ଫ୍ୟାକ୍ଟ ଚେକ୍: ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ପୁରୁଣା ଗ୍ରାଫିକ୍ସକୁ ବିଭ୍ରାନ୍ତିକରକ ଦାବି ସହ କରାଯାଉଛି ସେୟାର

ସଞ୍ଜୟ ସିଂହ ଦେଇଥିବା ଉକ୍ତ ସୂଚନାଟି ବହୁ ପୁରୁଣା । ବର୍ତ୍ତମାନର ଦିଲ୍ଲୀ ନିର୍ବାଚନ ସହ ଯୋଡି ବିଭ୍ରାନ୍ତିକରକ ଲେଖା ସହ ଏହାକୁ ସେୟାର କରାଯାଉଛି ।

Update: 2025-02-15 15:35 GMT

Old Graphic About Arvind Kejriwal’s Health Resurfaces With Misleading Claims


ଦିଲ୍ଲୀ ରେ ଆରମ୍ଭ ହୋଇଛି ଭାଜପା ସରକାର, ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ବିଜେପି ଦିଲ୍ଲୀରେ ପୁଣି ଥରେ କ୍ଷମତା ହାସଲ କରିବାକୁ ସକ୍ଷମ ହୋଇଛି । ଦିଲ୍ଲୀ ବିଧାନସଭାର ୭୦ ଆସନରୁ ୪୮ ଆସନ ଦଖଲ କରି ବିଜେପି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଦୁର୍ଗ ଉପରେ ବିଜୟ ପତାକା ଉଡାଇଛି । ଆପ୍‌ର ଶୀର୍ଷ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ପରାଜୟର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଆତିଶୀ ୩୫ ଶହ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଦଳର ଅନେକ ତୁଙ୍ଗ ନେତାଙ୍କ ପରାଜୟ ଆପ୍‌କୁ ଦୋହଲାଇ ଦେଇଛି ।

ଇତିମଧ୍ୟରେ ଏକ ଗ୍ରାଫିକ୍ସ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହିନ୍ଦୀରେ ଉଲ୍ଲେଖ ରହିଛି, କୋମାରେ ଯାଇ ପାରନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ: ସଞ୍ଜୟ ସିଂହ । ଉକ୍ତ ଗ୍ରାଫିକ୍ସଟି ଏକ ନିୟୁଜ ଗ୍ରାଫିକ୍ସ ପରି ଦିଶୁଥିବା ବେଳେ, ଏକ କୋଣରେ ନିୟୁଜ୨୪ର ଲୋଗୋ ରହିଛି ।

ଉକ୍ତ ଗ୍ରାଫିକ୍ସକୁ ସୋସିଆଲ ମିଡିଆରେ ୟୁଜର୍ସ ସେୟାର କରି ଏହା ଦିଲ୍ଲୀ ନିର୍ବାଚନ ଫଳାଫଳ ହେବା ପରର ଅବସ୍ଥା ବୋଲି ଦାବି କରିଛନ୍ତି। ନିର୍ବାଚନରେ ଆପ୍ ମୁଖ୍ୟଙ୍କ ସହ ଆପ୍ ର ଶୋଚନୀୟ ପରାଜୟ ହୋଇଥିବାରୁ କେଜ୍ରିୱାଲ ଏଭଳି ଅବସ୍ଥା ଭୋଗିଛନ୍ତି ବୋଲି ୟୁଜର୍ସ ଦାବି କରିଛନ୍ତି ।

ଯାହାର ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି । 



ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକରକ, ପୁରୁଣା ଖବରକୁ ବର୍ତ୍ତମାନର ଖବର ଲେଖି କରାଯାଉଛି ସେୟାର । ଉକ୍ତ ଗ୍ରାଫିକ୍ସଟିର ଦିଲ୍ଲୀ ନିର୍ବାଚନ ଫଳାଫଳ ସହ ନାହିଁ କୌଣସି ସମ୍ପର୍କ ।

