ଫ୍ୟାକ୍ଟ ଚେକ୍: ପୁରୁଣା ରାଜନୈତିକ ରାଲି ଭିଡିଓକୁ ୟୁପିରେ ସାମ୍ପ୍ରତିକ ପ୍ରତିବାଦ ସହ ଯୋଡି ସେୟାର କରାଯାଇଛି

ଭାଇରାଲ ହେଉଥିବା ଭିଡିଓଟି ୨୦୨୪ରେ ରାଜସ୍ଥାନରେ ଆୟୋଜିତ ଲୋକସଭା ନିର୍ବାଚନ ସମୟର ଅଟେ । ଯେଉଁଥିରେ ଜଣେ ସ୍ଵାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାକୁ ଯାଉଥିଲେ । ଉକ୍ତ ଭିଡିଓ ସହ ଉତ୍ତର ପ୍ରଦେଶରେ ଯାଦବଙ୍କ ବିକ୍ଷୋଭ ପ୍ରଦର୍ଶନସହ କୌଣସି ସମ୍ପର୍କ ନାହିଁ ।

Update: 2025-07-02 05:47 GMT


ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାରେ ଜଣେ ଯଦୁବଂଶୀ ପ୍ରବଚକଙ୍କ ସହ ଘଟିଥିବା ଏକ ଅମାନବୀୟ ଘଟଣା ପରେ ବିବାଦ ସୃଷ୍ଟି ହୋଇଛି । ଦଦରପୁର ଗ୍ରାମରେ ପଥର ମାରିବା ଏବଂ ଦଙ୍ଗା ପରିସ୍ଥିତି ଉପୁଜିବା ପରେ, ପୋଲିସକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିଲା । ପୋଲିସ ଏକ ମାମଲା ରୁଜୁ କରି ୧୯ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ସେହି ସମୟରେ, ଗିରଫଦାରୀକୁ ନେଇ ପରିବାର ସଦସ୍ୟ ଏବଂ ପୋଲିସ ମଧ୍ୟରେ ଉଗ୍ର ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରକାଶିତ ଖବର ଅନୁଯାୟୀ, ଏହି ଘଟଣାଟି ଥାନା ବାକେୱାର ଅଞ୍ଚଳର ଦଦରପୁର ଗାଁରେ ଘଟିଛି, ଯେଉଁଠାରେ ଜଣେ ଯଦୁବଂଶୀ ପ୍ରବଚକଙ୍କ ଯୋରଜବରଦସ୍ତି ମୁଣ୍ଡ ଚୁଟି କାଟିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣା ପରେ ଉତ୍ତେଜିତ ହୋଇ କିଛି ଯୁବକ ଗାଁ ବାହାରେ ଏକାଠି ହୋଇ ପ୍ରତିବାଦ କରି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଉକ୍ତ ଘଟଣାରେ ଏକ ପୋଲିସ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଆକାଶରେ ଗୁଳି ଚଳାଇବାକୁ ପଡିଥିଲା। ଏହା ପରେ, ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୯ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ସମସ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଜେଲ ପଠାଇବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ଜନ ସମୁଦ୍ର କୌଣସି ଏକ ସ୍ଥାନକୁ ଯାଉଥିବାର ଦେଖିବାକୁ ମିଳିଛି । ଭାଇରାଲ ଭିଡିଓଟି ଏକ ଡ୍ରୋନ୍ ଯୋଗେ ସୁଟ୍ ହୋଇଥିବା ବେଳେ, ପ୍ରାୟ ଲକ୍ଷାଧିକ ଜନସମାଗମ ହୋଇଥିବାର ଦେଖିବାକୁ ମିଳିଛି । ଏକ ଓଭର ବ୍ରିଜ ଦେଇ ଜନ ସମାଗମ ଗତି କରୁଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓ ଉପରେ ଉଲ୍ଲେଖ ରହିଛି ହଟାବାରେ ଯାଦବ ଭାଇଙ୍କ ଏକତା ।

ଉକ୍ତ ଭିଡିଓଟି ଉତ୍ତର ପ୍ରଦେଶରେ ହୋଇଥିବା ଯାଦବ ଆନ୍ଦୋଳନ ବୋଲି ଦାବି ହୋଇଛି ।

ଯାହାର ଲିଙ୍କ ଏଠାରେ ଉପଲବ୍ଧ ଥିବା ବେଳେ, ଏକ ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି ।


ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ହେଉଥିବା ଭିଡିଓଟି ବହୁ ପୁରୁଣା । ଯାହାକି ଏକ ରାଜନୈତିକ ରାଲି ଅଟେ । ଉକ୍ତ ଭିଡିଓର ଯାଦବଙ୍କ ବିକ୍ଷୋଭ ପ୍ରଦର୍ଶନ ସହ ନାହିଁ କୌଣସି ସମ୍ପର୍କ ।

ଉକ୍ତ ଘଟଣା ନେଇ ଅନୁସନ୍ଧାନ କରିବାରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ପାଇଥିଲୁ । ହେଲେ କୌଣସି ଗଣମାଧ୍ୟମରେ ଭାଇରାଲ ହେଉଥିବା ଭିଡିଓ ଦେଖିବାକୁ ପାଇନଥିଲୁ । ଯଦି ଏଭଳି ବିଶାଳ ରାଲିର ଆୟୋଜନ ହୋଇଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମ ଉକ୍ତ ରାଲିକୁ ପ୍ରସାରିତ କରିଥାନ୍ତେ ।

ଅଧିକ ତଦନ୍ତ କରିବାକୁଯାଇ ଯେତେବେଳେ ଆମେ ଉତ୍ତର ପ୍ରଦେଶର ଜଣେ ସାମ୍ବାଦିକ ଯୋଗେଶ କୁମାର ଯୋଗାଯୋଗ କରିଥିଲୁ, ତାଙ୍କ ସୂଚନା ଅନୁଯାୟୀ, ' ଏଭଳି କୌଣସି ବିଶାଳ ରାଲି ନିକଟରେ ଉତ୍ତର ପ୍ରଦେଶରେ ଆୟୋଜିତ ହୋଇନାହିଁ , ଯଦି ଏଭଳି କୌଣସି ରାଲିର ଆୟୋଜନ ହୋଇଥାନ୍ତା ତେବେ ଆମେ ନିଶ୍ଚିତ ଖବର ପ୍ରସାରିତ କରିଥାନ୍ତୁ । ଭିଡିଓଟି ବହୁ ପୁରୁଣା ହୋଇଥାଇ ପାରେ କିମ୍ବା ଉତ୍ତର ପ୍ରଦେଶ ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନଥାଇପାରେ, ବୋଲି ଯୋଗେଶ ସୂଚନା ଦେଇଛନ୍ତି ।

ତଦନ୍ତ କରିବାକୁଯାଇ ଯେତେବେଳେ ଆମେ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଭିଡିଓ ଲିଙ୍କ୍ ହସ୍ତଗତ ହୋଇଥିଲା ।

ଉକ୍ତ ଭିଡିଓଟିକୁ ଜଣେ ୟୁଜର୍ସ ୪ ଅପ୍ରେଲ ୨୦୨୪ରେ ଅପଲୋଡ଼ କରିଥିବାର ଦେଖିବାକୁ ମିଳିଛି ।

ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ ।


ତୁଳନାରୁ ଉଭୟ ଭିଡିଓ ଗୋଟିଏ ଘଟଣାର ସମାନ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ ।

ଭାଇରାଲ ଭିଡିଓଟି ୨୦୨୪ରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ତେଣୁ ଏଥିରୁ ପାଣିତ ହେଲା ଯେ, ନିକଟରେ ଯାଦବଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବିକ୍ଷୋଭ ସମାରୋହ ସହ ଭାଇରାଲ ହେଉଥିବା ଭିଡିଓର କୌଣସି ସମ୍ପର୍କ ନାହିଁ ।

ସେହିପରି ଆଉଜଣେ ୟୁଜର୍ସ ଉକ୍ତ ଭିଡିଓକୁ ଅପଲୋଡ଼ କରିଥିବା ବେଳେ, ଏହା ଭାଇରାଲ ଭିଡିଓଠାରୁ ଅଧିକ ଲମ୍ବା ଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଉଲ୍ଲେଖ ରହିଛି ବାଡ଼ମେରରେ ନାମାଙ୍କନ ରାଲି । 

ଉକ୍ତ କିୱାର୍ଡକୁ ବ୍ୟବହାର କରି ଅନୁସନ୍ଧାନ କରିବାରୁ, ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।

ଭିଡିଓଟି ୮ ଅପ୍ରେଲ ୨୦୨୪ରେ ZEE News ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିବାର ଦେଖିବାକୁ ମିଳିଛି ।

