Fact Check: ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ସମୟରେ ପଡ଼ିରହିଛି ଖାଲି ଚେୟାର, ଭିଡିଓକୁ ଏଡିଟ୍ କରାଯାଇ ଭାଇରାଲ କରାଯାଇଛି

ମୋଦିଙ୍କ କର୍ତାର ନଗରରେ ଆୟୋଜିତ ସଭାର ଅଡିଓକୁ ଏଡିଟ୍ କରାଯାଇ ଖାଲି ପଡିଥିବା ଚେୟାର ଭିଡିଓ ସହ ଯୋଡି ଭାଇରାଲ କରାଯାଇଛି

Update: 2025-02-04 10:12 GMT

Edited Video of Empty Chairs During PM Modi’s Speech Goes Viral


ଦିନକ ପରେ ଦିଲ୍ଲୀ ନିର୍ବାଚନ, ସରଗରମ ହୋଇ ଉଠିଛି ଦିଲ୍ଲୀ ରାଜନୀତି । ତୃତୀୟ ଥର ସରକାର ଗଢ଼ିବାରେ ଆପ୍ ଦୃଢୋକ୍ତି ଦେଖାଇଛି । କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ମୋଦି ସରକାର ଆସିଲେ ସବୁ ବସ୍ତି ଭାଙ୍ଗିଦେବେ, ଲୋକଙ୍କୁ ହଇରାଣ କରିବେ । ମାଗଣା ଗାଡ଼ିଠୁ ଆରମ୍ଭ କରି ବିଜୁଳି, ପାଣି ସବୁ ବନ୍ଦ କରିଦେବେ । ଦିଲ୍ଲୀବାସୀଙ୍କ ଉପରେ ବୋଝ ବଢିଯିବ କହି ବିଜେପିକୁ ଟାର୍ଗେଟ୍‌ କରିଥିଲେ କେଜ୍ରିୱାଲ । ହେଲେ ଏହାର କଡ଼ା ଜବାବ ରଖିଛନ୍ତି ମୋଦି । କହିଛନ୍ତି, ଆମେ ପ୍ରତିଶ୍ରୁତି ଦେଉଛୁ ନିର୍ବାଚନ ଜିତିବା ପରେ ବି ଆମେ ଗୋଟିଏ ହେଲେ ଘର ଭାଙ୍ଗିବୁ ନାହିଁ । ଦିଲ୍ଲୀର ବିକାଶ ଆମର ଫୋକସ୍‌ ।

ଇତିମଧ୍ୟରେ ଏକ ୪୦ ସେକେଣ୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଏକ ସଭାର ଦୃଶ୍ୟ ହୋଇଥିବା ବେଳେ, ବହୁମାତ୍ରାରେ ଖାଲି ଚେୟାର ଦେଖାଯାଇଛି । କିଛି ସ୍ଥାନରେ ଭାଜପାର ପତାକା ମଧ୍ୟ ଲଗାଯାଇଛି । ଭିଡିଓରେ ପ୍ରଧାନମନ୍ତ୍ରୀଙ୍କ ସ୍ୱର ମଧ୍ୟ ଶୁଣିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ଉକ୍ତ ଭିଡିଓରେ କହୁଛନ୍ତି, ଆଜି ଏକ କାର୍ଯ୍ୟ ଦିବସ ହୋଇଥିଲେ ମଧ୍ୟ ଏତେ ବିଶାଳ ସଂଖ୍ୟାରେ ଏପରିକି ଦୁଇ ପହର ସମୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବାକୁ ଆସିଛନ୍ତି । ମୁ ହୃଦୟରୁ ଆପଣଙ୍କୁ କୃତଜ୍ଞତା ଜଣାଉଛି, କିନ୍ତୁ ଏ ଯେଉଁ ଦୃଶ୍ୟ ଅଛି ଏହା ଦିଲ୍ଲୀ ଜନାଦେଶର ଦର୍ଶନ କରାଉଛି । ଉକ୍ତ ଭିଡିଓଟି ପ୍ରଧାନମନ୍ତ୍ରୀ ଅଭିଭାଷଣ ଦେଉଥିବା ସମୟରେ ଏଭଳି ଖାଲି ଚେୟାର ଗୁଡିକ ପଡ଼ି ରହିଥିବା ଦାବି ହୋଇଛି ।

ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, मोदीजी की रैली में उमड़ा जन सैलाब देख केजरीवाल हुए परेशान ।

ଯାହାର ଓଡ଼ିଆ ଅନୁବାଦ ହେଉଛି, ମୋଦିଙ୍କ ଭାଷଣ ସମୟରେ ଜନସମାଗମ ଦେଖି କେଜ୍ରିୱାଲ ଚିନ୍ତା ପ୍ରକଟ କରିଛନ୍ତି । ଯାହାର ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି ।


ସତ୍ୟାସତ୍ୟ:

