ଫ୍ୟାକ୍ଟ ଚେକ୍ : ରାଞ୍ଚିରେ ଓଭର ବ୍ରିଜ ଉପରୁ ତଳକୁ ହାତୀ ପଡ଼ିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ

Claim :
ଓଭର ବ୍ରିଜ ଉପରୁ ତଳକୁ ପଡ଼ିଲା ହାତୀ, ଭାଇରାଲ ଭିଡିଓଟି ରାଞ୍ଚିର ଦୃଶ୍ୟFact :
ଭାଇରାଲ ଭିଡିଓରେ ନାହିଁ କୌଣସି ସତ୍ୟତା, ଉକ୍ତ ଭିଡିଓଟି ଏଆଇ ଦ୍ୱାରା ତିଆରି ହୋଇଥାଇ ପାରେ
ଜନ ସଂଖ୍ୟା ବଢିବା ସହ ଜଙ୍ଗଲ କ୍ଷୟ ଘଟିବାରେ ଲାଗିଛି । ତେଣୁ ବିଭିନ୍ନ ସ୍ଥାନରେ ଜଙ୍ଗଲୀ ଜୀଵ ମାନେ ସହର ମୁହାଁ ହେବାରେ ଦେଖିବାକୁ ମିଳିଛି । ଗତ କିଛିଦିନ ତଳେ ମେରାମଣ୍ଡଳି ସେକ୍ସନରେ ୨୬ଟିକିଆ ହାତୀ ପଲଙ୍କ ଉପଦ୍ରରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଥିଲେ । ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀ ସେକ୍ସସନ ମୋଟଙ୍ଗା ଥାନା ଅନ୍ତର୍ଗତ ନଗାରୀ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗାଁର ଯୁବକ କଷ୍ଟୁ ବେହେରା ଶୋଇଥିବା ବେଳେ ତାଙ୍କୁ ହାତୀ ଘର ଭିତରୁ ଘୋଷାଡ଼ି ନେଇ ଦଳି ଦେଇଥିବା ଵେଳେ, ଘଟଣା ସ୍ଥଳରେ କଷ୍ଟୁଙ୍କର ମୃତ୍ୟୁ ଘଟିଛି ।
ଇତି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ହାତୀ ରାସ୍ତା ଉପରେ ଏଣେତେଣେ ବୁଲୁଥିବାର ଦେଖାଯାଉଛି । ପରେପରେ ହାତୀଟି ନିକଟସ୍ଥ ଏକ ଓଭର ବ୍ରିଜ ଉପରୁ ତଳକୁ ଡେଇଁ ପଡୁଥିବାର ଉକ୍ତ ଭିଡିଓରେ ଦୃଶ୍ୟମାନ ହୋଇଛି । ଉକ୍ତ ଘଟଣାଟି ରାଞ୍ଚି ଅଞ୍ଚଳର ବୋଲି ସୋସିଆଲ ମିଡିଆରେ ୟୁଜର୍ସ ଦାବି କରିଛନ୍ତି ।
ଯାହାର ଆର୍କାଇଭ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ସାତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଏଭଳି କୌଣସି ଘଟଣା ରାଞ୍ଚିରେ ଘଟିନାହିଁ । ଭାଇରାଲ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ହୋଇଥାଇ ପାରେ ।
ଦାବିର ଅନୁସନ୍ଧାନ କରିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ ।
ବିଗତ ପ୍ରାୟ ୭ ଦିନ ତଳେ ଏକ ହାତୀ ରାଞ୍ଚିର ବିଭିନ୍ନ ସହରାଞ୍ଚଳରେ ବୁଲୁଥିବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାର ଆମର ହସ୍ତଗତ ହୋଇଥିଲା । ବିଭିନ୍ନ ଗଣମାଧ୍ୟମରେ ବିଭିନ୍ନ ସହର ଏବଂ ଅଞ୍ଚଳର ଦୃଶ୍ୟ ପ୍ରସାରିତ ହୋଇଥିବା ବେଳେ, ଭାଇରାଲ ଭିଡିଓର କୌଣସି ଅଂଶ ଦେଖିବାକୁ ପାଇନଥିଲୁ ।
