ଫ୍ୟାକ୍ଟ ଚେକ୍: ନୀତିଶଙ୍କ ପୁରୁଣା ଭିଡିଓକୁ ବର୍ତ୍ତମାନର ଭିଡିଓ ଲେଖି କରାଯାଇଛି ସେୟାର

Claim :
ନିକଟରେ ନୀତିଶ କୁମାର କହିଛନ୍ତି ଯେ, ସିଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିହାର ଏବଂ ଭାରତର ବିକାଶ ପାଇଁ ପୁନର୍ବାର ମୁଖ୍ୟମନ୍ତ୍ରୀ କରିବାକୁ ଚାହାଁନ୍ତି ।Fact :
ଭିଡିଓଟି ପାଟନାରେ ୨୦୨୪ ଲୋକସଭା ପ୍ରଚାର ସମୟରେ ଅଟେ । ନୀତିଶ କୁମାର ଭାଷଣ ସମୟରେ ଭୁଲ ବଶତଃ ଏହା କହିଥିଲେ, ଯାହାକୁ ସିଏ ପରେପରେ ସଂଶୋଧନ କରିଥିଲେ।
ପ୍ରଧାନମନ୍ତ୍ରୀ ବିହାରର ପୂର୍ଣ୍ଣିଆରେ ପ୍ରଥମ ବିମାନବନ୍ଦର ସମେତ ୩୬,୦୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବାକୁ ପହଞ୍ଚିଥିଲେ। ଏହି ସମୟରେ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀଙ୍କୁ ବିହାର ଏବଂ ଦେଶରେ କରୁଥିବା ବିକାଶମୂଳକ କାମ ପାଇଁ ଧନ୍ୟବାଦ ଜଣାଇଥିଲେ।
ସେ କହିଥିଲେ, "ମୁଁ କିଛି କହିବାକୁ ଚାହେଁ। ୨୪ ନଭେମ୍ବର ୨୦୦୫ରେ ଆମ ସରକାର ଗଠନ ହେବା ପୂର୍ବରୁ ବିହାରରେ କିଛି ନଥିଲା। ପୂର୍ବ ସରକାର କିଛି କରିନଥିଲା। ଆମେ ଆସିବା ପରେ, ନିରନ୍ତର ବିକାଶମୂଳକ କାମ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ବିହାର ପାଇଁ ବହୁତ କିଛି କରିଛନ୍ତି। ରାଜ୍ୟ ସରକାର ଆଗରୁ ଅନେକ ବିକାଶମୂଳକ କାମ କରୁଥିଲେ। ହେଲେ ପ୍ରଧାନମନ୍ତ୍ରୀଙ୍କ ସହାୟତା ପରେ ବିହାର ଏବେ ଦ୍ରୁତଗତିରେ ଆଗକୁ ବଢ଼ୁଛି। ତୁମେମାନେ କାହିଁକି ବସିଛ? ଦୟାକରି ଠିଆ ହୋଇ ତାଙ୍କୁ ଅଭିବାଦନ ଜଣାଅ।" ଏହା ଶୁଣି ଉପସ୍ଥିତ ଲୋକ ଉଠି ପଡ଼ିବା ସହ ହାତ ଯୋଡ଼ିବାକୁ ଲାଗିଥିଲେ। ଜନତାଙ୍କୁ ଏଭଳି ହାତ ଯୋଡି ପ୍ରଣାମ କରିବା ଦେଖି ପ୍ରଧାନମନ୍ତ୍ରୀ ମୋଦୀ ମଞ୍ଚ ଉପରୁ ହାତ ଯୋଡି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଯାହାର ଭଡିଓ ବିଭିନ୍ନ ରାଜନୈତିକ ମହଲରେ ଭିନ୍ନଭିନ୍ନ ମତ ସହ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି ।
