ଫ୍ୟାକ୍ଟ ଚେକ୍: ବିହାର ନିର୍ବାଚନ ନେଇ ଭାଇରାଲ ହେଉଥିବା ତାଲିକା ଟି ବହୁ ପୁରୁଣା ଅଟେ

ଦାବିରେ ନାହିଁ କୌଣସି ସତ୍ୟତା । ଖବର ପ୍ରସାରଣ ଅର୍ଥାତ ୪ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ବିହାର ନିର୍ବାଚନକୁ ନେଇ କୌଣସି ତାରିଖ ଘୋଷଣା ହୋଇ ନାହିଁ ।

Update: 2025-07-04 14:43 GMT


ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ଅସଦୁଦ୍ଦିନ ଓୱେସିଙ୍କ ନେତୃତ୍ୱାଧୀନ ଏଆଇଏମଆଇଏମ ଏକ ବଡ଼ ପଦକ୍ଷେପ ନେଇଛି । ଆରଜେଡି ନେତୃତ୍ବାଧୀନ ମହାଗଠବନ୍ଧନ (ଜାତୀୟ ସ୍ତରରେ ଇଣ୍ଡି ମେଣ୍ଟ)ରେ ଯୋଗ ଦେବାକୁ ଦଳପକ୍ଷରୁ ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କୁ ପତ୍ର ଲେଖାଯାଇଛି । ଏହି ଚିଠି ଏଆଇଏମଆଇଏମ ବିହାର ୟୁନିଟ୍ର ଅଧ୍ୟକ୍ଷ ଅଖତାରୁଲ ଇମାନ ଲେଖିଛନ୍ତି । ଅନ୍ୟପଟେ କେଜ୍ରିୱାଲ କହିଛନ୍ତି, "ଆମେ ପଞ୍ଜାବରେ ସରକାର ଗଠନ କରିଥିଲୁ, ଦିଲ୍ଲୀରେ ନିରନ୍ତର ଜନସମର୍ଥନ ପାଇଥିଲୁ ଓ ଏବେ ବିହାରର ଲୋକମାନେ ମଧ୍ୟ ପରିବର୍ତ୍ତନ ଚାହୁଁଛନ୍ତି। ଆମେ ବିହାରରେ ଏକା ଲଢ଼ିବୁ, ଜିତିବୁ ଏବଂ ସରକାର ଗଠନ କରିବୁ।" ଏହି ବକ୍ତବ୍ୟ ବିହାର ରାଜନୀତିରେ ଏକ ନୂତନ ହଇଚଇ ସୃଷ୍ଟି କରିଛି। ଏହା ଏକ ସ୍ପଷ୍ଟ ସୂଚନା ଯେ ଆମ ଆଦମୀ ପାର୍ଟି ଏବେ ବିହାରକୁ ଏହାର ପରବର୍ତ୍ତୀ ରାଜନୈତିକ ବିସ୍ତାରର କେନ୍ଦ୍ର ଭାବେ ଦେଖୁଛି। ସେହିପରି କଂଗ୍ରେସ ନେତା କହ୍ନେୟା କୁମାର ଶୁକ୍ରବାର କହିଛନ୍ତି ଯେ ବିହାରରେ ମହାମେଣ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ତେଜସ୍ୱୀ ଯାଦବ ପ୍ରମୁଖ ଚେହେରା ହେବା ନେଇ କୌଣସି ବିବାଦ ନାହିଁ। କାରଣ ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟର ବିଜୟ ହେଲେ ସବୁଠୁ ବଡ଼ ମେଣ୍ଟ ଦଳ ରୂପେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ହିଁ ସ୍ୱଭାବିକ ରୂପେ ମୁଖ୍ୟମନ୍ତ୍ରୀ ହେବେ। 


ଇତିମଧ୍ୟରେ ବିହାର ନିର୍ବାଚନକୁ ନେଇ ଏକ ଲେଖା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲରେ ଉକ୍ତ ଲେଖା ସେୟାର କରି ୟୁଜର୍ସ ଦାବି କରିଛନ୍ତି ଯେ, ଭାରତୀୟ ନିର୍ବାଚନ କମିଶନ ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ମତଦାନ ତାରିଖ ଘୋଷଣା କରିଛନ୍ତି ।

