ଫ୍ୟାକ୍ଟ ଚେକ୍: କଂଗ୍ରେସକୁ କଟାକ୍ଷ କରିଥିବା ଲାଲୁ ପ୍ରସାଦ ଯାଦବଙ୍କ ଭିଡିଓଟି ୨୦୨୧ ମସିହାର ଅଟେ, ଆଗାମୀ ବିହାର ନିର୍ବାଚନ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ
ଦାବିଟି ବିଭ୍ରାନ୍ତିକର ଅଟେ । କଂଗ୍ରେସକୁ କଟାକ୍ଷ କରୁଥିବା ଲାଲୁଙ୍କ ଭାଇରାଲ ଭିଡିଓଟି ୨୦୨୧ ମସିହାର ଅଟେ । ଆଗାମୀ ବିହାର ନିର୍ବାଚନ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।

Claim :
ବିହାର ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସକୁ କଟାକ୍ଷ କରିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ଯାଦବFact :
ଦାବିଟି ବିଭ୍ରାନ୍ତିକର ଅଟେ, ଲାଲୁଙ୍କ ଭାଇରାଲ ଭିଡିଓଟି ୨୦୨୧ ମସିହାର ଅଟେ
ବିହାର ନିର୍ବାଚନରେ ଏନଡିଏ ମେଣ୍ଟରେ ବିଗ୍ ବ୍ରଦର ଭୂମିକା ନେଇପାରେ ଜେଡିୟୁ । ଏନଡିଏରେ ଆସନ ବୁଝାମଣା ଏକ ପ୍ରକାର ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଥିବାର ଖବର ପ୍ରକାଶ ପାଇଛି । ପ୍ରକାଶିତ ଖବର ଅନୁଯାୟୀ, ୨୪୩ ଆସନ ବିଶିଷ୍ଟ ବିଧାନସଭା ଲାଗି ସମ୍ଭବତଃ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଆସନ ବୁଝାମଣା ସଂକ୍ରାନ୍ତ ଘୋଷଣା କରିପାରେ ଏନଡିଏ । ଦ୍ବିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ବିହାର ଗସ୍ତ କାର୍ଯ୍ୟକ୍ରମ ପରେ ଆସନ ବୁଝାମଣା ଘୋଷଣା ହେବ ବୋଲି ସୂଚନା ମିଳିଛି । ଜେଡିୟୁ ୧୦୨, ବିଜେପି ୧୦୧, ଚିରାଗ ପାଶଓ୍ବାନଙ୍କ ଲୋକଜନଶକ୍ତି ପାର୍ଟି (ରାମବିଳାସ) ୨୦ ଆସନରେ ଲଢିପାରନ୍ତି । ସେହିପରି ଜିତନରାମ ମାନଝିଙ୍କ ହିନ୍ଦୁସ୍ତାନୀ ଆଓ୍ବାମି ମୋର୍ଚ୍ଚା ହାମ-ଏସ ଏବଂ ଉପେନ୍ଦ୍ର କୁସବାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୧୦ଟି ଲେଖାଏଁ ଆସନ ପାଇବା ଏକ ରକମ ଚୂଡ଼ାନ୍ତ ହୋଇଥିବା କୁହାଯାଉଛି । ଉପେନ୍ଦ୍ର ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ଗତ ବିଧାନସଭା ନିର୍ବାଚନରେ ଜେଡିୟୁ ୧୧୫ ଆସନରେ ଲଢି ୪୩ ଆସନ ପାଇଥିଲା । ବିଜେପି ୧୧୦ ଆସନରେ ଲଢି ପାଇଥିଲା ୭୪ ଆସନ । ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଆରଜେଡି ୭୫ ଆସନ ପାଇଥିଲା ।
ଇତିମଧ୍ୟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଲାଲୁ କଂଗ୍ରେସକୁ କଟାକ୍ଷ କରୁଥିବାର ଶୁଣିବାକୁ ମିଳିଛି । କଂଗ୍ରେସ ଏବଂ ଗଠବନ୍ଧନକୁ ନେଇ ଲାଲୁ ତୀବ୍ର ଅସନ୍ତୋଷ ଥିବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି ସୋସିଆଲ ମିଡିଆରେ ଦାବି କରିଛନ୍ତି ୟୁଜର୍ସ ।
ଯାହାର ଏକ ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି I
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ, ଲାଲୁଙ୍କ ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୧ ମସିହାର ଅଟେ । ଆଗାମୀ ବିହାର ନିର୍ବାଚନ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ ନିକଟ ଦିନରେ ଆରଜେଡି ସୁପ୍ରିମୋ ଏଭଳି କୌଣସି ମନ୍ତବ୍ୟ ଦେଇଥିବାର ଦେଖିବାକୁ ପାଇନଥିଲୁ । ଯଦି ଏଭଳି ମନ୍ତବ୍ୟ ଲାଲୁ ଦେଇଥାନ୍ତେ ତେବେ ନିଶ୍ଚିତଭାବେ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମରେ ପ୍ରସାରିତ ନଚେତ ପ୍ରକାଶିତ ହୋଇଥାନ୍ତା ।
