ଫ୍ୟାକ୍ଟ ଚେକ୍: ବିଶାଖାପାଟନା ଏଚପିସିଏଲରେ ଅଗ୍ନିକାଣ୍ଡର ଭିଡିଓଟି ବହୁ ପୁରୁଣା ଅଟେ

Update: 2025-11-02 09:44 GMT


ବିଶାଖାପାଟନା ଆନ୍ଧ୍ରପ୍ରଦେଶର ଏକ ସହର, ଯାହା ଏହା ଶିଳ୍ପ ଓ ସମୃଦ୍ଧି କେନ୍ଦ୍ର ପାଇଁ ବେସ୍ ଜଣାଶୁଣା। ବିଶାଖାପାଟନା ଭାଇଜାଗ ଭାବରେ ମଧ୍ୟ ଜଣାଶୁଣା, ଏଠାରେ ଇସ୍ପାତ କାରଖାନା ଏବଂ ପେଟ୍ରୋକେମିକାଲ୍ସ ସମେତ ଅନେକ ପ୍ରମୁଖ ଶିଳ୍ପ କାରଖାନା ଅବସ୍ଥିତ । ଶିଳ୍ପ କାରଖାନା ଗୁଡ଼ିକରେ ବାରମ୍ବାର ଅଗ୍ନିକାଣ୍ଡ ଘଟିଥିବାର ଖବର ମଧ୍ୟ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଥାଏ ।

ଗତ ସେପ୍ଟେମ୍ବର ୨୦୨୫ରେ ଭାରତ ପେଟ୍ରୋ କେମିକାଲ୍ସ ଲିମିଟେଡରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା, ସେହିପରି ମଇ ୨୦୨୫ରେ ବିଶାଖାପାଟନା ଇସ୍ପାତ କାରଖାନାରେ ଆଉ ଏକ ଅଗ୍ନିକାଣ୍ଡ ଘଟିଥିଲା । ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଏକ ପାହାଡ଼ ଉପରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଦେଖିବାକୁ ମିଳିଛି । ତଳେ ଏକ ଛୋଟ ସହର ସଦୃଶ ମଧ୍ୟ କିଛି ଥିବାର ଦେଖିବାକୁ ମିଳିଛି । ୟୁଜର୍ସ ଉକ୍ତ ଭିଡିଓକୁ ବର୍ତ୍ତମାନର ଭିଡିଓ ଲେଖିବା ସହ ଭିଡିଓଟି ବିଶାଖାପାଟନା ସ୍ଥିତ ଏଚପିସିଏଲରେ ଭୟାବହ ଅଗ୍ନିକାଣ୍ଡର ଦୃଶ୍ୟ ବୋଲି ଦର୍ଶାଇଛନ୍ତି । ଭିଡିଓ ଉପରେ ମଧ୍ୟ ସମାନ ସୂଚନା ଲେଖା ହୋଇଥିବାର ଦେଖିବାକୁ ମିଳିଛି ।



ଯାହାର ଏକ ସ୍କ୍ରିନସଟ ତଳେ ଉପଲବ୍ଧ ରହିଛି I  



ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ୨୦୨୧ ମସିହାରେ ବିଶାଖାପାଟନା ସ୍ଥିତ ଏଚପିସିଏଲର ଅଗ୍ନିକାଣ୍ଡର ଦୃଶ୍ୟ ଅଟେ । ନିକଟ ଦିନରେ ଏଭଳି କୌଣସି ଅଘଟଣ ଘଟିନଥିବାର ସୂଚନା ।

ତଦନ୍ତ ପାଇଁ ଯେତେବେଳେ ଆମେ ନିକଟ ଦିନରେ ବିଶାଖାପାଟନା ସ୍ଥିତ ଏଚପିସିଏଲର ଅଗ୍ନିକାଣ୍ଡ କିୱାର୍ଡ ସହ ସର୍ଚ୍ଚ କରିଥିଲୁ । ନିକଟ ଦିନରେ ଏଭଳି କୌଣସି ଅଗ୍ନିକାଣ୍ଡ ଘଟିଥିବାର କୌଣସି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିବାର ପାଇନଥିଲୁ ।

ହେଲେ ଅନୁସନ୍ଧାନରୁ ୨୫ ମଇ ୨୦୨୧ରେ କଳିଙ୍ଗ ଟିଭିରେ ପ୍ରସାରିତ ହୋଇଥିବାର ଏକ ଖବର ହସ୍ତଗତ ହୋଇଥିଲା ।

ଯେଉଁଥିରେ ଉଲ୍ଲେଖ ଥିଲା ବିଶାଖାପାଟନା ସ୍ଥିତ ଏଚପିସିଏଲ ପ୍ଲାଣ୍ଟରେ ଭୟାଵହ ଅଗ୍ନିକାଣ୍ଡ ।

ପ୍ରସାରିତ ଖବରରେ ଯେଉଁ ଫଟୋ ଅଛି ଭାଇରାଲ ଭିଡିଓ ସହ କିଛିମାତ୍ରାରେ ମେଳ ଖାଉଥିବାର ଦେଖିବାକୁ ପାଇଥିଲୁ ।

