ଫ୍ୟାକ୍ଟ ଚେକ୍: ଚଳିତବର୍ଷ ପୁରୀରେ ରଥଯାତ୍ରା ସମୟରେ ଶରଧା ବାଲିରେ ଦଳାଚକଟା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି
ଦାବିରେ ନାହିଁ କୌଣସି ସତ୍ୟତା । ପ୍ରସାରିତ ଖବର ଅନୁଯାୟୀ, ଚଳିତ ମାସ ୨୯ ତାରିଖ ପାହାନ୍ତା ପ୍ରାୟ ସାଢ଼େ ୪ଟା ସମୟରେ ରଥାରୂଢ ଠାକୁରଙ୍କ ଦର୍ଶନ କରିବାକୁ ଆସି ୩ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି ।

Claim :
ରଥଯାତ୍ରାରେ କେହି ମୃତ୍ୟୁବରଣ କରି ନାହାଁନ୍ତିFact :
ଚଳିତବର୍ଷ ପୁରୀରେ ରଥଯାତ୍ରା ସମୟରେ ଦଳାଚକଟା ହୋଇ ଶରଧା ବାଲିରେ ୩ଜଣଙ୍କ ମୃତ୍ୟୁ ଘଟିଛି
ଶ୍ରୀକ୍ଷେତ୍ରରେ ସରିଲା ହେରାପଞ୍ଚମୀ ନୀତି । ଆଜି ହେବ ବାହୁଡ଼ା ପ୍ରସ୍ତୁତି । ତିନି ରଥର ଦକ୍ଷିଣ ମୋଡ଼ କରାଯିବ । ବିଳମ୍ବିତ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ମହାଲକ୍ଷ୍ମୀ । ମହାପ୍ରଭୁଙ୍କ ଦର୍ଶନ ନପାଇ ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିଲେ ରଥ । ରାଗ ଜର୍ଜରିତ ହୋଇ ଫେରି ଆସିଲେ ଶ୍ରୀମନ୍ଦିର । ମହାପ୍ରଭୁ ସୁସ୍ଥ ହେବା ପରେ ନବବିବାହିତା ଧର୍ମପତ୍ନୀ ମହାଲକ୍ଷ୍ମୀଙ୍କୁ ଛାଡି ବଡ଼ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ସେଥିପାଇଁ ମହାଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି । ହେରାପଞ୍ଚମୀ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ ମହାଲକ୍ଷ୍ମୀ । କିନ୍ତୁ ମହାପ୍ରଭୁଙ୍କ ଭେଟ ନପାଇ ରାଗରେ ଅଭିମାନ କରିଥିଲେ ମହାଲକ୍ଷ୍ମୀ । ରାଗ ଜର୍ଜରିତ ଅଭିମାନିନୀ ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିଥିଲେ । ଏହାପରେ ଅଭିମାନିନୀ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗି ବଡଦାଣ୍ଡ ଓ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରସ୍ଥାନ କରିଥିଲେ । ମହାପ୍ରଭୁଙ୍କ ଏହି ନୀତିକାନ୍ତି ଦେଖିବା ପାଇଁ ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ଅଞ୍ଚଳରେ ପ୍ରବଳ ଭକ୍ତ ରୁଣ୍ଡ ହୋଇଥିଲେ ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ରଥଟଣା ହେଉଥିବା ବେଳେ ପଛପାର୍ଶ୍ୱରେ ଶ୍ରୀମନ୍ଦିର ଦେଖାଯାଉଛି । ତେଣୁ ଏହା ପୁରୀ ରଥଯାତ୍ରା ସମୟର ବୋଲି ଜଣାପଡୁଛି । ଉକ୍ତ ଭିଡିଓ ସେୟାର କରି ଜଣେ ୟୁଜର୍ସ ଉଲ୍ଲେଖ କରିଛନ୍ତି, ଏଠାରେ କାହାରି ମୃତ୍ୟୁବରଣ ହୋଇନାହିଁ ।
ଯାହାର ସ୍କ୍ରିନସଟ୍ ତଳେ ମଧ୍ୟ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଚଳିତ ମାସ ୨୯ ତାରିଖ ପାହାନ୍ତା ପ୍ରାୟ ସାଢ଼େ ୪ଟା ସମୟରେ ରଥାରୂଢ ଠାକୁରଙ୍କ ଦର୍ଶନ କରିବାକୁ ଆସି ୩ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି ।
