ଫ୍ୟାକ୍ଟ ଚେକ୍: ସାଂସଦ ରାଘବ ଚଡ୍ଡାଙ୍କ ଭାଇରାଲ ହେଉଥିବା ଭିଡିଓଟି ବହୁ ପୁରୁଣା ଅଟେ

Update: 2026-04-09 02:50 GMT


ଆମ ଆଦମୀ ପାର୍ଟିର ସବୁଠାରୁ ଚର୍ଚ୍ଚିତ ଚେହେରା ବା କେଜ୍ରିୱାଲଙ୍କ ସଙ୍କଟମୋଚକ ବୋଲାଉଥିବା ରାଘବ ଚଢ଼ା ଏବେ ଦଳ ଭିତରେ ନିଜ ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଛନ୍ତି । ରାଜ୍ୟସଭାରେ ଉପ-ନେତା ପଦରୁ ହଟାଯିବା ପରେ ରାଘବ ଏବଂ ଆପ୍ ହାଇକମାଣ୍ଡଙ୍କ ମଧ୍ୟରେ ଥିବା ତିକ୍ତତା ଏବେ ସଂସଦରୁ ବାହାରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ପହଞ୍ଚିଛି । ପଞ୍ଜାବରୁ ରାଜ୍ୟସଭାକୁ ଯାଇଥିବା ରାଘବଙ୍କ ଉପରେ ଦଳ ଅଭିଯୋଗ ଆଣିଛି ଯେ, ସେ ରାଜ୍ୟର ସ୍ୱାର୍ଥ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଖୋଦ୍ ଆପ୍ ନେତାମାନେ ପ୍ରଶ୍ନ ଉଠାଇଛନ୍ତି ଯେ ରାଘବ ସଂସଦରେ ଗମ୍ଭୀର ପ୍ରସଙ୍ଗ ଛାଡ଼ି କେବଳ ଲାଇମଲାଇଟ୍ ରେ ରହିବା ଭଳି ପ୍ରସଙ୍ଗ ଉଠାଉଛନ୍ତି । ଏହା ପଛରେ ଦଳର ଗୋଟିଏ ଗୋଷ୍ଠୀ ତାଙ୍କୁ ରିୟଲ ପଲିଟିସିଆନ୍ ବଦଳରେ ପିଆର ଷ୍ଟଣ୍ଟବାଜ ବୋଲି କଟାକ୍ଷ କରିବାକୁ ପଛାଉନାହାନ୍ତି ।

ଇତିମଧ୍ୟରେ ସାଂସଦ ରାଘବ ଚଡ୍ଡାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓରେ ରାଘବ ବିଜେପିକୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି ।

ଉକ୍ତ ଭିଡିଓରେ ରାଘବ କହିଛନ୍ତି, ମତେ ରାଜ୍ୟସଭାରୁ ଆଜି ସସପେଣ୍ଡ କରି ଦିଆଯାଇଛି । ମୁ ସଂସଦରେ ଠିଆ ହୋଇ ବିଶ୍ୱର ସବୁଠାରୁ ବଡ଼ ପାର୍ଟି ବିଜେପି ଉପରେ ପ୍ରଶ୍ନ ପଚାରିଛି ନାଁ ଏହା ମୋର ଅପରାଧ ଯେ ଦିଲ୍ଲୀର ବଡ଼ବଡ଼ିଆ ବିଜେପି ନେତାଙ୍କୁ ଦିଲ୍ଲୀ ସେବା ବିଲ୍ ନେଇ ପ୍ରଶ୍ନ ପଚାରିଛି । ବିଜେପିକୁ ତାଙ୍କରି ପୁରୁଣା ନିର୍ବାଚନୀ ଇସ୍ଥହାର ଦେଖାଇ ତାହାସବୁ ପୂରଣକରିବାକୁ କହିଲି । ୩୪ ବର୍ଷୀୟ ଏହି ଯୁବ ସାଂସଦ କିଭଳି ଭାବେ ଆମକୁ କଟାକ୍ଷ କରୁଛି ତାହା କଣ ବିଜେପି ସହି ପାରୁନି । 


ଉକ୍ତ ଭିଡିଓଟି ବର୍ତ୍ତମାନ ଦିନର ବୋଲି ଦାବି କରିଛନ୍ତି ୟୁଜର୍ସ ।



ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।


ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ବର୍ତ୍ତମାନ ଦିନର ନୁହେଁ । ଉକ୍ତ ଭିଡିଓଟି ୨୦୨୩ ମସିହାର ଅଟେ ।

ଦାବୀର ସତ୍ୟାସତ୍ୟ ଜାଣିବାକୁ ଯାଇ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନ ସମୟରେ ଉକ୍ତ କିୱାର୍ଡ ସର୍ଚ୍ଚ କରିଥିଲୁ । ତେବେ ଭାଇରାଲ ଭିଡିଓରେ ବିଜେପି ଉପରେ ବର୍ଷିଥିବା ରାଘବଙ୍କ ଉକ୍ତ ଭିଡିଓଟି ପାଇନଥିଲୁ ।

ରାଜ୍ୟସଭାରେ ଉପ-ନେତା ପଦରୁ ହଟାଯିବା ପରେ ରାଘବଙ୍କ ବହୁ ଭିଡିଓ ଭାଇରାଲ ହେବାରେ ଲାଗିଛି । ବିଭିନ୍ନ ଭିଡିଓରେ ଭିନ୍ନଭିନ୍ନ ମତ ଦେଇଥିବାର ଦେଖାଯାଇଛି । ଯାହାକୁ ରାଘବ ନିଜେ ତାଙ୍କର ସୋସିଆଲ ମିଡିଆରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି ।