ଇତିମଧ୍ୟରେ ନୀତିଶଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ନୀତିଶ କୌଣସି ଏକ ସଭାରେ ସମ୍ବୋଧିତ କରୁଥିଵାର ଦେଖିବାକୁ ମିଳିଛି । ଆଉକିଛି ରାଜନେତା ମଧ୍ୟ ସେଠାରେ ବସିଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓରେ ନୀତିଶ କୁମାର ମୋଦିଙ୍କୁ ତାତ୍ସଲ୍ୟ କରୁଥିବାର ଦାବି କରିଛନ୍ତି ୟୁଜର୍ସ । ଉକ୍ତ ଭିଡିଓକୁ ସେୟାର କରି ୟୁଜର୍ସ ଲେଖିଛନ୍ତି, "ନରେନ୍ଦ୍ର ମୋଦି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ଉଚିତ। ମୁଁ ଭାବୁନାହିଁ ଯେ, ନୀତିଶ କୁମାର ଭୁଲରେ ଏହା କହିଛନ୍ତି। ସେ ଏହା ମଧ୍ୟ କହୁଛନ୍ତି ଯେ, "ହେ ମୋଦି ଜୀ ପ୍ରଧାନମନ୍ତ୍ରୀ, ନୁହେଁ କି?" ନୀତିଶ କୁମାର ମଧ୍ୟ ଅମିତ ଶାହଙ୍କ ପରି ଏକ ସଙ୍କେତ ଦେଉଛନ୍ତି । ଯଦି ଏନଡିଏ ବହୁମତ ପାଏ ଏବଂ ମୋତେ ମୁଖ୍ୟମନ୍ତ୍ରୀ କରାନଯାଏ, ତେବେ କେନ୍ଦ୍ର ସରକାର ଅସୁବିଧାରେ ପଡ଼ିବ। ଯଦି ଏହା ହୁଏ, ତେବେ କେବଳ ମୋଦୀଜୀଙ୍କ ପାଇଁ ଗୁଜୁରାଟ ରହିବ। କାରଣ ଅମିତ ଶାହା ଏହା ମଧ୍ୟ କହିଥିଲେ ଯେ, ୨୦୨୫ ମସିହାରେ ବିହାର ନିର୍ବାଚନ ପରେ ନିର୍ବାଚିତ ବିଧାୟକମାନେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର କରିବେ ।
ଭାଇରାଲ ଭିଡିଓରେ ମଧ୍ୟ ନୀତିଶ ମୋଦି ମୁଖ୍ୟମନ୍ତ୍ରୀ ନିଶ୍ଚିତ ହେବା କଥା କହିଥିବାର ଶୁଣିବାକୁ ମିଳିଛି ।
ଯାହାର ଏକ ସ୍କ୍ରିନସଟ ତଳେ ଉପଲବ୍ଧ ରହିଛି
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଭିଡିଓଟିର ଚଳିତବର୍ଷ ହେବାକୁଥିବା ବିହାର ନିର୍ବାଚନ ସହ କୌଣସି ସାମଞ୍ଜସ୍ୟ ନାହିଁ । ନୀତିଶ କୁମାର ଏହା କହିଛନ୍ତି ସତ ହେଲେ ପରେପରେ ଏହାକୁ ସୁଧାରି ମଧ୍ୟ ଦେଇଛନ୍ତି ।
ବିହାର ନିର୍ବାଚନ ପ୍ରଚାର ସମୟରେ ନୀତିଶ ଏଭଳି ମନ୍ତବ୍ୟ ଦେବା ନେଇ ଅନୁସନ୍ଧାନ କରିଥିଲୁ । ହେଲେ ନିକଟରେ ନୀତିଶ ଏଭଳିକୌଣସି ମନ୍ତବ୍ୟ ଦେଇଥିବା ପାଇନଥିଲୁ । ଯଦି ଏଭଳି ମନ୍ତବ୍ୟ ନିକଟରେ ନୀତିଶ ଦେଇଥାନ୍ତେ ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମ ପ୍ରସାରିତ କିମ୍ବା ପ୍ରକାଶିତ କରିଥାନ୍ତେ ।
ଅଧିକ ଅନୁସନ୍ଧାନ କରିବାରୁ ଏକ ଇନଷ୍ଟାଗ୍ରାମ ପୋଷ୍ଟ ହସ୍ତଗତ ହୋଇଥିଲା । ୨୬ ମଇ ୨୦୨୪ରେ ଏକ ଭିଡିଓ ଆଜତକ୍ ନିଜ ସୋସିଆଲ ମିଡିଆ ପେଜ୍ ରେ ପୋଷ୍ଟ କରିଥିଵାର ଦେଖିବାକୁ ପାଇଥିଲୁ ।
