ଫ୍ୟାକ୍ଟ ଚେକ୍: ଆରଏସଏସ କର୍ମୀ ନାଚୁଥିବାର ଭିଡିଓଟି ୨୦୧୫ ମସିହାର ଅଟେ, ୧୯୪୨ ମସିହା ସହ ନାହିଁ କୌଣସି ସମ୍ପର୍କ
ଆମ୍ ଆଦମୀ ପାର୍ଟି ଛାଡିବା ସହ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ପ୍ରସିଦ୍ଧ କୋଚିଂ ଗୁରୁ ଅବଧ ଓଝା ଏବେ ଆରଏସଏସର ପ୍ରଶଂସକ ହୋଇଛନ୍ତି । ପ୍ରସାରିତ ଏକ ଖବର ଅନୁଯାୟୀ, ସେ ବିଜେପି ଓ ଅନ୍ୟ ଦଳ ମଧ୍ୟରେ ପାର୍ଥକ୍ୟ ଦର୍ଶାଇ କହିଛନ୍ତି, ଯେ ପର୍ଯ୍ୟନ୍ତ ଏମିତି ଚାଲିବ ବିଜେପିକୁ କେହି ହରାଇ ପାରିବେ ନାହିଁ । ସେ ଆରଏସଏସର ପ୍ରଶଂସା କରି କହିଛନ୍ତି, ସଂଘର ବିଦ୍ୱାନ କୌଣସି ନେତାଙ୍କ ଜୀ ହୁଜୁରି କରନ୍ତି ନାହିଁ । ସେ କାହାରି ନାଁ ନ ନେଇ ଅନ୍ୟ ପାର୍ଟିରେ ଚିନ୍ତକ ହିଁ ଚାଟୁକାର ବୋଲି କହିଛନ୍ତି ।
ଏହା ମଧ୍ୟରେ ଅବଧ ଓଝା ଆରଏସଏସକୁ ବିଜେପିର ପରାମର୍ଶଦାତା ପରିବାର ଦର୍ଶାଇ କହିଛନ୍ତି, ତାଙ୍କର ବିଦ୍ୱାନଙ୍କୁ ପଦ ଏବଂ ଅର୍ଥର କୌଣସି ଲାଳସା ନାହିଁ । ଅନ୍ୟ ଦଳରେ ଚିନ୍ତକମାନେ ଚାଟୁକାର ଏବଂ ବୋସକୁ ମଧ୍ୟ ଏହା ପସନ୍ଦ ଆସିଥାଏ । ଯେ ପର୍ଯ୍ୟନ୍ତ ଏମିତି ଚାଲିଥିବ ବିଜେପିକୁ କେହି ହରାଇ ପାରିବେ ନାହିଁ ବୋଲି ଉକ୍ତ ଖବରରେ ଉଲ୍ଲେଖ ରହିଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓଟି କଳାଧଳା ହୋଇଥିବାରୁ ଏହା ବହୁ ପୁରୁଣା ଭିଡିଓ ବୋଲି ମନେ ହେଉଛି । ଭିଡିଓଟି ୧୯୪୨ ମସିହାର ବୋଲି ଦାବି ହୋଇଛି, ଉକ୍ତ ଭିଡିଓ ମରେ ସେସମୟରେ ଆରଏସଏସ କର୍ମୀ ନାଚୁଥିବାର ବୋଲି ଦାବି କରାଯାଇଛି । ଉକ୍ତ ଭିଡିଓଟି ବିବିସି ଦ୍ୱାରା ରେକର୍ଡ କରାଯାଇଥିବାର ୟୁଜର୍ସ ଲେଖିଛନ୍ତି ।
"ସାରା ଦେଶ ଯେତେବେଳେ ବନ୍ଦେ ମାତାରମ ଗାଉଥିବା ବେଳେ, ଆରଏସଏସ କର୍ମୀ କଣ ଗାଉଛନ୍ତି ଦେଖନ୍ତୁ ବୋଲି ଭିଡିଓ ଉପରେ ଉଲ୍ଲେଖ ରହିଛି ।"
ଯାହାର ଆର୍କାଇଭ ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ, ଆରଏସଏସ କର୍ମୀ ନାଚୁଥିବାର ଭିଡିଓଟି ୨୦୧୫ ମସିହାର ଅଟେ । ୧୯୪୨ ମସିହା କିମ୍ବା ବିବିସି ସହ ନାହିଁ କୌଣସି ସମ୍ପର୍କ ।
