ଫ୍ୟାକ୍ଟ ଚେକ୍: ପଞ୍ଜାବରେ ଘଟିଥିବା ଘଟଣାକୁ ଭୁଲ୍ ଭାବେ ବାଂଲାଦେଶ ଲେଖି କରାଯାଇଛି ସେୟାର

Update: 2026-01-02 07:17 GMT


ବାଂଲାଦେଶରେ ପୁଣିଥରେ ତେଜିଛି ଭାରତ ବିରୋଧୀ ହିଂସା । ସରିଫ ଓସ୍‌ମାନ ହାଦି ହତ୍ୟାକୁ ନେଇ ଶୁକ୍ରବାର ଢାକା ଓ ଅନ୍ୟାନ୍ୟ ସହରରେ ହଜାର ହଜାର ଲୋକ ହିଂସାତ୍ମକ ବିକ୍ଷୋଭ କରିଛନ୍ତି । ୩୨ ବର୍ଷୀୟ ହାଦି ଗତ ଡିସେମ୍ବର ୧୨ ତାରିଖରେ ନିର୍ବାଚନ ପ୍ରଚାର ବେଳେ ଅଜଣା ଆତତାୟୀଙ୍କ ଦ୍ୱାରା ଗୁଳିମାଡ଼ର ଶିକାର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲା । ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ହାଦିର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ପୁଣିଥରେ ବିକ୍ଷୋଭ ତେଜିଥିବା ବେଳେ ଚାରିଆଡ଼େ ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି । ପ୍ରସାରିତ ଖବର ଅନୁଯାୟୀ, ବିକ୍ଷୋଭକାରୀ ରାଜଧାନୀ ଢ଼ାକାର ବିଭିନ୍ନ ଅଞ୍ଚଳରେ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି । ଭାରତୀୟ ଦୂତାବାସକୁ ଟାର୍ଗେଟ୍‌ କରିବା ସହ ୨ ଗଣମାଧ୍ୟମ କାର୍ଯ୍ୟାଳୟକୁ ପୋଡ଼ିଦେଇଛନ୍ତି । ସେହିପରି ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଶବକୁ ଏକ ଗଛରେ ଝୁଲାଇ ଜାଳି ଦେଇଛନ୍ତି । ଇସଲାମକୁ ଅପମାନ ଦେଇଥିବା ଅଭିଯୋଗରେ ମୟମନସିଂହ ଜିଲ୍ଲାର ଭାଲୁକା ଉପଜିଲ୍ଲାରେ ଆଜି ଏହି ବର୍ବର ଘଟଣା ଘଟିଛି । ବିକ୍ଷୋଭକାରୀମାନେ ପୂର୍ବତନ ଶାସକ ଦଳ ଆୱାମୀ ଲିଗ୍‌ ସହ ଜଡ଼ିତ ସ୍ଥାନଗୁଡ଼ିକୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି । ବାଂଲାଦେଶର ଜନକ ଶେଖ୍‌ ମୁଜିବୁର ରହମାନଙ୍କ ଧାନମଣ୍ଡି ବାସଭବନ କୁ ପୁନର୍ବାର ଭାଙ୍ଗିଦିଆଯାଇଛି । ରାଜଶାହୀରେ ଆୱାମୀ ଲିଗ୍‌ର ଏକ କାର୍ଯ୍ୟାଳୟକୁ ବୁଲଡୋଜର ଦ୍ବାରା ଧ୍ବଂସ କରି ଦିଆଯାଇଥିବାବେଳେ ଅନେକ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଛି ।

ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଜଣେ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରିଥିବା ଜଣେ ବ୍ୟକ୍ତିକୁ ଆଉକିଛି ବ୍ୟକ୍ତି ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି ।

ଉକ୍ତ ଭିଡିଓଟି ବାଂଲାଦେଶର ହୋଇଥିବାର ଦାବି କରିଛନ୍ତି ୟୁଜର୍ସ ।

ବାଂଲାଦେଶରେ ହିନ୍ଦୁଙ୍କ ଉପରକୁ ସେଠାକାର ବାସିନ୍ଦା କିଭଳି ଆକ୍ରମଣ କରୁଛନ୍ତି ବୋଲି କହିଛନ୍ତି ୟୁଜର୍ସ । ଉକ୍ତ ଭିଡିଓକୁ #HinduLivesMatter #SaveBangladeshiHindus ହାସଟ୍ୟାଗ ସହ ସେୟାର କରାଯାଇଥିବାର ଦେଖିବାକୁ ମିଳିଛି ।

