ଫ୍ୟାକ୍ଟ ଚେକ୍: ଗୌତମ ଅଦାନୀ ରଥ ଟାଣୁଥିବାର ଉକ୍ତ ଫଟୋଟି ଏଆଇ ଦ୍ୱାରା ନିର୍ମିତ

Update: 2025-07-04 06:51 GMT


ମହାପ୍ରଭୁଙ୍କ ଦର୍ଶନ ପାଇଁ ଓଡ଼ିଶାରେ ଗୌତମ ଅଦାନୀ । ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ବାହାରିଥିଲେ। ଏହାପରେ ପୁରୀରେ ପହଞ୍ଚି ସେଠାରେ ଗୁଣ୍ଡିଚା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରଥାରୂଢ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଆଦାନୀ ଗ୍ରୁପ ତରଫରୁ ଆୟୋଜିତ ହୋଇଥିବା ପ୍ରସାଦ ସେବା କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ। ପ୍ରସାଦ ସେବା ରୋଷେଇ ଘରେ ଅଦାନୀ ପିଠା ଏବଂ ପୁରୀ ଛାଣୁଥିବାର ମଧ୍ୟ ଦେଖା ଯାଇଛି । ଏତଦବ୍ୟତୀତ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଓ ଆଲୋଚନା କରିଥିଲେ ।

ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଫଟୋରେ ଜଣେ ବ୍ୟକ୍ତି ରଥ ସମ୍ମୁଖରେ ରଥ ଦଉଡି ଧରି ଠିଆ ହୋଇଥିବା ବେଳେ ଅପର ପାର୍ଶ୍ଵରେ କିଛି ପୋଲିସ୍ କର୍ମଚାରୀ ଠିଆ ହୋଇଥିବାର ଦେଖିବାଜୁ ମିଳିଛି । ରଥ ଟାଣୁଥିବା ବ୍ୟକ୍ତି ଜଣଙ୍କ ଗୌତମ ଅଦାନୀ ବୋଲି ଦାବି ହୋଇଥିବା ବେଳେ, ତାଙ୍କ ପାଇଁ ଗୋଟିଏ ଦିନ ରଥଟଣା ବିଳମ୍ବିତ କରାଯାଇଥିବା ଦାବି ହୋଇଥିବାର ଦାବି କରିଛନ୍ତି ୟୁଜର୍ସ ।

ଉକ୍ତ ଫଟୋକୁ ସେୟାର କରି ୟୁଜର୍ସ ଲେଖିଛନ୍ତି, ଓହୋ ଆଜି ବୁଝି ଗଲି ନନ୍ଦିଘୋଷ କାହିଁକି ଅଟକି ଥିଲା ଓଡିଶା ର ମାଲିକ ଆସିଲା ପରେ ରଥ ଚାଲିଲା ୟାକୁ ହିଁ କୁହନ୍ତି ଓଡ଼ିଆ ଅସ୍ମିତା ସରକାର ଜୟ ହୋ ଆଦାନୀ ସରକାର।



ଯାହାର ଏକ ସ୍କ୍ରିନସଟ୍ ତଳେ ମଧ୍ୟ ଉପଲବ୍ଧ ରହିଛି । 



ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୌତମ ଅଦାନୀ ଓଡ଼ିଶଆସିଥିଲେ ସତ ହେଲେ ଭାଇରାଲ ହେଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମିତ ।

ଉକ୍ତ ଘଟଣା ନେଇ ପୁରୀ ରଥଯାତ୍ରାରେ କାର୍ଯ୍ୟରତ ସାମ୍ବାଦିକ ଶରତ ବାରିକଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଫଟୋଟିକୁ ସିଏ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ । ଶରତଙ୍କ କହିବା ଅନୁଯାୟୀ, ଗୌତମ ଅଦାନୀ ରଥଯାତ୍ରା ପରଦିନ ପୁରୀ ଆସିଥିଲେ ସତ ହେଲେ ନନ୍ଦିଘୋଷ ରଥ ଟାଣି ନଥିଲେ । ଯଦି ସିଏ ରଥଟଣାରେ ଯୋଗଦେଇଥାନ୍ତେ ତେବେ ଆମେ ନିଶ୍ଚିତ ଆମ ଫଟୋ କିମ୍ବା ଭିଡିଓରେ ଏହି ଦୃଶ୍ୟକୁ କଏଦ କରିଥାନ୍ତୁ ।

ଯେତେବେଳେ ଆମେ ଗୌତମ ଅଦାନୀଙ୍କ ସୋସିଆଲ ମିଡିଆ ଦେଖିଥିଲୁ ସେଥିରେ ସିଏ, ପୁରୀ ଗସ୍ତରେ କିଛି ଫଟୋ ଅପଲୋଡ଼ କରିଥିଵାର ଦେଖିବାକୁ ପାଇଥିଲୁ । 


ଉକ୍ତ ଫଟୋ ଗୁଡିକ ଭାଇରାଲ ଫଟୋଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଥିବାର ଦେଖିବାକୁ ପାଇଥିବାରୁ ଉଭୟ ଫଟୋକୁ ତୁଳନା କରିଥିଲୁ ।

