ଫ୍ୟାକ୍ଟ ଚେକ୍: ମୁମ୍ବାଇରେ ହୋଇଥିବା ଏଲପିଜି ବିସ୍ପୋରଣର ଭିଡିଓକୁ ସିଆଲକୋଟ ଆକ୍ରମଣ ଦାବି ସହ କରାଯାଇଛି ସେୟାର
ଦାବିରେ ନାହିଁ କୌଣସି ସତ୍ୟତା । ପ୍ରକୃତ ଭିଡିଓଟି ପ୍ରକୃତ ଭିଡିଓଟି ମାର୍ଚ୍ଚ ୨୦୨୫ର ଅଟେ ଯେଉଁଥିରେ ମୁମ୍ବାଇରେ ଏକ ଗ୍ୟାସ ସିଲିଣ୍ଡର ଟ୍ରକ୍ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ଭିଡିଓର ବର୍ତ୍ତମାନ ଭାରତ ପାକିସ୍ତାନ ପରିସ୍ଥିତି ସହ ନାହିଁ କୌଣସି ସମ୍ପର୍କ ।

Claim :
ଅପରେସନ ସିନ୍ଦୂର ପାକିସ୍ତାନର ସିଆଲକୋଟରେ ଆକ୍ରମଣFact :
ଭାଇରାଲ ଭିଡିଓଟି ବହୁ ପୁରୁଣା, ପ୍ରକୃତ ଭିଡିଓଟି ମୁମ୍ବାଇର ଏଲପିଜି ବିସ୍ପୋରଣ ଭିଡିଓ ଅଟେ
ଭାରତର “ଅପରେସନ୍ ସିନ୍ଦୂର” ପରେ ଛାନିଆ ହୋଇ ବିଳିବିଳାଉଛି ପାକିସ୍ତାନ । ଗୋଟିଏ ପଟେ ପାକିସ୍ତାନରେ ଅନେକ ଗୁଡିଏ ଆତଙ୍କବାଦୀ ଶିବିର ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା ବେଳେ ପାକିସ୍ତାନର ଦମ୍ଭ କିନ୍ତୁ କମୁନି । ଆକ୍ରମଣର ଗୋଟିଏ ଦିନ ପରେ ନିଜ ଅସଲ ରୂପକୁ ଫେରିଛି ପାକିସ୍ତାନ । ଭାରତଠୁ ପ୍ରତିଶୋଧ ନେବା ପାଇଁ ରାତି ଅଧରେ ଭାରତ ଉପରେ ଆକ୍ରମଣ କରିଥିଲା ପାକିସ୍ତାନ । କିନ୍ତୁ ଭାରତ ଆଗରେ ଫେଲ୍ ମାରିଥିଲା ପାକିସ୍ତାନର ଚାଲାକି । ପାକିସ୍ତାନର କ୍ଷେପଣାସ୍ତ୍ର ଧ୍ବଂସ କରି ମାଟିରେ ମିଶାଇଦେଇଛି ଭାରତର ସୁଦର୍ଶନ ଚକ୍ର ।
ଅପରେସନ ସିନ୍ଦୂର ପରେ, ପାକିସ୍ତାନ ଟାର୍ଗେଟରେ ଥିଲା ଭାରତର ୧୫ଟି ସହର । ଆକ୍ରମଣ ପାଇଁ ଡ୍ରୋନ ଏବଂ ମିସାଇଲ ବ୍ୟବହାର କରିଥିଲା ପାକ୍ । କିନ୍ତୁ ପାକିସ୍ତାନ ଭାରତର ୧୫ଟି ପ୍ରମୁଖ ସୈନ୍ୟ ଠିକଣା ଉପରେ ଆକ୍ରମଣ କରିବା ଚେଷ୍ଟାକୁ ବିଫଳ କରିଛି ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ । ପ୍ରକୃତରେ, ସିନ୍ଦୂର ଅପରେସନ୍ ଦିନ ପାକିସ୍ତାନ ଭାରତର ୧୫ଟି ସହରକୁ ଟାର୍ଗେଟ କରିଥିଲା। କିନ୍ତୁ, ଭାରତୀୟ ସେନାର ସତର୍କତା ଯୋଗୁଁ, ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଲା । ଭାରତୀୟ ସେନା ରୁଷିଆର S-400 ସହାୟତାରେ ସେମାନଙ୍କର ସମସ୍ତ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କିଛି ଟ୍ରକ ଠିଆ ହୋଇଥିବା ବେଳେ ପଛପାର୍ଶ୍ୱରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବାର ଦେଖିବାକୁ ମିଳିଛି । ପଛପଟ ଟ୍ରକରେ ଅଗ୍ନିକାଣ୍ଡ ଘଟିବା କ୍ଷଣି ପ୍ରାୟ ସମସ୍ତ ଟ୍ରକରେ ଅଗ୍ନିକାଣ୍ଡ ଘଟିଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓଟି ବର୍ତ୍ତମାନର ଭାରତ ପାକିସ୍ତାନ ପରିସ୍ଥିତି ବୋଲି ଦାବି କରାଯାଇଛି ।
ଅପରେସନ ସିନ୍ଦୂରରେ ପାକିସ୍ତାନର ସିଆଲକୋଟରେ ଆକ୍ରମଣ ବୋଲି ଭିଡିଓ ସେୟାର କରି ୟୁଜର୍ସ ଦାବି କରିଛନ୍ତି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ପ୍ରକୃତ ଭିଡିଓଟି ମାର୍ଚ୍ଚ ୨୦୨୫ର ଅଟେ ଯେଉଁଥିରେ ମୁମ୍ବାଇରେ ଏକ ଗ୍ୟାସ ସିଲିଣ୍ଡର ଟ୍ରକ୍ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ।