ଅଧିକ ଅନୁସନ୍ଧାନ କରିବାକୁ ଯାଇ ବିହାରର ଜଣେ ସାମ୍ବାଦିକ ହିମାଂଶୁ କୁମାରଙ୍କୁ ଯୋଗାଯୋଗ କରିଥିଲୁ । ଉକ୍ତ ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ ହିମାଂଶୁ । ଏଭଳି କୌଣସି ମନ୍ତବ୍ୟ ନିକଟ ଦିନରେ ଲାଲୁ ଦେଇ ନାହାଁନ୍ତି ବୋଲି ହିମାଂଶୁ କହିଥିଲେ । ଅନ୍ୟପଟେ ଉକ୍ତ ଭିଡିଓଟି ବହୁ ବର୍ଷ ପୂର୍ବର ଭିଡିଓ ବୋଲି ହିମାଂଶୁ ଜଣାଇଥିଲେ ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।
ଅନୁସନ୍ଧାନରୁ ଏକ ୟୁଟ୍ୟୁବ ଲିଙ୍କ୍ ହସ୍ତଗତ ହୋଇଥିଲା । ୨୫ ଅକ୍ଟୋବର ୨୦୨୧ରେ ଉକ୍ତ ଭିଡିଓକୁ ଏନଡିଟିଭି ଇଣ୍ଡିଆ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓ ଅପଲୋଡ଼ କରି ଏନଡିଟିଭି ଉଲ୍ଲେଖ କରିଛି, ବିହାର ଉପ ନିର୍ବାଚନରେ ଲାଲୁଙ୍କ ପ୍ରତିକ୍ରିୟା ପରେପରେ ଗଠବନ୍ଧନରେ ଏକ ଫାଟ ସୃଷ୍ଟି ହୋଇଥିବାର ପରିଲକ୍ଷିତ ହୋଇଛି ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓଟି ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଘଟଣାର ଗୋଟିଏ ସମୟର ବୋଲି ଜାଣିବାକୁ ପାଇଥିଲୁ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓଟି ଅନ୍ୟୁନ୍ୟ ୨୦୨୧ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।
ଉକ୍ତ ଘଟଣାକୁ ନେଇ ଟାଇମ୍ସ ନାଓ ଏକ ବିସ୍ତୃତ ଖବର ପ୍ରକାଶିତ କରିଥିଵାର ଦେଖିବାକୁ ମିଳିଛି ।
ଉକ୍ତ ଖବରଟିକୁ ୨୪ ଅକ୍ଟୋବର ୨୦୨୧ରେ ପ୍ରକାଶିତ କରି ଟାଇମ୍ସ ନାଓ ଉଲ୍ଲେଖ କରିଛି । ଅକ୍ଟୋବର ୩, ୨୦୨୧ରେ, କୁଶେଶ୍ୱର ଆସ୍ଥାନ ଉପନିର୍ବାଚନ ପୂର୍ବରୁ କଂଗ୍ରେସ ଆରଜେଡିକୁ ଚେତାଇଥିଲା ଦେଇଥିଲା, ଯଦି ଦଳ ତାର ପ୍ରାର୍ଥୀ ଗଣେଶ ଭାରତୀଙ୍କୁ ପ୍ରତ୍ୟାହାର ନକରେ, ତେବେ କୁଶେଶ୍ୱର ଆସ୍ଥାନ ଏବଂ ତାରାପୁର ବିଧାନସଭା ଆସନରେ ଆରଜେଡି ବିରୋଧରେ ପ୍ରାର୍ଥୀ ଦେବ ବୋଲି ଧମକ ଦେଇଥିଲା। ଅନ୍ୟପଟେ କଂଗ୍ରେସ ସହିତ ପରାମର୍ଶ ନକରି ଆରଜେଡି ଉଭୟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। କିଛି ଦିନର ନୀରବତା ପରେ, କଂଗ୍ରେସ ଦୁଇଟି ଆସନ ପାଇଁ ନିଜର ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଥିଲା।
ସେହିପରି ଉକ୍ତ ଘଟଣାକୁ ନେଇ ଏନଡିଟିଭି ଏବଂ ଇଣ୍ଡିଆ ଟିଭି ଭଳି ବହୁ ପ୍ରମୁଖ ଗଣମାଧ୍ୟମ ୨୦୨୧ ମସିହାରେ ସମାନ ସୂଚନା ସହ ଖବର ପ୍ରକାଶିତ କରିଥିଵାର ଦେଖିବାକୁ ମିଳିଛି ।
ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ଦାବିଟି ବିଭ୍ରାନ୍ତିକର ଅଟେ । କଂଗ୍ରେସକୁ କଟାକ୍ଷ କରୁଥିବା ଲାଲୁଙ୍କ ଭାଇରାଲ ଭିଡିଓଟି ୨୦୨୧ ମସିହାର ଅଟେ । ଆଗାମୀ ବିହାର ନିର୍ବାଚନ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।

