ଫ୍ୟାକ୍ଟ ଚେକ୍: ବିଭିନ୍ନ ଗଣମାଧ୍ୟମର ଗ୍ରାଫିକ୍ସ ହେଲା ଭାଇରାଲ, ଦିଲ୍ଲୀ ନିର୍ବାଚନର ଆସିଲା ସର୍ଭେ
ଭାଇରାଲ ହେଉଥିବା ଗ୍ରାଫିକ୍ସ ଏବଂ ଭିଡିଓ ଗୁଡିକ ଫେକ୍ ଅଟେ, ଏଭଳି କୌଣସି ସର୍ଭେ ପ୍ରକାଶ କରି ନାହାନ୍ତି ବୋଲି ଏବିପି ଏବଂ ଇଣ୍ଡିଆଟୁଡେ ପକ୍ଷରୁ ସ୍ପଷ୍ଟୀକରଣ ମଧ୍ୟ ରଖାଯାଇଛି ।
Various media outlets' graphics go viral as the Delhi election Survey is released.
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଏଥିପାଇଁ, ପୋଲିଂ ପାର୍ଟିଗୁଡ଼ିକ ୫ଫେବ୍ରୁଆରୀରେ ଭୋଟଦାନ କେନ୍ଦ୍ରରେ ପହଞ୍ଚିଛନ୍ତି । ସୋମବାର ପୂର୍ବରୁ, ଦିଲ୍ଲୀରେ ନିର୍ବାଚନ ପ୍ରଚାର ବନ୍ଦ ହୋଇଯାଇଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସମସ୍ତ କର୍ମଚାରୀ ଇଭିଏମ ମେଶିନ ସହିତ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି । ସମସ୍ତ କର୍ମଚାରୀଙ୍କୁ ରାତିରେ ଭୋଟଦାନ କେନ୍ଦ୍ରରେ ରହିବାକୁ ପଡିଥିବା ବେଳେ, ମତଦାନ କେନ୍ଦ୍ରରେ କର୍ମଚାରୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।
ପ୍ରଚାରର ଶେଷ ଦିନରେ ରାଜନୈତିକ ଦଳ ଓ ନେତାମାନେ ଜନସାଧାରଣଙ୍କ ନିକଟରେ ପହଞ୍ଚିଥିଲେ। ଫେବ୍ରୁଆରି ୫ରେ ଦିଲ୍ଲୀର ୧୫.୬ ନିୟୁତ ମତଦାତା ସେମାନଙ୍କ ମତଦାନ ଅଧିକାର ବ୍ୟବହାର କରିବେ । ଏହା ପୂର୍ବରୁ ନିର୍ବାଚନ ଆୟୋଗ ଫେବ୍ରୁଆରି ୫ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଏକ୍ଜିଟ୍ ପୋଲ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏ ନେଇ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ବାଚନ ଆୟୋଗ ତାଙ୍କ ଆଦେଶରେ କହିଛନ୍ତି ଯେ ସାଧାରଣ ଜନତା, ବିଶେଷ କରି ନ୍ୟୁଜ୍ ବ୍ୟୁରୋ, ମିଡିଆ ହାଉସ୍, ରେଡିଓ ଏବଂ ଟେଲିଭିଜନ ଚ୍ୟାନେଲ ଇତ୍ୟାଦି ଭାରତୀୟ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ନମ୍ବର ୫୭୬/ଏକ୍ଜିଟ୍/୨୦୨୫/ଏସଡିଆର/ସେକ୍ସନ-୧ ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ କୁହାଯାଇଛି ଯେ ଏକ୍ଜିଟ୍ ପୋଲ୍ ଫଳାଫଳ ଉପରେ ପ୍ରତିବନ୍ଧକ ଲଗାଯିବ। ଓପିନିଅନ୍ ପୋଲ୍, କିମ୍ବା ପ୍ରିଣ୍ଟ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ କିମ୍ବା ଅନ୍ୟ କୌଣସି ଉପାୟରେ ଅନ୍ୟ କୌଣସି ନିର୍ବାଚନ ସର୍ଭେ ।
ହେଲେ ଇତିମଧ୍ୟରେ କିଛି ଗଣମାଧ୍ୟମର ଲୋଗୋ ଥାଇ ଦିଲ୍ଲୀ ନିର୍ବାଚନ ସର୍ଭେ ରିପୋର୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଇଣ୍ଡିଆ ଟୁଡେ ଲୋଗୋ ଥିବା ଏକ ସର୍ଭେ ରେଜଲ୍ଟରେ ଏଷ୍ଟିମେଟେଡ ସିଟ ସେୟାରରେ ବିଜେପି ୪୮ ଏବଂ ଆପ୍ ୨୨, କଂଗ୍ରେସ ଏବଂ ଅନ୍ୟାନ୍ୟ ୦ ଅଙ୍କ ରହିଥିବା ବେଳେ, ଭୋଟ୍ ସେୟାରରେ ବିଜେପି ୫୦.୨, ଆପ୍ ୪୧, କଂଗ୍ରେସ ୪.୪୬, ଏବଂ ଅନ୍ୟାନ୍ୟ ୪.୩୪ ଅଙ୍କ ରହିଛି ।
ଉକ୍ତ ଗ୍ରାଫିକ୍ସକୁ ଇଣ୍ଡିଆଟୁଡେ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିବା ଦାବି ହୋଇଛି । ଉକ୍ତ ଗ୍ରାଫିକ୍ସ ସେୟାର କରି ସୋସିଆଲ ମିଡିଆରେ ୟୁଜର୍ସ ଲେଖିଛନ୍ତି, ଇଣ୍ଡିଆଟୁଡେ ସର୍ଭେ ଅନୁଯାୟୀ ଦିଲ୍ଲୀରେ ବହୁମତସହ ବିଜେପି ବିଜୟ ଲାଭ କରୁଛି । ଯାହାର ଆର୍କାଇଭ ଲିଙ୍କ ଏଠାରେ ଉପଲବ୍ଧ ରହିଛି ।
ସେହିପରି ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଥିବା ବେଳେ, ଭିଡିଓରେ ଏବିପି ନ୍ୟୁଜର ଲୋଗୋ ରହିଛି । ଭିଡିଓରେ ଜଣେ ମହିଳାଙ୍କ ସ୍ୱର ଶୁଭୁଥିବା ବେଳେ ମହିଳା ଜଣଙ୍କ କହୁଛନ୍ତି, ଦିଲ୍ଲୀ ନିର୍ବାଚନ ନେଇ ଆସିଲା ବଡ଼ ଖବର, ନିର୍ବାଚନ ନେଇ ଦିଲ୍ଲୀର ଓପିନିଅନ ପୋଲ୍ ସାମ୍ନାକୁ ଆସିଛି । ୨୭ ବର୍ଷ ପରେ ସରକାର ଗଠନ କରିପାରେ ବିଜେପି । ସର୍ଭେ ରିପୋର୍ଟ ଅନୁଯାୟୀ, ବିଜେପି ୪୭ ସିଟ, ଆପ୍ ୧୭ ଏବଂ କଂଗ୍ରେସକୁ ୬ଟି ସିଟ ମିଳିପାରେ । ସେହିପରି ଭୋଟ୍ ପ୍ରତିଶତ କଥା କହିବା ଯଦି, ବିଜେପିକୁ ୪୮% ଆପ୍ କୁ ୪୧% କଂଗ୍ରେସ ୧୧% ଭୋଟ୍ ଆକଳନ କରାଯାଉଛି । କଂଗ୍ରେସ କୁ ୧୫ ବର୍ଷ ଏବଂ ଆପ୍ କୁ ୧୧ବର୍ଷ ଦେବା ପରେ ଏବେ ବିଜେପିକୁ ଭୋଟ୍ ଦେବାକୁ ଦିଲ୍ଲୀବାସୀ ସ୍ଥିର କରି ସାରିଛନ୍ତି ।
