ଫ୍ୟାକ୍ଟ ଚେକ୍: ଝିଅକୁ ନିର୍ଯ୍ୟାତନା ଦିଆଯାଉଥିବା ଭିଡିଓଟି ପଶ୍ଚିମବଙ୍ଗର ନୁହେଁ
ଦାବିଟି ବିଭ୍ରାନ୍ତିକର ଅଟେ । ଉକ୍ତ ଭାଇରାଲ ଭିଡିଓଟି ବାଙ୍ଗଲାଦେଶର ହୋଇଥାଇପାରେ । ଉକ୍ତ ଭିଡିଓ ସହ ପଶ୍ଚିମବଙ୍ଗ ର କୌଣସି ସମ୍ପର୍କ ନାହିଁ ।

Claim :
ଭିଡିଓଟି ପଶ୍ଚିମବଙ୍ଗର ଅଟେ, ଯେଉଁଥିରେ ଜଣେ ଝିଅକୁ ଏକ ସାମ୍ପ୍ରତିକ ଲଭ୍ ଜିହାଦ ମାମଲାରେ ଫସି ରହିଥିବା ଦେଖାଯାଉଛିFact :
ଭାଇରାଲ ହେଉଥିବା ଭିଡିଓଟିର ଭାରତ ସହ କୌଣସି ସମ୍ପର୍କ ନାହିଁ
ଭାଇରାଲ ହେଉଛି ଭିଡିଓ ସୋସିଆଲ ମିଡିଆ ସାଜିଛି ବାହକ । ପ୍ରାୟ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନାକିଛି ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି । କେତେବେଳେ କିଏ ରାଜନେତାଙ୍କ ମିଛ ଫଟୋ ଭାଇରାଲ କରୁଛି ତ କେତେବେଳେ କେଉଁ ଅଞ୍ଚଳର ଘଟଣାକୁ ଅନ୍ୟ କେଉଁ ଅଞ୍ଚଳର ଘଟଣା ଲେଖି ସେୟାର କରାଯାଉଛି । ଅଧିକ ଲାଇକ କମେଣ୍ଟ ଆଶାରେ ୟୁଜର୍ସ ମଧ୍ୟ ଉକ୍ତ ଭିଡିଓକୁ ନପରଖି ସେୟାର କରିବାରେ ଲାଗିଛନ୍ତି । ତେଣୁ ବହୁଳ ମାତ୍ରାରେ ଭୁଲ୍ ସୂଚନା ବ୍ୟପିବାରେ ଲାଗିଛି ।
ଇତିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ଝିଅ ଯିଏକି ଜଣେ ନାବାଳିକା ପରି ଦୃଶ୍ୟମାନ ହେଉଛି । ତାକୁ ଆଉ କିଛି ବୁର୍ଖା ପିନ୍ଧିଥିବା ମହିଳା ନିର୍ଯ୍ୟାତନା ଦେଉଥିବାର ଦେଖିବାକୁ ମିଳିଛି । ସମୟ ସମୟରେ ଉକ୍ତ ଝିଅକୁ ଉକ୍ତ ମହିଳା ମାନେ ଶାରୀରିକ ନିର୍ଯ୍ୟାତନା ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଉକ୍ତ ଘଟଣାଟି ପଶ୍ଚିମବଙ୍ଗର ବୋଲି ଦାବି ହୋଇଛି । ଯେଉଁଥିରେ ଗୋଟିଏ ସମ୍ପ୍ରଦାୟର ଜଣେ ପୁରୁଷ ସହ ସମ୍ପର୍କ ରଖିବାକୁ ଉକ୍ତ ଝିଅକୁ ବାଧ୍ୟ କରାଯାଉଥିବାର ଦାବି ହୋଇଛି ।
ଯାହାର ସ୍କ୍ରିନ ସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଉକ୍ତ ଭିଡିଓ ସହ କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ଭାରତର ମଧ୍ୟ କୌଣସି ସମ୍ପର୍କ ନାହିଁ ।
ଉକ୍ତ କିୱାର୍ଡ ବ୍ୟବହାର କରି ତଦନ୍ତ କରିବାରୁ ନିକଟ ଦିନରେ ଏଭଳି କୌଣସି ଘଟଣା ପଶ୍ଚିମବଙ୍ଗରେ ଘଟି ନାହିଁ । ଯଦି ଏଭଳିକୌଣସି ଘଟଣା ନିକଟରେ ଘଟିଥାନ୍ତା ତେବେ କୌଣସି ନା କୌଣସି ଗଣମାଧ୍ୟମ ଖବର ପ୍ରସାରିତ କିମ୍ବା ପ୍ରକାଶିତ କରିଥାନ୍ତେ ।