ଉକ୍ତ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୬,୨୬,୨୦୮ ଭିୟୁ ମିଳିଥିବାର ଦେଖିବାକୁ ମିଳିଛି । ଯାହାର ଶୀର୍ଷକ ରହିଛି ୨୦୨୪ ଲୋକସଭା ନିର୍ବାଚନ, ରାଜସ୍ଥାନରେ ଦମ୍ ଦେଖାଇଲେ ରବୀନ୍ଦ୍ର ସିଂହ ଭାଟି ।


Full View


 ଉକ୍ତ ଭିଡିଓଟି ଭାଇରାଲ ଭିଡିଓର ବହୁ ଅଂଶ ସହ ସମାନ ଥିବାର ଦେଖିବାକୁ ମିଳିଥିଲା ।

ଏଥିରୁ ପ୍ରମାଣିତ ହେଲା ଯେ, ଉକ୍ତ ଭିଡିଓଟି ରାଜସ୍ଥାନର ୨୦୨୪ ନିର୍ବାଚନ ସମୟର ଅଟେ ।

ସେହିପରି ଉକ୍ତ ଖବରକୁ ପ୍ରସାରିତ କରିବାକୁ ଯାଇ ଏନଡିଟିଭି ଉଲ୍ଲେଖ କରିଛି, ରାଜସ୍ଥାନ ରାଜନୀତିରେ ଯେଉଁ ଚେହେରା ବିଷୟରେ ସବୁଠାରୁ ଅଧିକ ଆଲୋଚନା ହେଉଛି ତାହା ହେଉଛି ରବିନ୍ଦ୍ର ସିଂହ ଭାଟି । ଭାଟି ବଡ଼ମେର ଜିଲ୍ଲାର ବିଧାନସଭା ଆସନରୁ ଜଣେ ସ୍ୱାଧୀନ ପ୍ରାର୍ଥୀ । ଗତବର୍ଷ ଛାତ୍ର ସଂଘ ନିର୍ବାଚନରେ ​​ବିଜୟୀ ହେବା ପରେ, ରବିନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ହୋଇଥିଲେ ଏବଂ ଏବେ ସେ ଲୋକସଭା ନିର୍ବାଚନରେ ​​ବଡ଼ମେରରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରବିନ୍ଦ୍ର ଭାଟିଙ୍କ ନାମାଙ୍କନ ରାଲିରେ ଏତେ ଲୋକ ଏକାଠି ହୋଇଥିଲେ ଯେ ବଡ଼ ବଡ଼ ରାଜନୈତିକ ନେତାଙ୍କ ରାଲି ମଧ୍ୟ ଏଭଳି ଭିଡ଼ ଦେଖିବାକୁ ମିଳିନଥିଲା । ଭାଟିଙ୍କ ନାମାଙ୍କନ ରାଲିର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ବିରୋଧୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ସେହିପରି ନିୟୁଜ ୧୮ ରାଜସ୍ଥାନ ଉକ୍ତ ଖବରକୁ ପ୍ରସାରିତ କରି ଉଲ୍ଲେଖ କରିଛି, ରବୀନ୍ଦ୍ର ଭାଟିଙ୍କ ନାମାଙ୍କନ ରାଲିରେ ବିପୁଳ ଜନ ସମାଗମ ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ହେଉଥିବା ଭିଡିଓଟି ୨୦୨୪ରେ ରାଜସ୍ଥାନରେ ଆୟୋଜିତ ଲୋକସଭା ନିର୍ବାଚନ ସମୟର ଅଟେ । ଯେଉଁଥିରେ ଜଣେ ସ୍ଵାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାକୁ ଯାଉଥିଲେ । ଉକ୍ତ ଭିଡିଓ ସହ ଉତ୍ତର ପ୍ରଦେଶରେ ଯାଦବଙ୍କ ବିକ୍ଷୋଭ ପ୍ରଦର୍ଶନସହ କୌଣସି ସମ୍ପର୍କ ନାହିଁ । 


Claim :  ଉତ୍ତର ପ୍ରଦେଶରେ ହୋଇଥିବା ଯାଦବଙ୍କ ବିକ୍ଷୋଭ ପ୍ରଦର୍ଶନ
Claimed By :  Social Media User
Fact Check :  Unknown
Tags:    

Similar News