କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ଉପରେ ତୀବ୍ର ବର୍ଷିଛନ୍ତି। ଯଦି ତେଜସ୍ବୀ ଯାଦବ କ୍ଷମତାକୁ ଆସିବେ ତେବେ ବିହାର ହତ୍ୟା, ଅପହରଣ ଏବଂ ଦାଦାବଟି ପାଇଁ ୩ଟି ନୂଆ ମନ୍ତ୍ରାଳୟ ଦେଖିବ ବୋଲି ଶାହ କହିଛନ୍ତି। ମୁଜାଫରପୁରରେ ଏକ ନିର୍ବାଚନ ରାଲିରେ ଶାହ ବିରୋଧୀ ଏବଂ ଏନଡିଏ ମେଣ୍ଟ ମଧ୍ୟରେ ତୁଳନା କରି କହିଛନ୍ତି, ଯଦି ଏନ୍ଡିଏ ମେଣ୍ଟ କ୍ଷମତା ବଜାୟ ରଖେ ତେବେ ବିହାର ବନ୍ୟାମୁକ୍ତ ହେବ। ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଏନ୍ଡିଏ ସରକାର ଏକ ସ୍ବତନ୍ତ୍ର ମନ୍ତ୍ରାଳୟ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଆର୍ଜେଡି ନେତୃତ୍ବାଧୀନ ‘ଜଙ୍ଗଲ ରାଜ’ କ୍ଷମତାକୁ ଫେରିବା ବିରୋଧରେ ସେ ଚେତାବନୀ ଦେଇଛନ୍ତି। ଶାହ କଟାକ୍ଷ କରି କହିଛନ୍ତି, ଯଦି ଲାଲୁଙ୍କ ପୁଅ (ତେଜସ୍ବୀ) ବିହାର ମୁଖ୍ୟମନ୍ତ୍ରୀ ହେବେ ତେବେ ଅପହରଣ, ଦାଦାବଟି ଏବଂ ହତ୍ୟା ପାଇଁ ୩ଟି ନୂଆ ମନ୍ତ୍ରାଳୟ ସୃଷ୍ଟି ହେବ। ଅନ୍ୟପକ୍ଷେ ଏନ୍ଡିଏକୁ ଆପଣମାନଙ୍କ ଭୋଟ୍ ବିହାରକୁ ଆର୍ଜେଡିର ଜଙ୍ଗଲରାଜ୍ କବଳରୁ ସୁରକ୍ଷା ଦେବ। ନୂଆ ଚେହେରା ସହ ‘ଜଙ୍ଗଲ ରାଜ୍’ ଫେରାଇ ଆଣିବାପାଇଁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି ।
ଇତିମଧ୍ୟରେ ଏକ ଗ୍ରାଫିକ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଗ୍ରାଫିକ୍ସର ଗୋଟିଏ ପାର୍ଶ୍ଵରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫଟୋ ଲାଗିଥିବା ଵେଳେ ସାହାଙ୍କ ଫଟୋ ଉପରେ ଲେଖା ହୋଇଛି, ସୋସିଆଲ ମିଡିଆରେ ଯେତେବି କାର୍ଯ୍ୟକର୍ତା ଅଛନ୍ତି ଯେ କୌଣସି ପାର୍ଟିର ହୁଅନ୍ତୁ ନାଁ କାହିଁକି । ସିଏ ଆମର ୫କେଜି ରାସନରୁ ଚଳୁଛନ୍ତି । ଏହା ଅମିତ ସାହାଙ୍କ ମତ ବୋଲି ଦାବି କରିଛନ୍ତି ୟୁଜର୍ସ । ଅନ୍ୟପଟେ ଗ୍ରାଫିକ୍ସର ଉପର ପାର୍ଶ୍ଵରେ ଏନଡିଟିଭି ପାୱାରପ୍ଲେ ଉଲ୍ଲେଖ ରହିଛି ।
ଯାହାର ଏକ ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଏଭଳି କୌଣସି ମନ୍ତବ୍ୟ ଦେଇନାହାଁନ୍ତି ଅମିତ ଶାହା । ନାହିଁ ଏହାକୁ କୌଣସି ଗଣମାଧ୍ୟମ ଖବର ପ୍ରକାଶିତ କରିଛି ।
ଅମିତ ଶାହାଙ୍କ ଏଭଳି ମନ୍ତବ୍ୟ ଦେବା ନେଇ ଅନୁସନ୍ଧାନ କରିବାରୁ ଏନେଇ କୌଣସି ତଥ୍ୟ ହସ୍ତଗତ ହୋଇନଥିଲା । ଯଦି ସାହା ଏଭଳି କୌଣସି ମନ୍ତବ୍ୟ ଦେଇଥାନ୍ତେ ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ଗଣମାଧ୍ୟମରେ ପ୍ରକାସିତ କିମ୍ବା ପ୍ରସାରିତ ହୋଇଥାନ୍ତା ।
