ଗତ ସପ୍ତାହ ହିମାଚଳ ପ୍ରଦେଶର ପ୍ରବଳ ତୁଷାରପାତ ହୋଇଥିବାର ଦେଖିବାକୁ ମିଳିଛି । ପ୍ରସାରିତ ଖବର ଅନୁଯାୟୀ, ମନାଲି ସମେତ ଅନେକ ସ୍ଥାନରେ ତୁଷାରପାତ ହୋଇଛି। ଏହାର ମଜା ନେଇଛନ୍ତି ପର୍ଯ୍ଯଟକ। ମନାଲିରେ ସଫେଦ ଚାଦରର ଆସ୍ତରଣ ବେଶ ମନୋରମ ପରିବେଶ ସୃଷ୍ଟି କରିଛି। ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଏହାର ମଜା ଉଠାଇଛନ୍ତି। ଦୁଇ ତିନି ଧରି ତୁଷାରପାତ ଜାରି ରହିବ ବୋଲି ସୂଚନା ମିଳିଛି। ସେହିପରି ସିମଳାରେ ବି ପ୍ରବଳ ତୁଷାରପାତ ଜାରି ରହିଛି। ଗତ କିଛି ବର୍ଷ ମଧ୍ୟରେ ଏପରି ବଡ଼ ଧରଣର ତୁଷାରପାତ ହୋଇ ନଥିଲା ବୋଲି କୁହାଯାଉଛି। ସେପଟେ ଦିଲ୍ଲୀରେ କିଛି ସ୍ଥାନରେ ବର୍ଷା ହୋଇଛି। ଶୀତ ସହ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ଉନ୍ନତି ଆସିଛି। ଆଜି ସକାଳୁ ଝିପିଝିପି ବର୍ଷା ଲାଗି ରହିଛି । ସେହିପରି ଚଣ୍ଡୀଗଡ଼, ଉଦ୍ଧମପୁରରେ ବି ବର୍ଷା ହୋଇଥିବାର ଉକ୍ତ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓଟି ଏକ ବରଫାଞ୍ଚଳର ହୋଇଥିବା ବେଳେ, ଗୋଟିଏ କାର୍ ତଳକୁ ଖସୁଥିବାରଦେଖିବାକୁ ମିଳିଛି । ଖସୁଥିବା କାର୍ ଟି ଆଉ ଏକ କାର୍ କୁ ଧକ୍କା ମାରିଥିବା ବେଳେ ଉକ୍ତ କାର୍ ଟି ବହୁ ତଳକୁ ଖସି ଓଲଟି ପଡ଼ିଥବାର ଦେଖିବାକୁ ମିଳିଛି ।
ଯାହାର ଆର୍କଆଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ସାତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଭିଡିଓଟି ତୁର୍କୀରେ ୨୦୨୫ ମସିହାର ଘଟଣାର ଅଟେ, ଉକ୍ତ ଭିଡିଓ ସହ ମନାଲିର ନାହିଁ କୌଣସି ସମ୍ପର୍କ ।
ଉକ୍ତ ଦାବି ନେଇ ଅନୁସନ୍ଧାନ କରିବାରୁ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ବିଭିନ୍ନ ଗଣମାଧ୍ୟମରେ ଏନେଇ କିଛି ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ପାଇଥିଲୁ ।
ପ୍ରସାରିତ ଖବର ଅନୁଯାୟୀ, ମନାଲିରେ ଏକ କାର ବରଫ ଉପରେ ଖସିପଡ଼ିବା ପରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି । ନାସୋଗି ଗାଁର ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏହି ଘଟଣା ଏବେ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହୋଇଛି । ଭିଡିଓରେ ଦେଖାଯାଉଛି ଯେ ଏକ ହୋଟେଲ ବାହାରେ ପାର୍କିଂ ହୋଇଥିବା ଏକ କାର ହଠାତ୍ ନ୍ୟୁଟ୍ରାଲ୍ରେ ଖସି ପଡ଼ିବା ପରେ ଆଗକୁ ଭାସି ଯାଉଛି । ରାସ୍ତାରେ ବରଫ ପଡ଼ିଥିବାରୁ ଗାଡ଼ିଟି ଖସିଯାଇଥିଲା, ଡ୍ରାଇଭର ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଖସି ପଡ଼ି ତାଙ୍କ ପାଦ ମଧ୍ୟ ହରାଇଥିଲେ । ଡ୍ରାଇଭର ସୁରକ୍ଷିତ ସ୍ଥାନକୁ ଯିବାରେ ସଫଳ ହୋଇଥିଲେ, କିନ୍ତୁ କାରଟି ଏକ ଖାଲରେ ପଡ଼ିଯାଇଥିଲା ଏବଂ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଡ୍ରାଇଭର ଗୁରୁତର ଆହତ ହୋଇଥିଲେ ହେ ଅଳ୍ପକେ ଜୀବନ ରକ୍ଷା ପାଇଯାଇଥିଲେ।
ହେଲେ ଭାଇରାଲ ଭିଡିଓଟି ପ୍ରସାରିତ ଭିଡିଓ ଠାରୁ ସମ୍ପୂର୍ଣ୍ଣ ଅଲଗା ଥିବାର ଦେଖିବାକୁ ପାଇଥିଲୁ ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା । ୨୯ ଡିସେମ୍ବର ୨୦୨୫ରେ ଉକ୍ତ ଭିଡିଓକୁ ଆନାଡୋଲୁ ଏଜେନ୍ସି ନାମକ ଏକ ସଂସ୍ଥା ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୨,୨୩୪ ଭିୟୁ ମିଳିପାରିଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓ ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।
ତେବେ ଭିଡିଓଟି ଅପଲୋଡ଼ କରି ଉକ୍ତ ଚ୍ୟାନେଲ ତୁର୍କୀ ଭାଷାରେ କିଛି ଲେଖିଥିବାର ଦେଖିବାକୁ ମିଳିଛି । ଯାହାକୁ ଅନୁବାଦ କରିବାରୁ ଜଣାଯାଏ ଏହା ମାଲାଟ୍ୟା ଅଞ୍ଚଳର ଅଟେ ।
ସେହିପରି ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର କିଛି ଖବର ହସ୍ତଗତ ହୋଇଥିଲା ।
ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ପ୍ରସାରିତ ଖବରରେ ଯେଉଁ ଫଟୋ ବ୍ୟବହାର ହୋଇଛି ତାହା ଭାଇରାଲ ଭିଡିଓର ଏକ ଅଂଶ ବୋଲି ଜାଣିବାକୁ ପାଇଥିଲୁ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ହେଉଥିବା ଭିଡିଓଟି ତୁର୍କୀରେ ୨୦୨୫ ମସିହାର ଘଟଣାର ଅଟେ । ଉକ୍ତ ଭିଡିଓ ସହ ମନାଲିର ନାହିଁ କୌଣସି ସମ୍ପର୍କ I