ଫ୍ୟାକ୍ଟ ଚେକ୍: ବାଂଲାଦେଶରେ ଘଟିଥିବା ଘଟଣାକୁ ପଶ୍ଚିମବଙ୍ଗର ଘଟଣା ଲେଖି କରାଯାଇଛି ସେୟାର
ଦାବିରେ ନାହିଁ କୌଣସି ସତ୍ୟତା । ଉକ୍ତ ଭିଡିଓଟି ୨୦୨୪ ମସିହାର ବାଂଲାଦେଶର ଅଟେ । ଯେଉଁଥିରେ ମୃତ୍ୟୁବରଣ କରିଥିବା ଦୁଇଜଣ ମା ଏବଂ ଝିଅ ଅଟନ୍ତି । ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ । ଉକ୍ତ ଘଟଣା ସହ ପଶ୍ଚିମବଙ୍ଗର କୌଣସି ସମ୍ପର୍କ ନଥିବାର ପ୍ରମାଣିତ ହୋଇଛି ।
Viral Video Falsely Links Bangladesh Incident to West Bengal
ଓଡ଼ିଶା ପରେ ଏବେ ବିଜେପି ଫୋକସରେ ମମତାଙ୍କ ଗଡ଼ ପଶ୍ଚିମବଙ୍ଗ । ୨୦୨୬ରେ ପଶ୍ଚିମବଙ୍ଗରେ ନିର୍ବାଚନ ଥିବାରୁ ନେତା ବାରମ୍ବାର ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି । ଗତ ଦୁଇ ଦିନରେ ଦୁଇ ଶୀର୍ଷ ନେତାଙ୍କ ପଶ୍ଚିମବଙ୍ଗ ଗସ୍ତ ହିଁ ସୂଚାଇ ଦେଉଛି କି ବିଜେପି ପଶ୍ଚିମବଙ୍ଗ ନିର୍ବାଚନକୁ କେତେ ଗୁରୁତ୍ବ ଦେଉଛି । ପଶ୍ଚିମବଙ୍ଗରେ ବିଜେପି ୨୦୨୬ରେ ସରକାର ଗଢୁଛି ବୋଲି ଦମ୍ଭ ଦେଖାଇ ଶାହ କହିଛନ୍ତି ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିଲେ ହିଁ ଦେଶ ସୁରକ୍ଷିତ ରହିବ । କାରଣ ମମତା ସରକାରଙ୍କ ଆଶୀର୍ବାଦରୁ ଅନୁପ୍ରବେଶକାରୀ ବାଂଲାଦେଶ ଆଡୁ ମାଡି ଆସୁଛନ୍ତି ଯାହା ଦେଶର ସୁରକ୍ଷା ପ୍ରତି ବିପଦ । କେବଳ ପଦ୍ମ ଫୁଟିଲେ ହିଁ ଏହା ସମ୍ଭବ ବୋଲି ଶାହ କହିଛନ୍ତି । ଦିଦିଙ୍କୁ ସିଧା ନିଶାନା କରି ଶାହ କହିଛନ୍ତି- ମାଆ ମାଟି ମାନୁଷର ନାରା ଦେଇ ମମତା ସରକାରକୁ ଆସିଥିଲେ ହେଲେ ଏବେ ସେହି ମହାନ ମାଟିରେ ହିଂସା, ହତ୍ୟା, ଗୁଣ୍ଡଗର୍ଦ୍ଦି, ବୋମାମାଡ଼ ହେଉଛି । ମାଆ ଓ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି, ଅନୁପ୍ରବେଶକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି I
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦୁଇଜଣ ମହିଳାଙ୍କ ମୃତଦେହ ଏକ କୋଠରୀ ମଧ୍ୟରେ ଝୁଲୁଥିବାର ଦେଖିବାକୁ ମିଳିଛି । ଉଭୟେ ମା ଏବଂ ଝିଅ ବୋଲି ସୋସିଆଲ ମିଡିଆରେ ସୂଚନା ରହିଛି । ଭିଡିଓ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, ଉକ୍ତ ଘଟଣାଟି ପଶ୍ଚିମବଙ୍ଗର ଅଟେ ଯେଉଁଠି ମା, ଝିଅଙ୍କୁ ବଳାତ୍କାର କରି ଫାସିରେ ଝୁଲାଇ ହତ୍ୟା କରାଯାଇଛି ।