ଗ୍ରାଫିକ୍ସଟିକୁ ଯଦି ତର୍ଜମା କରାଯାଏ ତେବେ ସେଥିରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ବୋଲି ଉଲ୍ଲେଖ ରହିଛି । ବର୍ତ୍ତମାନ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ନାହାଁନ୍ତି, କିମ୍ବା ଦିଲ୍ଲୀ ନିର୍ବାଚନ ସମୟରେ ମଧ୍ୟ ନଥିଲେ ।

୨୦୨୪ ମସିହା ସେପ୍ଟେମ୍ବର ମାସରେ ଏକ ପ୍ରକାଶିତ ଖବର ଅନୁଯାୟୀ, ଦିଲ୍ଲୀ ମଦ ନୀତି ମାମଲାରେ ଇଡି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା । ଏହାପରେ ସିବିଆଇ ମଧ୍ୟ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା । ଇଡି ମାମଲାରେ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିଥିଲେ ବି ସିବିଆଇ ମାମଲାରେ ତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା । ନିଜ ଗିରଫଦାରୀ ପ୍ରତିବାଦରେ କେଜ୍ରିଓ୍ବାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଯାହାର ଶୁଣାଣି କରି କୋର୍ଟ ସିବିଆଇକୁ ଭର୍ସନା କରିବା ସହ କୋର୍ଟଙ୍କ ଅନୁମତି ନନେଇ କାହିଁକି କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ବୋଲି ପ୍ରଶ୍ନ କରିଥିଲେ । ଏହାସହ କେଜ୍ରିଓ୍ବାଲଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ । ଜେଲରୁ ଫେରିବା ପରେ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପରେ ଆତିଶୀ ମୁଖ୍ୟମନ୍ତ୍ରୀ ହେବା ନେଇ ଦଳରେ ସ୍ଥିର ହୋଇଥିଲା ।

ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଉକ୍ତ ଘଟଣାଟି ୨୦୨୪ ମସିହାର ହୋଇଥାଇପାରେ ଯେଉଁ ସମୟରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଥିଲେ ।

ଯେତେବେଳେ ଭାଇରାଲ ଗ୍ରାଫିକ୍ସକୁ ରିଭର୍ସ ଇମେଜରେ ସର୍ଚ୍ଚ କରିଥିଲୁ, ନିୟୁଜ୨୪ର ସୋସିଆଲ ମିଡିଆ ପେଜ୍ ରେ ଉକ୍ତ ଗ୍ରାଫିକ୍ସଟି ସେୟାର ହୋଇଥିବାର ଦେଖିବାକୁ ପାଇଥିଲୁ ।

ଜୁଲାଇ ୧୫ ୨୦୨୪ରେ ଉକ୍ତ ଗ୍ରାଫିକ୍ସ ସେୟାର କରିଛି ନିୟୁଜ୨୪ । ବର୍ତ୍ତମାନ ସୁଦ୍ଧା ଗ୍ରାଫିକ୍ସଟିକୁ ୭୫.୪ ହଜାର ୟୁଜର୍ସ ଦେଖିଥିବା ବେଳେ, ୨୫୮୫ ଲାଇକ ମିଳିଥିବାର ଦେଖିବାକୁ ମିଳିଛି ।

ଗ୍ରାଫିକ୍ସ ସେୟାର କରି ନିୟୁଜ୨୪ ଉଲ୍ଲେଖ କରିଛି, "कोमा में जा सकते हैं सीएम केजरीवाल", आप सांसद संजय सिंह ने कहा ।

ଯାହାର ଓଡ଼ିଆ ଅନୁବାଦ ହେଉଛି, ଆପ୍ ସାଂସଦ ସଞ୍ଜୟ ସିଂହ କହିଛନ୍ତି : କୋମାରେ ଯାଇ ପାରନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।

