ଫ୍ୟାକ୍ଟ ଚେକ୍: ପଶ୍ଚିମବଙ୍ଗର ଭିଡିଓକୁ ବିହାରର ଘଟଣା ଲେଖି କରାଯାଇଛି ସେୟାର

Update: 2025-10-16 10:51 GMT


ବିହାର ନିର୍ବାଚନ ପାଇଁ ବିଜେପି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଯେଉଁଥିରେ ୭୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏନଡିଏ ଭିତରେ ଆସନ ବଣ୍ଟନ ପୂର୍ବରୁ ଚୂଡ଼ାନ୍ତ ହୋଇସାରିଛି ଏବଂ ବିଜେପି ୧୦୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ବିଜେପି ବିହାର ସଭାପତି ପୂର୍ବରୁ ସୂଚାଇ ଦେଇଥିବା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଏବେ ପ୍ରକାଶ ପାଇଛି। ପ୍ରଥମ ତାଲିକାରେ ଅନେକ ପ୍ରମୁଖ ନାମ ସାମ୍ନାକୁ ଆସିଛି। ବିଜେପି ତାରାପୁରରୁ ସମ୍ରାଟ ଚୌଧୁରୀ, ଲଖିସରାଇରୁ ବିଜୟ ସିହ୍ନା, ସିୱାନରୁ ମଙ୍ଗଳ ପାଣ୍ଡେ ଏବଂ ଦାନାପୁରରୁ ରାମ କୃପାଳ ଯାଦବଙ୍କୁ ପ୍ରାର୍ଥୀ କରିଛି।

ଜନ ସୁରାଜ ପାର୍ଟି(ଜେଏସ୍‌ପି)ର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଓରଫ ପିକେ ବିହାର ବିଧାନସଭା ନିର୍ବାଚନ(Bihar Election) ପୂର୍ବରୁ ବଡ଼ ଘୋଷଣା କରିଛନ୍ତି। କ୍ଷମତାସୀନ ଏନଡିଏ ଓ ବିରୋଧୀ ମହାଗଠବନ୍ଧନ ଠାରୁ ଦୂରେଇ ରହିଥିବା ପିକେ ବିହାର ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି । ବ୍ୟାପକ ଦଳୀୟ ସ୍ୱାର୍ଥ ପାଇଁ ସେ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ ୪୮ ବର୍ଷୀୟ ପିକେ ନିଜ ଦଳ ଜନ ସୁରାଜ ପାଇଁ ୧୫୦ ଆସନ ବିଜୟର ଟାର୍ଗେଟ ସେଟ କରିଛନ୍ତି। ଏହାଠାରୁ ଯେକୌଣସି କମ ସଂଖ୍ୟାକୁ ପରାଜୟ ଭାବେ ବିବେଚନା କରାଯିବ ବୋଲି ପିକେ କହିଛନ୍ତି ।

ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ ଏକ ଗାଡିକୁ କିଛି ଉତ୍ୟକ୍ତ ଜନତା ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି । ଏପରିକି କିଛି ଦୁର୍ବୃତ୍ତ ପଥର ମାରି ଗାଡିର ବିଭିନ୍ନ କାଚ ଗୁଡ଼ିକ ଭାଙ୍ଗୁଥିବାର ଦେଖାଯାଇଚି । କିଛି ସୁରକ୍ଷାକର୍ମୀ ଗାଡ଼ିଟିକୁ ସୁରକ୍ଷା ଦେଉଥିବାର ଦେଖିବାକୁ ମିଳିଛି । ହେଲେ ଜନ ଆକ୍ରୋସ ଏତେ ତୀବ୍ର ହୋଇଯାଇଛି ଯେ, ପରିସ୍ଥିତି ଅଣାୟତ୍ତ ହୋଇଉଠିଛି । ଆକ୍ରମଣ ହେଉଥିବା ଗାଡ଼ିରେ ଭାରତୀୟ ଜନତା ପାର୍ଟିର ଏକ ପତାକା ଲାଗିଥିବାର ଦେଖିବାକୁ ମିଳିଛି ।

ତେବେ ଉକ୍ତ ଭିଡିଓଟି ବିହାରର ବୋଲି ଦାବି ହୋଇଛି । ନିର୍ବାଚନ ରାଲିରେ ଯାଇଥିବା ଜଣେ ଭାଜପା ନେତାଙ୍କୁ ବିହାର ବାସୀ ଆକ୍ରମଣ କରୁଥିବାର ଭିଡିଓ ଉପରେ ଲେଖା ହୋଇଛି ।

