ଫ୍ୟାକ୍ଟ ଚେକ୍: ଭାଇରାଲ ଫଟୋଟି ଅନ୍ୟୁନ୍ୟ ୨୦୨୦ ମସିହାର ଅଟେ, ଚଳିତ ବର୍ଷ ହେବାକୁଥିବା ବିହାର ନିର୍ବାଚନ ସହ ନାହିଁ କୌଣସି ସମ୍ପର୍କ

Claim :
ଭଙ୍ଗା ଚେୟାର ଦର୍ଶାଉଛି ବିହାରର ଜନତା ଏନଡିଏ ପ୍ରାର୍ଥୀଙ୍କ ଉପରେ କେତେ କ୍ରୋଧିତ ଅଛନ୍ତି ।Fact :
ଭାଇରାଲ ଫଟୋଟି ଅନ୍ୟୁନ୍ୟ ୨୦୨୦ ମସିହାର ଅଟେ । ଚଳିତ ବର୍ଷ ହେବାକୁଥିବା ବିହାର ନିର୍ବାଚନ ସହ ଉକ୍ତ ଫଟୋର ନାହିଁ କୌଣସି ସମ୍ପର୍କ ।
ବିହାର ବିଧାନସଭା ନିର୍ବାଚନ ପାଇଁ NDA ଆଜି ମିଳିତ ଇସ୍ତାହାର ପ୍ରକାଶ କରିଛି। ପ୍ରକାଶିତ ଖବର ଅନୁଯାୟୀ, ଇସ୍ତାହାରରେ ନିଯୁକ୍ତି ଏବଂ ଶିଳ୍ପ ବିକାଶ ଉପରେ ଧ୍ୟାନ ଦିଆଯାଇଛି । ବିଜେପି ସଭାପତି ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ର ମନ୍ତ୍ରୀ ଏବଂ HAM(S) ନେତା ଜିତନ ରାମ ମାଞ୍ଝି, କେନ୍ଦ୍ର ମନ୍ତ୍ରୀ ଏବଂ LJP-ରାମ ବିଳାସ ପାସୱାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ, RLM ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ଏବଂ ଅନ୍ୟମାନେ NDAର "ସଂକଳ୍ପ ପତ୍ର" ପ୍ରକାଶ କରିଛନ୍ତି । ଘୋଷଣାପତ୍ରରେ ଏକ ବିକଶିତ ବିହାର ପାଇଁ ୨୫ଟି ସଂକଳ୍ପ ରହିଛି। ପ୍ରତ୍ୟେକ ଯୁବକଙ୍କ ପାଇଁ ଚାକିରି ଏବଂ ନିଯୁକ୍ତିର ପ୍ରତିଶ୍ରୁତି। ୧ କୋଟିରୁ ଅଧିକ ସରକାରୀ ଚାକିରି, ନିଯୁକ୍ତିର ପ୍ରତିଶ୍ରୁତି ଦିଆଯାଇଛି। ବିହାରରେ ଏକ ବିଶ୍ୱସ୍ତରୀୟ କେନ୍ଦ୍ରର ପ୍ରତିଶ୍ରୁତି ଏବଂ ୫୦ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଏକ ଯୋଜନା କରାଯାଇଛି। ଗରିବ ପରିବାରର ସମସ୍ତ ପିଲାଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ଖାଦ୍ୟ ଏବଂ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବାର ଉଲ୍ଲେଖ ରହିଛି ।
ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଏକ ମଞ୍ଚ ସାମ୍ନାରେ ବହୁତ ଗୁଡ଼ିଏ ଚେୟାର ପଡିରହିଥିବାର ଦେଖିବାକୁ ମିଳିଛି । ମଞ୍ଚରେ ଭାରତୀୟ ଜନତା ପାର୍ଟିର ବହୁ ପ୍ରମୁଖ ନେତାଙ୍କ ଫଟୋ ଲାଗିଥିବାର ଦେଖିବାକୁ ମିଳିଛି ।
ଫଟୋଟି ଚଳିତବର୍ଷ ହେବାକୁଥିବା ବିହାର ନିର୍ବାଚନ ସହ ଯୋଡ଼ି ସୋସିଆଲ ମିଡିଆରେ ସେୟାର କରାଯାଇଥିବାର ଦେଖିବାକୁ ମିଳିଛି । ଭାଜପାର ସୋଚନୀୟ ପରାଜୟ ହେବାର ଏହି ଫଟୋ ଦେଖି ଜଣାପଡୁଛି ବୋଲି ୟୁଜର୍ସ ଦାବି କରିଛନ୍ତି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ହେଉଥିବା ଫଟୋଟି ଅନ୍ୟୁନ୍ୟ ୨୦୨୦ ମସିହାର ଅଟେ । ଚଳିତ ବର୍ଷ ହେବାକୁ ଥିବା ବିହାର ନିର୍ବାଚନ ସହ ଉକ୍ତ ଫଟୋର କୌଣସି ସମ୍ପର୍କ ନାହିଁ ।
