ଫ୍ୟାକ୍ଟ ଚେକ୍: ଭାଇରାଲ ହେଉଥିବା ବାଘ ଭିଡିଓ ସହ ନାହିଁ ଢେଙ୍କାନାଳ ଜିଲ୍ଲାର କୌଣସି ସମ୍ପର୍କ

Update: 2025-10-17 08:08 GMT


ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ କାଦବସନ୍ତ ଗାଁରେ ଏକ ଗାଇକୁ ଜଙ୍ଗଲ ଭିତରକୁ ଘୋଷାଡି ନେଇ ମାରିଦେଇଥିବା ଜଣାପଡିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ବାଘକୁ ଠାବ ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ଜଙ୍ଗଲକୁ ନଯିବା, ଗାଈଗୋରୁ , ଛେଳି ମେଣ୍ଢା ଆଦି ନଛାଡିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ପ୍ରସାରିତ ଖବର ଅନୁଯାୟୀ, କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଗତଦୁଇ ଦିନ ଧରି ଗାଈକୁ ଘୋଷାଡ଼ି ଆକ୍ରମଣ କରିଥିଲା । ପୂର୍ବରୁ ବାଘକୁ କାମାକ୍ଷାନଗର ସହର ଠାରୁ ମାତ୍ର ୪ କିଲୋମିଟର ଦୂରରେ ଦେଖିବାକୁ ମିଳିଥିଲା । କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ଭାଲୁମୁଣ୍ଡା ନିକଟରେ ବାଘକୁ ଦେଖିଥିଲେ ଲୋକ। ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ପହଞ୍ଚି ବାଘର ପାଦ ଚିହ୍ନ ମାପିଥିଲେ ।

ଇତିମଧ୍ୟରେ ଗ୍ରାମାଞ୍ଚଳ ଭିତରେ ଏବଂ ଗ୍ରାମ ନିକଟସ୍ଥ ଜଙ୍ଗଲରେ ବାଘ ବୁଲୁଥିବାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ସୋସିଆଲ ମିଡିଆରେ ଭାଇରାଲ କରି ୟୁଜର୍ସ ଏହାକୁ ଢେଙ୍କାନାଳ ଜିଲ୍ଲାର ବୋଲି ଦାବି କରିଛନ୍ତି ।

ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି I 




ଭିଡିଓ ୧ : ଏହି ଭିଡିଓରେ ଏକ ନିଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ବାଘ ବୁଲୁଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ବାଘଟି ପ୍ରବଳ ଗର୍ଜନ କରୁଥିବାର ଶୁଣିବାକୁ ମିଳିଛି । ଭିଡିଓ ସେୟାର କରି ୟୁଜର୍ସ ଲେଖିଛନ୍ତି ଢେଙ୍କାନାଳ ଅନୁଗୁଳ ଜିଲ୍ଲାରେ କିଛିଦିନ ହେବ ବାଘ ଆତଙ୍କ ଦେଖାଦେଇଛି । ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି ।

ଭିଡିଓ ୨ : ଆଉ ଗୋଟିଏ ଭିଡିଓରେ ବାଘଟିଏ ଏକ ଟନେଲ ଭିତରୁ ବାହାରି ରାସ୍ତାପାରି ହେଉଥିବାର ଦେଖିବାକୁ ମିଳିଛି ।

ଭିଡିଓ ଉପରେ ଉଲ୍ଲେଖ ରହିଛି, କାମାକ୍ଷାନଗର ବାଲିଗୋରୋଡ଼ - ଖଟଖୁରା ରାସ୍ତା ।


ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଢେଙ୍କାନାଳ ବନଖଣ୍ଡରେ ବାଘ ପାଦ ଠାବ ହୋଇଛି ସତ ହେଲେ, ଭାଇରାଲ ଭିଡିଓ ଗୁଡ଼ିକ ଢେଙ୍କାନାଳର ନୁହେଁ  ।

ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ, ବିଭିନ୍ନ ଗଣମାଧ୍ୟମରେ ଏନେଇ ବିଭିନ୍ନ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଥିଲା ହେଲେ କୌଣସି ପ୍ରମୁଖ ଗଣମାଧ୍ୟମରେ ଭାଇରାଲ ହେଉଥିବା ବାଘର ଫଟୋ କିମ୍ବା ଭିଡିଓ ପ୍ରସାରିତ ହୋଇଥିବାର ପାଇନଥିଲୁ ।

ଯଦି ଏଭଳି କୌଣସି ଦୃଶ୍ୟ ସତରେ ଢେଙ୍କାନାଳ ଅଞ୍ଚଳରେ ଦେଖାଯାଇ ଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମରେ ଏହି ଭିଡିଓ ପ୍ରସାରିତ ହୋଇଥାନ୍ତା ।