ଉକ୍ତ ଦାବିର ତଦନ୍ତ କରିବାକୁ ଯାଇ ଯେତେବେଳେ ଆମେ ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଥିଲା ।
୧ ଜୁଲାଇ ୨୦୨୫ରେ ଏକ ଡିଜିଟାଲ ଗଣମାଧ୍ୟମ ଏକ ଭିଡିଓ ପୋଷ୍ଟ କରି ଉଲ୍ଲେଖ କରିଛି, ପୁରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ IAS ଅନୁ ଗର୍ଗ ! ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ରଥଯାତ୍ରା ଦଳାଚକଟା ଘଟଣାର ତଦନ୍ତ କରୁଛନ୍ତି ।
ଉକ୍ତ ଭିଡିଓରେ ବରିଷ୍ଠ ଆଇଏଏସ ଅଫିସର ଜଣଙ୍କ କହିଛନ୍ତି, ପୁରୀରେ ଘଟିଥିବା ଅଘଟଣର ଅନୁସନ୍ଧାନ ନିମନ୍ତେ ମୁ ପୁରୀ ଆସିଛି । ଉକ୍ତ ଅଘଟଣ ପଛରେ କେଉଁ କାରଣ ଥିଲା ତାହାର ତଦନ୍ତ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ।
ଏଥିରୁ ଜଣାଯାଏ ଯେ, ପୁରୀରେ ରଥଯାତ୍ରା ସମୟରେ କୌଣସି ଏକ ଅଘଟଣ ନିଶ୍ଚିତ ଘଟିଛି ଯାହାଦ୍ୱାରା ଜଣେ ବରିଷ୍ଠ ଆଇଏଏସ ଅଫିସରଙ୍କୁ ସରକାର ତଦନ୍ତ ନିମନ୍ତେ ପୁରୀ ପଠାଇଛନ୍ତି ।
ସେହିପରି ଓଟିଭି ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛି, ପୁରୀ ଦଳାଚକଟା ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ନୋଟିସ୍, ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଜବାବ ତଲବ କଲେ କମିଶନ । ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ I
ଉକ୍ତ ଘଟଣାର ଏକ ବିସ୍ତୁତ ଖବର ପ୍ରସାରଣ କରି ଜୁନ ୨୯ରେ ସମାଜ ଉଲ୍ଲେଖ କରିଛି, ରଥ ଚାରିକଡ଼ରେ କର୍ଡନ ବଡ଼ କରାଯାଇଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ଥାନ ସଙ୍କୁଚିତ ହୋଇଥିଲା। ଯେଉଁଥିପାଇଁ ଅଳ୍ପ ଅଞ୍ଚଳରେ ଶ୍ରଦ୍ଧାଳୁମାନେ ଚଳପ୍ରଚଳ କରିପାରି ନ ଥିଲେ। ଭିଡ଼ ବଢ଼ିଥିଲା। ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ପୃଥକ ବାଟ ରଖାଯାଇ ନ ଥିଲା। ଶ୍ରଦ୍ଧାଳୁମାନେ ଯେଉଁ ବାଟେ ଯାଉଥିଲେ, ସେହି ବାଟେ ଫେରୁଥିଲେ। ଯାହାଫଳରେ ଶରଧାବାଲି ଜାମ୍ ହୋଇଯାଇଥିଲା। ଭୋର ୪ଟା ବେଳେ ଅନ୍ଧାର ଥିଲା। ସେଠାରେ ପ୍ରଶାସନ ପକ୍ଷରୁ କୌଣସି ଆଲୋକ ବ୍ୟବସ୍ଥା ବି କରାଯାଇ ନ ଥିଲା। ଶ୍ରଦ୍ଧାଳୁମାନେ କିଏ କେଉଁଆଡ଼େ ଯିବେ ତାହା ଜାଣିପାରି ନ ଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜୀଉଙ୍କ ପହୁଡ଼ କେତେବେଳେ ପଡ଼ିବ ଏବଂ କେତେବେଳେ ଖୋଲିବ ତାହା ଘୋଷଣା କରାଯିବାର ବ୍ୟବସ୍ଥା ରହିଛି। କିନ୍ତୁ ତାହା କରାଯାଇ ନ ଥିଲା। ରଥ ସମ୍ମୁଖରେ ଶ୍ରଦ୍ଧାଳୁ ଶୋଇବା କିମ୍ବା ବସିବା ଅନୁଚିତ। ମାତ୍ର ସ୍ଥାନ ଅଭାବରୁ ଶ୍ରଦ୍ଧାଳୁମାନେ ରଥ ସମ୍ମୁଖରେ ଶରଧାବାଲିରେ ଶୋଇଥିବା ଦେଖାଯାଇଥିଲା।
