ଫ୍ୟାକ୍ଟ ଚେକ୍: ପ୍ରକୃତ ଭିଡିଓରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ନୁହେଁ ବରଂ ଆରଜେଡି ପାର୍ଟି ଏବଂ ଲାଲୁଙ୍କ ପରିବାରକୁ କଟାକ୍ଷ କରିଛନ୍ତି

Update: 2025-10-22 10:38 GMT


ବିହାର ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱାରା ଟିକେଟ ପ୍ରତ୍ୟାହାର କରାଯିବା ପରେ, ଅନେକ ଦଳୀୟ କର୍ମୀ ଏବଂ ନେତା ବିଦ୍ରୋହୀ ହୋଇ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୂରଜ ମାଧ୍ୟମରେ କିମ୍ବା ସ୍ବାଧୀନ ପ୍ରାର୍ଥୀ ଭାବରେ ରାଜ୍ୟ ବ୍ୟାପୀ ବିଭିନ୍ନ ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରି ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି । ଏକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବିହାର ଗସ୍ତରେ ଥିବା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିଦ୍ରୋହୀମାନଙ୍କୁ ଶାନ୍ତ କରିବା ଏବଂ ସେମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ପଦକ୍ଷେପ ନେଇଥିଲେ। ଅମିତ ଶାହା ବିହାରର ରାଜଧାନୀ ପାଟନାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଦ୍ରୋହୀମାନଙ୍କ ସହିତ ବୈଠକ କରିଥିଲେ ଏବଂ ସେମାନଙ୍କ ସହିତ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ, ଭାଜପା ବିଦ୍ରୋହୀ ପ୍ରାର୍ଥୀମାନଙ୍କ ସହିତ ଆଲୋଚନା କରିବା ପାଇଁ ଏହାର ଅନେକ ପ୍ରମୁଖ ନେତାଙ୍କୁ ନିୟୋଜିତ କରିଛି, ଯାହାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଛି ବୋଲି ଖବର ପ୍ରକାଶ ପାଇଛି। ଅନ୍ୟପଟେ ବିହାରକୁ ସମ୍ପୂର୍ଣ୍ଣ ଭାବେ ନିଜ ଗଡ଼ କରିବାକୁ କସରତ ଚଳାଇଛି ବିଜେପି । ସେଇଥିପାଇଁ ବିଭିନ୍ନ ବିଜେପି ନେତାଙ୍କ ଏବେ ବିହାର ଗସ୍ତ ହେଉଥିବାର ଦେଖିବାକୁ ମିଳିଛି ।

ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିହାରରେ ଏକ ସାଧାରଣ ରାଲିକୁ ସମ୍ବୋଧିତ କରୁଥିବା ବେଳେ ସିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିହାସ କରିଥିବା ଦାବି କରିଛନ୍ତି ୟୁଜର୍ସ । ଭିଡିଓରେ ରେଖା କହିଛନ୍ତି, ସେ "ତାଙ୍କ ପରିବାରକୁ ପରିଚାଳନା କରିପାରିଲେ ନାହିଁ, ତେବେ ସେ ବିହାରକୁ କିପରି ପରିଚାଳନା କରିବେ।" ଭିଡିଓରେ ରେଖା ମଞ୍ଚ ଉପରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଥିବା କହିଛନ୍ତି ୟୁଜର୍ସ ।




ଯାହାର ଏକ ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି । 




ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ପ୍ରକୃତରେ ରେଖା ଗୁପ୍ତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି ଏବଂ ଆରଜେଡି ପାର୍ଟି ଓ ଲାଲୁଙ୍କ ପରିଵାରକୁ କଟାକ୍ଷ କରିଛନ୍ତି ।

ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ, ଉକ୍ତ କିୱାର୍ଡ ଅନୁସନ୍ଧାନ କରିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରୁଥିବା କୌଣସି ଭିଡିଓ ପାଇ ନଥିଲୁ ।

ଯଦି ଏଭଳି କୌଣସି ବିବାଦୀୟ ମନ୍ତବ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦେଇଥାନ୍ତେ ତେବେ ଏହି ଖବର ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମରେ ପ୍ରସାରିତ ହୋଇଥାନ୍ତା ।

ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡ଼ିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।