(ସ୍ପଷ୍ଟିକରଣ: ଏହି ଭିଡିଓରେ ଥିବା ଦୃଶ୍ୟ ଦର୍ଶକଙ୍କୁ ବିଚଳିତ କରିପାରେ, ଦୟାକରି ସତର୍କ ରହିବାକୁ ଅନୁରୋଧ )
ଯାହାର ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ଏବଂ ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ୨୦୨୪ ମସିହାରେ ବାଂଲାଦେଶରେ ଘଟିଥିବା ଘଟଣାର ଅଟେ । ପଶ୍ଚିମବଙ୍ଗ ସହ ଏହାର କୌଣସି ସମ୍ପର୍କ ନାହିଁ ।
ଉକ୍ତ ଘଟଣା ନେଇ ଅନୁସନ୍ଧାନ କରିବାରୁ ନିକଟ ଦିନରେ ଏଭଳି କୌଣସି ଘଟଣା ଘଟିଥିବାର ସୂଚନା ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମ ଖବର ପ୍ରସାରିତ କରିଥାନ୍ତେ ।
ଅଧିକ ତଦନ୍ତ କରିବାକୁଯାଇ ଯେତେବେଳେ ଆମେ ପଶ୍ଚିମବଙ୍ଗର ଜଣେ ସାମ୍ବାଦିକଙ୍କୁ ଯୋଗାଯୋଗ କରିଥିଲୁ, ତାଙ୍କ ସୂଚନା ଅନୁଯାୟୀ, ' ଏଭଳି କୌଣସି ଘଟଣା ନିକଟରେ ପଶ୍ଚିମବଙ୍ଗରେ ଘଟିନାହିଁ, ଯଦି ଘଟିଥାନ୍ତା ତେବେ ଏନେଇ ଆମେ ନିଶ୍ଚିତ ଖବର ପ୍ରସାରିତ କରିଥାନ୍ତୁ । ଭିଡିଓଟି ବହୁ ପୁରୁଣା ହୋଇଥାଇ ପାରେ କିମ୍ବା ପଶ୍ଚିମବଙ୍ଗ ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନଥାଇପାରେ ।
ତଦନ୍ତ ନିମନ୍ତେ ରିଭର୍ସ ଇମେଜରେ ଉକ୍ତ ଭିଡିଓକୁ ଅନୁସନ୍ଧାନ କରିବାରୁ ଏକ ଫେସବୁକ ଭିଡିଓ ହସ୍ତଗତ ହୋଇଥିଲା ।
(ସ୍ପଷ୍ଟିକରଣ: ଏହି ଭିଡିଓରେ ଥିବା ଦୃଶ୍ୟ ଦର୍ଶକଙ୍କୁ ବିଚଳିତ କରିପାରେ, ଦୟାକରି ସତର୍କ ରହିବାକୁ ଅନୁରୋଧ )
ଉକ୍ତ ଭିଡିଓଟି ଜଣେ ୟୁଜର୍ସ ଫେସବୁକରେ ୧୯.୧୨.୨୦୨୪ରେ ଅପଲୋଡ଼ କରିଥିଵାର ଜାଣିବାକୁ ପାଇଥିଲୁ ।
ଭିଡିଓ ପୋଷ୍ଟ କରି ୟୁଜର୍ସ ଜଣଙ୍କ ଉଲ୍ଲେଖ କରିଛନ୍ତି, কিছু বলার ভাষা নেই দিনাজপুরের খানসামা উপজেলায় মা ও মেয়ের একই রশিতে ঝুলন্ত লাশ। এই দৃশ্য দেখার পরে কোন ভাষা খুঁজেই পাচ্ছি নাকিছু বলার ভাষা নেই দিনাজপুরের খানসামা উপজেলায় মা ও মেয়ের একই রশিতে ঝুলন্ত লাশ। এই দৃশ্য দেখার পরে কোন ভাষা খুঁজেই পাচ্ছি না ।
ଯାହାର ଓଡ଼ିଆ ଅନୁବାଦ ହେଉଛି, ଦିନାଜପୁରର ଖାନସାମା ଉପଜିଲ୍ଲାରେ ହୃଦୟ ବିଦାରକ ଘଟଣା । ଗୋଟିଏ ରଶିରେ ଝୁଲଛି ମା ଓ ଝିଅଙ୍କ ମୃତଦେହ । ଏହି ଦୃଶ୍ୟ ଦେଖିବା ପରେ ମୁଁ କୌଣସି ଶବ୍ଦ ପ୍ରକାଶ କରିପାରୁନାହିଁ । ଦିନାଜପୁରର ଖାନସାମା ଉପଜିଲ୍ଲାରେ ଗୋଟିଏ ରଶିରେ ଝୁଲୁଥିବା ମା ଓ ଝିଅଙ୍କ ମୃତଦେହ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନାହିଁ ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓଙ୍କୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ ।
ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ହେଉଥିବା ଭିଡିଓଟି ଅନ୍ୟୁନ୍ୟ ୨୦୨୪ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ବଙ୍ଗାଳି ଭାଷାରେ ଉକ୍ତ କିୱାର୍ଡ ଗୁଡ଼ିକୁ ବ୍ୟବହାର କରି ଅନୁସନ୍ଧାନ କରିବାରୁ ବାଂଲାଦେଶର ଏକ ସ୍ଥାନୀୟ ଖବର ପ୍ରସାରଣକାରୀ ସଂସ୍ଥା ପ୍ରଥମ ଆଲୋ ଏକ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଥିଲା ।
ଉକ୍ତ ଖବରରେ ଉଲ୍ଲେଖ ରହିଛି, ୧୮ ଡିସେମ୍ବର ୨୦୨୪ରେ, ବାଂଲାଦେଶ ପୋଲିସ ବାଂଲାଦେଶର ଦିନାଜପୁର ଜିଲ୍ଲାର ଖାନସାମା ଉପଜିଲ୍ଲାର ଯୁଗିରଘୋପା ଗ୍ରାମର ବେନୁପାରାର ବାସିନ୍ଦା ସୁଜାତା ରାଣୀ ରାୟ (୨୪) ଏବଂ ତାଙ୍କ ଝିଅ ନୀଳାଦ୍ରି ରାଣୀ ରାୟ (୬)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା । ଏହା ସହିତ, ଘରୁ 'ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି' ଲେଖାଥିବା ଏକ ସୁଇସାଇଡ ନୋଟ୍ ମଧ୍ୟ ଉଦ୍ଧାର କରାଯାଇଥିଲା। ତଥାପି, ମୃତ ଗୃହିଣୀଙ୍କ ବାପାଙ୍କ ଘରର ଲୋକମାନେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଦାବି କରିଥିଲେ। ଅନ୍ୟପକ୍ଷରେ, ନୀଳାଦ୍ରିଙ୍କ ସ୍ୱାମୀ ଭକ୍ତ ରାୟ ଉକ୍ତ ଘଟଣା ପରଠାରୁ ଫେରାର୍ ଅଛନ୍ତି ।
(ସ୍ପଷ୍ଟିକରଣ: ଏହି ଭିଡିଓରେ ଥିବା ଦୃଶ୍ୟ ଦର୍ଶକଙ୍କୁ ବିଚଳିତ କରିପାରେ, ଦୟାକରି ସତର୍କ ରହିବାକୁ ଅନୁରୋଧ )
ସେହିପରି ୧୯ ଡିସେମ୍ବର ୨୦୨୪ରେ ପ୍ରତିଦିନର ବାଂଲାଦେଶ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଉକ୍ତ ଘଟଣାକୁ ପ୍ରସାରିତ କରିବାକୁ ଯାଇ ଏକ ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓର ୧୯ ସେକେଣ୍ଡ ସମୟ ସାରଣୀରେ ଭାଇରାଲ ଭିଡିଓର ଏକ ଅଂଶ ଦେଖିବାକୁ ମିଳିଛି ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଉକ୍ତ ଭିଡିଓଟି ୨୦୨୪ ମସିହାର ବାଂଲାଦେଶର ଅଟେ । ଯେଉଁଥିରେ ମୃତ୍ୟୁବରଣ କରିଥିବା ଦୁଇଜଣ ମା ଏବଂ ଝିଅ ଅଟନ୍ତି । ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ । ଉକ୍ତ ଘଟଣା ସହ ପଶ୍ଚିମବଙ୍ଗର କୌଣସି ସମ୍ପର୍କ ନଥିବାର ପ୍ରମାଣିତ ହୋଇଛି ।