ଫ୍ୟାକ୍ଟ ଚେକ୍: ବିହାରରେ ପୋଲ ଭୁଶୁଡ଼ିବା ଭାଇରାଲ ଭିଡିଓଟି ବହୁ ପୁରୁଣା ଅଟେ
ଦାବିଟି ବିଭ୍ରାନ୍ତିକର ଅଟେ । ବିହାରରେ ଉକ୍ତ ପୋଲ ଭୁଶୁଡ଼ିବାର ଭାଇରାଲ୍ ଭିଡିଓଟି ୨୦୨୪ ମାର୍ଚ୍ଚର ଅଟେ ।
Old Bridge Collapse Video from Bihar Resurfaces Ahead of Elections
ଦୁଇ ଦଶନ୍ଧି ଧରି ବିହାର କ୍ଷମତାରୁ ଦୂରେଇ ରହିଛି କଂଗ୍ରେସ ଓ ଆରଜେଡି । କ୍ଷମତାକୁ ଫେରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଆରଜେଡି ନେତା ତେଜସ୍ୱୀ ଯାଦବ ଏବେ ମୈଦାନକୁ ଓହ୍ଲାଇବେ । ରକ୍ଷାବନ୍ଧନ ପରେ ମହାମେଣ୍ଟ ତରଫରୁ ନୀତିଶ ସରକାର ବିରୋଧରେ ମାହୋଲ ପ୍ରସ୍ତୁତ କରିବେ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମହାମେଣ୍ଟ ତରଫରୁ ପ୍ରତିଟି ମଣ୍ଡଳରେ ପଦଯାତ୍ରା କରି ନୀତିଶ ସରକାରଙ୍କ ଦୁର୍ନୀତିକୁ ଉଜାଗର କରିବାକୁ ପ୍ରସ୍ତୁତ ହେଉଛନ୍ତି । ବିହାରରେ ବିଧାନସଭା ନିର୍ବାଚନ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଅନୁଷ୍ଠିତ ହେବ । ଏହି କ୍ରମରେ ମହାମେଣ୍ଟ ତରଫରୁ ଏନଡିଏ ସରକାରକୁ ଚ୍ୟାଲେଞ୍ଜ ଦେବାକୁ ଅଣ୍ଟାଭିଡିଛନ୍ତି । ତେଜସ୍ୱୀ ଯାଦବଙ୍କ ପାଟନା ସ୍ଥିତ ଘରେ ଏନେଇ ମହାମେଣ୍ଟ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତେଜସ୍ୱୀ ଓ ରାହୁଲଙ୍କ ସହ ମହାମେଣ୍ଟର ନେତାମାନେ ପୂରା ବିହାର ପଦଯାତ୍ରା କରିବା ନେଇ ନିଷ୍ପତ୍ତି ହୋଇଛି । ଏହା ପୂର୍ବରୁ ମଧ୍ୟ ଚଳିତ ମାସ ବିହାରରେ ଚାଲିଥିବା ଭୋଟର ତାଲିକା ପୁନଃ ନିରୀକ୍ଷଣ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ ।
ଇତିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ପୋଲ ଭୁଷୁଡ଼ି ପଡିଥିବାର ଦେଖିବାକୁ ମିଳିଛି । ଉକ୍ତ ପୋଲରେ କିଛି ଭାରିଯାନ ଫସିଥିବାର ଦେଖିବାକୁ ମିଳିଛି । ଭିଡିଓ ସୁଟ କରିଥିବା ବ୍ୟକ୍ତି ଜଣଙ୍କ ଉକ୍ତ ଘଟଣାରେ ଶତାଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି ବୋଲି କହୁଥିବାର ଶୁଣିବାକୁ ମିଳିଛି ।
ତେବେ ଉକ୍ତ ଘଟଣାଟି ବିହାରର ବୋଲି ସୋସିଆଲ ମିଡିଆରେ ଦାବି କରିଛନ୍ତି ୟୁଜର୍ସ ।
ଯାହାର ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ବ୍ରିଜ ଭୁଶୁଡ଼ିଥିବା ଭାଇରାଲ ଭିଡିଓଟି ୨୦୨୪ ମସିହାର ଅଟେ ।
ତଦନ୍ତ କରିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ସନ୍ଧାନ କରିଥିଲୁ, କିନ୍ତୁ ନିକଟରେ ଏଭକି କୌଣସି ବିଶ୍ୱସନୀୟ ରିପୋର୍ଟ କିମ୍ବା ପ୍ରେସ୍ ରିଲିଜ୍ ପାଇନଥିଲୁ ।