ଯେଉଁଥିରେ ଉଲ୍ଲେଖ ରହିଛି, ବିହାରରେ ମତଦାନ ୨୧ଅକ୍ଟୋବରରୁ ୨୦ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଛଅଟି ପର୍ଯ୍ୟାୟରେ କରାଯିବ ।



ଯାହାର ଏକ ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି । 



ସତ୍ୟାସତ୍ୟ:

ଦାବିରେ ନାହିଁ କୌଣସି ସତ୍ୟତା । ଖବର ପ୍ରସାରଣ ଅର୍ଥାତ ୪ଜୁଲାଇ ୨୦୨୫ ପର୍ଯ୍ୟନ୍ତ ବିହାର ନିର୍ବାଚନ ତାରିଖ ଘୋଷଣା ହୋଇ ନାହିଁ ।

ତଦନ୍ତ କରିବାକୁ ଯାଇ 'ବିହାର ନିର୍ବାଚନ ୨୦୨୫ ତାରିଖ' ବ୍ୟବହାର କରି ସନ୍ଧାନ କରିଥିଲୁ, କିନ୍ତୁ ନିର୍ବାଚନର ତାରିଖ ତାଲିକାଭୁକ୍ତ କୌଣସି ବିଶ୍ୱସନୀୟ ରିପୋର୍ଟ କିମ୍ବା ପ୍ରେସ୍ ରିଲିଜ୍ ପାଇନଥିଲୁ ।

ଅନ୍ୟପଟେ ଏନେଇ ବିହାରର ଜଣେ ସାମ୍ବାଦିକ ହିମାଂଶୁ କୁମାରଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଦାବିକୁ ସିଏ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ । ନିର୍ବାଚନ ନେଇ ବିହାରରେ ତାତି ତେଜିବାକୁ ଲାଗିଛି । ବିଭିନ୍ନ ରାଜନୈତିକ ଦଳରେ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି ହେଲେ, ବର୍ତ୍ତମାନ ସୁଦ୍ଧା କୌଣସି ତାରିଖ ଘୋଷଣା ହୋଇନାହିଁ ବୋଲି ଆମକୁ ଜଣାଇଥିଲେ ହିମାଂଶୁ ।

ସେହିପରି ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍ ଏବଂ ସୋସିଆଲ ମିଡିଆ ଅନୁସନ୍ଧାନ କରିଥିଲୁ । ହେଲେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ତାରିଖର କୌଣସି ଘୋଷଣା ବା ସୂଚନା ପାଇନଥିଲୁ ।

ତେବେ ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ତାଙ୍କ ସୋସିଆଲ ମିଡିଆରେ ଉକ୍ତ ଦାବିକୁ ଫେକ୍ ବୋଲି ଦର୍ଶାଇନ୍ତି ।

ଉକ୍ତ ଦାବିକୁ ଖଣ୍ଡନ କରି ମୁଖ୍ୟ ନିର୍ବାଚନ ଅଧିକାରୀ ଉଲ୍ଲେଖ କରିଛନ୍ତି, ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିହାର ବିଧାନସଭା ନିର୍ବାଚନ ୨୧ ଅକ୍ଟୋବର ରୁ ନଭେମ୍ବର ୨୦ପର୍ଯ୍ୟନ୍ତ ଛଅଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ଭୋଟ ଗଣତି ୨୪ ନଭେମ୍ବରରେ ହେବ ବୋଲି ସେୟାର ହେଉଥିବାର ଦେଖିବାକୁ ମିଳିଛି । ଉକ୍ତ ସୂଚନାରେ କୌଣସି ସତ୍ୟତା ନାହିଁ ।

ଜାଣି ରଖନ୍ତୁ ଯେ, ଭାରତରେ ନିର୍ବାଚନର ତାରିଖ କେବଳ ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ସ୍ଥିର ଏବଂ ଘୋଷଣା କରାଯାଏ। କମିଶନଙ୍କ ସରକାରୀ ଘୋଷଣା ବିନା କୌଣସି ପ୍ରକାରର ତାରିଖ କିମ୍ବା ପର୍ଯ୍ୟାୟ ସୂଚନା ପ୍ରଚାର କରିବା ବେଆଇନ I