ସେହିପରି ନନ୍ଦିଘୋଷ ଟିଭି ନିଜ ୱେବସାଇଟରେ ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି । ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା । ତିନି ଭକ୍ତଙ୍କ ଜୀବନ ଯାଇଛି । ସେମାନଙ୍କ ଭିତରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକମାନେ ହେଲେ ଖୋର୍ଦ୍ଧା ଗୋବର୍ଦ୍ଧନପୁର ଅଞ୍ଚଳର ବାସନ୍ତୀ ସାହୁ , ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣା ଅଠାନ୍ତର ଅଞ୍ଚଳର ପ୍ରଭାତୀ ଦାସ। ତେବେ ପ୍ରଶାସନର ଅପାରଗତା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହେଉଛି । ଏଭଳି ଅଘଟଣ ପାଇଁ କିଏ ଦାୟୀ ? ଏହାକୁ ନେଇ ଏବେ ସବୁଠି ନିନ୍ଦା କରାଯାଉଛି । ସେପଟେ ମେଡିକାଲ ପରିସରରେ ନିଜର ଆତ୍ମୀୟ ପରିଜନଙ୍କୁ ହରାଇ ମର୍ମାହତ ହୋଇଛନ୍ତି ପରିବାର ଲୋକେ ।
ସେହିପରି ବିଭିନ୍ନ ଗଣମାଧ୍ୟମ ଉକ୍ତ ଖବରକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି, ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ଉକ୍ତ ଘଟଣା ନେଇ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଦେଇଥିବାର ଦେଖିବାକୁ ମିଳିଛି, ଯେଉଁଥିରେ ଉଲ୍ଲେଖ ରହିଛି । ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଜନିତ ଠେଲାପେଲା କାରଣରୁ ଘଟିଥିବା ଅଘଟଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଏହି ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି ।
ପରେପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସୂଚନା ମଧ୍ୟ ଦିଆଯାଇଛି ଯେଉଁଥିରେ ଉଲ୍ଲେଖ ରହିଛି, ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ। ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ ଉତ୍କଣ୍ଠାର ସହ ଆସିଥାନ୍ତି। ସେହି ଉତ୍କଣ୍ଠା ଜନିତ ବ୍ୟଗ୍ରତା ଓ ଭିଡ଼ କାରଣରୁ ତିନି ଜଣ ଶ୍ରଦ୍ଧାଳୁଙ୍କ ପରଲୋକ ଘଟିଛି।
ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି।
ପରଲୋକଗତ ଭକ୍ତମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହ ଉକ୍ତ ଘଟଣାରେ ପୁରୀ ଜିଲ୍ଲାପାଳ ଏବଂ ଏସପିଙ୍କୁ ବଦଳି ମଧ୍ୟ କରାଯାଇଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ପ୍ରସାରିତ ଖବର ଅନୁଯାୟୀ, ଚଳିତ ମାସ ୨୯ ତାରିଖ ପାହାନ୍ତା ପ୍ରାୟ ସାଢ଼େ ୪ଟା ସମୟରେ ରଥାରୂଢ ଠାକୁରଙ୍କ ଦର୍ଶନ କରିବାକୁ ଆସି ୩ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି ।
ସ୍ପଷ୍ଟୀକରଣ: ସାଢେ ଚାରିକୋଟି ଓଡ଼ିଆ ଏବଂ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାଵବେଗକୁ ଆଘାତ ଦେବାର ଆମର କୌଣସି ଉଦ୍ଦେଶ୍ୟ ନୁହେଁ । ଉକ୍ତ ଖବରଟି କେବଳ ସତ୍ୟତା ପ୍ରତିପାଦନ ଲକ୍ଷରେ ପ୍ରକାଶିତ ହୋଇଛି ।