ସେହିପରି ଏନେଇ ଓଡ଼ିଶା ସରକାରଙ୍କ ବନ ବିଭାଗ ଏବଂ ଢେଙ୍କାନାଳ ବନଖଣ୍ଡର ଅଫିସିଆଲ ସୋସିଆଲ ମିଡିଆ ସାଇଟରେ ଦେଖିବାରୁ, ଉକ୍ତ ଦୃଶ୍ୟ ନେଇ କୌଣସି ସୂଚନା ଉଲ୍ଲେଖ ଥିବାର ପାଇନଥିଲୁ ।

ଅଧିକ ସୂଚନା ନିମନ୍ତେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କୁମାର କରଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଭିଡିଓ ଗୁଡ଼ିକ ଢେଙ୍କାନାଳ ବନଖଣ୍ଡର ନୁହେଁ ବୋଲି ଦର୍ଶାଇଥିଲେ । ସେହିପରି ବାଘର କେବଳ ପାଦଚିହ୍ନ ଠାବ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ଫଟୋ କିମ୍ବା ଭିଡିଓ ବନ ବିଭାଗର ହସ୍ତଗତ ହୋଇନାହିଁ । ବନଖଣ୍ଡ ଅଧିକାରୀ ଏହା ମଧ୍ୟ କହିଥିଲେ ବନ ବିଭାଗ ପକ୍ଷରୁ ଏଭଳି କୌଣସି ଫଟୋ କିମ୍ବା ଭିଡିଓ ଜାରି କରାଯାଇ ନାହିଁ ।

ଭିଡିଓ ୧

ଭାଇରାଲ ଭିଡିଓ ଗୁଡ଼ିକର ସତ୍ୟତା ଜାଣିବାକୁ ଯାଇ ଭିଡିଓ ୧ ର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ, ଏକ ସାଇଟରେ ଉକ୍ତ ଭିଡିଓଟି ଅପଲୋଡ଼ ହୋଇଥିବାର ଦେଖିବାକୁ ପାଇଥିଲୁ ।

ଖବର ପ୍ରସାରଣ କରି ଏବିପି ଲାଇଭ ଉଲ୍ଲେଖ କରିଛି, ଉତ୍ତର ପ୍ରଦେଶର ଅମରାହା ଜଙ୍ଗଲରେ ଏହି ବାଘଟି ଦୃଶ୍ୟମାନ ହୋଇଛି । ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ସେମାନେ ଏନେଇ ସ୍ଥାନୀୟ ବନ ବିଭାଗକୁ ଜଣାଇଛନ୍ତି ବୋଲି କହିଛନ୍ତି ।

ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ଉତ୍ତର ପ୍ରଦେଶର ଅଟେ ।


ଭିଡିଓ ୨

ଦ୍ଵିତୀୟ ଭିଡିଓ ଯେଉଁଥିରେ ବାଘଟିଏ ଏକ ଟନେଲ ଭିତରୁ ବାହାରି ରାସ୍ତା ପାରିହେଉଚି । ଉକ୍ତ ଭିଡିଓକୁ ଅନୁସନ୍ଧାନ କରିବାରୁ ଏହା ବିଭିନ୍ନ ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ଅପଲୋଡ଼ ହୋଇଚି ।

ଏହା ମୁଖ୍ୟତଃ ଦକ୍ଷିଣ ଭାରତର ଏକ ଅଞ୍ଚଳର ଦୃଶ୍ୟ ବୋଲି ଉଲ୍ଲେଖ ରହିଥିବା ବେଳେ, ଏହା କୌଣସି ପ୍ରମୁଖ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ପାଇନଥିଲୁ ।

କିନ୍ତୁ ଏଥିରୁ ପ୍ରମାଣିତ ହୋଇଛି ଯେ, ଉକ୍ତ ଭିଡିଓଟି ବହୁ ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବି ଗୁଡ଼ିକ ବିଭ୍ରାନ୍ତିକର ଅଟେ । ବନ ବିଭାଗ ସୂଚନା ଅନୁଯାୟୀ, ଢେଙ୍କାନାଳ ଜଙ୍ଗଲରେ ବାଘର ପାଦ ଚିହ୍ନ ମିଳିଛି ସତ । ହେଲେ ଭାଇରାଲ ହେଉଥିବା ଭିଡିଓ ସହ ଢେଙ୍କାନାଳର ନାହିଁ କୌଣସି ସମ୍ପର୍କ । 


Claim :  ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବାଘ ବୁଲୁଥିବାର ଭିଡିଓ
Claimed By :  Social Media User
Fact Check :  Unknown
Tags:    

Similar News