ଅନୁସନ୍ଧାନରୁ ୧୫ ଅକ୍ଟୋବର ୨୦୨୫ରେ ଏକ ଲାଇଭ ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏଏନଆଇ ଅପଲୋଡ଼ କରିଥିଵାର ହସ୍ତଗତ ହୋଇଥିଲା ।

ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସମ୍ବୋଧିତ କରିଥିଵାର ଦେଖିବାକୁ ମିଳିଥିଲା ।

ଉକ୍ତ ଲାଇଭ ଭିଡିଓର ୩୬ ମିନିଟ ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିହାର ଯାହା ବର୍ଷବର୍ଷ ଧରି ଅନ୍ଧକାର ଭିତରେ ଥିଲା ଆଉ ଗରିବୀ, ବେରୋଜଗାରୀ, ଅରାଜକତା ଏବଂ ଅପରାଧ ଭିତରେ ଲୁଚିକି ରହିଥିଲା । ତାହାକୁ ମୋଦିଜୀ ହାତ ଧରିକି ବାହାରକୁ ବାହାର କଲେ ଏବଂ ନୀତିଶଜୀ ସାହାଯ୍ୟ କରିଥିଲେ । ଆଉ ଆଜି ବିହାରର ଯୁବକ, ମହିଳା, ଭାଇ ଓ ଭଉଣୀ ଦୃଢ଼ତାର ସହ ଠିଆ ହୋଇ ପାରୁଛନ୍ତି ।

ଆମକୁ ଆହୁରି ଆଗକୁ ଯିବାର ଅଛି, ଏହା ଏଭଳି ଏକ ପାର୍ଟି ଯିଏ ନିଜ ବିଷୟରେ ନୁହେଁ ନିଜ ପରିବାର ବିଷୟରେ ନୁହେଁ ଗରିବ ଜନତାଙ୍କ କାମ କରିଥାନ୍ତି । ଗରିବ ଜନତା ସହ ଠିଆ ହୋଇଥାନ୍ତି ।

ଭିଡିଓର ୩୭ ମିନିଟ ୬ ସେକେଣ୍ଡ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯିଏ ନିଜ ପରିବାର ସମ୍ଭାଳିପାରିଲେ ନାହିଁ , ସିଏ କଣ ବିହାରକୁ ସମ୍ଭାଳିବେ । ପରେପରେ ସିଏ କହିଥିଲେ ବିହାରର ଦାୟିତ୍ବ ଏକ ଦାୟିତ୍ଵବାନ ହାତରେ ଦେବାର ଅଛି । 


ସେହିପରି ୨୨ସ୍କୋପ ନିୟୁଜ ନାମକ ଏକ ଡିଜିଟାଲ ମିଡିଆ ୧୯, ଅକ୍ଟୋବର ୨୦୨୫ରେ ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି ।

ସେ କିଷାନ କଲେଜରେ ଅନୁଷ୍ଠିତ ନାମାଙ୍କନ ବୈଠକରେ ଦିଲ୍ଲୀ ସାଂସଦ କମଲଜିତ ସେହରାୱତ, ବିଧାୟକ ସନ୍ଦୀପ ସେହରାୱତ, ଏବଂ ସାଂସଦ କୌଶଳେନ୍ଦ୍ର କୁମାର ଉପସ୍ଥିତ ଥିଲେ। ନାମାଙ୍କନ ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଲାଲୁ ପରିବାର ପ୍ରତି ଆକ୍ରମଣାତ୍ମକ ଦେଖାଯାଇଥିଲେ। ସେ କହିଥିଲେ ଯେ ଯିଏ ନିଜ ପରିବାରକୁ ସମ୍ଭାଳି ପାରିବେ ନାହିଁ, ସେ ବିହାରର କୋଟି କୋଟି ଲୋକଙ୍କୁ କିପରି ସମ୍ଭାଳି ପାରିବେ ବୋଲି କହିଥିଲେ ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ବିହାର ନିର୍ବାଚନ ପ୍ରଚାରରେ ଯାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା ଏବଂ ଆରଜେଡି ପାର୍ଟି ଏବଂ ଲାଲୁଙ୍କ ପରିଵାରକୁ କଟାକ୍ଷ କରିଛନ୍ତି ।


Claim :  ବିହାର ନିର୍ବାଚନ ରାଲିରେ ମୋଦିଙ୍କୁ କଟାକ୍ଷ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା
Claimed By :  Social Media User
Fact Check :  Unknown
Tags:    

Similar News