ଦାବିଟି ବିଭ୍ରାନ୍ତିକରକ, ଭାଇରାଲ ଭିଡିଓରେ ମୋଦିଙ୍କ ଅଭିଭାଷଣକୁ ଏଡିଟ୍ କରାଯାଇ ଭାଇରାଲ କରାଯାଉଛି । ଭିଡିଓଟି ମୋଦିଙ୍କ ଅଭିଭାଷଣ ସମୟରେ ରେକର୍ଡ କରାଯାଇ ନାହିଁ ।

ଭାଇରାଲ ଭିଡିଓକୁ ଯଦି ତର୍ଜମା କରି ଦେଖାଯାଏ, ସଭାରେ ପଡିଥିବା ଚେୟାରରେ କେହି ଜଣେ ମଧ୍ୟ ବସିନଥିବାର ଦେଖା ଯାଇଛି । ନିର୍ବାଚନ ପ୍ରଚାରର ସମୟ ଫୁଣି ପ୍ରଧାନମନ୍ତ୍ରୀଙ୍କ ସଭାରେ କେହି ଜଣେ ମଧ୍ୟ ଉପସ୍ଥିତ ନଥିବେ ଏହା ଅସମ୍ଭବ ପ୍ରାୟ ।

ସେହିପରି କିଛି ସ୍ଥାନରେ ସୁରକ୍ଷା କର୍ମୀ ମଧ୍ୟ କିଛି ଚେୟାରରେ ବସି ରହିଥିବାର ଦେଖିବାକୁ ମିଳିଛି, ଯେଉଁ ଦୃଶ୍ୟଟି ସଭା ଆରମ୍ଭର ବହୁ ପୂର୍ବରୁ କିମ୍ବା ପରେ ସମ୍ଭବପର । 


ଅଧିକ ତର୍ଜମା କରି ଦେଖାଯାଏ ଯେ, ସଭାସ୍ଥଳରେ କୌଣସି ମଧ୍ୟ ନେତା କିମ୍ବା ବ୍ୟକ୍ତି ଦୃଶ୍ୟମାନ ହେଉ ନାହାଁନ୍ତି, ଯାହା ଦର୍ଶାଉଛି ଏହା ସଭା ସମୟର ଭିଡିଓ ନୁହେଁ ।



ତଦନ୍ତ କରିବାକୁ ଯାଇ ଯେତେବେଳେ ଆମେ ନିର୍ବାଚନ ପ୍ରଚାର ନେଇ ବିଜେପି ନେତା ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀ ସଭା ନେଇ ଅନୁସନ୍ଧାନ କରିଥିଲୁ CNN News18ର ଏକ ଲାଇଭ ଭିଡିଓ ଲିଙ୍କ ହସ୍ତଗତ ହୋଇଥିଲା । ଭିଡିଓଟି ୨୯ ଜାନୁଆରୀ ୨୦୨୫ରେ ୟୁଟ୍ୟୁବରେ ଅପଲୋଡ଼ ହୋଇଥିବା ବେଳେ, ଏହା ଦିଲ୍ଲୀ କର୍ତାର ନଗର ଅଞ୍ଚଳର ବୋଲି ଉଲ୍ଲେଖ ରହିଛି ।

ଭିଡିଓର ପ୍ରଥମ ୨୮ ସେକେଣ୍ଡରେ ମୋଦୀ ଅଭିଭାଷଣ ଦେଇ କହିଛନ୍ତି, ଆଜି ଏକ କାର୍ଯ୍ୟ ଦିବସ ହୋଇଥିଲେ ମଧ୍ୟ ଏତେ ବିଶାଳ ସଂଖ୍ୟାରେ ଏପରିକି ଦୁଇ ପହର ସମୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବାକୁ ଆସିଛନ୍ତି । ମୁ ହୃଦୟରୁ ଆପଣଙ୍କୁ କୃତଜ୍ଞତା ଜଣାଉଛି, କିନ୍ତୁ ଏ ଯେଉଁ ଦୃଶ୍ୟ ଅଛି ଏହା ଦିଲ୍ଲୀ ଜନାଦେଶର ଦର୍ଶନ କରାଉଛି ।

Full View


ଉକ୍ତ ଅଡିଓଟି ଭାଇରାଲ ଭିଡିଓରେ ଶୁଣିବାକୁ ମିଳୁଛି ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ହେଉଥିବା ଭିଡିଓରେ ଦିଲ୍ଲୀ କର୍ତାର ନଗର ଅଞ୍ଚଳରେ ଆୟୋଜିତ ହୋଇଥିବା ସଭାରେ ନରେନ୍ଦ୍ର ମୋଦୀଙ୍କ ଅଡିଓକୁ ଏଡିଟ୍ କରାଯାଇ ବ୍ୟବହାର କରାଯାଇଚି ।

