ଫ୍ୟାକ୍ଟ ଚେକ୍: ଥାଇଲ୍ୟାଣ୍ଡର ପୁରୁଣା ଭିଡିଓକୁ ଦିଲ୍ଲୀର ଘଟଣା ଲେଖି ସେୟାର କରାଯାଇଛି
ଦାବିଟି ବିଭ୍ରାନ୍ତିକର ଅଟେ। ଭାଇରାଲ ଭିଡିଓଟି ପଟାୟାର ଅଟେ ଯାହାକି ଅନ୍ୟୁନ୍ୟ ୨୦୨୨ ମସିହାର ଘଟଣା ଅଟେ । ଦିଲ୍ଲୀ ରୋହିଣୀ ନଗର ସହ ଉକ୍ତ ଘଟଣାର କୌଣସି ସମ୍ପର୍କ ନାହିଁ ।
ସୁନ୍ଦରଗଡ଼ ଜିଲା ମହୁଲପଦା ଥାନା ଅନ୍ତର୍ଗତ ଧୋକାମୁଣ୍ଡା ଗ୍ରାମରେ ଗୋଟିଏ ପାଗଳ କୁକୁର ଆତଙ୍କ ଖେଳାଇଛି। ପ୍ରସାରିତ ଖବର ଅନୁଯାୟୀ, କୁକୁରଟି ଅଦ୍ୟାବଧି ଦଶ ଜଣରୁ ଉର୍ଦ୍ଧ୍ୱଙ୍କୁ କାମୁଡିଥିବା ସୂଚନା ରହିଛି। ଆଜି ଗୋଟିଏ ଦିନରେ ଏହି କୁକୁର ଆକ୍ରମଣର ଶିକାର ବ୍ୟକ୍ତିଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି l ଧୋକାମୁଣ୍ଡା ଗ୍ରାମରେ ଏହି ପାଗଳ କୁକୁର ପ୍ରଥମେ ଘର ବାରଣ୍ଡାରେ ଶୋଇଥିବା ବେଳେ ଜଣଙ୍କୁ ଆସି ଗାଲରେ କାମୁଡି ମାଂସ ବାହାର କରିଦେଲା, ତାକୁ ପରିବାର ଲୋକେ ବହୁତ କଷ୍ଟରେ ସେଠାରୁ ଘୋଡାଇ ଦେଲେ କିନ୍ତୁ ପରେ ପୁଣି ଘରେ ବାପା ମା’ ବିଲକୁ ଯାଇଥିବା ବେଳେ ୯ ବର୍ଷ ନାବାଳକ ଓ ୬ବର୍ଷ ନାବାଳକ ଦୁଇ ଭାଇ ବାରଣ୍ଡାରେ ଶୋଇଥିବାବେଳେ ସେଇ ପାଗଳ କୁକୁର ଆସି ବିନୋଦ ନାୟକ ୯ ବର୍ଷ ନାବାଳକକୁ ଗାଲରେ କାମୁଡି ଝୁଣି ନେଇଗଲା ମାଂସ । ସାନ ଭାଇ ଓ ପୋଡ଼ଶୀ ବହୁତ କଷ୍ଟରେ ଘଉଡାଇ ଥିଲେ l ପରେ ବାପା ସାଧୁ ନାୟକ ଖବର ପାଇ ଆସିଲା ବେଳେ ସେଇ କୁକୁର ହାବୁଡ଼ରେ ପଡିଲେ ଓ ଆକ୍ରମଣର ଶିକାର ହୋଇଥିଲା। ଫଳସ୍ବରୂପ ତାଙ୍କ ଗୋଡରୁ ମାଂସ ଟାଣି ନେଇଗଲା କୁକୁର। ତାଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା ପରେ ତିନି ଜଣ ଗୁରୁତର ହବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଜଣେ ମହିଳାଙ୍କ ସହ ୨ ଟି କୁନି ଛୁଆ ଚାଲିକି ଯାଉଥିବାର ଦେଖିବାକୁ ମିଳିଛି । କିଛି ସମୟପରେ ଗୋଟିଏ କଳା କୁକୁର ଆସି ଛୋଟ ଛୁଆ ଟିକୁ ଆକ୍ରମଣ କରିବା ଆରମ୍ଭ କରିଛି । ଉକ୍ତ ମହିଳାଜଣଙ୍କ ଏବଂ ଜଣେ ବ୍ୟକ୍ତି ଉକ୍ତ କୁକୁରକୁ ଯେତେ ପିଟିଲେ ମଧ୍ୟ ଛୁଆଟିକୁ କୁକୁରଟି ଛାଡୁନଥିବାର ଦେଖିବାକୁ ମିଳିଛି । ଭିଡିଓଟି ସିସିଟିଭିର ଦୃଶ୍ୟ ପରି ଦେଖା ଯାଉଥିବା ବେଳେ, ଉକ୍ତ ଘଟଣାଟି ଦିଲ୍ଲୀର ରୋହିଣି ନଗର ଅଞ୍ଚଳର ବୋଲି ଦାବି ହୋଇଛି ।
(ସ୍ପଷ୍ଟୀକରଣ: ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କ ରୁହନ୍ତୁ )
ଯାହାର ସ୍କ୍ରିନ ଲିଙ୍କ୍ ଏଠାରେ ଏବଂ ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ଦିଲ୍ଲୀ କି ଭାରତର କୌଣସି ରାଜ୍ୟର ନୁହେଁ । ଉକ୍ତ ଘଟଣାଟି ୨୦୨୨ ମସିହାରେ ଥାଇଲାଣ୍ଡରେ ଘଟିଥିବା ଘଟଣାର ଦୃଶ୍ୟ ଅଟେ ।
ତଦନ୍ତ କରିବାକୁ ଯାଇ ଦିଲ୍ଲୀ ରୋହୀଣି ନଗରରେ କୁକୁର କାମୁଡ଼ା ଘଟଣା ଲେଖି ଅନୁସନ୍ଧାନ କରିଥିଲୁ ହେଲେ ଏଭଳି କୌଣସି ଘଟଣା ନିକଟରେ ଘଟିଥିବାର ଆମର ହସ୍ତଗତ ହୋଇନଥିଲା ।
