ଫ୍ୟାକ୍ଟ ଚେକ୍: ମହାମହିମ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଫଟୋ ଗୁଡ଼ିକ ଏଆଇ ଦ୍ୱାରା ନିର୍ମିତ

ମହାମହିମ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିଥିଲେ ସତ ହେଲେ, ଭାଇରାଲ ହେଉଥିବା ଫଟୋ ଗୁଡ଼ିକ ଏଆଇ ଦ୍ୱାରା ନିର୍ମିତ

Update: 2025-07-16 04:59 GMT


ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏମ୍ସ ଭୁବନେଶ୍ବରର ପଞ୍ଚମ ସମାବର୍ତ୍ତନ ସମାରୋହରେ ଯୋଗଦେବା ସହ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମଧ୍ୟ ଯୋଗଦେଇଥିଲେ ରାଷ୍ଟ୍ରପତି । ରେଭେନ୍ସା ବିଶ୍ବବିଦ୍ୟାଳୟର ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ କୃତ୍ତି ଛାତ୍ରଛାତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଉପାଧି ପ୍ରଦାନ କରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସହ କାରକେଡ୍ ରିହରସାଲ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ୭୦ ପ୍ଲାଟୁନ ଫୋର୍ସ ଓ ୩୦୦ ଅଫିସର ମୁତୟନ ରହିଥିଲେ ।

ଇତିମଧ୍ୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁଇଟି ଫଟୋରେ ମହାମହିମ ଏକ ଧଳା ରଙ୍ଗର ଶାଢ଼ୀ ପିନ୍ଧି ଏକ ଚାଳ ଘର ଆଗରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିବା ବେଳେ, ଆଉ ଏକ ଫଟୋରେ ଗ୍ରାମବାସୀ ଙ୍କୁ କିଛି ଉପଦେଶ ଦେଉଥିବାର ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ଗ୍ରାମବାସୀଙ୍କ ସହ ଫଟୋ ପାଇଁ ପୋଜ୍ ଦେଉଥିବା ବେଳେ ଆଉ ଏକ ଫଟୋରେ କୁନିକୁନି ଛାତ୍ରଛାତ୍ରୀଙ୍କ ସହ କିଛି ଆଲୋଚନା କରୁଥିବାର ଦେଖିବାକୁ ମିଳିଛି ।

ଉକ୍ତ ଫଟୋ ଗୁଡ଼ିକ ମହାମହିମଙ୍କ ଓଡିଶା ଗସ୍ତର ଫଟୋ ବୋଲି ଦାବି ହୋଇଛି I

ଯାହାର ଲିଙ୍କ ଏଠାରେ ଏବଂ ଏକ ସ୍କ୍ରିନସଟ  ତଳେ ଉପସ୍ଥିତ ରହିଛି I




ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ  । ମହାମହିମ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିଥିଲେ ସତ ହେଲେ, ଭାଇରାଲ ହେଉଥିବା ଫଟୋ ଗୁଡ଼ିକ ଏଆଇ ଦ୍ୱାରା ନିର୍ମିତ      


ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦେଖିବାରୁ ମହାମହିମ ଏଭଳି କୌଣସି ଗ୍ରାମରେ ଯୋଗ ଦେବା କିମ୍ବା କୌଣସି ଗ୍ରାମବାସୀଙ୍କ ସହ ଆଲୋଚନାରେ ସାମିଲ ହେବାର କାର୍ଯ୍ୟକ୍ରମ ନଥିଲା ।

ମହାମହିମଙ୍କ ଓଡ଼ିଶଗସ୍ତର ଖବର ପ୍ରସାରଣ କରୁଥିବା ପ୍ରତିନିଧି ମହେଶ କୁମାର ନନ୍ଦଙ୍କୁ ଏନେଇ ପଚାରିବାରୁ, ଏଭଳି କୌଣସି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେଇ ନାହାଁନ୍ତି ।  ଯଦି ଏଭଳି କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇଥାନ୍ତା ତେବେ ଆମେ ନିଶ୍ଚିତ ଖବର ପ୍ରସାରଣ କରିଥାନ୍ତୁ ।

ଅନୁସନ୍ଧାନ କରିବାକୁ ଯାଇ ମହାମହିମଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ ସମାଜ ନିଜ ପୋର୍ଟାଲରେ ପ୍ରକାଶିତ କରିଥିଵାର ଦେଖିବାକୁ ମିଳିଥିଲା ।

