ଫ୍ୟାକ୍ଟ ଚେକ୍: ବିମାନ ନିକଟରେ ଯାତ୍ରୀ ବସିଥିବା ଫଟୋଟି ୧୦୧୮ ମସିହାର ଅଟେ, ବର୍ତ୍ତମାନ ଅବ୍ୟବସ୍ଥା ସହ ନାହିଁ କୌଣସି ସମ୍ପର୍କ
ଦେଶର ସର୍ବବୃହତ୍ତ ବିମାନ କମ୍ପାନୀ ଇଣ୍ଡିଗୋ ରବିବାର ଦିନ ୬୫୦ଟି ଉଡ଼ାଣ ବାତିଲ କରିଛି । ନିର୍ଦ୍ଧାରିତ ୨୩୦୦ ଘରୋଇ ଏବଂ ଅନ୍ତର୍ଜାତୀୟ ଉଡ଼ାଣ ମଧ୍ୟରୁ କମ୍ପାନୀ ୧୬୫୦ଟି ଉଡ଼ାଣ ପରିଚାଳନା କରୁଛି। ଏହି ସମୟରେ, ରବିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ, ଏପର୍ଯ୍ୟନ୍ତ ଇଣ୍ଡିଗୋ ଯାତ୍ରୀମାନଙ୍କୁ ମୋଟ ୬୧୦ କୋଟି ଟଙ୍କା ଫେରସ୍ତ କରିଛି। ଏହା ବ୍ୟତୀତ, ଇଣ୍ଡିଗୋ ଦେଶବ୍ୟାପୀ ଯାତ୍ରୀମାନଙ୍କୁ ୩୦୦୦ ରୁ ଅଧିକ ବ୍ୟାଗ ମଧ୍ୟ ହସ୍ତାନ୍ତର କରିଛି ।
ଇଣ୍ଡିଗୋର ସିଇଓ ପିଟର ଏଲବର୍ସ ରବିବାର କହିଛନ୍ତି ଯେ, ରବିବାର ପ୍ରାୟ ୧୬୫୦ ଟି ବିମାନ ଚଳାଚଳ କରୁଥିଲା ଏବଂ ଆମେ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଛୁ। ଇଣ୍ଡିଗୋ ଆଜି ଏହାର ସିଷ୍ଟମରେ ଆହୁରି ଉନ୍ନତି ଆଣିଛି। ସିଇଓ କହିଛନ୍ତି, ‘ଆମେ ଏବେ ପ୍ରଥମ ପର୍ଯ୍ୟାୟରେ ହିଁ ବିମାନ ଚଳାଚଳ ବାତିଲ କରୁଛୁ । ତେଣୁ ଯେଉଁ ଯାତ୍ରୀମାନଙ୍କର ବିମାନ ବାତିଲ ହେଉଛି, ସେମାନେ ବିମାନ ବନ୍ଦର ନଆସନ୍ତୁ।’ଶନିବାର ଦିନ ୮୦୦ ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଥିଲା । ଶୁକ୍ରବାର କମ୍ପାନୀ ୧୦୦୦ ରୁ ଅଧିକ ବିମାନ ଉଡ଼ାଣ ବାତିଲ କରିଥିଲା । ଦେଶର ସର୍ବବୃହତ୍ତ ବିମାନ କମ୍ପାନୀ ଇଣ୍ଡିଗୋ ସବୁଠାରୁ ବଡ଼ ପରିଚାଳନାଗତ ସଙ୍କଟ ଯୋଗୁଁ ହଜାର ହଜାର ଉଡ଼ାଣ ବାତିଲ କରିଛି। ନୂତନ ନିୟମ ଅନୁଯାୟୀ ପାଇଲଟ୍ ଡ୍ୟୁଟି ଆଓ୍ବାରରେ ପରିବର୍ତ୍ତନ ଏବଂ ଇଣ୍ଡିଗୋର "ଲିନ୍-ଷ୍ଟାଫିଂ" ମଡେଲ ମିଳିତ ଭାବରେ ଏହି ଭୟଙ୍କର ସଙ୍କଟ ସୃଷ୍ଟି କରିଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଫ୍ଲାଏ ଡ୍ୟୁଟି ସମୟ ସୀମା (FDTL) ନିୟମକୁ ସଂଶୋଧନ କରିଛି ।
ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ଏକ ବିମାନ ପାଖରେ ବିମାନବନ୍ଦର ଟାରମାକ୍ ଉପରେ ଯାତ୍ରୀମାନଙ୍କୁ ବସିଥିବାର ଦେଖିବାକୁ ମିଳିଛି । ଉକ୍ତ ଫଟୋଟି ବର୍ତ୍ତମାନ ଜାରି ରହିଥିବା ଇଣ୍ଡିଗୋ ବିମାନ ସଙ୍କଟ ସମୟର ଫଟୋ ବୋଲି ଦାବି ହୋଇଛି ।
ଉକ୍ତ ଫଟୋକୁ ଜଣେ ୟୁଜର୍ସ ନିଜ ସୋସିଆଲ ମିଡିଆରେ ସେୟାର କରି ଉଲ୍ଲେଖ କରିଛନ୍ତି, "ମୋଦିଜୀ ପ୍ରତିଶ୍ରୁତି ଦେଇଥିଲେ ଯେ, ସିଏ ରେଳ ଷ୍ଟେସନଗୁଡ଼ିକୁ ବିମାନବନ୍ଦର ପରି ଉନ୍ନତ କରିବେ। ଏବେ ବିମାନବନ୍ଦର ଏବଂ ଲାଉଞ୍ଜଗୁଡ଼ିକ ରେଳ ଷ୍ଟେସନ ପରି ହୋଇଯାଇଥିବା ପରି ମନେ ହେଉଛି । "
ଯାହାର ଏକ ଆର୍କଆଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ହେଉଥିବା ଫଟୋଟି ୨୦୧୮ ମସିହାର ଅଟେ, ବର୍ତ୍ତମାନ ଜାରି ରହିଥିବା ଇଣ୍ଡିଗୋ ବିମାନ ସଙ୍କଟ ସହ ନାହିଁ କୌଣସି ସମ୍ପର୍କ ।