ଭାଇରାଲ ହେଉଥିବା ଭିଡିଓରେ ସେହି ସ୍ଥାନରେ ଖାଲି ଚେୟାର ଦୃଶ୍ୟମାନ ହେଉଥିବା ବେଳେ, ଲାଇଭ ଭିଡିଓରେ ଜନସମାଗମ ଦେଖିବାକୁ ମିଳିଛି ।


ସେହିପରି ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଉକ୍ତ ସଭାଟିକୁ ୨୯ ଜାନୁଆରୀ ୨୦୨୫ରେ ଲାଇଭ ଦେଖାଇଥିବା ବେଳେ ସେଥିରେ ମଧ୍ୟ ସମାନ ଭାଷଣ ସମୟରେ ପ୍ରବଳ ଜନସମାଗମ ହୋଇଥିବାର ଦେଖିବାକୁ ମିଳିଛି ।

Full View

ଅନ୍ୟପଟେ ଉକ୍ତ ସଭାରେ ଯେତେବେଳେ ମୋଦୀ ସଭାକୁ ଆସିଥିବା ଜନସମାଗମ କୁ ଧନ୍ୟବାଦ ଅର୍ପଣ କରିଛନ୍ତି ସେହି ସମୟରେ ଲାଇଭ ଭିଡିଓରେ ସଭାସ୍ଥଳକୁ ଦେଖାଯାଇଚି ଯେଉଁଥିରେ ବହୁ ବିଜେପି ନେତା ବସିଥିବାର ଦେଖିବାକୁ ମିଳିଛି ।


ଭାଇରାଲ ଭିଡିଓଟି କେଉଁ ସ୍ଥାନ ଏବଂ ସମୟରେ ରେକର୍ଡ କରାଯାଇଛି ତାହା ଜାଣିବାକୁ ମିଳୁନଥିବା ବେଳେ, ଭାଇରାଲ ଭିଡିଓରେ ଥିବା ଅଡିଓଟି ଚଳିତ ଦିଲ୍ଲୀ ନିର୍ବାଚନ ପ୍ରଚାରରେ କର୍ତାର ନଗର ଯାଇଥିବା ପ୍ରଧାନମନ୍ତ୍ରୀଙ୍କ ଅଡିଓ । ଲାଇଭ ଭିଡିଓରେ ସଭାସ୍ଥଳରେ ଜନସମାଗମ ହୋଇଥିବା ବେଳେ ଭାଇରାଲ ଭିଡିଓରେ ଖାଲି ଚେୟାର ଭିଡିଓକୁ ଦେଖାଇ ବିଭ୍ରାନ୍ତିକରକ ତଥ୍ୟ ସହ ସେୟାର କରାଯାଇଛି ।

୩୦ ଜାନୁଆରୀ ୨୦୨୫ରେ ଏକ ଖବର ପ୍ରସାରଣ କରି The New Indian Express, ଉଲ୍ଲେଖ କରିଛି ଯେ, କର୍ତାର ନଗରରେ ଆୟୋଜିତ ବିଜେପି ସଭାରେ ପ୍ରବଳ ଜନ ସମାଗମ ହୋଇଥିଲା । ଦୂରଦୂରାନ୍ତରୁ ମହିଳାମାନେ ମୋଦୀଙ୍କ ଅଭିଭାଷଣ ଶୁଣିବାକୁ ଏକତ୍ରିତ ହୋଇଥିଲେ । 

ଉକ୍ତ ଖବରରେ ଏକ ଫଟୋ ମଧ୍ୟ ପ୍ରସାରିତ ହୋଇଛି ଯେଉଁଥିରେ କିଛି ମହିଳା ବିଜେପି ପତାକା ଧରି ବସିଛନ୍ତି । ଫଟୋରେ ଉଲ୍ଲେଖ ରହିଛି, Supporters during a public meeting of Prime Minister Narendra Modi ahead of the Delhi Assembly elections, at Kartar Nagar in New Delhi.

ଯାହାର ଓଡ଼ିଆ ଅନୁବାଦ ହେଉଛି, ଦିଲ୍ଲୀ ନିର୍ବାଚନ ପ୍ରଚାରପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ତାର ନଗରର ଆସିଥିବା ବେଳେ ସେଠାରେ ଆୟୋଜିତ ସଭାରେ ଜନସମାଗମ ।



ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ । ମୋଦୀଙ୍କ କର୍ତାର ନଗରରେ ଆୟୋଜିତ ସଭାର ଅଡିଓକୁ ଏଡିଟ୍ କରାଯାଇ ଖାଲି ପଡିଥିବା ଚେୟାର ଭିଡିଓ ସହ ଯୋଡି ଭାଇରାଲ କରାଯାଇଛି ।  

 

Claim :  ଦିଲ୍ଲୀ ନିର୍ବାଚନ ପ୍ରଚାରର ଦୃଶ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ସମୟରେ ପଡ଼ିରହିଛି ଖାଲି ଚେୟାର
Claimed By :  Social media users
Fact Check :  Unknown
Tags:    

Similar News