ସତ୍ୟାସତ୍ୟ ଜାଣିବାକୁ ଯାଇ ବିବିସି ଅନଲାଇନର ବିଭିନ୍ନ ଆର୍କାଇଭରେ ଅନୁସନ୍ଧାନ କରିବାରୁ ଏଭଳି କୌଣସି ଭିଡିଓ ଆମର ହସ୍ତଗତ ହୋଇନଥିଲା ।
ଅଧିକ ଅନୁସନ୍ଧାନ କରିବାକୁ ଯାଇ, ଉକ୍ତ କିୱାର୍ଡ ବ୍ୟବହାର କରିବାରୁ ଏଠାରୁ ମଧ୍ୟ ଏଭଳି କୌଣସି ଭିଡିଓ ହସ୍ତଗତ ହୋଇନଥିଲା । ଯଦି ଏଭଳି କୌଣସି ଭିଡିଓ ସେସମୟରେ ରେକର୍ଡ ହୋଇଥାନ୍ତା ତେବେ କୌଣସି ନା କୌଣସି ଗଣମାଧ୍ୟମ ସାଇଡ କିମ୍ବା ସୋସିଆଲ ମିଡିଆରେ ହୁଏତ ନିଶ୍ଚିତଭାବେ ସ୍ଥାନ ପାଇଥାନ୍ତା ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
୧୭ ଡିସେମ୍ବର ୨୦୧୫ରେ ଆଜତକ୍ ନିଜ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓକୁ ଅପଲୋଡ଼ କରି ଉଲ୍ଲେଖ କରିଛି, ନାଗପୁର ସମ୍ମିଳନୀ ପୂର୍ବରୁ ନାଚରେ ମସଗୁଲ ଅଛନ୍ତି ଆରଏସଏସ କର୍ମୀ । ଉକ୍ତ ଭିଡିଓକୁ ୪୬୭୫ ଭିୟୁ ମିଳିପାରିଥିବାର ଦେଖିବାକୁ ମିଳିଛି ।
ଭିଡିଓରେ ଉପସ୍ଥାପିକା ଜଣଙ୍କ ସୂଚନା ଦେଇଛନ୍ତି, ନାଗପୁରରେ ଆୟୋଜିତ ଏକ ସମ୍ମିଳନୀ ପୂର୍ବରୁ ଆରଏସଏସ କର୍ମୀ ନାଚୁଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓକୁ ଭାଇରାଲ ଭିଡିଓ ସଦୃଶ୍ୟ ହୋଇଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଦିନର ବୋଲି ଜାଣିବାକୁ ପାଇଥିଲୁ ।
ସେହିପରି ଜି ୨୪ ତାସ ନିଜ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି । ଭିଡିଓ ଅପଲୋଡ କରି ଶୀର୍ଷକରେ ଜି ଉଲ୍ଲେଖ କରିଛି, ନାଗପୁରରେ ଆରଏସଏସ କର୍ମୀଙ୍କ ନାଚ । ୧୭ ଡିସେମ୍ବର ୨୦୧୫ରେ ଉକ୍ତ ଭିଡିଓଟି ଅପଲୋଡ ହୋଇଥିବା ବେଳେ ଉକ୍ତ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୪୫୪ଭିୟୁ ମିଳିପାରିଥିବାର ଦେଖିବାକୁ ମିଳିଛି ।
ଏଥିରୁ ଜଣାଯାଏ ଯେ, ଭାଇରାଲ ଭିଡିଓଟି ୨୦୧୫ ମସିହାର ଅଟେ ।
ତେବେ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଆରଏସଏସ କର୍ମୀ ନାଚୁଥିବାର ଭିଡିଓଟି ୨୦୧୫ ମସିହାରେ ନାଗପୁରରେ ଆୟୋଜିତ ହୋଇଥିବା ଏକ ସମ୍ମିଳନୀ ପୂର୍ବର ଅଟେ । ୧୯୪୨ ମସିହା କିମ୍ବା ବିବିସି ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।