ଅନୁସନ୍ଧାନ କରିବାକୁ ଯାଇ, ଉକ୍ତ କିୱାର୍ଡ ବ୍ୟବହାର କରି ସର୍ଚ୍ଚ କରିଥିଲୁ । ଅନୁସନ୍ଧାନରୁ ଇଣ୍ଡିଗୋ ଵିମାନ ଚଳାଚଳ ଅବ୍ୟବସ୍ଥା ନେଇ ବହୁ ଫଟୋ ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ଦେଖିବାକୁ ପାଇଥିଲୁ । ହେଲେ କୌଣସି ଗଣମାଧ୍ୟମରେ ଉକ୍ତ ଫଟୋଟି ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିବାର ପାଇନଥିଲୁ । ଯଦି ବର୍ତ୍ତମାନ ଦିନରେ ଏଭଳି କୌଣସି ପରିସ୍ଥିତି ଉପୁଜି ଥାନ୍ତା ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମରେ ଉକ୍ତ ଫଟୋଟି ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥାନ୍ତା ।
ଅଧିକ ଅନୁସନ୍ଧାନ କରିବାକୁ ଯାଇ ଉକ୍ତ ଫଟୋକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ କିଛି ଡିଜିଟାଲ ଗଣମାଧ୍ୟମରେ ପ୍ରସାରିତ କିଛି ଖବର ହସ୍ତଗତ ହୋଇଥିଲା ।
୧୫ ମଇ ୨୦୧୮ରେ ଖବର ପ୍ରସାରଣ କରି ଟାଇମ୍ସ ଅଫ୍ ଇଣ୍ଡିଆ ଉଲ୍ଲେଖ କରିଛି, ଝଡ଼ବର୍ଷା ଯୋଗୁଁ ଆଇଜିଆଇ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଏବଂ ୭୦ ରୁ ଅଧିକ ବିମାନକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା । ପର୍ଯ୍ୟାପ୍ତ ପରିମାଣର ଷ୍ଟାଫ ଉପଲବ୍ଧ ନ ଥିବାରୁ ଦିଲ୍ଲୀରୁ ବାଙ୍ଗାଲୋର ଅଭିମୁଖେ ଯାଉଥିବା ଗୋଟିଏ ବିମାନର ଯାତ୍ରୀମାନଙ୍କୁ ସାତ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିଲା । ଇଣ୍ଡିଗୋର ଦିଲ୍ଲୀରୁ ବାଙ୍ଗାଲୋର ବିମାନ 6E 2977, ଯାହା ରବିବାର ରାତି ୧୦.୪୦ରେ ଉଡ଼ାଣ ଭରିବା କଥା, ପ୍ରାୟ ସାତ ଘଣ୍ଟା ପରେ ଉଡ଼ାଣ ଆରମ୍ଭ କରିଥିଲା। ଯାତ୍ରୀମାନଙ୍କୁ ପ୍ରଥମେ ସଟଲରେ ଅପେକ୍ଷା କରିବାକୁ ପଡିଥିଲା, ତା'ପରେ ବିମାନ ଭିତରେ ଏବଂ ଟାରମାକରେ ମଧ୍ୟ ଅପେକ୍ଷା କରିବାକୁ ପଡିଥିଲା ।
ସେହିପରି ୧୪ ମଇ ୨୦୨୮ ଦିନ ଇକୋନୋମିକ ଟାଇମ୍ସ ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ଇଣ୍ଡିଗୋର ଦିଲ୍ଲୀ-ବେଙ୍ଗାଲୁରୁ ବିମାନଟି ଦିଲ୍ଲୀ ବିମାନବନ୍ଦରର ଟାରମାକରେ ୭ ଘଣ୍ଟାରୁ ଅଧିକ ସମୟ ପାଇଁ ଅଟକି ରହିଥିଲା, ଯାତ୍ରୀମାନଙ୍କୁ ସଟଲରେ ଅପେକ୍ଷା କରିବାକୁ ପଡିଥିଲା, ଏବଂ ତା'ପରେ ବିମାନ ଭିତରେ କିମ୍ବା ଟାରମାକରେ ବସିବାକୁ ପଡିଥିଲା ।
ପ୍ରତିଟି ଖବର ପ୍ରସାରଣରେ ଭାଇରାଲ ହେଉଥିବା ଫଟୋଟି ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଥିଲା ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ହେଉଥିବା ଫଟୋଟି ୨୦୧୮ ମସିହାର ଅଟେ, ବର୍ତ୍ତମାନ ଦିନରେ ଇଣ୍ଡିଗୋ ବିମାନ ସେବାକୁ ନେଇ ଜାରିରହିଥିବା ଅସୁବିଧା ସହ ଉକ୍ତ ଫଟୋର ନାହିଁ କୌଣସି ସମ୍ପର୍କ ।