ଯାହାର ଏକ ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।


ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ପଞ୍ଜାବର ଅଟେ, ଯେଉଁଥିରେ ଜଣେ ବ୍ୟକ୍ତି ଉପରେ ଛୁଆ ଚୋରୀର ଅଭିଯୋଗ ନେଇ ସେଠାରେ ଥିବା କିଛି ବ୍ୟକ୍ତି ଆକ୍ରମଣ କରିଥିଲେ । ଉକ୍ତ ଭିଡିଓ ସହ ବାଂଲାଦେଶର କୌଣସି ସମ୍ପର୍କ ନାହିଁ ।

ଭିଡିଓକୁ ସଠିକ ଭାବେ ଅନୁସନ୍ଧାନ କରି ଦେଖିଲେ ଆପଣ ଜାଣିପାରିବେ ଯେ, ଘଟଣା ଘଟିଥିବା ସ୍ଥାନରେ କିଛି ଷ୍ଟିଲ ଚେୟାର ପଡିଛି । ଯାହାକି ମୁଖ୍ୟତଃ ସ୍ଥାନୀୟ ସାଂସଦ ପାଣ୍ଠି ଖର୍ଚ୍ଚରେ ରେଳ ଷ୍ଟେସନରେ ଯାତ୍ରୀଙ୍କ ନିମନ୍ତେ ପଡିଥାଏ ।

ସେହିପରି ପଛପଟେ ପଛପଟେ ଏକ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ ଥିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ବାଂଲାଦେଶର କୌଣସି ରେଳ ଷ୍ଟେସନ ନିକଟରେ ଏସବିଆଇ ଏଟିଏମ ଥିବାର ଆମର ହସ୍ତଗତ ହୋଇନଥିଲା । ସେହିପରି ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଇନଷ୍ଟାଗ୍ରାମରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।

ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ପରି ଦେଖାଯାଉଥିବା ବେଳେ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଘଟଣାର ଗୋଟିଏ ସ୍ଥାନର ବୋଲି ଜାଣିବାକୁ ପାଇଥିଲୁ ।

ଉକ୍ତ ଭିଡିଓଟି ଅପଲୋଡ଼ ହୋଇଥିବା ୟୁଜର୍ସଙ୍କ ଆକାଉଣ୍ଟଟି ତର୍ଜମା କରି ଦେଖିବାରୁ ଏଭଳି ଆଉଏକ ଭିଡିଓ ଅପଲୋଡ ହୋଇଥିବାର ଦେଖିବାକୁ ପାଇଥିଲୁ । ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପିନ୍ଧିଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ବାସିନ୍ଦା ଏବଂ ଜଣେ ପୋଲିସ ଧରିଥିବା ଵେଳେ, ଜଣେ ସାମ୍ବାଦିକ ସେମାନଙ୍କ ସାମ୍ନାରେ ଖବର ପ୍ରସାରଣ କରୁଥିବାର ଦେଖାଯାଇଛି ।

ଯେଉଁଥିରେ ସିଏ ଦୈନିକ ସବେରା ନାମକ ଏକ ଗଣମାଧ୍ୟମର ମାଇକ ଧରିଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ସାମ୍ବାଦିକ ଜଣଙ୍କ ତାଣ୍ଡା ନାମକ ଏକ ରେଳ ଷ୍ଟେସନରେ ଗେରୁଆ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତି ଛୁଆ ଚୋରୀ କରୁଥିବାର ଅଭିଯୋଗ ଆସିଛି ।

ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ପଞ୍ଜାବର ଅଟେ, ଯେଉଁଥିରେ ଜଣେ ବ୍ୟକ୍ତି ଉପରେ ଛୁଆ ଚୋରୀର ଅଭିଯୋଗ ନେଇ ସେଠାରେ ଥିବା କିଛି ବ୍ୟକ୍ତି ଆକ୍ରମଣ କରିଥିଲେ ।


Claim :  ବାଂଲାଦେଶରେ ଜଣେ ହିନ୍ଦୁଙ୍କୁ ଆକ୍ରମଣ, ଭିଡିଓ ହେଲା ଭାଇରାଲ
Claimed By :  Social Media User
Fact Check :  Unknown
Tags:    

Similar News