ତୁଳନାରୁ ଉଭୟ ଫଟୋ ସମ୍ପୂର୍ଣ୍ଣ ରୂପେ ଅଲଗା ବୋଲି ଜାଣିବାକୁ ପାଇଥିଲୁ ।

ସେହିପରି ବିଭିନ୍ନ ଗଣମାଧ୍ୟମ ଉକ୍ତ ଖବରକୁ ମଧ୍ୟ ପ୍ରସାରିତ କରିଥିଲେ । ହେଲେ କୌଣସି ଭିଡିଓରେ ଭାଇରାଲ ଫଟୋ ସଦୃଶ ଘଟଣାର ଭିଡିଓ ଦେଖିବାକୁ ପାଇନଥିଲୁ । ଏପରିକି ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଭିଡିଓରେ ମଧ୍ୟ ଗୌତମଙ୍କ ପୋଷାକ ସମ୍ପୂର୍ଣ୍ଣ ଭିନ୍ନ ଥିବାର ଦେଖିବାକୁ ମିଳିଥିଲା । 

ତେବେ ଭାଇରାଲ ଫଟୋଟି କିଛି ମାତ୍ରାରେ ଅପ୍ରାକୃତି ଦୃଶ୍ୟମାନ ହେଉଥିବାର ଦେଖିବାକୁ ପାଇଥିଲୁ, ଯାହାକି ଏଆଇର ସ୍ପର୍ଶ ବୋଲି ଅନୁମାନ କରାଯାଏ ।

ତଦନ୍ତ କରିବାକୁ ଯାଇ ଉକ୍ତ ଫଟୋକୁ ଏଆଇ ଟୁଲ୍ ରେ ପରୀକ୍ଷା କରିବାରୁ , ଉକ୍ତ ଫଟୋଟି ସମ୍ପୂର୍ଣ୍ଣ ରୂପେ ଆଇ ଦ୍ୱାରା ନିର୍ମିତ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଗୌତମ ଅଦାନୀ ପୁରୀ ଆସିଥିଲେ ସତ ହେଲେ ଭାଇରାଲ ଫଟୋଟି ଏଆଇ ଦ୍ୱାରା ନିର୍ମିତ ।

ଅନ୍ୟପଟେ ରଥଟଣାରେ ବିଳମ୍ବ ଦାବିକୁ ନେଇ ତଦନ୍ତ କରିବାରୁ ଗଣମାଧ୍ୟମରେ ପ୍ରସାରିତ ଖବର ହସ୍ତଗତ ହୋଇଥିଲା । ପ୍ରସାରିତ ଖବର ଅନୁଯାୟୀ, କିଛି ବାଟ ଗଡ଼ିବା ପରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ମୋଡ଼ ବଦଳାଇଥିଲା । କିଛି ବାଟ ଗଡ଼ିବାକୁ ତାଳଧ୍ୱଜ ରଥକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା । ଯାହା ଫଳରେ ବିଳମ୍ବ ହୋଇଥିଲା ମା ସୁଭଦ୍ରାଙ୍କ ରଥଟଣା ଏବଂ ସିଂହ ଦ୍ୱାର ସମ୍ମୁଖରେ ଅଟକିଥିଲା ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ।


ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଗୌତମ ଅଦାନୀ ପୁରୀ ଆସିଥିଲେ ସତ ହେଲେ ଭାଇରାଲ ଫଟୋଟି ଏଆଇ ଦ୍ୱାରା ନିର୍ମିତ । ସେହିପରି ତାଳଧ୍ୱଜ ରଥ ଗଡ଼ିବା ବେଳେ ବାରମ୍ବାର ମୋଡ଼ ବଦଳାଇବା ହେତୁ ନନ୍ଧିଘୋଷ ରଥ ଶ୍ରୀମନ୍ଦିର ସମ୍ମୁଖରେ ଅଟକି ରହିଥିଲା। 


ସ୍ପଷ୍ଟୀକରଣ: ସାଢେ ଚାରିକୋଟି ଓଡ଼ିଆ ଏବଂ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାଵବେଗକୁ ଆଘାତ ଦେବାର ଆମର କୌଣସି ଉଦ୍ଦେଶ୍ୟ ନୁହେଁ । ଉକ୍ତ ଖବରଟି କେବଳ ସତ୍ୟତା ପ୍ରତିପାଦନ ଲକ୍ଷରେ ପ୍ରକାଶିତ ହୋଇଛି ।

Claim :  ନନ୍ଦିଘୋଷ ରଥ ଟାଣିଲେ, ଗୌତମ ଅଦାନୀ । ଏବେ ଜଣା ପଡ଼ିଲା ସରକାରଙ୍କ ପରିଚନାରେ କାହିଁକି ତ୍ରୁଟି ହୋଇଥିଲା ।
Claimed By :  Social Media User
Fact Check :  Unknown
Tags:    

Similar News