ଯାହାର ଲିଙ୍କ୍ ଏଠାରେ, ଏଠାରେ, ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।  


ଉକ୍ତ କୌଣସି ମଧ୍ୟ ଭିଡିଓ ଭାଇରାଲ ଭିଡିଓ ସହ ତାଳମେଳ ଖାଉଥିବାର ଦେଖିବାକୁ ମିଳିନଥିଲା ।

ତେଣୁ ଭାଇରାଲ ଭିଡିଓଟି ବର୍ତ୍ତମାନ ଦିନର ହୋଇନଥାଇ ପାରେ ବୋଲି ଅନୁମାନ କରାଯାଏ ।

ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏକ ଲିଙ୍କ୍ ହସ୍ତଗତ ହୋଇଥିଲା ।

୧୧ ଅଗଷ୍ଟ ୨୦୨୩ରେ ଏକ ଖବର ପ୍ରସାରଣ କରି ଏନଡିଟିଭି ଉକ୍ତ ଭିଡିଓକୁ ଅପଲୋଡ଼ କରିଥିଵାର ଦେଖାଯାଇଛି ।

ଉକ୍ତ ଖବରରେ ଏନଡିଟିଭି ଉଲ୍ଲେଖ କରିଛି, ସସପେଣ୍ଡ ପରେ ଆପ୍ ସାଂସଦ ରାଘବ ଚଡ୍ଡା ମୁହଁ ଖୋଲିଛନ୍ତି । ଉକ୍ତ ଭିଡିଓରେ ରାଘବ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, " ମୁଁ କୌଣସି ଦସ୍ତଖତ କରିବାକୁ ଭୁଲି ନାହିଁ । "

ପ୍ରସାରିତ ଖବରରେ ଯେଉଁ ଭିଡିଓ ଅଛି ତାହା ଭାଇରାଲ ଭିଡିଓର ଏକ ଅଂଶ ପରି ଦୃଶ୍ୟମାନ ହୋଇଥିଲା । ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ ।

ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ବର୍ତ୍ତମାନ ଦିନର ନୁହେଁ I କାରଣ ଏହା ୨୦୨୩ରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।

ତେବେ ଉକ୍ତ କିୱାର୍ଡ ଅନୁସନ୍ଧାନ କରିବାରୁ ଏକ ଖବର ହସ୍ତଗତ ହୋଇଥିଲା ।

୧୧ ଅଗଷ୍ଟ ୨୦୨୩ରେ ହିନ୍ଦୁସ୍ତାନ ଟାଇମ୍ସ ଏକ ଖବର ପ୍ରସାରିତ କରିଥିବାର ଦେଖିବାକୁ ମିଳିଛି ।

ଖବର ପ୍ରସାରଣ କରି ହିନ୍ଦୁସ୍ତାନ ଟାଇମ୍ସ ଉଲ୍ଲେଖ କରିଛି, "ଆମ ଆଦମୀ ପାର୍ଟି (ଆପ) ସାଂସଦ ରାଘବ ଚଡ୍ଡା ଏକ ଭିଡିଓ ବାର୍ତ୍ତାରେ ନିଜକୁ 'ନିଲମ୍ବିତ' ରାଜ୍ୟସଭା ସଦସ୍ୟ ବୋଲି କହିଛନ୍ତି ଏବଂ  ସଦନରୁ ତାଙ୍କୁ ନିଲମ୍ବିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଇଙ୍ଗିତ କରି ଏକାଧିକ ପ୍ରଶ୍ନ ଉଠାଇଛନ୍ତି। ସେ ପଚାରିଛନ୍ତି ଯେ, ତାଙ୍କ ନିଲମ୍ବନର କାରଣ କ'ଣ ସେ 'ସଂସଦ ଭିତରେ ବିଶ୍ୱର ସବୁଠାରୁ ବଡ଼ ଦଳର ନେତାମାନଙ୍କୁ ପ୍ରଶ୍ନ କରିଥିଲି' ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବିଷୟଗୁଡ଼ିକ ଉପରେ ପ୍ରଶ୍ନ ଉଠାଇଥିଲି ? ମୁଁ କ'ଣ ଦୋଷୀ କାରଣ ମୁଁ ସଂସଦ ଭିତରେ ବିଶ୍ୱର ସବୁଠାରୁ ବଡ଼ ଦଳର ନେତାମାନଙ୍କୁ ପ୍ରଶ୍ନ କରିଥିଲି ନା ମୁଁ ଦୋଷୀ କାରଣ ମୁଁ ଦିଲ୍ଲୀ ସେବା ବିଲ୍ ଉପରେ ମୋର ମତ ରଖିଥିଲି ଏବଂ ସେମାନଙ୍କଠାରୁ ନ୍ୟାୟ ଦାବି କରିଥିଲି? " ବୋଲି ଉଲ୍ଲେଖ କରିଛି ହିନ୍ଦୁସ୍ତାନ ଟାଇମ୍ସ ।

ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ବର୍ତ୍ତମାନ ଦିନର ନୁହେଁ । ଉକ୍ତ ଭିଡିଓଟି ୨୦୨୩ ମସିହାର ଅଟେ । ବର୍ତ୍ତମାନ ଦିନରେ ରାଜ୍ୟସଭାରେ ଉପ-ନେତା ପଦରୁ ହଟାଯିବା ଘଟଣା ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।  


Claim :  ନିଲମ୍ବନ ପରେ ମୁହଁ ଖୋଲିଲେ ଆପ୍ ରାଜ୍ୟସଭା ସାଂସଦ ରାଘବ ଚଡ୍ଡା
Claimed By :  Social Media User
Fact Check :  Unknown
Tags:    

Similar News