ଅଧିକ ତଦନ୍ତ କରିବାକୁଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ୨୫ ମଇ ୨୦୨୧ରେ ଏଏନଆଇ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଵାର ଦେଖିବାକୁ ମିଳିଛି ।



ଭାଇରାଲ ହେଉଥିବା ଭିଡିଓରେ ଜେଉଁ ପାହାଡ଼ରେ ଅଗ୍ନିକାଣ୍ଡର ଭିଡିଓ ଅଛି, ଉକ୍ତ ପ୍ରସାରିତ ଖବରରେ ମଧ୍ୟ ସମାନ ପାହାଡ଼ ଦେଖିବାକୁ ମିଳିଛି ।

ଆମ ଅନୁସନ୍ଧାନରୁ ୨୫ ମଇ ୨୦୨୧ରେ ଇଟିଭି ଏକ ଖବର ପ୍ରସାରଣ କରିଥିବାର ହସ୍ତଗତ ହୋଇଥିଲା ।

ଖବର ପ୍ରସାରଣ କରି ଇଟିଭି ଉଲ୍ଲେଖ କରିଛି, "ଆନ୍ଧ୍ରପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ । ବିଶାଖାପାଟନମର HPCL (ଏଚପିସିଏଲ)ରେ ଲାଗିଛି ନିଆଁ । ନିଆଁ ଲାଗିବା ଦେଖି କର୍ମଚାରୀମାନେ ଏଚପିସିଏଲରୁ ବାହାରକୁ ଦୌଡିବାରେ ଲାଗିଛନ୍ତି । ଅଗ୍ନିକାଣ୍ଡ ସମୟରେ ଅନ୍‌ ଥିଲା ଆଲାରାମ । ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡିନଥିବା ଇଟିଭି ନିଜ ପ୍ରସାରିତ ଖବରରେ ଉଲ୍ଲେଖ କରିଛି । "

ସେହିପରି ଇଣ୍ଡିଆ ଟିଭି ନିଜ ୱେବ ପୋର୍ଟାଲରେ ଏନେଇ ଏକ ଖବର ୨୫ ମଇ ୨୦୨୧ରେ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଥିଲା ।

ଖବର ପ୍ରସାରଣ କରି ଇଣ୍ଡିଆ ଟିଭି ଉଲ୍ଲେଖ କରିଛି, "ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ପ୍ଲାଣ୍ଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବା ପାଇଁ ଅନେକ ଅଗ୍ନିଶମ ଗାଡି ନିୟୋଜିତ କରାଯାଇଥିଲା। ଖୁବ୍ ଶୀଘ୍ର ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ।"

ଉକ୍ତ ଖବରରେ ଇଣ୍ଡିଆ ଟିଭି ଏହା ମଧ୍ୟ ଉଲ୍ଲେଖ କରିଛି ଯେ, ଏଚପିସିଏଲ ସୂଚନା ଅନୁଯାୟୀ, ଏଚପିସିଏଲ ର ବିଶାଖା ରିଫାଇନାରୀର ଏକ ଅଶୋଧିତ ତୈଳ ପ୍ରକ୍ରିୟାକରଣ ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା । ସୁରକ୍ଷା ବ୍ୟବସ୍ଥା ଏବଂ ଅଗ୍ନି ନିର୍ବାପନ ତୁରନ୍ତ ସକ୍ରିୟ କରାଯାଇଥିଲା । ନିଆଁ କୁ ଆୟତ୍ତ କରାଯାଇଥିବା ବେଳେ କାହାର କୌଣସି କ୍ଷତି ହୋଇନାହିଁ ଏବଂ ଜନସାଧାରଣଙ୍କ ପାଇଁ କୌଣସି ବିପଦ ନାହିଁ। ଅନ୍ୟାନ୍ୟ ରିଫାଇନାରୀ କାର୍ଯ୍ୟ ସ୍ୱାଭାବିକ ଚାଲୁଅଛି। "

ଅନ୍ୟପଟେ ଉକ୍ତ ଘଟଣାକୁ ଦ ଇକୋନୋମିକ ଟାଇମ୍ସ ଏବଂ ଏନଡିଟିଭି ଭଳି କିଛି ପ୍ରମୁଖ ଗଣମାଧ୍ୟମ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି।

ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ୨୦୨୧ ମସିହାରେ ବିଶାଖାପାଟନା ସ୍ଥିତ ଏଚପିସିଏଲର ଅଗ୍ନିକାଣ୍ଡର ଦୃଶ୍ୟ ଅଟେ । ନିକଟ ଦିନରେ ଏଭଳି କୌଣସି ଅଘଟଣ ଘଟିନଥିବାର ସୂଚନା । 


Claim :  ବିଶାଖାପାଟନା ସ୍ଥିତ ଏଚପିସିଏଲରେ ଭୟାବହ ଅଗ୍ନିକାଣ୍ଡ
Claimed By :  Social Media User
Fact Check :  Unknown
Tags:    

Similar News