ଫ୍ୟାକ୍ଟ ଚେକ୍: ଭାଇରାଲ ହେଉଥିବା ଫଟୋ ସହ ଦିଲ୍ଲୀ ବିସ୍ଫୋରଣର ନାହିଁ କୌଣସି ସମ୍ପର୍କ

Update: 2025-11-11 04:16 GMT


ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ଓଡିଶା । ପ୍ରସାରିତ ଖବର ଅନୁଯାୟୀ, ଭୁବନେଶ୍ବର, କଟକ, ପୁରୀ, କୋଣାର୍କ, ନୂଆପଡା, ବ୍ରହ୍ମପୁର, ସମ୍ବଲପୁର, ଜଗତସିଂହପୁର ସମେତ ବିଭିନ୍ନ ଜିଲ୍ଲାରେ ପୁଲିସ ହାଇଆର୍ଲଟରେ ରହିଛି । ରେଳ ଷ୍ଟେସନ, ବସଷ୍ଟାଣ୍ଡ, ବଡ଼ ବଡ଼ ହୋଟେଲ, ପର୍ଯ୍ୟଟନ ସ୍ଥଳୀ ଏବଂ ସର୍ବସାଧାରଣ ସ୍ଥାନରେ ହାଇ ଆର୍ଲଟ ଜାରି ହୋଇଛି । ରେଳ ଷ୍ଟେସନରେ ଯାତ୍ରୀଙ୍କୁ ଯାଂଚ କରି ଛଡାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଡିଜିପି ୱାବି ଖୁରାନିଆ । ବାଲିଯାତ୍ରାରେ ହଜାର ହଜାର ଲୋକେ ସାମିଲ ହୋଇଥିବାରୁ ସେଠାକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି ଡିଜିପି ।

ପୁରୀରେ ବି ହାଇଆଲର୍ଟ ଜାରି ହୋଇଛି । ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲୱେ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ସୁରକ୍ଷାକୁ ବଢାଯାଇଛି । ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଏକ ଭୟାବହ ଅଗ୍ନିକାଣ୍ଡର ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ । ଫଟୋ ସହ ଉଲ୍ଲେଖ ରହିଛି, ବ୍ରେକିଂ ନ୍ୟୁଜ୍ : ଭାରତର ନୂଆ ଦିଲ୍ଲୀରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବାର ରିପୋର୍ଟ ଆସିଛି। ଲାଲ କିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ନିକଟରେ, ଜନଗହଳିପୂର୍ଣ୍ଣ ଏବଂ ଉଚ୍ଚ ସୁରକ୍ଷା ଚାନ୍ଦନୀ ଚୌକ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି । ତଦନ୍ତ ଚାଲିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଗ୍ୟାସ୍ ସିଲିଣ୍ଡର ଲିକ୍ କିମ୍ବା ଗାଡ଼ି ବ୍ୟାଟେରୀରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ହୋଇପାରେ, କିନ୍ତୁ କର୍ତ୍ତୃପକ୍ଷ ଆତଙ୍କବାଦ ଦୃଷ୍ଟିକୋଣକୁ ଏଡ଼ାଇ ଦେଉନାହାଁନ୍ତି - ବିଶେଷକରି କିଛି ଦିନ ପୂର୍ବରୁ ହରିୟାଣାରେ ୨୯୦୦ କିଲୋଗ୍ରାମ ବିସ୍ଫୋରକ ସହିତ ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ ଧରାପଡ଼ିଥିଲା । ତେବେ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାଁନ୍ତି ।

ଯାହାର ଏକ ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି । 



ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଉକ୍ତ ଫଟୋ ସହ ଦିଲ୍ଲୀ ବିସ୍ଫୋରଣର ନାହିଁ କୌଣସି ସମ୍ପର୍କ ।

ଅନୁସନ୍ଧାନ କରିବାକୁ ଯାଇ ଦିଲ୍ଲୀ ବିସ୍ଫୋରଣର ଅନୁସନ୍ଧାନ କରିବାରୁ ଶତାଧିକ ଭିନ୍ନଭିନ୍ନ ପ୍ରକାରର ଫଟୋ ବିଭିନ୍ନ ଗଣମାଧ୍ୟମରେ ପୋଷ୍ଟ ହୋଇଥିବାର ଦେଖିବାକୁ ମିଳିଥିଲା । ହେଲେ, ଭାଇରାଲ ହେଉଥିବା ଫଟୋ କୌଣସି ପ୍ରମୁଖ ଗଣମାଧ୍ୟମ ରେ ପ୍ରସାରିତ ହୋଇଥିବାର ପାଇନଥିଲୁ ।

