ଫ୍ୟାକ୍ଟ ଚେକ୍: ଭାଇରାଲ ଭିଡିଓଟି ଗୁଜରାଟର ଅଟେ, ନୂଆପଡ଼ା ନିର୍ବାଚନ ସହ ନାହିଁ କୌଣସି ସମ୍ପର୍କ
ନୂଆପଡ଼ା ଉପନିର୍ବାଚନ । ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ୨ ଥର ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ନବୀନଙ୍କ ପ୍ରଚାର ପାଇଁ ଚୂଡାନ୍ତ ହୋଇଛି ଗସ୍ତ ସୂଚୀ। ନୂଆପଡା ପାଇଁ ଷ୍ଟାର କ୍ୟାମ୍ପେନର ତଥା ଜୁନାଗଡ଼ ବିଜେଡ଼ି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି । ନୂଆପଡାରେ ନବୀନ ପହଂଚିବା ପରେ କଂଗ୍ରେସ ଓ ବିଜେପିର ସବୁ ଆକଳନ ଭୁଲ ହୋଇଯିବ। ନବୀନ ହାତ ହଲାଇ ଦେଲେ ସବୁ ଆକଳନ ଓଲଟି ଯିବ। ବିଜେଡ଼ି ସପକ୍ଷରେ ସବୁ ଭୋଟ ଯିବ ବୋଲି କହିଛନ୍ତି ଦିବ୍ୟଶଙ୍କର ମିଶ୍ର ।
ଅନ୍ୟପଟେ ନୂଆପଡ଼ା ଜିଲ୍ଲା ସଦର ମହକୁମା ଖୁଣ୍ଟିଆ ଭବନରେ ଜାତୀୟ କଂଗ୍ରେସର ଏକ ମିଶ୍ରଣ ପର୍ବ ଗୁରୁବାର ରାତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆପଡ଼ା ବିଜୁ ଜନତା ଦଳ ସଂପାଦକ ସୁଧୀର ମିଶ୍ର ୟଙ୍କ ଘର ବାହୁଡା଼ ହୋଇଛି । ତାଙ୍କ ସହ ବହୁ ସମର୍ଥକ କଂଗ୍ରେସରେ ଯୋଗଦେଇଥିଲେ ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକାଧିକ ବ୍ୟକ୍ତି ଗେରୁଆ ରଙ୍ଗର କପଡ଼ା ପ୍ରତ୍ୟାଖାନ କରୁଥିବାର ଦେଖିବାକୁ ମିଳିଛି । ୟୁଜର୍ସ ଦାବି କରିଛନ୍ତି ନୂଆପଡ଼ାରେ ୨୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି ।
ୟୁଜର୍ସ ଉକ୍ତ ଭିଡିଓ ସେୟାର କରି ଲେଖିଛନ୍ତି, ଅନେକ ମିଶ୍ରଣ ପର୍ବ ଦେଖୁଛି... କିନ୍ତୁ ଏମିତି ବିରଳ ମିଶ୍ରଣ ପର୍ବ ପ୍ରଥମ ଥର ପାଇଁ ଦେଖୁଲି...
