖବର ପ୍ରସାରଣ କରିଥିବାର ଦେଖିବାକୁ ମିଳିଛି, ଯାହାର ଲିଙ୍କ ଏଠାରେ ଏବଂ ଏଠାରେ   ଉପଲବ୍ଧ ରହିଛି I 


ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ନୋଟିସଟି ଫେକ୍ ଅଟେ । ରମଜାନ ଅବସରରେ ଯଦି ପୁଅ ଏବଂ ଝିଅକୁ ଏକାଠି ଠିଆ ହୋଇଥିବାର ଦେଖିବାକୁ ମିଳେ ତେବେ ତୁରନ୍ତ ତାଙ୍କର ବିବାହ କରିଦିଆଯିବ ବୋଲି କୌଣସି ନୋଟିସ ଜାରି କରି ନାହାଁନ୍ତି ଜାମିଆ ମିଲିଆ ଇସଲାମିଆ କର୍ତ୍ତୃପକ୍ଷ । ଏଭଳି ନୋଟିସ କୁ ନିନ୍ଦା କରିବା ସହ ଏନେଇ ଦିଲ୍ଲୀ ସାଇବର ଥାନାରେ ଏତଲା ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ ।


Claim :  ରମଜାନ ଅବସରରେ ଯଦି ପୁଅ ଏବଂ ଝିଅକୁ ଏକାଠି ଠିଆ ହୋଇଥିବାର ଦେଖିବାକୁ ମିଳେ ତେବେ ତୁରନ୍ତ ତାଙ୍କର ବିବାହ କରିଦିଆଯିବ, ଏଭଳି ନୋଟିସ ଜାରି କରିଛି ଜାମିଆ ମିଲିଆ ଇସଲାମିଆ ।
Claimed By :  Social Media User
Fact Check :  Unknown
Tags:    

Similar News