ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୁହଁନ୍ତି, ମୋଦୀଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତି ଅଟନ୍ତି
ଇରାନ୍-ଇସ୍ରାଏଲ୍ ଯୁଦ୍ଧ ଯୋଗୁଁ ଦେଶରେ ଘନୀଭୂତ ଏଲପିଜି ସଙ୍କଟକୁ ନେଇ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବିଗତ ଦିନରେ ବିକ୍ଷୋଭ ପ୍ରଦର୍ଶନ କରି ଶାସକ ଦଳକୁ ଟାର୍ଗେଟ୍ କରି ଆସୁଛନ୍ତି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ସଙ୍କଟ ପାଇଁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଦାୟୀ କରିଛନ୍ତି । କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍କେ ଓ ଅନ୍ୟାନ୍ୟ ବିରୋଧୀ ଦଳର ସାଂସଦମାନେ ସଂସଦର ମକର ଦ୍ବାର ନିକଟରେ ଏକତ୍ରିତ ହୋଇ ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ରୋଡ଼ ସୋ ଚାଲିଥିବା ବେଳେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଦିଶୁଥିବାର ଦେଖାଯାଇଛି । ଉକ୍ତ ବ୍ୟକ୍ତିଙ୍କୁ ଜଣେ ନିଜ ମୋବାଇଲ କ୍ୟାମେରାରେ ସୁଟ୍ କରୁଥିବା ବେଳେ ଏଲପିଜି ସିଲିଣ୍ଡର ଅବ୍ୟବସ୍ଥା ନେଇ କ୍ୟାମେରା ପଛରୁ ପ୍ରଶ୍ନ ପଚାରିଥିବାର ଶୁଣିବାକୁ ମିଳିଛି ।
ଉକ୍ତ ବ୍ୟକ୍ତି ଜଣଙ୍କ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗ୍ୟାସ ବାବଦରେ ସିଏ ପ୍ରତିଉତ୍ତର ଦେଇଛନ୍ତି ବୋଲି ଦାବି ହୋଇଛି ।
ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓରେ ପ୍ରଶ୍ନ ପଚରା ଯାଉଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୋଦିଙ୍କ ପରି ଦିଶୁଥିବା ଆଉଜଣେ ବ୍ୟକ୍ତି ।
ଦାବି ନେଇ ଅନୁସନ୍ଧାନ କରିବାରୁ ନିକଟ ଦିନରେ ଏଭଳି କୌଣସି ଘଟଣା ଘଟିଥିବାର ଆମର ହସ୍ତଗତ ହୋଇନଥିଲା । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ନିଶ୍ଚିତ ଭାବେ ସମସ୍ତ ପ୍ରମୁଖ ଗଣମାଧ୍ୟମ ଏନେଇ ନିଶ୍ଚିତ ଖବର ପ୍ରସାରିତ କରିଥାନ୍ତେ ।
ନିକଟ ଦିନରେ ମୋଦୀ ନିର୍ବାଚନ ପ୍ରଚାର ନିମନ୍ତେ ବହୁ ରାଜ୍ୟ ଗସ୍ତ କରିଛନ୍ତି । ମୋଦିଙ୍କ ବ୍ୟକ୍ତିଗତ ସୋସିଆଲ ମିଡିଆରେ ସମସ୍ତ ଗସ୍ତର ଭିଡିଓ ଅପଲୋଡ଼ ହୋଇଥିବାର ଦେଖିଥିଲୁ । ହେଲେ ଭାଇରାଲ ହେଉଥିବା ପୋଷାକରେ ମୋଦିଙ୍କ କୌଣସି ଗସ୍ତର ଭିଡିଓ ପାଇନଥିଲୁ ।
ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
ଭିଡିଓ ସେୟାର କରି ୟୁଜର୍ସ ଲେଖିଛନ୍ତି, ରାଉରକେଲାରେ ମୋଦିଙ୍କ ଭଳି ଦିଶୁଥିବା ବ୍ୟକ୍ତି । ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ଦିଶିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ ।
ତୁଳନାରୁ ଉଭୟ ଭିଡିଓ ଗୋଟିଏ ଦିନର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।
ଭିଡିଓରେ ରାଉରକେଲା ର ରାମନବମୀ ପାଳନ ଉଲ୍ଲେଖ ଥିବା ବେଳେ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିବା ଏକାଧିକ ଭିଡିଓ ହସ୍ତଗତ ହୋଇଥିଲା ।
ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ସେହିପରି ଉକ୍ତ ଘଟଣାକୁ ନେଇ ଓଡ଼ିଶା ରିପୋର୍ଟର ଏକ ଖବର ପ୍ରସାରଣ କରିଥିଵାର ଦେଖୁବାକୁ ମିଳିଛି ।
ଖବର ପ୍ରସାରଣ କରି ଓଡ଼ିଶା ରିପୋର୍ଟର ଉଲ୍ଲେଖ କରିଛି, ରାଉରକେଲାରେ ରାମନବମୀ ଆଖଡା ଶୋଭାଯାତ୍ରାରେ ଦେଖୁବାକୁ ମିଳିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗେଟଅପରେ ଜଣେ ବ୍ୟକ୍ତି । ଅବିକଳ ମୋଦିଙ୍କ ଭଳି ଦେଖା ଯାଉଥିବାରୁ ସହଜରେ କେହି ଠଉରେଇ ପାରୁନାହାନ୍ତି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉକ୍ତ ବ୍ୟକ୍ତି ଜଣଙ୍କ ମୋଦିଙ୍କ ପରି ଦେଖା ଯାଉଥିବାର ଆଉଜଣେ ବ୍ୟକ୍ତି ଅଟନ୍ତି । ଉକ୍ତ ଭିଡିଓଟି ଓଡ଼ିଶାର ରାଉରକେଲାରେ ରାମ ନବମୀ ଯାତ୍ରା ସମୟର ଅଟେ ।