ଫ୍ୟାକ୍ଟ ଚେକ୍: ଯୋଗୀ ପ୍ରଧାନମନ୍ତ୍ରୀ ହେବା ଦାବିରେ ନାହିଁ କୌଣସି ସତ୍ୟତା, ବର୍ତ୍ତମାନ ସୁଦ୍ଧା ଏଭଳିକୌଣସି ଘୋଷଣା କରିନାହିଁ ବିଜେପି

Claim :
ବଡ଼ ଘୋଷଣା କଲା ବିଜେପି, ୨୦୨୯ ନିର୍ବାଚନରେ ଯୋଗୀ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ।Fact :
ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ପୋଷ୍ଟ ଏବଂ ଗ୍ରାଫିକ୍ସ ଟି ଫେକ୍ ଅଟେ । ପାର୍ଟି ପକ୍ଷରୁ ଏଭଳି କୌଣସି ଘୋଷଣା କରାଯାଇ ନାହିଁ ।
ବାଜିବ ରାଜ୍ୟସଭା ନିର୍ବାଚନ ବିଗୁଲ, କେଉଁ ଦଳରେ କିଏ ହେବ ପ୍ରାର୍ଥୀ, କେଉଁ ଦଳ କାହାକୁ କରିବ ସପୋର୍ଟ । ଏନେଇ ପ୍ରସାରିତ ଖବର ଅନୁଯାୟୀ, ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ, ନିର୍ବାଚନ ନେଇ ପ୍ରେସ୍ ନୋଟ୍ ଜାରି କରିଛନ୍ତି ଇସିଆଇ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ଫେବୃଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ, ୬ରେ ଯାଞ୍ଚ ହେବ । ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ । ସେହିଦିନ ଅପରାହ୍ଣ ୫ଟାରେ ହେବ ଭୋଟ୍ ଗଣତି ।
ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଭାଇରାଲ ପୋଷ୍ଟରେ ଥିବା ଏକ ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହାତ ଧରିଥିବାର ଦେଖିବାକୁ ମିଳିଛି । ଫଟୋ ଉପରେ ହିନ୍ଦୀରେ ଲେଖା ହୋଇଛି, ଭାଇ ଓ ଭଉଣୀ ମାନେ ୟେ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ୨୦୨୯ ନିର୍ବାଚନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ।
ଉକ୍ତ ଫଟୋ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଉକ୍ତ ପୋଷ୍ଟକୁ ବିଜେପି ପକ୍ଷରୁଏହି ଘୋଷଣା କରାଯାଇଛି ବୋଲି ଦାବି କରିଛନ୍ତି ।
ଯାହାର ଏକ ସ୍କ୍ରିନସଟ ତଳେ ଉପଲବ୍ଧ ରହିଛି I
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଏଭଳି କୌଣସି ଘୋଷଣା କରିନାହିଁ ଭାରତୀୟ ଜନତା ପାର୍ଟି ।
ଏନେଇ ଅନୁସନ୍ଧାନ କରିବାରୁ କୌଣସି ଗଣମାଧ୍ୟମରେ ଏନେଇ କୌଣସି ଖବର ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିବାର ପାଇନଥିଲୁ । ଯଦି ଏତେବଡ଼ ଘୋଷଣା ହୋଇଥାନ୍ତା ନିଶ୍ଚିତ ଭାବେ ସମସ୍ତ ଗଣମାଧ୍ୟମ ଏନେଇ ନିଶ୍ଚିତ ଖବର ପ୍ରସାରିତ କରିଥାନ୍ତେ ।
ସେହିପରି ଭାଜପାର ସୋସିଆଲ ମିଡିଆ ସାଇଟରୁ ଅନୁସନ୍ଧାନ କରିବାରୁ ଏଭଳିକୌଣସି ପୋଷ୍ଟ ହସ୍ତଗତ ହୋଇନଥିଲା । ଯଦି ଏଭଳି କୌଣସି ଘୋଷଣା ପାର୍ଟି ପକ୍ଷରୁ ହୋଇଥାନ୍ତା ତେବେ ନିଶ୍ଚିତ ଭାବେ ସୋସିଆଲ ମିଡିଆରେ ପାର୍ଟି ପକ୍ଷରୁ ପୋଷ୍ଟ କରାଯାଇଥାନ୍ତା ।
ଏନେଇ କିଛି ଭାରତୀୟ ଜନତା ପାର୍ଟିର ସକ୍ରିୟ ନେତାଙ୍କୁ ଯୋଗାଯୋଗ କରିଥିଲୁ I ନିଜର ନାମ ଗୋପନ ରଖି ନେତା ଜଣକ କହିଛନ୍ତି, ଏଭଳି କୌଣସି ଘୋଷଣା କରାଯାଇ ନାହିଁ I ତେବେ ଆଗାମୀ ନିର୍ବାଚନରେ ମଧ୍ୟ ଆମେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ ଦେଖିବାକୁ ଚାହୁଁଚୁ ବୋଲି କହିଛନ୍ତି ଉକ୍ତ ରାଜନେତା I
ଅଧିକ ଅନୁସନ୍ଧାନ କରିବାରୁ ୧ ଏପ୍ରିଲ୍ ୨୦୨୫ରେ ଇଣ୍ଡିଆ ଟୁଡେରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ହସ୍ତଗତ ହୋଇଥିଲା ।
ପ୍ରସାରିତ ରିପୋର୍ଟ ଅନୁଯାୟୀ, ବିଜେପି ଏବଂ ଆରଏସଏସ ଏହି କଳ୍ପନାଜଳ୍ପନାକୁ ସ୍ପଷ୍ଟ ଭାବରେ ଖାରଜ କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଥିଲେ, "୨୦୨୯ରେ, ଆମେ ମୋଦୀ ଜିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବରେ ଦେଖିବୁ।" ଉକ୍ତ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ଯେତେବେଳେ ଯୋଗୀଙ୍କୁ ମୋଦିଙ୍କ ଉତ୍ତରାଧିକାରୀ ହେବା ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ସେ ରାଜନୀତିକୁ ତାଙ୍କର ପୂର୍ଣ୍ଣକାଳୀନ ଚାକିରି ବୋଲି ବିଚାର କରନ୍ତି ନାହିଁ । ତାଙ୍କର ଭବିଷ୍ୟତ ରାଜନୈତିକ ସମ୍ଭାବନାକୁ ଖୋଲା ରଖି ସେ ଆହୁରି ମଧ୍ୟ କହିଥିଲେ, "ଯେପର୍ଯ୍ୟନ୍ତ ଆମେ ଏଠାରେ ଅଛୁ, ଆମେ କାମ କରୁଛୁ... ଏଥିପାଇଁ ମଧ୍ୟ ଏକ ସମୟ ସୀମା ରହିବ।"
ଏଥିରୁ ପ୍ରମାଣିତ ହୁଏ ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଯୋଗୀଙ୍କୁ ୨୦୨୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିଜେପି ଘୋଷଣା କରିଥିବା ଦାବିଟି ଫେକ୍ ଅଟେ । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଅନୁମାନ କରାଯାଉଛି । ତେବେ ଏନେଇ କୌଣସି ଅଫିସିଆଲ ନୋଟିସ ପାର୍ଟି ପକ୍ଷରୁ ଜାରି କରାଯାଇ ନାହିଁ ।

