ଫ୍ୟାକ୍ଟ ଚେକ୍: ପ୍ରକୃତ ଭିଡିଓଟି ଝାଡ଼ଖଣ୍ଡର ଅଟେ,ମହାକୁମ୍ଭ ସହ ନାହିଁ କୌଣସି ସମ୍ପର୍କ

ପ୍ରକୃତ ଭିଡିଓଟି ଝାଡ଼ଖଣ୍ଡର, ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ଏକ ଅପ୍ରୀତିକର ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ୍ ଲାଠିଚାର୍ଜ କରିଥିଲା । ମହାକୁମ୍ଭ ସହ ନାହିଁ କୌଣସି ସମ୍ପର୍କ ।

Update: 2025-02-14 08:52 GMT

The original video is from Jharkhand and is unrelated to the Mahakumbh


ପବିତ୍ର ମାଘପୂର୍ଣ୍ଣିମା ଅବସରରେ ତ୍ରିବେଶୀ ସଙ୍ଗମରେ ମାଘ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା। ସଙ୍ଗମରେ ବୁଡ ପକେଇବା ପାଇଁ ଦେଶ ତଥା ବିଦେଶରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ । ସେଥିପାଇଁ ପ୍ରୟାଗରାଜରେ ଜମିଛି ପ୍ରବଳ ଭିଡ଼। ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ପାଲଟିଛି ଜନସମୁଦ୍ର ।

ଅନ୍ୟପଟେ ମାଘ ପୂର୍ଣ୍ଣିମା ଅବସରରେ ସରଯୁ ନଦୀ ତଟରେ ମଧ୍ୟ ସ୍ନାନ ଚାଲିଥିଲା । ଦୂରଦୂରାନ୍ତରୁ ଅଯୋଧ୍ୟା ଆସିଥିବା ଭକ୍ତମାନେ ସରଯୁ ନଦୀରେ ସ୍ନାନ କରିବା ସହ ମଠ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା କରିଛନ୍ତି । ରାମନଗରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଲାଗିଛି । ଅଯୋଧ୍ୟା ଜିଲ୍ଲା ଏବଂ ଆଖପାଖ ଜିଲ୍ଲାରୁ ମଧ୍ୟ ଭକ୍ତମାନେ ଅଯୋଧ୍ୟାରେ ପହଞ୍ଚିଛନ୍ତି। ମହାକୁମ୍ଭରେ ସ୍ନାନ କରିବା ପରେ ମଧ୍ୟ ଲୋକମାନେ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଭୋର ୩.୦୦ ରୁ ଚାଲିଛି ସ୍ନାନ, ଦାନ, ଦର୍ଶନ ଏବଂ ପୂଜା । ସ୍ନାନ ପାଇଁ ଘାଟଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ଅଯୋଧ୍ୟାକୁ ଆସୁଥିବା ଯାନବାହନ ଉପରେ କଟକଣା ଲଗାଯାଇଛି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ହଳଦିଆ ସାର୍ଟ ପିନ୍ଧିଥିବା ଯୁବକଙ୍କୁ ପୋଲିସ୍ ଲାଠିରେ ପିଟୁଥିବାର ଦେଖିବାକୁ ମିଳିଛି । ସେହିପରି କିଛି ମହିଳା ପୋଲିସ୍ ସହ କିଛି ବାର୍ତ୍ତାଳାପ କରୁଥିବା ବେଳେ ସେଠାରେ ଥିବା ଜଣେ ପୁରୁଷକୁ ପୋଲିସ୍ ଏକ ଲାଠିରେ ପିଟୁଛି । ସେହିପରି ସେହି ଭିଡିଓରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଲୋକଙ୍କୁ ପୋଲିସ୍ ଲାଠି ସାହାଯ୍ୟରେ ପିଟୁଥିବାର ଦେଖିବାକୁ ମିଳିଛି ।

ଉକ୍ତ ଭିଡିଓ ଟି ମହାକୁମ୍ଭର ହୋଇଥିବା ବେଳେ, ଶ୍ରଦ୍ଧାଳୁ ବୁଡ଼ ପକେଇ ଆସିବାପରେ ଉତ୍ତର ପ୍ରଦେଶ ପୋଲିସ୍ ତାଙ୍କୁ ଏଭଳି ଦୁର୍ବ୍ୟବହାର କରୁଥିବାର ଦାବି ହୋଇଛି । ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ୟୁଜର୍ସ ସେୟାର କରି ଉଲ୍ଲେଖ କରିଛନ୍ତି, महाकुंभ स्नान मे स्नानार्थी का इस तरह उत्तर प्रदेश पुलिस स्वागत करती है l ये है उत्तर प्रदेश सरकार का महाकुंभ व्यवस्था **गुंडाराज ।

ଯାହାର ଓଡ଼ିଆ ଅନୁବାଦ ହେଉଛି, ମହାକୁମ୍ଭରେ ସ୍ନାନ କରିସାରିବା ପରେ ଶ୍ରଦ୍ଧାଳୁଙ୍କୁ କିଛି ଏଭଳି ସ୍ୱାଗତ କରୁଛି ଉତ୍ତର ପ୍ରଦେଶ ପୋଲିସ । ୟେ ହେଉଛି ଉତ୍ତର ପ୍ରଦେଶ ସରକାରଙ୍କ ବ୍ୟବସ୍ଥା, ଗୁଣ୍ଡାରାଜ ।