ଅନ୍ୟପଟେ ଏନେଇ ବିହାରର ଜଣେ ସାମ୍ବାଦିକ ହିମାଂଶୁ କୁମାରଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଦାବିକୁ ସିଏ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ । ନିର୍ବାଚନ ନେଇ ବିହାରରେ ଏଭଳି ବହୁ ଭିଡିଓ ଭାଇରାଲ ହେଉଛି ବୋଲି କହିଥିଲେ ସିଏ । ତେବେ ଉକ୍ତ ଭିଡିଓଟି ବିହାରର ଅଟେ ହେଲେ ଏହା ବହୁ ପୁରୁଣା ଭିଡିଓ ବୋଲି ଜଣାଇଛନ୍ତି ହିମାଂଶୁ ।
ଉକ୍ତ ସୂଚନା ଅନୁଯାୟୀ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ ଏକ ଟ୍ୱିଟର ପୋଷ୍ଟ ହସ୍ତଗତ ହୋଇଥିଲା ।
୨୨ ମାର୍ଚ୍ଚ ୨୦୨୪ରେ ଏକ ଭିଡିଓ ପୋଷ୍ଟ କରି ବିହାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ୟାଦବ ଉଲ୍ଲେଖ କରିଛନ୍ତି, ବିହାରର କୋସୀ ନଦୀ ଉପରେ ହେଉଥିବା ନିର୍ମାଣଧୀନ ପୋଲ ଭୁଶୁଡ଼ି ପଡ଼ିଛ । ଯେଉଁଥିରେ ବହୁ ଶ୍ରମିକ ଙ୍କ ମୃତ୍ୟୁବରଣ କରିଥିଵାର ଅନୁମାନ କରାଯାଉଥିବା ବେଳେ, ବହୁ ଶ୍ରମିକ ନିର୍ମାଣ ଅଞ୍ଚଳରେ ଫସି ରହିଥାଇପାରନ୍ତି । ଡବଲ ଇଞ୍ଜିନ ସରକାରଙ୍କ ସମୟରେ ପୋଲ ଭୁଶୁଡ଼ିବା ଏକ ସାଧାରଣ କଥା ପାଲଟିଯାଇଛି ।
ସେହିପରି ୨୨ ମାର୍ଚ୍ଚ ୨୦୨୪ରେ ଉକ୍ତ ଭିଡିଓ ଅପଲୋଡ଼ କରି ନିୟୁଜ ୧୮ ବିହାର ଝାରଖଣ୍ଡ ଉଲ୍ଲେଖ କରିଛି, ଦେଖନ୍ତୁ କିଭଳି ଭୁଶୁଡ଼ିଲା ଦେଶର ସବୁଠାରୁ ଲମ୍ବା ବ୍ରିଜ ।
ଉକ୍ତ ଭିଡିଓ ଗୁଡ଼ିକୁ ଭାଇରାଲ ଭିଡିଓ ସହ ତୁଳନା କରିବାରୁ ଉଭୟ ଭିଡିଓ ଗୋଟିଏ ସମୟର ଗୋଟିଏ ଘଟଣାର ବୋଲି ଦେଖିବାକୁ ମିଳିଛି ।
ଉକ୍ତ ଘଟଣାକୁ ନେଇ ଦ ହିନ୍ଦୁ ୨୨ ମାର୍ଚ୍ଚ ୨୦୨୪ରେ ଏକ ବିସ୍ତୃତ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।
କୋସୀ ନଦୀ ଉପରେ ନିର୍ମାଣ ହେଉଥିବା ଦେଶର ସର୍ବବୃହତ ସେତୁ ମାର୍ଚ୍ଚ ୨୨ ତାରିଖରେ ବିହାରର ସୁପୌଲ ଜିଲ୍ଲାରେ ଭୁଶୁଡ଼ି ପଡ଼ିଥିଲା, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ୯ ଜଣ ଆହତ ହୋଇଥିଲେ।
କୋସୀ ନଦୀ ଉପରେ ୧୦.୨ କିଲୋମିଟର ଲମ୍ବ ଏହି ସେତୁ ବିହାରର ମଧୁବନୀ ଏବଂ ସୁପୌଲ ଜିଲ୍ଲାର ଭେଜା ଏବଂ ବକୌର ମଧ୍ୟରେ ନିର୍ମାଣ କରାଯାଉଛି ।
ସେହିପରି ସମାନ ସୂଚନା ସହ ଟାଇମ୍ସ ଅଫ୍ ଇଣ୍ଡିଆ, ଇକୋ ନୋମିକ ଟାଇମ୍ସ ଏବଂ ଏନଡିଟିଭି ଭଳି ପ୍ରମୁଖ ଗଣମାଧ୍ୟମ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ବିହାରରେ ଉକ୍ତ ପୋଲ ଭୁଶୁଡ଼ିବାର ଭାଇରାଲ୍ ଭିଡିଓଟି ୨୦୨୪ ମାର୍ଚ୍ଚର ଅଟେ ।