(ସ୍ପଷ୍ଟୀକରଣ: ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କ ରୁହନ୍ତୁ )
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
ଭିଡିଓଟି ୧୨ ଜୁଲାଇ ୨୦୨୨ରେ ଅପଲୋଡ଼ ହୋଇଥିବାରୁ ଉକ୍ତ ଭିଡିଓଟି ନିକଟ ଦିନର ନୁହେଁ ବୋଲି ପ୍ରମାଣିତ ହୋଇଛି । ଅନ୍ୟପଟେ ଉକ୍ତ ଭିଡିଓଟି ଭାଇରାଲ ଭିଡିଓଠାରୁ ଅଧିଜ ଲମ୍ବା ହୋଇଥିବାରୁ ଏହି ଭିଡିଓରେ ଆଉକିଛି ବ୍ୟକ୍ତି ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଛି । ଉକ୍ତ ବ୍ୟକ୍ତି ମାନେ ଭାରତର ନାଗରିକ ପରି ଦେଖା ଯାଉନଥିବାର ଜଣାଯାଇଛି ।
(ସ୍ପଷ୍ଟୀକରଣ: ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କ ରୁହନ୍ତୁ )
ସେହିପରି ଆମରିନ ଟିଭି ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଉକ୍ତ ଭିଡିଓକୁ ୨୨ ଜୁନ ୨୦୨୨ରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓକୁ ୩ଲକ୍ଷରୁ ଉର୍ଦ୍ଧ ଭିୟୁ ଏବଂ ୩୮ ହଜାରରୁ ଉର୍ଦ୍ଧ୍ବ ଲାଇକ ମିଳିଥିବାର ଦେଖାଯାଇଛି । ଉକ୍ତ ଚ୍ୟାନେଲଟି ଏକ ବୈଦେଶିକ ଚ୍ୟାନେଲ ହୋଇଥିବାର ଜଣାଯାଇଛି । ଉପସ୍ଥାପନରୁ ଏହା ଥାଇ ଭାଷା ବୋଲି ଜାଣିବାକୁ ପାଇଥିଲୁ । ତେଣୁ ଉକ୍ତ ଘଟଣାଟି ଥାଇ ଅଞ୍ଚଳରେ ଘଟିଥାଇ ପାରେ ବୋଲି ଅନୁମାନ କରାଯାଇପାରେ ।
ତେଣୁ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ ଡିଜିଟାଲ ମିଡିଆରେ ପ୍ରକାଶିତ ହୋଇଥିବାର ଦେଖିବାକୁ ମିଳିଛି ।
ପ୍ରସାରିତ ଖବର ଅନୁଯାୟୀ, ୨୧ ଜୁନ୍ ୨୦୨୨ ରେ, ଏକ ସିସିଟିଭି ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଥାଇଲ୍ୟାଣ୍ଡର ପଟାୟାର ଏକ ଆବାସିକ ଅଞ୍ଚଳରେ ଏକ ୪ ବର୍ଷର ବାଳକକୁ କୁକୁର ଆକ୍ରମଣ କରୁଥିବାର ଦୃଶ୍ୟ ଦେଖାଯାଇଥିଲା । କୁକୁରର ମାଲିକ ଅଳିଆ ଫିଙ୍ଗିବା ପାଇଁ ଦ୍ୱାର ଖୋଲିବା ପରେ କୁକୁରଟି ଖସି ପଳାଇ ଯାଇଥିଲା । ତେବେ ପରେପରେ ପିଲାଟିର ବାପା ଏବଂ କୁକୁର ମାଲିକଙ୍କ ମଧ୍ୟରେ ସମାଧାନ ହୋଇଯାଇଛି ।
ସେହିପରି ରୋହିଣୀ ନଗରର ଏକ ସ୍ଥାନୀୟ ଇନଷ୍ଟାଗ୍ରାମ ପେଜ୍ ରେ ଏନେଇ ଏକ ସ୍ପଷ୍ଟୀକରଣ ଦିଆଯାଇଛି । ଉକ୍ତ ପୋଷ୍ଟରେ ଉଲ୍ଲେଖ ରହିଛି, ଭାଇରାଲ ଭିଡିଓ ସହ ରୋହିଣୀ ନଗରର କୌଣସି ସମ୍ପର୍କ ନାହିଁ । ଭାଇରାଲ ଭିଡିଓଟି ସାଉଥ ପଟାୟାର ଅଟେ ।
ସେହିପରି ଉକ୍ତ ଘଟଣାକୁ ପଟାୟାର ଏକ ସ୍ଥାନୀୟ ଗଣମାଧ୍ୟମ ପ୍ରକାଶିତ କରିଥିଵାର ଦେଖିବାକୁ ମିଳିଛି । ଯାହାର ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ। ଭାଇରାଲ ଭିଡିଓଟି ପଟାୟାର ଅଟେ ଯାହାକି ଅନ୍ୟୁନ୍ୟ ୨୦୨୨ ମସିହାର ଘଟଣା ଅଟେ । ଦିଲ୍ଲୀ ରୋହିଣୀ ନଗର ସହ ଉକ୍ତ ଘଟଣାର କୌଣସି ସମ୍ପର୍କ ନାହିଁ ।