ଯଦି ଏତେ ବିଶାଳ ହାତୀ କୌଣସି ଓଭର ବ୍ରିଜ ଉପରୁ ପଡ଼ିଥାନ୍ତା ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ଜାତୀୟ ଏବଂ ପ୍ରମୁଖ ଗଣମାଧ୍ୟମରେ ଉକ୍ତ ଖବରଟି ପ୍ରକାଶିତ କିମ୍ବା ପ୍ରସାରିତ ହୋଇଥାନ୍ତା ।
ଅଧିକ ସୂଚନା ପାଇଁ ରାଞ୍ଚିର ସ୍ୱାଧୀନ ଭାବେ କାର୍ଯ୍ୟରତ ସାମ୍ବାଦିକ ତୁଷାର ମୁଣ୍ଡାଙ୍କୁ ଯୋଗାଯୋଗ କରିଥିଲୁ । ତୁଷାର ଉକ୍ତ ଦାବିକୁ ସିଧାସଳଖ ଭାବେ ଭୁଲ ବୋଲି ଦର୍ଶାଇଥିଲେ । ଯଦି ଏତେବଡ଼ ଘଟଣା ରାଞ୍ଚି ଅଞ୍ଚଳରେ ଘଟିଥାନ୍ତା ଉକ୍ତ ଖବରକୁ ଆମେ ନିଶ୍ଚିତ ପ୍ରସାରନ କରିଥାନ୍ତୁ ବୋଲି କହିଥିଲେ ତୁଷାର । ସେହିପରି ନିକଟରେ କଣ ବିଗତ ଦିନରେ ଏଭଳି କୌଣସି ଘଟଣା ବା ଦୃଶ୍ୟ ରାଞ୍ଚିରେ ଘଟିନାହିଁ ବୋଲି ଦୃଢ଼ ଭାବେ ଜଣାଇଥିଲେ ତୁଷାର ।
ଭାଇରାଲ ଭିଡିଓକୁ ଯଦି ତର୍ଜମା କରି ଦେଖାଯାଏ ଉକ୍ତ ଭିଡିଓଟିର ବହୁ ଅଂଶ ଅପ୍ରାକୃତିକ ଭାବେ ଦୃଶ୍ୟମାନ ହେଉଛି । ଯେପରିକି, ଓଭରବ୍ରିଜ ଉପରେ ଏତେ ବଡ଼ ହାତୀ ଠିଆ ହୋଇଛି ହେଲେ ଏହାକୁ ଦେଖିବାକୁ ସେଠାରେ କୌଣସି ଭିଡ ନାହିଁ । ହାତୀ ନିକଟରେ ଗାଡ଼ି ଗୁଡିକ ସ୍ୱାଭାବିକ ଭାବେ ଯାତାୟାତ କରୁଥିବାର ଦେଖିବାକୁ ମିଳୁଛି । ଗାଡ଼ିରେ ବସିଥିବା ବ୍ୟକ୍ତି ମାନେ ମଧ୍ୟ ହାତୀ ଆଡ଼କୁ ଦେଖୁନଥିବାର ଦେଖାଯାଇଛି ।
ସେହିପରି ହାତୀଟି ଯେତେବେଳେ ତଳେ ପଡୁଛି ତଳେ ଯାଉଥିବା ଗାଡିଟିର ବିଶେଷ କ୍ଷତି ହୋଇନାହିଁ । ଯାହାକି ଅସମ୍ଭବ ପ୍ରାୟ ହାତୀଟି ତଳେ ପଡିବା ପରେ ମଧ୍ୟ କୌଣସି ରକ୍ତ ବାହାରୁଥିବାର ଦେଖାଯାଉ ନାହିଁ । ଏସବୁ ଡିଜିଟାଲ ଭାବେ ତିଆରି ଆଡ଼କୁ ସୁଚାଉଅଛି ।
ଉକ୍ତ ଭିଡିଓକୁ ନେଇ ସାଇଟ ଇଞ୍ଜିନରେ ପରୀକ୍ଷା କରିଥିଲୁ । ବ୍ରିଜ ଉପରୁ ହାତୀ ଡେଇଁ ପଡୁଥିବା ଭିଡିଓଟି ୬୯% ଏଆଇ ଦ୍ୱାରା ନିର୍ମିତ ବୋଲି ରିପୋର୍ଟ ପ୍ରକାଶ କରିଥିଲା ସାଇଟ ଇଞ୍ଜିନ I
ଅନ୍ୟପଟେ ସହରଭିତରକୁ ପଶି ଆସିଥିବା ହାତୀକୁ ବନ କର୍ମଚାରୀ ସୁରକ୍ଷିତ ଭାବେ ଜଙ୍ଗଲ ଆଡ଼କୁ ପଠାଇ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଝାଡ଼ଖଣ୍ଡ ବନ ବିଭାଗ ।
ଏଥିରୁ ଜଣାଯାଏ ଯେ ହାତୀର ମୃତ୍ୟୁ ଘଟିନାହିଁ, ତାହାକୁ ସୁରକ୍ଷିତ ଭାବେ ବନ କର୍ମଚାରୀ ଦ୍ୱାରା ଜଙ୍ଗଲ ଆଡ଼କୁ ଛାଡି ଦିଆଯାଇଛି ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ନିକଟ ଦିନରେ ରାଞ୍ଚିରେ ହାତୀ ଉପଦ୍ରବ ହୋଇଛି ସତ ହେଲେ ଓଭରବ୍ରିଜ ଉପରୁ ତଳକୁ ପଡିବା ଭଳି କୌଣସି ଘଟଣା ଘଟିନାହିଁ ।