ଉକ୍ତ ଗ୍ରାଫିକ୍ସରେ ଏନଡିଟିଭି ଲୋଗୋ ଥିବାରୁ ଏହା ଏନଡିଟିଭିରେ ପ୍ରସାରିତ ଏକ ଖବର ବୋଲି ୟୁଜର୍ସ ଦାବି କରିଛନ୍ତି । ଉକ୍ତ ଗ୍ରାଫିକ୍ସ ନେଇ ଅନୁସନ୍ଧାନ କରିବାରୁ ଏନଡିଟିଭିର କୌଣସି ମଧ୍ୟ ସୋସିଆଲ ମିଡିଆ ସାଇଟରେ ଏଭଳି ମନ୍ତବ୍ୟ ଥିବାର ଗ୍ରାଫିକ୍ସ ସେୟାର ହୋଇଥିବାର ପାଇନଥିଲୁ ।
ଅନ୍ୟପଟେ ଭାଇରାଲ ଗ୍ରାଫିକ୍ସକୁ ରିଭର୍ସ ଇମେଜ୍ ରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏନଡିଟିଭିର ଅଫିସିଆଲ୍ ସୋସିଆଲ ମିଡିଆରେ ପ୍ରକାଶିତ ଏକ ଗ୍ରାଫିକ୍ସ ପାଇଥିଲୁ । ଯାହାକି ୧ ନଭେମ୍ବରରେ ଅପଲୋଡ୍ କରାଯାଇଥିବାର ଦେଖିବାକୁ ମିଳିଥିଲା ।
ଭାଇରାଲ ଗ୍ରାଫିକ୍ସସହ ଏନଡିଟିଭିର ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିବା ଗ୍ରାଫିକ୍ସ ପ୍ରାୟ ସମାନ ଦେଖାଯାଉଥିଲା । କେବଳ ଉକ୍ତ ଗ୍ରାଫିକ୍ସରେ ଭାଇରାଲ ଗ୍ରାଫିକ୍ସ ପରି କୌଣସି ବିବାଦୀୟ ମନ୍ତବ୍ୟ ଥିବାର ଦେଖିବାକୁ ପାଇନଥିଲୁ ।
ଏନଡିଟିଭି ସେୟାର କରିଥିବା ଗ୍ରାଫିକ୍ସରେ ଉଲ୍ଲେଖ କରିଛି, ବିହାର ଅନ୍ୟ ରାଜ୍ୟ ଅପେକ୍ଷା ରାଜନୈତିକ ଦୃଷ୍ଟିକୋଣରୁ ଜାଗୃତ ପ୍ରଦେଶ ମଧ୍ୟରେ ରହିଛି ବୋଲି ଉଲ୍ଲେଖ ରହିଛି । ସେହିପରି, ବିହାରର ଜନତା ପ୍ରକୃତ ମୁଦ୍ଦାକୁ ଜାଣିଛନ୍ତି ବୋଲି ସାହା ମତ ରଖିଛନ୍ତି ବୋଲି ଏନଡିଟିଭିର ନିଜ ଗ୍ରାଫିକ୍ସରେ ଉଲ୍ଲେଖ କରିଛି ।
ତେଣୁ ଉକ୍ତ ଗ୍ରାଫିକ୍ସକୁ ଏଡିଟ କରି ମନ୍ଦ ଉଦେଶ୍ୟରେ ବିବାଦିୟ ଲେଖା ସହ କେହି ସେୟାର କରିଥାଇପାରନ୍ତି ଜଣାଯାଉଛି ।
ଅନ୍ୟପଟେ ୩ ନଭେମ୍ବର ୨୦୨୫ରେ ଏକ ଖବର ପ୍ରସାରଣ କରି ଏନଡିଟିଭି ଉଲ୍ଲେଖ କରିଛି, ଶାହାଙ୍କ ମନ୍ତବ୍ୟ ସହ ଏନଡିଟିଭି ଲୋଗୋ ଲଗାଇ ଭାଇରାଲ କରାଯାଇଥିବା ଗ୍ରାଫିକ୍ସଟି ଫେକ ଅଟେ । ଆମ କାର୍ଯ୍ୟକ୍ରମରେ ଏଭଳି କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି ଅମିତ ସାହା । ନାହିଁ ଏଭଳିକୌଣସି ମନ୍ତବ୍ୟ ସହ ଆମର କୌଣସି ଖବର ପ୍ରସାରଣ କରାଯାଇଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଗ୍ରାଫିକ୍ସଟି ଫେକ ଅଟେ । ଏଭଳି କୌଣସି ମନ୍ତବ୍ୟ ଦେଇନାହାନ୍ତି ଅମିତ ଶାହା, ନାହିଁ ଏନଡିଟିଭି ଏଭଳି କୌଣସି ଖବର ପ୍ରସାରିତ କରିଛି ।