ଫଟୋରେ  ବିସ୍ଫୋରଣର ଭୟାବହତା ସ୍ପଷ୍ଟ ବାରି ହୋଇ ପଡୁଛି ହେଲେ ଉକ୍ତ ଫଟୋଟି ଦିଲ୍ଲୀ ଘଟଣାର ହୋଇଥିଲେ କୌଣସି ନା କୌଣସି ଗଣମାଧ୍ୟମରେ ନିଶ୍ଚିତ ପ୍ରସାରିତ ହୋଇଥାନ୍ତା ।

ପୋଷ୍ଟର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଫଟୋକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏକ ଡିଜିଟାଲ ମିଡିଆରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା ।

୨୯ ସେପ୍ଟେମ୍ବର ୨୦୨୪ରେ ଏମଟିଭି ନାମକ ଏକ ଡିଜିଟାଲ ମିଡିଆ ବେରୁଟ ଉପରକୁ ନୂଆ ଇସ୍ରାଏଲର ଆକ୍ରମଣ ଲେଖି ଏକ ଖବର ପୋଷ୍ଟ କରିଥିଵାର ଦେଖିବାକୁ ମିଳିଥିଲା ।

ପୋଷ୍ଟରେ ଯେଉଁ ଫଟୋଟି ପ୍ରସାରିତ ହୋଇଥିଲା ତାହା ଭାଇରାଲ ଫଟୋ ସହ ବହୁମାତ୍ରାରେ ମେଳ ଖାଉଥିବାର ଦେଖିବାକୁ ମିଳିଥିଲା । ଉଭୟ ଫଟୋକୁ ତୁଳନା କରିବାରୁ ଏହା ଗୋଟିଏ ଘଟଣାର ଫଟୋ ବୋଲି ଜାଣିବାକୁ ପାଇଥିଲୁ ।

ଏଥିରୁ ପ୍ରମାଣିତ ହେଲାଯେ, ଭାଇରାଲ ହେଉଥିବା ଫଟୋଟି ୨୦୨୪ରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।

ଅଧିକ ଅନୁସନ୍ଧାନକରିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ସର୍ଚ୍ଚ କରିଥିଲୁ ।

ଅନୁସନ୍ଧାନରୁ କିଛି ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମରେ ବିଭିନ୍ନ ଖବର ପ୍ରସାରିତ ହୋଇଥିବାର ପାଇଥିଲୁ । କିଛି ଗଣମାଧ୍ୟମରେ ଭାଇରାଲ ଫଟୋ ପ୍ରସାରିତ ହୋଇଥିବାର ପାଇଥିଲୁ । ଯାହାର ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।

ଅନ୍ୟପଟେ ଭାରତ ସରକାରଙ୍କ ଫ୍ୟାକ୍ଟଚେକ୍ ଅନୁଷ୍ଠାନ ପିଆଇବି ଫ୍ୟାକ୍ଟଚେକ୍ ମଧ୍ୟ ଏହାକୁ ତଦନ୍ତ କରି ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଵାର ଦେଖିବାକୁ ମିଳିଛି ।

ଉକ୍ତ ପୋଷ୍ଟରେ ଏହା ଦିଲ୍ଲୀ ବିସ୍ଫୋରଣ ଘଟଣା ସହ ଉକ୍ତ ଫଟୋର କୌଣସି ସମ୍ପର୍କ ନଥିବାର ଉଲ୍ଲେଖ ରହିଛି । ତର୍ଜମା ନ କରି ସୋସିଆଲ ମିଡିଆରେ ଏଭଳି ବିଭ୍ରାନ୍ତିକର ଫଟୋ ନଛାଡିବାକୁ ମଧ୍ୟ ସୋସିଆଲ ମିଡିଆ ୟୁଜର୍ସଙ୍କୁ ସୂଚନା ଦିଆଯାଇଛି ।

ଯାହାକୁ ବିଭିନ୍ନ ଗଣମାଧ୍ୟମ ପ୍ରସାରିତ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । 

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଫଟୋ ସହ ଦିଲ୍ଲୀ ବିସ୍ଫୋରଣର ନାହିଁ କୌଣସି ସମ୍ପର୍କ । ଉକ୍ତ ଫଟୋଟି ୨୦୨୪ ମସିହାର ହୋଇଥାଇ ପାରେ, ଯେତେବେଳେ ଇସ୍ରାଏଲ ଏବଂ ବେରୁଟ ମଧ୍ୟରେ ଆକ୍ରମଣ ଘଟଣା ଦେଖାଯାଇଥିଲା । 

 


Claim :  ଦେଖନ୍ତୁ କେତେ ଭୟାନକ ଥିଲା ଦିଲ୍ଲୀ ବିସ୍ଫୋରଣ
Claimed By :  Social Media User
Fact Check :  Unknown
Tags:    

Similar News