୧୪ ଜୁଲାଇରେ ପ୍ରକାଶିତ ଖବର ଅନୁଯାୟୀ, ଦୁଇଦିନ ଧରି ଭୁବନେଶ୍ୱର ସମେତ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଜୁଲାଇ ୧୫ ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଆଜି ଅପରାହ୍ଣ ସାଢ଼େ ୪ଟାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନୂଆଦିଲ୍ଲୀରୁ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ଆସି ସନ୍ଧ୍ୟା ୫ଟା ୧୦ମିନିଟରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ବିମାନ ବନ୍ଦରରୁ ସିଧା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ , ଭୁବନେଶ୍ୱର ୫ମ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଏମ୍ସ ସମାବର୍ତ୍ତନ ଉତ୍ସବରେ ଅନ୍ୟ ଅତିଥି ଭାବେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ରହିବେ। ସେଠାରୁ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଜଭବନ ଯାଇ ରାତ୍ରିଯାପନ କରିବେ। ଜୁଲାଇ ୧୫ ପୂର୍ବାହ୍ଣ ୧୦ଟାରେ ରାଷ୍ଟ୍ରପତି ରାଜଭବନରୁ କଟକ ଅଭିମୁଖେ ବାହାରିବେ। ପୂର୍ବାହ୍ଣ ୧୧ଟାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ୧୨ଟା ୨୦ମିନିଟରେ ସେ କଟକ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଅପରାହ୍ଣ ୪ଟାରେ ରାଷ୍ଟ୍ରପତି କଟକ ତୁଳସୀପୁର ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନ ଯାଇ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଆଦିକବି ସାରଳା ଦାସଙ୍କ ୬୦୦ତମ ଜୟନ୍ତୀରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିବା ସହ ‘କଳିଙ୍ଗ ରତ୍ନ ପୁରସ୍କାର-୨୦୨୪’ ପ୍ରଦାନ କରିବେ। ସେଠାରୁ ବାହାରି ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ନୂଆଦିଲ୍ଲୀ ଫେରିଯିବେ।

ଉକ୍ତ କାର୍ଯ୍ୟସୂଚୀ ର କୌଣସି ସ୍ଥାନରେ କୌଣସି ଗ୍ରାମକୁ ଗସ୍ତ ନେଇ କୌଣସି ସୂଚନା ଥିବାର ଦେଖିବାକୁ ପାଇନଥିଲୁ ।

ସେହିପରି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ପ୍ରତ୍ୟେକଟି ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଛି ।

୧୪ ଜୁଲାଇରେ ପ୍ରସାରିତ ଖବର ଅନୁଯାୟୀ, ରାଷ୍ଟ୍ରପତି ମହୋଦୟା ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ୫ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସ୍ୱାସ୍ଥ୍ୟସେବ, ରୋଗୀ ସେବା ଏବଂ ଚିକିତ୍ସା ଶିକ୍ଷାରେ ପ୍ରତିଷ୍ଠାନର ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିଥିଲେ। ସେବା, ଗବେଷଣା ଏବଂ ତାଲିମରେ ଶ୍ରେଷ୍ଠତା ହାସଲ କରିବା ସହିତ ଏମ୍ସ ଭୁବନେଶ୍ୱର ଭାରତର ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ମଜବୁତ କରିଚାଲିଥିବା ପ୍ରକାଶ କରିଥିଲେ ରାଷ୍ଟ୍ରପତି ।

ପରେପରେ ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପରେ ରାଷ୍ଟ୍ରପତି ଆତ୍ମହତ୍ୟା ଉଦ୍ୟମ କରିଥିବା ଚିକିତ୍ସାଧିନ ଛାତ୍ରୀଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୨ ଦିନିଆ ଗସ୍ତରେ ଆସି ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧାସଳଖ ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ଏହି ଉତ୍ସବରୁ ବାହାରିବା ପରେ ରାଷ୍ଟ୍ରପତି ହସ୍ପିଟାଲର ବର୍ଣ୍ଣିଂ ୱାର୍ଡକୁ ଯାଇ ପୀଡ଼ିତା ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିବା ସହ ତାଙ୍କ ପରିବାର ଓ ଡାକ୍ତରୀ ଟିମ୍ ସହ ଆଲୋଚନା କରିଥିଲେ ।