କୌଣସି ବେସରକାରୀ କିମ୍ବା ସାମାଜିକ ଗଣମାଧ୍ୟମ ଉତ୍ସରୁ ପ୍ରାପ୍ତ ନିର୍ବାଚନ ସୂଚୀ ସୂଚନା ଉପରେ ବିଶ୍ୱାସ କରନ୍ତୁ ନାହିଁ ।

ନିର୍ବାଚନ ସମ୍ବନ୍ଧୀୟ ସଠିକ୍ ଏବଂ ପ୍ରାମାଣିକ ସୂଚନା ପାଇଁ, କେବଳ ଭାରତୀୟ ନିର୍ବାଚନ କମିଶନ କିମ୍ବା ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସରକାରୀ ୱେବସାଇଟ୍ କିମ୍ବା ସ୍ୱୀକୃତିପ୍ରାପ୍ତ  ସୋସିଆଲ ମିଡିଆ ହ୍ୟାଣ୍ଡେଲ ପରିଦର୍ଶନ କରନ୍ତୁ I ଲେଖା ସହ ଏକ ସତର୍କ ସୂଚନା ମଧ୍ୟ ଜାରି କରିଛନ୍ତି ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ । 


Full View


ଲାଇଭ ହିନ୍ଦୁସ୍ତାନ ଉକ୍ତ ଘଟଣାକୁ ନେଇ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ଚଳିତ ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଏହି ସମୟରେ, ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ବିହାର ନିର୍ବାଚନ ୨୧ ଅକ୍ଟୋବରରୁ ୨୦ ନଭେମ୍ବର ମଧ୍ୟରେ ୬ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଏହି ଦାବିକୁ ଖଣ୍ଡନ କରିଛନ୍ତି। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ ସ୍ପଷ୍ଟ କରାଯାଇଛି ଯେ ବିହାର ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ତେଣୁ, ସୋସିଆଲ ମିଡିଆରେ ପ୍ରସାରିତ ଖବରକୁ ମିଥ୍ୟା ବୋଲି କୁହାଯାଇଛି ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ବିହାର ନିର୍ବାଚନ ନେଇ କୌଣସି ଘୋଷଣା ବର୍ତ୍ତମାନ ସୁଦ୍ଧା ହୋଇ ନାହିଁ ।

ଅନ୍ୟପଟେ ୬ ସେପ୍ଟେମ୍ବର ୨୦୧୦ରେ ଏକ ଖବର ପ୍ରସାରଣ କରି ଇଣ୍ଡିଆ ଟୁଡେ ଉଲ୍ଲେଖ କରିଲେଖିଛି, ବିହାରରେ ୬ଟି ପର୍ଯ୍ୟାୟରେ ନିର୍ବାଚନ ୨୧ ଅକ୍ଟୋବରରୁ ଆରମ୍ଭ, ୨୪ନଭେମ୍ବରରେ ଗଣନା । ଯାହାକି ଭାଇରାଲ ଲେଖା ସହ ତାଳ ଖାଉଥିବାର ଦେଖିବାକୁ ମିଳିଛି ।

ଏଥିରୁ ଅନୁମାନ କରାଯାଏ ଯେ, କେହିଜଣେ ବ୍ୟକ୍ତି ଉକ୍ତ ଲେଖାକୁ ଆଗାମୀ ଦିନରେ ହେବାକୁଥିବା ବିହାର ନିର୍ବାଚନ ସହ ଯୋଡ଼ି ଭାଇରାଲ କରିଥାଇ ପାରନ୍ତି ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଖବର ପ୍ରସାରଣ ଅର୍ଥାତ ୪ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ବିହାର ନିର୍ବାଚନକୁ ନେଇ କୌଣସି ତାରିଖ ଘୋଷଣା ହୋଇ ନାହିଁ । 


Claim :  ୨୦୨୫ ବିହାର ବିଧାନସଭା ନିର୍ବାଚନ ତାରିଖ ଛଅ ପର୍ଯ୍ୟାୟ କାର୍ଯ୍ୟସୂଚୀ ସହିତ ଘୋଷଣା କରାଯାଇଛି
Claimed By :  Social Media User
Fact Check :  Unknown
Tags:    

Similar News