Fact Check: ଭାଇରାଲ ଭିଡିଓଟି ଉତ୍ତରାଖଣ୍ଡର ଏକ ପାରମ୍ପରିକ ଖେଳର ଭିଡିଓକୁ ମହାକୁମ୍ଭ ସହ ନାହିଁ କୌଣସି ସମ୍ପର୍କ
ଭିଡିଓଟି ବହୁ ପୁରୁଣା ଏବଂ ଉତ୍ତରାଖଣ୍ଡର ଚମ୍ପାବତ ଅଞ୍ଚଳର ଅଟେ । ରୀତିନୀତି ମାନି ଏହି ଖେଳକୁ ସ୍ଥାନୀୟ ବାସିନ୍ଦା ପାଳିଥାନ୍ତି ଏବଂ ମହାକୁମ୍ଭ ସହ ଭାଇରାଲ ଭିଡିଓର ନାହିଁ କୌଣସି ସମ୍ପର୍କ ।
Viral Video Shows Uttarakhand Ritual, Unrelated to Mahakumbh
ମହାକୁମ୍ଭ ମେଳାରେ ଦଳାଚକଟା ଘଟଣା ପରେ ରାଜ୍ୟ ସରକାର ଓଡ଼ିଶାରୁ ଅଯୋଧ୍ୟା ଯାତାୟତ କରୁଥିବା ବସ୍ ସେବାକୁ ବାତିଲ କରିଛନ୍ତି । ଅପ୍ରୀତିକର ପରିସ୍ଥିତି ଯୋଗୁ ମହାକୁମ୍ଭ ମେଳା ୨୦୨୫ ପାଇଁ ଓଡ଼ିଶାରୁ ଅଯୋଧ୍ୟା ଯାଉଥିବା ଓଡ଼ିଶା ପରିବହନ ନିଗମର ସ୍ୱତନ୍ତ୍ର ବସ୍ ସେବାକୁ ଫେବୃୟାରୀ ୪ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ବୋଲି ସୂଚନା ଦିଆଯାଇଛି ।
ଓଡ଼ିଶା ରାଜ୍ୟ ପରିବହନ ନିଗମ ନିଜର ‘ଏକ୍ସ’ ହ୍ୟାଣ୍ଡଲ ମାଧ୍ୟମରେ ଏହି ଜରୁରୀ ସୂଚନା ଜାରି କରିବା ସହ ଶ୍ରଦ୍ଧାଳୁଙ୍କ ଅସୁବିଧା ପାଇଁ ଦୁଃଖ ବ୍ୟକ୍ତ କରିଛି । ଏହା ସହିତ ଯେଉଁମାନେ ଟିକେଟ୍ କରିସାରିଛନ୍ତି ସେମାନେ ନିଜର ଟଙ୍କା ଫେରସ୍ତ ନେବା ପାଇଁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ନିଗମ ପକ୍ଷରୁ ୩ଟି ସହାୟତା ନମ୍ବର ମଧ୍ୟ ଜାରି କରାଯାଇଛି ।
ଅନ୍ୟପକ୍ଷେ ସ୍ଥିତି ନିୟନ୍ତ୍ରଣ ହୋଇଥିବାରୁ ପୁଣି ଚଳଚଞ୍ଚଳ ହୋଇ ଉଠିଛି ପ୍ରୟାଗରାଜ । ବସନ୍ତ ପଞ୍ଚମୀ ଅବସରରେ ମହାକୁମ୍ଭର ତୃତୀୟ ଅମୃତ ସ୍ନାନ ଆରମ୍ଭ ହୋଇଛି। ପ୍ରଥମେ, ଆଖଡାର ସନ୍ଥମାନେ ତ୍ରିବେଣୀ ସଙ୍ଗମ ଘାଟରେ ବୁଡ଼ ପକାଇବେ। ସୋମବାର ପ୍ରତ୍ୟୁଷରେ, ବହୁ ସଂଖ୍ୟକ ଭକ୍ତ ଏବଂ ସାଧୁସନ୍ଥ ସଙ୍ଗମ କୂଳରେ ପହଞ୍ଚି ତ୍ରିବେଣୀରେ ବୁଡ଼ ପକାଇବା ଆରମ୍ଭ କରିଥିଲେ। ଅମୃତ ସ୍ନାନ ପାଇଁ ସଙ୍ଗମ କୂଳକୁ ଯାଉଥିବା ସମୟରେ, ବିଭିନ୍ନ ଆଖଡାର ମହାମଣ୍ଡଳେଶ୍ୱରମାନେ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ଦ୍ୱିତୀୟ ଅମୃତ ସ୍ନାନ ସମୟରେ ମହାକୁମ୍ଭରେ ଦଳାଚକଟା ଯୋଗୁଁ, ତୃତୀୟ ଅମୃତ ସ୍ନାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗିରହିଥିବାର ଦେଖିବାକୁ ମିଳିଛି । ଏପରିକି ଉଭୟ ଗୋଷ୍ଠି ଅପରପକ୍ଷକୁ କିଛି ଫୋପାଡୁଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓଟି ମହାକୁମ୍ଭ ସମୟର ଏବଂ ସେଠାରେ ଏଭଳି ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଦାବି ହୋଇଛି । ସେହିପରି ଜଣେ ବ୍ୟକ୍ତି ଉକ୍ତ ଭିଡିଓରେ କହୁଛନ୍ତି, ଏହି ଭିଡିଓଟି ମହାକୁମ୍ଭ ସମୟର ସେଠାରେ ଏଭଳି ପରିସ୍ଥିତି ଉପୁଜୁଛି, ସେଠାକୁ ଯାଆନ୍ତୁ ନାହିଁ । ସୋସିଆଲ ମିଡିଆରେ ୟୁଜର୍ସ ଉକ୍ତ ଭିଡିଓକୁ ସେୟାର କରି ଉଲ୍ଲେଖ କରିଛନ୍ତି, ଦେଖନ୍ତୁ ଆଇନ ଶୃଙ୍ଖଳା ନେଇ ମହାକୁମ୍ଭରେ କିଛି ଏଭଳି ରହିଛି ଅବ୍ୟବସ୍ଥା ।
ଯାହାର ଆର୍କାଇଭ୍ ଲିଙ୍କ ଏଠାରେ ଉପଲବ୍ଧ ଥିବା ବେଳେ, କିଛି ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ସମ୍ପୂର୍ଣ୍ଣ ବିଭ୍ରାନ୍ତି କରକ, ଭିଡିଓଟି ବହୁ ପୁରୁଣା ଏବଂ ଉତ୍ତରାଖଣ୍ଡର ଅଟେ । ମହାକୁମ୍ଭ ସହ ଭାଇରାଲ ହେଉଥିବା ଭିଡିଓର ନାହିଁ କୌଣସି ସମ୍ପର୍କ ।
ତଦନ୍ତ କରିବାକୁ ଯାଇ ରିଭର୍ସ ଇମେଜରେ ଭିଡିଓର କିଛି ଅଂଶକୁ ଅନୁସନ୍ଧାନ କରିବାରୁ, ଏକ ଭିଡିଓ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୋଇଥିବାର ହସ୍ତଗତ ହୋଇଥିଲା । ଉକ୍ତ ଭିଡିଓଟି ଅକ୍ଟୋବର ମାସ ୨୦୨୪ରେ ଅପଲୋଡ ହୋଇଥିବାର ଦେଖିବାକୁ ମିଳିଛି ।
ଭାଇରାଲ ଭିଡିଓର କିଛି ଅଂଶ ସହ ଉକ୍ତ ଭିଡିଓଟି ବହୁମାତ୍ରାରେ ସମାନତା ଥିବାର ଦେଖିବାକୁ ମିଳିଥିଲା ।
ଯେତେବେଳେ ଆମେ ଉକ୍ତ କିୱାର୍ଡକୁ ଗୁଗୁଲରେ ଅନୁସନ୍ଧାନ କରିଥିଲୁ, ବଗୱାଲ ଉତ୍ତରାଖଣ୍ଡରେ ଆୟୋଜିତ ହେଉଥିବା ଏକ ପାରମ୍ପରିକ ଖେଳ ବୋଲି ଜାଣିବାକୁ ପାଇଥିଲୁ ।