୧୫ ଜୁଲାଇରେ ପ୍ରସାରିତ ଖବର ଅନୁଯାୟୀ, ଦୁଇ ଦିନିଆ ଓଡିଶା ଗସ୍ତର ଆଜି ହେଉଛି ଦ୍ଵିତୀୟ ଦିନ। ଆଜି ରାଷ୍ଟ୍ରପତି କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥିଭାବେ ଯୋଗ ଦେଇ ନିଜ ସମ୍ବୋଧନରେ ରଖିଛନ୍ତି। ରେଭେନ୍ସା ଅନୁଭୂତି ନେଇ ନିଜ ମତ ରଖିଛନ୍ତି। ଏବଂ କହିଛନ୍ତି ମୋ ଝିଅ ଏଠାରେ ଦୁଇ ବର୍ଷ ପାଠ ପଢିବା ସମୟରେ ମୁଁ ହଷ୍ଟେଲକୁ ଆସିଥିଲି। ଏହା କେବଳ ଇଟା ସିମେଣ୍ଠରେ ଗଢା ନୁହେଁ , ଏହା ଏକ ଶାଳ ଗ୍ରାମ।ଏହି ଅନୁଷ୍ଠାନ ଭାରତ ଇତିହାସ ସହ ଯୋଡି ହୋଇରହିଛି ବୋଲି କହିଥିଲେ ରାଷ୍ଟ୍ରପତି ।

ଅନ୍ୟପଟେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ତିନୋଟି ଅଟ୍ଟାଳିକାର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି। ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେବା ସହିତ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହିସବୁ କାର୍ଯ୍ୟକ୍ରମ ପରେ ସେ ପୁଣି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ନେଇ ଖବରରେ ଉଲ୍ଲେଖ ରହିଛି ।

ସେହିପରି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର କିଛି ଫଟୋ ରାଷ୍ଟ୍ରପତିଙ୍କ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥବାର ଦେଖିବାକୁ ମିଳିଛି ।







ଉପରେ ପୋଷ୍ଟ ହୋଇଥିବା କୌଣସି ଫଟୋରେ ଭାଇରାଲ ଫଟୋର ଝଲକ ଦେଖିବାକୁ ମିଳିନାହିଁ । ତେଣୁ ଏହା ପ୍ରମାଣ କରୁଛି ଯେ, ରାଷ୍ଟ୍ରପତିଙ୍କ ୨ ଦିନିଆ ଓଡ଼ିଶା ଗସ୍ତ ସହ ଭାଇରାଲ ଫଟୋର କୌଣସି ସମ୍ପର୍କ ନାହିଁ ।

ସେହିପରି ଫଟୋ ଗୁଡ଼ିକୁ ସଠିକ ଭାବେ ତର୍ଜମା କରି ଦେଖିବେ ଯଦି ଫଟୋର ଏକ କୋଣରେ ମେଟା ଏଆଇର ଲୋଗ ରହିଛି, ଯାହାକି ଫେସବୁକ ଏଆଇ ଟୁଲ୍ କୁ ଦର୍ଶାଉଛି । 

ଅନ୍ୟପଟେ ଭାଇରାଲ ଫଟୋ ଗୁଡ଼ିକ କିଛି ମାତ୍ରାରେ ଅପ୍ରାକୃତିକ ଦେଖା ଯାଉଥିବା ବେଳେ ଉକ୍ତ ଫଟୋ ଗୁଡ଼ିକୁ ଆମେ ଏଆଇ ଟୁଲ୍ ରେ ପରୀକ୍ଷା କରିଥିଲୁ ।

ପରୀକ୍ଷାରୁ ଫଟୋ ଗୁଡ଼ିକ ଏଆଇ ଦ୍ୱାରା ନିର୍ମିତ ହୋଇଥିବାର ରିପୋର୍ଟ ପ୍ରକାଶ ପାଇଥିଲା ।






ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ମହାମହିମ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିଥିଲେ ସତ ହେଲେ, ଭାଇରାଲ ହେଉଥିବା ଫଟୋ ଗୁଡ଼ିକ ଏଆଇ ଦ୍ୱାରା ନିର୍ମିତ I


Claim :  ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର କିଛି ଫଟୋ
Claimed By :  Social Media User
Fact Check :  Unknown
Tags:    

Similar News