ଫ୍ୟାକ୍ଟ ଚେକ୍: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଘଟିଥିବା ହିଂସା ସହ ଭାଇରାଲ ଭିଡିଓର ନାହିଁ କୌଣସି ସମ୍ପର୍କ
The viral video is not related to any violence in Murshidabad, West Bengal.
ନୂଆ ୱାକଫ୍ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଉତ୍ତେଜନା ଜାରି ରହିଛି । ପ୍ରସାରିତ ଖବର ଅନୁଯାୟୀ ହିଂସାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୮ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ମୁର୍ଶିଦାବାଦ ଜିଲ୍ଲାରେ ହୋଇଥିବା ୧୫୦ ଜଣ ଗିରଫ ହୋଇଥିବା ବେଳେ ଦଙ୍ଗାକାରୀମାନେ ନିରୀହ ଲୋକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରୁଛନ୍ତି । ଇଣ୍ଟରନେଟ ସେବା ବନ୍ଦ ହୋଇଥିବା ବେଳେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରି ଜରୁରୀ ବୈଠକ ଡ଼ାକିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଏସଏଫକୁ ମୁତୟନ କରାଯାଇଛି । ଦକ୍ଷିଣ ବଙ୍ଗ ଫ୍ରଣ୍ଟିୟର୍ ବିଏସଏଫ ଆଇଜି କର୍ଣ୍ଣି ସିଂହ ଶେଖାୱତ ନିଜେ ମୁର୍ଶିଦାବାଦରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି । ପଶ୍ଚିମବଙ୍ଗ ଡିଜିପିଙ୍କ ସହ ମଧ୍ୟ ଏକ ବୈଠକ କରିଛନ୍ତି । ଏନେଇ ବିଏସଏଫ ଆଇଜି କର୍ଣ୍ଣି ସିଂହ ଶେଖାୱତ କହିଛନ୍ତି ଯେ, କୋଲକାତା ହାଇକୋର୍ଟ ହିଂସା ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବେଙ୍ଗଲ ପୋଲିସକୁ ସାହାଯ୍ୟ କରିବା ପାଇଁ ୫ଟି କମ୍ପାନୀ ପଠାଯାଇଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ କିଛି ମହିଳାଅ ଏବଂ କିଛି ପୁରୁଷଙ୍କ ଉପରକୁ ଗୋଟିଏ ଗୋଷ୍ଠୀ ଆକ୍ରମଣ କରୁଥିବା ବେଳେ ପଥର ମାଡ଼ କରୁଥିବାର ଦେଖିବାକୁ ମିଳିଛି । ନିଜକୁ ରକ୍ଷା କରିବାକୁ ଯାଇ ସେମାନେ ଧାଇଁ ଧାଇଁ ଆସୁଥିବାର ଦେଖାଯାଇଛି ।
ଭିଡିଓ ଉପରେ ଲେଖା ହୋଇଛି, ଦୁଃଖଦ ଖବର, ଏହା ହେଉଛି ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳ । ପଶ୍ଚିମବଙ୍ଗରେ ବାଂଗଲାଦେଶ ଭଳି ପରିସ୍ଥିତି । ଯଦି ପଶ୍ଚିମବଙ୍ଗକୁ ବଞ୍ଚାଇବାର ଅଛି ତ ସେଠି ରାଷ୍ଟ୍ରପତି ଶାସନ ଲାଗୁ କରିବା ନିହାତି ଆବଶ୍ୟକ ।
ସୋସିଆଲ ମିଡିଆରେ ୟୁଜର୍ସ ଉକ୍ତ ଭିଡିଓ ସେୟାର କରି ଉକ୍ତ ଘଟଣାଟି ପଶ୍ଚିମବଙ୍ଗର ବୋଲି ଦାବି କରିଛନ୍ତି ।
ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୪ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ରାଜସ୍ଥାନର ଜୟପୁରରେ ଗୋଟିଏ ପରିବାର ଉପରକୁ ଜମିଜମା ମାମଲା ନେଇ ଆକ୍ରମଣ ହୋଇଥିବା ସମୟରେ ଉକ୍ତ ଭିଡିଓଟି ରେକର୍ଡ କରାଯାଇଥିଲା ।