ଯାହାର ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି । 



ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକରକ, ଭାଇରାଲ ଭିଡିଓଟି ହେଉଛି ଝାଡ଼ଖଣ୍ଡର । ଏକ ଅପ୍ରୀତିକର ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁଯାଇ ପୋଲିସ୍ ଲାଠିଚାର୍ଜ କରିଥିଵାର ଜଣାଯାଇଛି । ପ୍ରୟାଗରାଜ, ମହାକୁମ୍ଭ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।

ତଦନ୍ତ କରିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ସ୍କ୍ରୀନସଟ୍ କରି ରିଭର୍ସ ଇମେଜ ସର୍ଚ୍ଚ କରିଥିଲୁ । ୨ ଜାନୁଆରୀ ୨୦୨୫ର ଏକ ଏକ୍ସ ପୋଷ୍ଟ ଆମର ହସ୍ତଗତ ହୋଇଥିଲା ।

ଉକ୍ତ ପୋଷ୍ଟଟି ଥିଲା ବିଜେପି ନେତା ଦିପକ ପ୍ରକାଶଙ୍କର । ଉକ୍ତ ଭିଡିଓ ସେୟାର କରି ଦିପକ ଉଲ୍ଲେଖ କରି ଲେଖିଛନ୍ତି, देखिए, झारखंड में इंसाफ़ मांगने पर क्या मिलता है!

ଯାହାର ଓଡ଼ିଆ ଅନୁବାଦ ହେଉଛି, ଦେଖନ୍ତୁ ଝାଡ଼ଖଣ୍ଡରେ ନ୍ୟାୟ ମାଗିଲେ କଣ ମିଳେ । 

ଯେତେବେଳେ ଆମେ ଭାଇରାଲ ଭିଡିଓ ସହ ଉକ୍ତ ଭିଡିଓ କୁ ତୁଳନା କରିଥିଲୁ, ଦୁଇଟିଯାକ ଭିଡିଓ ଗୋଟିଏ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ ।

ସେହିପରି ଉକ୍ତ ଭିଡିଓକୁ ସମାନ ଦାବି ସହ ଆଉ କିଛି ସୋସିଆଲ ମିଡିଆ ୟୁଜର୍ସ ସେୟାର କରିଥିଵାର ଦେଖିବାକୁ ପାଇଥିଲୁ ।

ଯେତେବେଳେ ଆମେ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ, ଇଟିଭିରେ ପ୍ରକାଶିତ ଏକ ଖବର ହସ୍ତଗତ ହୋଇଥିଲା । ୧ ଜାନୁଆରୀ ୨୦୨୫ରେ ଇଟିଭି ଝାଡ଼ଖଣ୍ଡ ପକ୍ଷରୁ ଉକ୍ତ ଖବରଟି ପ୍ରକାଶିତ ହୋଇଥିବାର ଜଣାଯାଇଛି ।

ଖବର ପ୍ରକାଶ କରି ଇଟିଭି ଉଲ୍ଲେଖ କରିଲେଖିଛି, ସହରର ବିକାଶ ନଗର ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ରବି କୁମାର ରାୟ ବୋଲି ଜଣାଯାଇଛି । ମୃତକଙ୍କ ମା ବିଭା ଦେବୀ ହତ୍ୟା ଅଭିଯୋଗ ଆଣିଛନ୍ତି ।

ମୃତଦେହ ହସ୍ତାନ୍ତର ପରେ ସ୍ଥାନୀୟ ଅଞ୍ଚଳରେ ପରିସ୍ଥିତି ଅଣାୟତ ହୋଇଥିଲା । କିଛି ଯୁବକ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପୋଲିସ୍ ତାଙ୍କୁ ବୁଝାଇବାର ବହୁ ପ୍ରୟାସ କରି ବିଫଳ ହୋଇଥିଲା ଫଳରେ ଭିଡ଼ ଭାଙ୍ଗିବାକୁ ପୋଲିସ୍ ଲାଠିଚାର୍ଜ କରିଥିଲା । 

ଭାସ୍କର ଉକ୍ତ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ନାଳ ନିକଟରେ ମିଳିଲା ଯୁବକର ମୃତଦେହ, ଅପ୍ରତିକର ପରିସ୍ଥିତି ଏଡାଇବାକୁ ପୋଲିସ୍ କଲା ଲାଠିଚାର୍ଜ ।

ଦ ଝାଡ଼ଖଣ୍ଡ ଷ୍ଟୋରି ଖବର ପ୍ରକାଶ କରି ଉଲ୍ଲେଖ କରିଛି, ଉତ୍ୟକ୍ତ ଜନତାଙ୍କ ଉପରକୁ ପୋଲିସର ଲାଠିଚାର୍ଜ ।

ଟାଇମ୍ସ ନାଓ ଭାରତ ଉକ୍ତ ଖବର ପରିବେଷଣ କରି ଉଲ୍ଲେଖ କରିଛି, ଯୁବକର ମୃତଦେହ ମିଳିବା ପରେ ସ୍ଥାନୀୟ ମହଲରେ ଉତ୍ତେଜନା ।

Full View


ତେଣୁ ଦାବିଟି ବିଭ୍ରାନ୍ତିକରକ । ପ୍ରକୃତ ଭିଡିଓଟି ଝାଡ଼ଖଣ୍ଡର, ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ଏକ ଅପ୍ରୀତିକର ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ୍ ଲାଠିଚାର୍ଜ କରିଥିଲା । ମହାକୁମ୍ଭ ସହ ନାହିଁ କୌଣସି ସମ୍ପର୍କ ।


Claim :  ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କୁ ଉତ୍ତର ପ୍ରଦେଶ ପୋଲିସର ଆକ୍ରମଣ
Claimed By :  Social Media Users
Fact Check :  Unknown
Tags:    

Similar News