ଫ୍ୟାକ୍ଟ ଚେକ୍: ପଶ୍ଚିମବଙ୍ଗ ନିର୍ବାଚନ ସହ ଯୋଡ଼ାଯାଉଥିବା ଭିଡିଓଟି ପ୍ରକୃତରେ ବାଂଲାଦେଶର ଅଟେ
ନିର୍ବାଚନ ଯେତିକି ପାଖେଇ ଆସୁଛି ପଶ୍ଚିମବଙ୍ଗ ରାଜନୀତି ସେତିକି ସରଗରମ ହେବାକୁ ଲାଗିଛି । ଟିଏମ୍ସିର ଏକ ପ୍ରତିନିଧି ଦଳ ଏବଂ ଭାରତୀୟ ନିର୍ବାଚନ ଆୟୋଗ ମଧ୍ୟରେ ହୋଇଥିବା ବୈଠକ ତିକ୍ତତାରେ ଶେଷ ହୋଇଛି। ଟିଏମସି ଅଭିଯୋଗ କରିଛି ଯେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ସେମାନଙ୍କୁ ସେଠାରୁ ଚାଲିଯିବା ପାଇଁ କହିଥିଲେ।
ଟିଏମ୍ସି ସହିତ ବୈଠକ ପରେ ସକାଳ ୧୦ଟା ୨୦ ମିନିଟରେ ନିର୍ବାଚନ ଆୟୁକ୍ତ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ଟିଏମ୍ସିକୁ କଡ଼ା ବାର୍ତ୍ତା ଦେଇଛନ୍ତି। ଏଥର ପଶ୍ଚିମବଙ୍ଗରେ ନିର୍ବାଚନ ଭୟ ଏବଂ ହିଂସା ମୁକ୍ତ ହେବ ବୋଲି କହିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଭୟ, ହିଂସା, ଧମକ ଏବଂ ପ୍ରଲୋଭନ ମୁକ୍ତ ହେବା ଉଚିତ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଥିଲେ। ବୁଥ୍ କ୍ୟାପଚରିଂ ଭଳି ବେଆଇନ କାର୍ଯ୍ୟ ବିରୋଧରେ ମଧ୍ୟ ନିର୍ବାଚନ ଆୟୋଗ ଏହି ଚେତାବନୀ ଦେଇଥିଲେ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ କିଛି ଗୋଟିଏ ପ୍ରଚାର ପରି ଦେଖା ଯାଉଥିବା ବେଳେ ସେଠାରେ ଦୁଇଜଣ ବ୍ୟକ୍ତି ଉପସ୍ଥିତ ରହିଛନ୍ତି । ହଠାତ କିଛି ପୋଲିସ କର୍ମଚାରୀ ଆସି ଉଭୟଙ୍କୁ ଏକ ବାଡ଼ିରେ ପିଟିବା ଆରମ୍ଭ କରିଛନ୍ତି । ଯାହାକୁ ଜଣେ ବ୍ୟକ୍ତି ଏକ ମୋବାଇଲ କ୍ୟାମେରାରେ କଏଦ କରିଥିଵାର ଅନୁମାନ କରାଯାଉଛି ।
ଉକ୍ତ ଭିଡିଓଟି ପଶ୍ଚିମବଙ୍ଗ ପ୍ରଚାର ସମୟର ବୋଲି ଦାବି ହେଉଥିବା ବେଳେ, ପଶ୍ଚିମବଙ୍ଗ ର ଶାସକ ଦଳ ତଥା ଟିଏମସି କର୍ମୀଙ୍କୁ ପୋଲିସ ପିଟୁଥିବାର ଦାବି ହୋଇଛି ।
ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ବାଙ୍ଗଲାଦେଶର ଅଟେ, ଯେତେବେଳେ ବାଂଲାଦେଶର ଢାକାରେ ଏକ ଆନ୍ଦୋଳନ ଚାଲିଥିଲା ।
ଦାବିର ଅନୁସନ୍ଧାନ କରିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ସର୍ଚ୍ଚ କରିଥିଲୁ । ଏନେଇ କୌଣସି ଖବର ହସ୍ତଗତ ହୋଇନଥିଲା । ନିର୍ବାଚନ ପ୍ରଚାର ସମୟରେ ଏଭଳି ଘଟଣା ଘଟିଥିଲେ ଏହା ନିଶ୍ଚିତ ଭାବେ ପ୍ରମୂଖ ଗଣମାଧ୍ୟମର ଖବର ପ୍ରସାରଣରେ ନିଶ୍ଚିତ ସ୍ଥାନ ପାଇଥାନ୍ତା ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ ଫେସବୁକରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।
୬ ଫେବୃଆରୀ ରେ ଉକ୍ତ ଭିଡିଓକୁ ଏଟିଏନ ବାଙ୍ଗଲା ନାମକ ଏକ ଫେସବୁକ ପେଜରେ ଅପଲୋଡ଼ ହୋଇଥିବାର ଦେଖିବାକୁ ପାଇଥିଲୁ ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସହ ବହୁମାତ୍ରାରେ ସମାନ ଦିଶିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଦିନରେ ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।
ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ଫେବ୍ରୁଆରୀ ମାସରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ତେଣୁ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।
ଭିଡିଓ ସେୟାର କରିଥିବା ପେଜ୍ ଏଟିଏନ ବାଙ୍ଗଲା କୁ ତର୍ଜମା କରିବାରୁ, ଏହା ଏକ ବାଙ୍ଗଲାଦେଶରେ ପ୍ରସାରିତ ହେଉଥିବା ବାଙ୍ଗଲା ଭାଷାର ଚ୍ୟାନେଲ ଅଟେ । ଯାହାକି ଢାକାରୁ କାର୍ଯ୍ୟକ୍ଷମ ହେଉଥିବା ବେଳେ ଉକ୍ତ ପେଜ୍ ରେ ବାଂଲାଦେଶର ପ୍ରାୟ ସମସ୍ତ ଖବର ପ୍ରସାରିତ ହେଉଥିବାର ଦେଖିବାକୁ ମିଳିଛି ।
ଅନ୍ୟପଟେ ଭିଡିଓରେ ପ୍ରସାରିତ ହୋଇଥିବା ଏକାଧିକ ପୋଷ୍ଟରରୁ ଜଣାଯାଏ ଯେ ଉକ୍ତ ସ୍ଥାନଟି ବାଙ୍ଗଳାଦେଶର ଅଟେ।
ଏଥିରୁ ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଭିଡିଓଟି ବାଂଲାଦେଶର ଅଟେ, ଯେତେବେଳେ ଢାକାରେ ଏକ ଆନ୍ଦୋଳନ ଚାଲିଥିଲା । ପଶ୍ଚିମବଙ୍ଗ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।