ତଦନ୍ତ କରିବାକୁଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ନିୟୁଜ ଇଣ୍ଡିଆ୨୪ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।
ଭିଡିଓଟି ୯ ଅପ୍ରେଲ୨୦୨୪ ରେ ଅପଲୋଡ଼ ହୋଇଥିବା ବେଳେ ଏଥିରେଉଲ୍ଲେଖ ରହିଛି ଯେ, ଭଜନଲାଲ ଅଞ୍ଚଳରେ ଅଣାୟତ ପରିସ୍ଥିତି ଜମି ମାଡି ବସିବାପାଇଁ ପସିଲେ ୫୦ ଦୁର୍ବୃତ୍ତ । ଗୋଟିଏ ପରିବାରକୁ ଲାଠିରେ ବାଡ଼େଇବା ସହ ପଥର ମାରିଲେ ଦୁର୍ବୃତ୍ତ ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ ।
ତୁଳନାରୁ ଉଭୟ ଭିଡିଓରେ ବହୁ ସମାନତା ଦେଖିବାକୁ ମିଳିଥିଲା। ତେଣୁ ଉଭୟ ଭିଡିଓ ଗୋଟିଏ ଭିଡିଓ ବୋଲି ଜାଣିବାକୁ ମିଳିଥିଲା । ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ଅନ୍ୟୁନ୍ୟ୨୦୨୪ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।
ଅଧିକ ଅନୁସନ୍ଧାନ ନିମନ୍ତେ ଉକ୍ତ କିୱାର୍ଡ ଗୁଡିକ ନେଇ ସର୍ଚ୍ଚ କରିବାରୁ ଇଣ୍ଡିଆ ଟିଭିର ଡିଜିଟାଲ ମିଡିଆରେ ଏକ ବିସ୍ତୃତ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଥିଲା । ଉକ୍ତ ଖବରରେ ମଧ୍ୟ ଭାଇରାଲ ଭିଡିଓର ଏକ ସ୍ଥିରଚିତ୍ର ଦେଖିବାକୁ ମିଳିଥିଲା ।
୮ ଅପ୍ରେଲ ୨୦୨୪ରେ ଉକ୍ତ ଖବର ପ୍ରସାରଣ କରି ଇଣ୍ଡିଆ ଟିଭି ଉଲ୍ଲେଖ କରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ସାଙ୍ଗାନେରରୁ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ କିଛି ଦୁର୍ବୃତ୍ତ ଏକ ପରିବାରକୁ ବାଡ଼ି ଏବଂ ପଥରରେ ଆକ୍ରମଣ କରୁଛନ୍ତି ଏବଂ ପରିବାରର ସଦସ୍ୟ ଜୀବନ ବଞ୍ଚାଇବା ପାଇଁ ଦୌଡ଼ୁଛନ୍ତି । ଘଟଣାଟି ମାଲପୁରା ଗେଟ୍ ଥାନା ଅଞ୍ଚଳର ସାଙ୍ଗାନେର ରେଳ ଷ୍ଟେସନ ନିକଟ ଦାଦା ଗୁରୁଦେବ ନଗରରେ ଘଟିଛି ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୪୦ ରୁ ୫୦ ଜଣ ଦୁର୍ବୃତ୍ତ ଏକ ଜମି ଦଖଲ କରିବା ପାଇଁ ଆସିଥିଲେ । ଏହି ଲୋକମାନେ ସେଠାରେ ୫୦ ବର୍ଷ ଧରି ରହୁଥିବା ଏକ ପରିବାର ଉପରେ ଆକ୍ରମଣ କରିଥିଲେ ଏବଂ ଏପରି ଆତଙ୍କ ସୃଷ୍ଟି କରିଥିଲେ ଯେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଏହି ପଥର ମାଡ଼ରେ ଜଣେ ମହିଳାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି ।
ନିୟୁଜ ପ୍ଲସମେଲରେ ପ୍ରସାରିତ ଖବର ଅନୁଯାୟୀ, ଭଜନଲାଲଙ୍କ ଅଞ୍ଚଳରେ ଗୁଣ୍ଡାଗିରି, ଜମି ଦଖଲ କରିବାକୁ ପହଞ୍ଚିଲେ ୫୦ ଜଣ ଦୁର୍ବୃତ୍ତ, ପରିବାର ଉପରେ ଠେଙ୍ଗା ଓ ପଥରରେ କଲେ ଆକ୍ରମଣ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର । ଭାଇରାଲ ଭିଡିଓଟି ବହୁ ପୁରୁଣା ଏବଂ ରାଜସ୍ଥାନର ପଶ୍ଚିମବଙ୍ଗ ହିଂସା ସହ ନାହିଁ କୌଣସି ସମ୍ପର୍କ ।