ଯେତେବେଳେ ଆମେ ଭାଇରାଲ ହେଉଥିବା ଗ୍ରାଫିକ୍ସ ସହ ନିୟୁଜ୨୪ ସେୟାର କରିଥିବା ଗ୍ରାଫିକ୍ସକୁ ତୁଳନା କରିଥିଲୁ ଉଭୟ ଗ୍ରାଫିକ୍ସ ସମାନ ବୋଲି ଜାଣିବାକୁ ପାଇଥିଲୁ ।



ଏଥିରୁ ପ୍ରମାଣିତ ହେଲା ଯେ, ଉକ୍ତ ଗ୍ରାଫିକ୍ସଟି ୨୦୨୪ ମସିହାର ।

ସେହିପରି ଅଧିକ ତଦନ୍ତ କରିବାକୁ ଯାଇ, ଯେତେବେଳେ ଆମେ ଉକ୍ତ କିୱାର୍ଡ ଗୁଡିକୁ ସର୍ଚ୍ଚ କରିଥିଲୁ, ଓଡ଼ିଶା ସମ୍ବାଦରେ ପ୍ରକାଶିତ ଏକ ଖବର ପାଇଥିଲୁ। ଯାହାର ଶିର୍ଷକ ଥିଲା, କୋମା’କୁ ଯାଇପାରନ୍ତି କେଜ୍ରିୱାଲ; ଆଶଙ୍କା ପ୍ରକାଶ କଲେ ଆପ୍ ସାଂସଦ ।

ଖବର ପ୍ରକାଶ କରି ଓଡ଼ିଶା ସମ୍ବାଦ ଉଲ୍ଲେଖ କରିଛି, ଗିରଫ ହେବା ପରେ ଅରବିନ୍ଦ କେଜ୍ରିୱାଲ ୮.୫ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି ଏବଂ ତାଙ୍କ ରକ୍ତରେ ଶର୍କରା ସ୍ତର ୫୦ ମିଗ୍ରା/ ଡିଏଲରୁ ହ୍ରାସ ପାଇଛି।ଏହାଦ୍ୱାରା ସେ କୋମାକୁ ଚାଲି ଯାଇ ପାରନ୍ତି କିମ୍ବା ତାଙ୍କର ମୃତ୍ୟୁ ହୋଇପାରେ ବୋଲି ସଞ୍ଜୟ ସିଂ ଆଶଙ୍କା କରିଛନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେଜ୍ରିୱାଲଙ୍କ ଜୀବନ ସହ ନ ଖେଳିବାକୁ ଅନୁରୋଧ କରୁଛି। କାରଣ ଯଦି କିଛି ଅଘଟଣ ଘଟେ ତେବେ ଉତ୍ତର ଦେବା କେନ୍ଦ୍ର ପାଇଁ କଷ୍ଟକର ହେବ ।

ସେହିପରି ଉକ୍ତ ଖବର ଏବିପି ଲାଇଭ, ଇଣ୍ଡିଆ ଟୁଡେ ଏବଂ ଏନଡିଟିଭି ଭଳି କିଛି ଜାତୀୟ ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବାର ଦେଖିବାକୁ ମଧ୍ୟ ପାଇଥିଲୁ ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ । ସଞ୍ଜୟ ସିଂହ ଦେଇଥିବା ଉକ୍ତ ସୂଚନାଟି ବହୁ ପୁରୁଣା । ବର୍ତ୍ତମାନର ଦିଲ୍ଲୀ ନିର୍ବାଚନ ସହ ଯୋଡି ବିଭ୍ରାନ୍ତିକରକ ଲେଖା ସହ ଏହାକୁ ସେୟାର କରାଯାଉଛି ।


Claim :  ନିର୍ବାଚନ ହାରିବା ପରେ, କୋମାରେ ସୋଇ ପାରନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ
Claimed By :  Social Media User
Fact Check :  Unknown
Tags:    

Similar News