ଉତ୍ତରାଖଣ୍ଡର ଜଣେ ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ, ବଗୱାଲ ବା ପାଷାଣ ଯୁଦ୍ଧ ହେଉଛି ଉତ୍ତରାଖଣ୍ଡର ଦେବିଦୁରାରେ ଆୟୋଜିତ ହେଉଥିବା ଏକ ପାରମ୍ପରିକ ଖେଳ। ମା' ବରାହୀଙ୍କୁ ପ୍ରସନ୍ନ କରିବାକୁ ସେଠାରେ ବହୁପୂର୍ବରୁ ମନୁଷ୍ୟ ବଳୀ ଦିଆଯାଏ ବୋଲି ପୂର୍ବ ପୁରୁଷ ମାନେ କହିଥାନ୍ତି । କାଳକ୍ରମେ ଏହା ବନ୍ଦ୍ ହୋଇ ଏହି ବଗୱାଲ ଖେଳ ଆରମ୍ଭ ହୋଇଛି ଯେଉଁଥିରେ ଦେବିଦୁରାରେ ୪ଟି ସମୂହଙ୍କ ପରସ୍ପର ମଧ୍ୟରେ ପଥର ମାଡ଼ ହୋଇଥାଏ । ଯେତେବେଳେ ମନ୍ଦିରରେ ଥିବା ପୂଜାରୀ ଅନୁଭବ କରନ୍ତି ଯେ ଗୋଟିଏ ମନୁଷ୍ୟ ସଦୃଶ ରକ୍ତ ସ୍ରାବ ହୋଇଛି ସିଏ ସେସମୟରେ ଖେଳକୁ ବନ୍ଦ କରିବାର ଘୋଷଣା କରିଥାଆନ୍ତି । ହେଲେ ସମୟ ବଦଳିଛିତେଣୁ ଏବେ ପଥର ନୁହଁ ପ୍ରାୟତଃ ଫଳ ଏବଂ ଫୁଲରେ ଏହି ଖେଳ ଖେଳାଯାଉଛି ।
୧୯ ଅଗଷ୍ଟ ୨୦୨୪ରେ ନିଉଜ ନେସନ ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ପରମ୍ପରା ଏବଂ ରିତିନୀତିର ପ୍ରତୀକ ବଗୱାଲ ଖେଳ । ଉତ୍ତରାଖଣ୍ଡର ଚମ୍ପାବତରେ ଏହି ଖେଳର ଆୟୋଜନ କରାଯାଇଥିଲା । ଏହା ପୂର୍ବରୁ ପଥର ମାଡ଼ କରି ଖେଳା ଯାଉଥିବା ବେଳେ ଏବେ ଫଳ ଏବଂ ଫୁଲ ମାଡ଼ କରି ଖେଳା ଯାଉଛି । ନିଉଜ ନେସନ ପ୍ରସାରିତ କରିଥିବା ଭିଡିଓରେ ମଧ୍ୟ ଭାଇରାଲ ଭିଡିଓ ସଦୃଶ ଦୁଇଗୋଷ୍ଠୀ ଉଭୟଙ୍କ ଉପରକୁ କିଛି ଫୋପାଡୁଥିବା ଦେଖିବାକୁ ମିଳିଛି ।
ସେହିପରି ୧୬ ଅଗଷ୍ଟ ୨୦୨୪ରେ ଅମର ଉଜାଲା ଏନେଇ ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ଆଲମୋରା ସାଂସଦ ତଥା ସଡ଼କ ପରିବହନ ମନ୍ତ୍ରୀ (କ୍ୟାବିନେଟ) ଅଜୟ ଟମ୍ଟା ବଗୱାଲ ଉତ୍ସବରେ ଯୋଗଦେଲେ । ଉକ୍ତ ଖେଳଟି ଆମ ପରମ୍ପରା ଏବଂ ସଂସ୍କୃତିର ପ୍ରତିକ ବୋଲି ମତାମତ ଦେଇଛନ୍ତି ।
ତେଣୁ ଏଥିରୁ ଜଣାଯାଏ ଯେ, ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଭିଡିଓଟି ବହୁ ପୁରୁଣା ଏବଂ ଉତ୍ତରାଖଣ୍ଡର ଚମ୍ପାବତ ଅଞ୍ଚଳର ଅଟେ ।ରୀତିନୀତି ମାନି ଏହି ଖେଳକୁ ସ୍ଥାନୀୟ ବାସିନ୍ଦା ପାଳିଥାନ୍ତି ଏବଂ ମହାକୁମ୍ଭ ସହ ଭାଇରାଲ ଭିଡିଓର ନାହିଁ କୌଣସି ସମ୍ପର୍କ ।