ଉକ୍ତ ଭିଡିଓଟି ଏବିପି ନ୍ୟୁଜ ପ୍ରସାରିତ କରିଥିବା ଏକ ଖବର ବୋଲି ଦାବି କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ୟୁଜର୍ସ । ଯାହାର ଆର୍କାଇଭ ଲିଙ୍କ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ହେଉଥିବା ଗ୍ରାଫିକ୍ସ ଗୁଡିକ ଫେକ୍ ଅଟେ । ଏଭଳି କୌଣସି ସର୍ଭେ ରିପୋର୍ଟ ପ୍ରକାଶ କରି ନାହାଁନ୍ତି ସମ୍ପୃକ୍ତ ଗଣମାଧ୍ୟମ ।
ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ନ୍ୟୁଜ୍ ବ୍ୟୁରୋ, ମିଡିଆ ହାଉସ୍, ରେଡିଓ ଏବଂ ଟେଲିଭିଜନ ଚ୍ୟାନେଲ ଏବଂ ସାଧାରଣ ଜନତାଙ୍କ ଏକ୍ଜିଟ୍ ପୋଲ୍ ଫଳାଫଳ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଓପିନିଅନ୍ ପୋଲ୍, କିମ୍ବା ପ୍ରିଣ୍ଟ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ କିମ୍ବା ଅନ୍ୟ କୌଣସି ଉପାୟରେ ଅନ୍ୟ କୌଣସି ନିର୍ବାଚନ ସର୍ଭେ ପ୍ରକାଶ କରିବେ ନାହିଁ ।
ନିର୍ବାଚନ ଆୟୋଗଙ୍କ ନିୟମଯେ ଇଣ୍ଡିଆଟୁଡେ ଏବଂ ଏବିପି ନ୍ୟୁଜ୍ ଭଳି ପ୍ରମୁଖ ଗଣମାଧ୍ୟମ ଅବମାନନା କରିବେ ଏହା ଅସମ୍ଭବ ପ୍ରାୟ । ସେହିପରି ଯେତେବେଳେ ଆମେ ଉକ୍ତ ସର୍ଭେ ନେଇ ଇଣ୍ଡିଆଟୁଡେ ଏବଂ ଏବିପି ନ୍ୟୁଜ୍ ୱେବସାଇଟରେ ସର୍ଚ୍ଚ କରିଥିଲୁ ଏଭଳି କୌଣସି ଖବର ପ୍ରକାଶ ହୋଇଥିବାର ଦେଖିବାକୁ ପାଇନଥିଲୁ ।
ସେହିପରି ଇଣ୍ଡିଆ ଟୁଡେ ନିଜ ସୋସିଆଲ ମିଡିଆରେ ମଧ୍ୟ କୌଣସି ସର୍ଭେ ରିପୋର୍ଟ ସେୟାର କରିନାହିଁ । ସୋସିଆଲ ମିଡିଆପେଜ୍ କୁ ଅନୁଧ୍ୟାନ କରିବାରୁ ଇଣ୍ଡିଆଟୁଡେ ଏକ ସ୍ପଷ୍ଟୀକରଣ ନିଜ ସୋସିଆଲ ମିଡିଆରେ ସେୟାର କରିଥିଵାର ହସ୍ତଗତ ହୋଇଥିଲା । ଯେଉଁଥିରେ ଉଲ୍ଲେଖ ଥିଲା, CLARIFICATION: Fake polls, falsely attributed to Aaj Tak and India Today, are currently being circulated ahead of the Delhi Elections 2025. The India Today Group has not conducted any exit polls for Delhi.
