ଫ୍ୟାକ୍ଟ ଚେକ୍: ବିଜେପି ନେତାଙ୍କୁ ଅଣ୍ଡାମାଡ଼ ଭିଡିଓଟି ବହୁ ପୁରୁଣା ଏବଂ କର୍ଣ୍ଣାଟକର ଅଟେ
ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ୨୦୨୪ ମସିହାର କର୍ଣ୍ଣାଟକର ଅଟେ । ବିହାର ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।
ବିହାର ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି । ଖୁବଶୀଘ୍ର ବିହାର ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି ECI । ନଭେମ୍ବର ପ୍ରଥମ ସପ୍ତାହରେ ବିହାରରେ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଆକଳନ କରାଯାଉଛି। ତେବେ ଏହାରି ମଧ୍ୟରେ ବିହାର ନିର୍ବାଚନ ଫଳାଫଳ ସମ୍ପର୍କରେ ବିଭିନ୍ନ ଏଜେନ୍ସିର ଓପିନିୟନ୍ ପୋଲ ସାମ୍ନାକୁ ଆସିବାରେ ଲାଗିଛି । ଟାଇମ୍ସ ନାଓ-ଜେଭିସି ମତାମତ ସର୍ଭେ ଅନୁଯାୟୀ, ବିହାରରେ ପୁଣି ଥରେ ଏନଡିଏ ମେଣ୍ଟ ସରକାର ଗଠନ କରିବ । ସର୍ଭେ ଅନୁଯାୟୀ, ପୂର୍ବ ନିର୍ବାଚନ ଅପେକ୍ଷା ଏନଡିଏକୁ ବଡ଼ ବିଜୟ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି । ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଟାଇମ୍ସ ନାଓ-ଜେଭିସି ଜନମତ ସର୍ଭେ ଅନୁଯାୟୀ, ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏନଡିଏ ୧୩୬ ଆସନ ଜିତିପାରେ ।
ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ଜଣେ ବ୍ୟକ୍ତି ଯିଏକି ବିଜେପି ଦଳର ଏକ ବସ୍ତ୍ର କାନ୍ଧରେ ଧାରଣ କରିଛନ୍ତି ତାଙ୍କୁ ଅଣ୍ଡାମାଡ଼ ହେଉଥିବାର ଦେଖିବାକୁ ମିଳିଛି ।
ଉକ୍ତ ଫଟୋଟି ବିହାରର ବୋଲି ଦାବି ହୋଇଛି । ଫଟୋ ସେୟାର କରି, ବିହାରର ଜନତା ବିଜେପି ନେତାଙ୍କୁ ଅଣ୍ଡାରେ ସ୍ୱାଗତ କରୁଛନ୍ତି ବୋଲି ଲେଖିଛନ୍ତି ୟୁଜର୍ସ ।
ଯାହାର ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଅଣ୍ଡାମାଡ଼ ହେଉଥିବା ଭାଇରାଲ ଭିଡିଓଟି ବହୁ ପୁରୁଣା ଏବଂ କର୍ଣ୍ଣାଟକର ଅଟେ । ଉକ୍ତ ଭିଡିଓ ସହ ବିହାରର ନାହିଁ କୌଣସି ସମ୍ପର୍କ ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ ନିକଟ ଦିନରେ ବିହାରରେ ଏଭଳି କୌଣସି ଘଟଣା ଘଟିଥିବାର ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମରେ ପ୍ରସାରିତ ନଚେତ ପ୍ରକାଶିତ ହୋଇଥାନ୍ତା ।
ଅଧିକ ଅନୁସନ୍ଧାନ କରିବାକୁ ଯାଇ ବିହାରର ଜଣେ ସାମ୍ବାଦିକ ହିମାଂଶୁ କୁମାରଙ୍କୁ ଯୋଗାଯୋଗ କରିଥିଲୁ । ଉକ୍ତ ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ ହିମାଂଶୁ । ଏଭଳି କୌଣସି ଘଟଣା ନିକଟ ଦିନରେ ବିହାରରେ ଘଟିନାହିଁ ବୋଲି ହିମାଂଶୁ କହିଥିଲେ । ଅନ୍ୟପଟେ ଉକ୍ତ ଭିଡିଓଟି ବିହାରର ନୁହେଁ ବୋଲି ଦାବି କରିଥିଲେ ହିମାଂଶୁ ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ, ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
୨୬ ଡିସେମ୍ବର ୨୦୨୪ରେ ଉକ୍ତ ଭିଡିଓଟିକୁ ଷ୍ଟେଟମିରର ନାମକ ଏକୟୁଟ୍ୟୁବ ଚ୍ୟାନେଲ ଅପଲୋଡ଼ କରିଥିବା ବେଳେ ଏହା କର୍ଣ୍ଣାଟକର ବୋଲି ଉକ୍ତ ଭିଡିଓରେ ଦର୍ଶାଯାଇଛି ।
ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୪ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ଅଛି ।
ଉକ୍ତ ଭିଡିଓ ଏବଂ ଭାଇରାଲ ଭିଡିଓକୁ ତୁଳନା କରିଥିଲୁ, ଉଭୟ ଭିଡିଓ ଗୋଟିଏ ସମୟର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।
ଯେତେବେଳେ ଆମେ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ, ଉକ୍ତ ଘଟଣାକୁ ବିଭିନ୍ନ ଗଣମାଧ୍ୟମ ସମାନ ସୂଚନା ସହ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିଵାର ଦେଖିବାକୁ ପାଇଥିଲୁ ।
ଉକ୍ତ ଘଟଣାକୁ ଜାଗରଣ ନିୟୁଜ ବିସ୍ତୃତ ଭାବେ ଏକ ଖବର ପ୍ରସାରିତ କରିଥିବାର ଦେଖିବାକୁ ପାଇଥିଲୁ ।
ଯେଉଁଥିରେ ଉଲ୍ଲେଖ ରହିଛି, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ବିଜେପି ବିଧାୟକ ଏନ. ମୁନିରଥନା ପୋଲିସ କର୍ମଚାରୀ ଏବଂ ତାଙ୍କ ସୁରକ୍ଷା କର୍ମଚାରୀଙ୍କ ସହିତ ଏକ କାର୍ଯ୍ୟକ୍ରମ ଶେଷ କରି ତାଙ୍କ କାର ପାଖକୁ ଯାଉଥିଲେ। ଯେତେବେଳେ ସେ ତାଙ୍କ କାର ପାଖରେ ପହଞ୍ଚିଥିଲେ, ଦୁର୍ବୃତ୍ତମାନେ ତାଙ୍କ ଉପରେ ଅଣ୍ଡା ମାଡ଼ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ବିଧାୟକଙ୍କ ସୁରକ୍ଷା କର୍ମଚାରୀ ଏବଂ ପୋଲିସ ତୁରନ୍ତ ସତର୍କ ହୋଇ ବିଧାୟକଙ୍କୁ ତାଙ୍କ କାରକୁ ନେଇଯାଇଥିଲେ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ୨୦୨୪ ମସିହାର କର୍ଣ୍ଣାଟକର ଅଟେ । ବିହାର ସହ ଉକ୍ତ ଭିଡିଓର କୌଣସି ସମ୍ପର୍କ ନାହିଁ ।