ଯାହାର ଏକ ଲିଙ୍କ୍ ଏଠାରେ ଏବଂ ଏକ ସ୍କ୍ରିନସଟ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ହେଉଥିବା ଭିଡିଓଟି ନୂଆପଡ଼ାର ନୁହେଁ ଗୁଜରାଟର ଅଟେ । ନୂଆପଡ଼ା ନିର୍ବାଚନ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।
ଭିଡିଓର ତଦନ୍ତ କରିବାକୁ ଯାଇ ଅନୁସନ୍ଧାନ କରିବାରୁ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ବହୁ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି । ହେଲେ କୌଣସି ମିଶ୍ରଣ ପର୍ବରେ ଏହି ଭିଡିଓ ପ୍ରସାରିତ ହୋଇଥିବାର ପାଇନଥିଲୁ । ଯଦି ଏଭଳି କୌଣସି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥାନ୍ତା ତେବେ କୌଣସି ନା କୌଣସି ଗଣମାଧ୍ୟମରେ ଏହି ଭିଡିଓ ନିଶ୍ଚିତ ପ୍ରସାରିତ ହୋଇଥାନ୍ତା ।
ସେହିପରି ନୂଆପଡ଼ା ନିର୍ବାଚନରେ କାର୍ଯ୍ୟରତ ଭିଡିଓ ସାମ୍ବାଦିକ ଶରତ ବାରିକଙ୍କୁ ଯୋଗାଯୋଗ କରିଥିଲୁ । ଶରତଙ୍କ ସୂଚନା ଅନୁଯାୟୀ ଏଭଳି କୌଣସି ଦୃଶ୍ୟ କୌଣସି ମିଶ୍ରଣ ପର୍ବରେ ଦେଖିବାକୁ ମିଳିନାହିଁ । ଏ ଦୃଶ୍ୟଟି ଅନ୍ୟ କୌଣସି ଅଞ୍ଚଳର ହୋଇଥାଇ ପାରେ । ଏଭଳି ରୋଚକ ଭାବେ କୌଣସି ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଥିଲେ ଆମେ ନିଶ୍ଚିତ ଏହାକୁ ପ୍ରସାରଣ କରିଥାନ୍ତୁ ବୋଲି କହିଛନ୍ତି ଶରତ ।
ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜ ଅନୁସନ୍ଧାନ କରିବାରୁ ଏକ ଟ୍ୱିଟର ପୋଷ୍ଟ ହସ୍ତଗତ ହୋଇଥିଲା ।
୧୪. ଅକ୍ଟୋବର ୨୦୨୫ରେ ଜଣେ ୟୁଜର୍ସ ଏକ ଭିଡିଓ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ୨୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହା ହେଉଛି ଗୁଜରାଟର ଇଡର ଅଞ୍ଚଳର ଦୃଶ୍ୟ ।
ତେବେ କେବଳ ଗୋଟିଏ ନୁହେଁ ଏଭଳି ପୋଷ୍ଟ ବିଭିନ୍ନ ଆକାଉଣ୍ଟରୁ ସେୟାର ହୋଇଥିବାର ପାଇଥିଲୁ ।
ଯାହାର ଲିଙ୍କ୍ ଏଠାରେ, ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ଯେତେବେଳେ ଆମେ ଗୁଜରାଟ କଂଗ୍ରେସର ଅଫିସିଆଲ ସୋସିଆଲ ମିଡିଆରେ ଅନୁସନ୍ଧାନ କରିଥିଲୁ ସେଥିରେ ମଧ୍ୟ ସମାନ ଲେଖା ସହ ଉକ୍ତ ଭିଡିଓଟି ପୋଷ୍ଟ ହୋଇଥିବାର ଦେଖିବାକୁ ପାଇଥିଲୁ ।
ଯେତେବେଳେ ଆମେ ଉକ୍ତ କିୱାର୍ଡ ନେଇ ଅନୁସନ୍ଧାନ କରିଥିଲୁଜ଼ ଉକ୍ତ ଭିଡିଓକୁ ଗୁଜରାଟ ତକ୍ ନିଜ ୟୁଟ୍ୟୁବ ଚ୍ୟାନେଲରେ ୧୪ ଅକ୍ଟୋବର ୨୦୨୫ରେ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି।
ଭିଡିଓ ପ୍ରସାରଣ କରି ଗୁଜରାଟ ତକ୍ ଉଲ୍ଲେଖ କରିଛି, ଗୁଜରାଟର ଇଦର ଅଞ୍ଚଳରେ ୨୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି । ପଶ୍ଚିମାଞ୍ଚଳର କର୍ମକର୍ତ୍ତା ଏବଂ କର୍ମୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ କଂଗ୍ରେସରେ ସାମିଲ ହୋଇଛନ୍ତି ।
ଅନ୍ୟପଟେ ଆଉକିଛି ଗଣମାଧ୍ୟମ ଉକ୍ତ ଖବରକୁ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି । ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଦେଖିବାକୁ ମିଳିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ହେଉଥିବା ଭିଡିଓଟି ଗୁଜରାଟର ଇଦର ଅଞ୍ଚଳର ଅଟେ। ନୂଆପଡ଼ା ନିର୍ବାଚନ କିମ୍ବା ଓଡ଼ିଶସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।