ଯାହାର ଓଡ଼ିଆ ଅନୁବାଦ ହେଉଛି, ୨୦୨୫ ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆଜ ତକ୍ ଏବଂ ଇଣ୍ଡିଆ ଟୁଡେକୁ ଜଡିତ କରି ମିଥ୍ୟା ପୋଲ ପ୍ରସାରିତ ହେଉଛି । ଇଣ୍ଡିଆ ଟୁଡେ ଗ୍ରୁପ୍ ଦିଲ୍ଲୀ ନିର୍ବାଚନ ପାଇଁ କୌଣସି ଏକଜିଟ୍ ପୋଲ ପ୍ରକାଶ କରିନାହିଁ ।
ସେହିପରି ଏବିପି ନିୟୁଜ ୱେବ୍ସାଇଟରେ ସର୍ଚ୍ଚ କରିବାରୁ ପ୍ରିପୋଲ୍ ନେଇ କୌଣସି ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିନଥିଲା । ସେହିପରି ସୋସିଆଲ ମିଡିଆପେଜ୍ ରେ ମଧ୍ୟ ଏଭଳିଭିଡିଓ ନଥିବା ଵେଳେ, ଏବିପି ନିୟୁଜ ଏକ ସ୍ପଷ୍ଟୀକରଣ ସେୟାର କରିଥିଵାର ହସ୍ତଗତ ହୋଇଥିଲା । ଯେଉଁଥିରେ ହିନ୍ଦୀରେ ଉଲ୍ଲେଖ ରହିଛି, abp न्यूज़ के नाम पर सोशल मीडिया पर फैलाया जा रहा यह वीडियो पूरी तरह से फर्जी है. इस तरह की कोई भी खबर/ओपिनियन पोल abp न्यूज़ द्वारा नहीं चलाया गया है । हम ऐसे लोगों के खिलाफ कानूनी कार्रवाई करेंगे. आपसे अनुरोध है कि फर्जी खबरों से बचें और सही खबरों के लिए हमारे सोशल मीडिया हैंडल पर ही भरोसा करें ।
ଯାହାର ଓଡ଼ିଆ ଅନୁବାଦ ହେଉଛି, ଏବିପି ନ୍ୟୁଜ୍ ନାମରେ ସୋସିଆଲ ମିଡିଆରେ ସେୟାର ହେଉଥିବା ଭିଡିଓଟି ସମ୍ପୂର୍ଣ୍ଣ ନକଲି । ଏପରି କୌଣସି ନିୟୁଜ ବା ମତାମତ ସର୍ଭେ ଏବିପି ନ୍ୟୁଜ୍ ଦ୍ୱାରା ପରିଚାଳିତ ହୋଇନାହିଁ । ଆମେ ଏପରି ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ମିଥ୍ୟା ଖବରରୁ ଦୂରେଇ ରହିବାକୁ ଏବିପି ନିୟୁଜ ଲେଖିଥିବା ବେଳେ ପ୍ରକୃତ ଖବର ପାଇଁ କେବଳ ଏବିପି ସୋସିଆଲ ମିଡିଆ ହ୍ୟାଣ୍ଡେଲ ଉପରେ ନିର୍ଭର କରିବାକୁ ନିଜ ଦର୍ଶକ ମାନଙ୍କୁ ଏବିପି ଅନୁରୋଧ କରିଛି ।
ତେଣୁ ଏଥିରୁ ଜଣାଯାଏ ଯେ, ଦାବିଟିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଗ୍ରାଫିକ୍ସ ଏବଂ ଭିଡିଓ ଗୁଡିକ ଫେକ୍ ଅଟେ, ଏଭଳି କୌଣସି ସର୍ଭେ ପ୍ରକାଶ କରି ନାହାନ୍ତି ବୋଲି ଏବିପି ଏବଂ ଇଣ୍ଡିଆଟୁଡେ ପକ୍ଷରୁ ସ୍ପଷ୍ଟୀକରଣ ମଧ୍ୟ ରଖାଯାଇଛି ।