ଯାହାର ଲିଙ୍କ୍ ଏଠାରେ ଏବଂ ଏକ ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।





 


ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ, ଏଭଳି କୌଣସି ଘଟଣା ନିକଟରେ ବିହାରରେ ଘଟିନାହିଁ । ଭାଇରାଲ ଭିଡିଓଟି ପ୍ରକୃତରେ ପଶ୍ଚିମବଙ୍ଗର ଅଟେ । ବିହାର କିମ୍ବା ହେବାକୁ ଥିବା ବିହାର ନିର୍ବାଚନ ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।

ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ, ଉକ୍ତ କିୱାର୍ଡ ସହ ଅନୁସନ୍ଧାନ କରିବାରୁ ଏଭଳିକୌଣସି ଘଟଣା ଘଟିଥିବା ବିହାରର କୌଣସି ଗଣମାଧ୍ୟମରେ ଦେଖିବାକୁ ପାଇନଥିଲୁ ।

ଯଦି ଏଭଳି କୌଣସି ଘଟଣା ନିକଟ ଦିନରେ ବିହାରରେ ଘଟିଥାନ୍ତା ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ଗଣମାଧ୍ୟମ ପ୍ରସାରିତ କିମ୍ବା ପ୍ରକାଶିତ କରିଥାନ୍ତେ ।

ଅଧିକ ତଦନ୍ତ କରିବାକୁ ଯାଇ ବିହାରରେ ଜଣେ କାର୍ଯ୍ୟରତ ସାମ୍ବାଦିକ ହିମାଂଶୁ କୁମାରଙ୍କୁ ଯୋଗାଯୋଗ କରିବାରୁ, ଉକ୍ତ ଦାବିକୁ ସିଏ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଥିଲେ । ଏଭଳି କୌଣସି ବିଜେପି ନେତା ନିକଟରେ ଏଭଳି ଆକ୍ରମଣର ଶିକାର ହୋଇନଥିବାର କହିଥିଲେ ହିମାଂଶୁ ।

ସେହିପରି ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ, ଏକ ଫେସବୁକ ଭିଡିଓ ହସ୍ତଗତ ହୋଇଥିଲା ।


Full View


ଯାହାକି ୧୦ ଅକ୍ଟୋବର ରେ ଅପଲୋଡ଼ ହୋଇଥିବା ବେଳେ ଏଥିରେ ଉଲ୍ଲେଖ ରହିଛି, ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ଆକ୍ରମଣ ।

ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ଥିବାରୁ, ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଦିନର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।

ସେହିପରି ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।


୬ ଅକ୍ଟୋବର ୨୦୨୫ରେ ଦ ଟ୍ରିବ୍ୟୁନ ଉକ୍ତ ଭିଡିଓକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିବାର ଦେଖିବାଜୁ ମିଳିଛି ।

ଭିଡିଓରେ ଉଲ୍ଲେଖ ରହିଛି ପଶ୍ଚିମବଙ୍ଗ ସାଂସଦ ଖଗେନ ମୂର୍ମୁ, ବିଧାୟକ ସଂକର ଘୋଷଙ୍କୁ ନଗରକଟାରେ ଆକ୍ରମଣ, କାର୍ ଭାଙ୍ଗିଲେ ଦୁର୍ବୃତ୍ତ ।

ଉକ୍ତ ଘଟଣାକୁ ସମାନ ସୂଚନା ସହ ଏଏନଆଇ ଏବଂ ରିପବ୍ଲିକ ଟିଭି ପ୍ରସାରିତ କରିଥିଵାର ମଧ୍ୟ ଦେଖିବାକୁ ମିଳିଛି ।

ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ବିଜେପି ନେତାଙ୍କୁ ଆକ୍ରମଣର ଭିଡିଓଟି ପଶ୍ଚିମବଙ୍ଗର ଅଟେ । ଉକ୍ତ ଭିଡିଓ ସହ ବିହାର କିମ୍ବା ହେବାକୁ ଥିବା ବିହାର ନିର୍ବାଚନ ସହ କୌଣସି ସମ୍ପର୍କ ନଥିବାର ଜଣାଯାଇଛି । 


Claim :  ବିଜେପି ନେତାଙ୍କୁ ଆକ୍ରମଣ କଲେ ଜନତା, ବିହାର ନିର୍ବାଚନ ରାଲି ସମୟର ଦୃଶ୍ୟ
Claimed By :  Unknown
Fact Check :  Unknown
Tags:    

Similar News