ଭାଇରାଲ ଫଟୋର ସତ୍ୟତା ଜାଣିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ସର୍ଚ୍ଚ କରିଥିଲୁ । ତେବେ ନିକଟରେ ଏଭଳି କୌଣସି ଘଟଣା ବିହାରରେ ଘଟିଥିବାର ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ କୌଣସି ନା କୌଣସି ଗଣମାଧ୍ୟମ ନିଶ୍ଚିତ ପ୍ରସାରିତ କିମ୍ବା ପ୍ରକାଶିତ କରିଥାନ୍ତେ ।
ଭାଇରାଲ ଫଟୋକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ରିଭର୍ସ ଇମେଜ ଅନୁସନ୍ଧାନରୁ ଏକ ଫେସବୁକ ପୋଷ୍ଟ ହସ୍ତଗତ ହୋଇଥିଲା । ୨୭ ଅକ୍ଟୋବର ୨୦୨୦ରେ ଜଣେ ୟୁଜର୍ସ ଏକ ଫଟୋ ସେୟାର କରି ବିଜେପି ସରକାରକୁ ତାତ୍ସଲ୍ୟ କରିଥିଵାର ଦେଖିବାକୁ ମିଳିଛି । ସେହିପରି ଫଟୋରେ ଥିବା ବ୍ୟାନରେ ଜେନେରାଲ ମିଟିଙ୍ଗ ଏବଂ ତଳେ ମନୋଜ ଯାଦବ ଲେଖା ହୋଇଥିଲା ।
ଉକ୍ତ ଫଟୋଟି ଭାଇରାଲ ଫଟୋ ସହ ମେଳ ଖାଉଥିବା ବେଳେ ଉଭୟ ଫଟୋକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଫଟୋ ଗୋଟିଏ ସମୟର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।
ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ହେଉଥିବା ଫଟୋଟି ଅନ୍ୟୁନ୍ୟ ୨୦୨୦ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।
ଉକ୍ତ ଭଙ୍ଗାରୁଜା ନେଇ କୌଣସି ଖବରକାଗଜ, ଡିଜିଟାଲ ମିଡିଆ କିମ୍ବା ଅନ୍ୟ କୌଣସି ଗଣମାଧ୍ୟମରେ ପ୍ରସାରିତ ଖବର ଆମର ହସ୍ତଗତ ହୋଇନଥିଲା ।
ସେହିପରି ସେୟାର ବାଙ୍କାର ବିଜେପି ଯୁବମୋର୍ଚ୍ଚା ସଭାପତି ଏକ ଭିଡିଓ ପୋଷ୍ଟ କରିଥିଲେ । ଭିଡିଓରେ ଏକ ରାଜନୈତିକ ମଞ୍ଚ ଥିବା ବେଳେ ସେଥିରେ କିଛି ରାଜନୈତିକ ନେତା ଭାଷଣ ଦେଉଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓ ଏବଂ ଭାଇରାଲ ଫଟୋରେ ଥିବା ବ୍ୟାନର ଗୁଡ଼ିକ ମଧ୍ୟ ସମାନ ବୋଲି ଦେଖିବାକୁ ମିଳିଛି ।
ଅଧିକ ସୂଚନା ପାଇଁ ବିହାର ନିର୍ବାଚନ ପାଇଁ କାର୍ଯ୍ୟରତ ସାମ୍ବାଦିକ ହିମାଂଶୁ କୁମାରଙ୍କୁ ଯୋଗାଯୋଗ କରିଥିଲୁ । ହିମାଂଶୁଙ୍କ ସୂଚନା ଅନୁଯାୟୀ ଏଭଳି କୌଣସି ଘଟଣା ଚଳିତ ବର୍ଷ ବିହାରରେ ଘଟିନାହିଁ । ଯଦି ଘଟିଥାନ୍ତା ତେବେ ଆମେ ନିଶ୍ଚିତ ଖବର ପ୍ରସାରିତ କରିଥାନ୍ତୁ । ଅଧିକ ସୂଚନା ଦେବାକୁ ଯାଇ ହିମାଂଶୁ ଏହା ମଧ୍ୟ କହିଛନ୍ତି, ଭାଇରାଲ ହେଉଥିବା ଫଟୋଟି ବିହାରର ଅଟେ ହେଲେ ବହୁବର୍ଷ ପୁରୁଣା ଅଟେ ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ପୁରୁଣା ଫଟୋକୁ ବର୍ତ୍ତମାନର ବିହାର ନିର୍ବାଚନ ସହ ଯୋଡ଼ି କରାଯାଇଛି ସେୟାର । ଭାଇରାଲ ଫଟୋଟି ଅନ୍ୟୁନ୍ୟ ୨୦୨୦ ମସିହାର ହୋଇଥାଇପାରେ ।