ଯାହାର କ୍ୟାପସନରେ ଲେଖା ହୋଇଛି "ବିହାରର ପାଟନା ସାହିବ ଲୋକସଭା ନିର୍ବାଚନମଣ୍ଡଳୀର ଦାନିଆୱାନର ଏକ ସାଧାରଣ ରାଲିକୁ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜିଭ ଖସିଗଲା। ସେ କହିଥିଲେ, "ଆମେ ବିହାରର ସମସ୍ତ ୪୦ଟି ଆସନ ଏବଂ ସାରା ଦେଶରେ ୪୦୦ରୁ ଅଧିକ ଆସନ ଜିତିବାକୁ ଚାହୁଁଛୁ ଏବଂ ନରେନ୍ଦ୍ର ମୋଦି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ଉଚିତ।"
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟଙ୍କୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ସମୟର ଗୋଟିଏ ଘଟଣାର ବୋଲି ଜାଣିବାକୁ ପାଇଥିଲୁ ।
ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ହେଉଥିବା ଭିଡିଓଟି ଅନ୍ୟୁନ୍ୟ ୨୦୨୪ରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।
ଭିଡିଓର ଅଧିକ ତଦନ୍ତ କରିବାକୁଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ କିଛି ଗଣମାଧ୍ୟମର ପ୍ରସାରିତ ଖବର ଆମର ହସ୍ତଗତ ହୋଇଥିଲା ।
୨୬ ମଇ ୨୦୨୪ରେ ଏନଡିଟିଭି ନିଜ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓକୁ ଅପଲୋଡ଼ କରିଥିଵାର ଦେଖିବାକୁ ପାଇଥିଲୁ । ଉକ୍ତ ଭିଡିଓରେ ନୀତିଶଙ୍କ ଭାଇରାଲ ଭିଡିଓର ଅଂଶ ଥିବା ବେଳେ ପରେପରେ ନୀତିଶ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ କଥା କହିଛନ୍ତି ।
୨୯ ମଇ ୨୦୨୪ରେ ଏକ ଖବର ପ୍ରସାରଣ କରି ଏନଡିଟିଭି ଉଲ୍ଲେଖ କରିଛି, ୭୩ ବର୍ଷୀୟ ବୃଦ୍ଧଙ୍କ ଜିଭ ଖସିଯିବା ପରେପରେ ମଞ୍ଚରେ ଥିବା ଅନ୍ୟ ନେତାମାନେ ଧରି ପକାଇଲେ। ଅର୍ଥାତ କୌଣସି ଏକ ବାକ୍ୟ ଭୁଲ୍ ବଶତଃ ନୀତିଶ କହିଦେବାରୁ ମଞ୍ଚରେ ଥିବା ଅନ୍ୟକିଛି ନେତା ଏହାକୁ ସୁଧାରିଥିଲେ ।
ସେହିପରି ଆଉକିଛି ଗଣମାଧ୍ୟମ ଉକ୍ତକୁ ପ୍ରସାରିତ କରିଛନ୍ତି ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ୨୦୨୪ ମସିହାର ଅଟେ । ଯେଉଁଥିରେ ନୀତିଶ ଭୁଲ୍ ବଶତଃ ଏଭଳି କହିଦେଇଛନ୍ତି । ଏବଂ ପରେପରେ ଉକ୍ତ ଭୁଲ୍ କୁ ସୁଧାରି ମଧ୍ୟ ଦେଇଛନ୍ତି ।