ଅଧିକ ତଦନ୍ତ କରିବାକୁ ଯାଇ ପଶ୍ଚିମବଙ୍ଗର ସାମ୍ବାଦିକ ଅଗ୍ନିଶ୍ଵର ସରଦାରଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଦାବିକୁ ସିଏ ଖଣ୍ଡନ କରିଥିଲେ । ଅଗ୍ନିଶ୍ଵରଙ୍କ କହିବା ଅନୁଯାୟୀ, ଉକ୍ତ ଭିଡିଓ ସହ ପଶ୍ଚିମବଙ୍ଗ ର କୌଣସି ସମ୍ପର୍କ ନାହିଁ । ଏଭଳି ଘଟଣା ପଶ୍ଚିମବଙ୍ଗରେ ଘଟିନାହିଁ, ନଚେତ ଏନେଇ ଆମେ ନିଶ୍ଚିତ ଖବର ପ୍ରସାରିତ କରିଥାନ୍ତୁ ।
ଭାଇରାଲ ଭିଡିଓଟିକୁ ଅନୁଧ୍ୟାନ କରି ଦେଖିବାରୁ ଯୁବତୀଙ୍କ ୟୁନିଫର୍ମରେ ସ୍କୁଲ୍ ବ୍ୟାଜ୍ ଦୃଶ୍ୟମାନ ହେଉଛି, ଏବଂ ଏଥିରେ ଲେଖା ଅଛି "ସହିଦ ମୁକ୍ତିଯୋଦ୍ଧା ବାଳିକା ଉଚ୍ଚ ବିଦ୍ୟାଳୟ" ।
ଉକ୍ତ କିୱାର୍ଡକୁ ଇଣ୍ଟରନେଟ୍ରେ ସର୍ଚ୍ଚ କରିବାରୁ ଜଣାପଡ଼ିଲା ଯେ, ଉକ୍ତ ସ୍କୁଲଟି ଢାକାର ମିରପୁରରେ ଅବସ୍ଥିତ ।
ଆମେ ୟୁନିଫର୍ମରେ ଥିବା ବ୍ୟାଜ୍କୁ ସହିଦ ମୁକ୍ତିଯୋଦ୍ଧା ବାଳିକା ଉଚ୍ଚ ବିଦ୍ୟାଳୟର ସରକାରୀ ଲୋଗୋ ସହିତ ତୁଳନା କରିଥିଲୁ ଏବଂ ଉଭୟ ଲୋଗୋ ଗୋଟିଏ ବୋଲି ଜାଣିବାକୁ ପାଇଥିଲୁ ।
ପଶ୍ଚିମବଙ୍ଗ ପୋଲିସ୍ ମଧ୍ୟ ଉକ୍ତ ଭିଡିଓକୁ ଖଣ୍ଡନ କରି ଉଲ୍ଲେଖ କରିଛି, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବତୀଙ୍କୁ ଆଉ କିଛି ଯୁବତୀ ନିର୍ଯାତନା ଦେଉଛନ୍ତି । ଭିଡିଓରେ ହିନ୍ଦୀରେ ଉଲ୍ଲେଖ ରହିଛି: "ତୁମେ ମୋ ଭାଇ ସହିତ ଯାଇ ତାଙ୍କ ସହିତ ଏକାନ୍ତରେ ସମ୍ପର୍କ ସ୍ଥାପନ କରିବ ଏବଂ ଭଲ ବ୍ୟବହାର କରିବାକୁ ପଡିବ। ଏହା ଲଭ୍ ଜିହାଦର ଏକ ନୂତନ ରୂପ"। ଏହା ସହିତ, ଝିଅଟିକୁ ଜଣେ ମହିଳା ଶାରୀରିକ ଭାବରେ ନିର୍ଯାତନା ଦେଉଥିବାର ଦେଖାଯାଉଛି ।
ହେଲେ ଏହି ଭିଡିଓ ସହ ପଶ୍ଚିମବଙ୍ଗର କୌଣସି ସମ୍ପର୍କ ନାହିଁ । ସ୍କୁଲ୍ ୟୁନିଫର୍ମ, ସୈନିକଙ୍କ ବ୍ୟାଚ୍ ଏବଂ ପୃଷ୍ଠଭୂମି ସ୍ଥାପତ୍ୟ ସମେତ ଦୃଶ୍ୟ ପ୍ରମାଣ ସୂଚାଇ ଦେଉଛି ଯେ ଭିଡିଓଟି ବାଙ୍ଗଲାଦେଶର, ବିଶେଷକରି ସହିଦ ମୁକ୍ତିଯୋଦ୍ଧା ବାଳିକା ଉଚ୍ଚ ବିଦ୍ୟାଳୟ, ସେକ୍ସନ୍-୧୨, ବ୍ଲକ-ଡି, ରୋଡ୍-୧୮, ପଲ୍ଲବୀ, ମିରପୁର, ଢାକା-୧୨୧୬ର ଅଟେ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଉକ୍ତ ଭାଇରାଲ ଭିଡିଓଟି ବାଙ୍ଗଲାଦେଶର ହୋଇଥାଇପାରେ । ଉକ୍ତ ଭିଡିଓ ସହ ପଶ୍ଚିମବଙ୍ଗ ର କୌଣସି ସମ୍ପର୍କ ନାହିଁ ।