ତଦନ୍ତ କରିବାକୁ ଯାଇ ଯେତେବେଳେ ଆମେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନର ସିଆଲକୋଟରେ ଆକ୍ରମଣ ନେଇ ଅନୁସନ୍ଧାନ କରିଥଲୁ ଏନେଇ କୌଣସି ଫଟୋ ଏବଂ ଭିଡିଓ ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମରେ ଉକ୍ତ ଖବର କିମ୍ବା ଭିଡିଓ ନିଶ୍ଚିତ ପ୍ରସାରିତ ହୋଇଥାନ୍ତା ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁ ଯାଇ ଯେତେବେଳେ ଆମେ ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
୨୫ ମାର୍ଚ୍ଚ ୨୦୨୫ରେ ଉକ୍ତ ଭିଡିଓକୁ ଏଚପି ଲାଇଭ ନ୍ୟୁଜ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଥିଲା ।
ଭିଡିଓଟି ବର୍ତ୍ତମାନ ସୁଦ୍ଧା ୨୧ହଜାରରୁ ଉର୍ଦ୍ଧ୍ବ ଭିୟୁ ହୋଇଥିବାର ଦେଖିବାକୁ ମିଳିଥିବା ବେଳେ ଶୀର୍ଷକରେ ଉଲ୍ଲେଖ ରହିଛି, ମୁମ୍ବାଇର ଧାରାଭି ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ପରି ଦୃଶ୍ୟମାନ ହେବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଭିଡିଓ ବୋଲି ଦେଖିବାକୁ ପାଇଥିଲୁ ।
ଯେତେବେଳେ ଆମେ ଉକ୍ତ କିୱାର୍ଡ ଲେଖି ଅନୁସନ୍ଧାନ କରିଥିଲୁ ବିଭିନ୍ନ ଗଣମାଧ୍ୟମର ୟୁଟ୍ୟୁବ ଚ୍ୟାନେଲରେ ଏନେଇ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ପାଇଥିଲୁ ।
ପ୍ରତିଟି ଗଣମାଧ୍ୟମର ପ୍ରସାରିତ ଭିଡିଓରେ ଆମେ ଭାଇରାଲ ଭିଡିଓର ଅଂଶ ଥିବାର ଦେଖିବାକୁ ପାଇଥିଲୁ।
ଉକ୍ତ ଘଟଣାନେଇ ଏବିପି ଏକ ବିସ୍ତୃତ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି । ଯେଉଁଥିରେ ଉଲ୍ଲେଖ ରହିଛି, ମୁମ୍ବାଇର ଧାରାଭିର ଜନବହୁଳ ଅଞ୍ଚଳରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ମହାରାଷ୍ଟ୍ର ରାଜଧାନୀର ଧାରାଭି ଅଞ୍ଚଳର ପିଏନପିଜି କଲୋନିରେ ଥିବା ନେଚର ପାର୍କରେ ଅଗ୍ନିକାଣ୍ଡ ଘଟିଛି । ଆଇଏଏନଏସ ରିପୋର୍ଟ ଅନୁଯାୟୀ, ଧାରାଭିର ସିଓନ-ଧାରାଭି ଲିଙ୍କ ରୋଡରେ ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକରେ ନିଆଁ ଲାଗିଯିବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ଅନେକ ବିସ୍ଫୋରଣ ହୋଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ରାତି 9:50 ରେ ଟ୍ରକଟି ସିଓନ-ଧାରାଭି ଲିଙ୍କ ରୋଡରେ ଥିବା ପିଏନପିଜି କଲୋନିର ନେଚର ପାର୍କ ନିକଟରେ ଥିବା ସମୟରେ ନିଆଁ ଲାଗିଥିଲା ।
ସେହିପରି ଭାରତୀୟ ସେନା କିମ୍ବା ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ଭିଡିଓକୁ ଜାରି କରାଯାଇନାହିଁ ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ପ୍ରକୃତ ଭିଡିଓଟି ପ୍ରକୃତ ଭିଡିଓଟି ମାର୍ଚ୍ଚ ୨୦୨୫ର ଅଟେ ଯେଉଁଥିରେ ମୁମ୍ବାଇରେ ଏକ ଗ୍ୟାସ ସିଲିଣ୍ଡର ଟ୍ରକ୍ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ଭିଡିଓର ବର୍ତ୍ତମାନ ଭାରତ ପାକିସ୍ତାନ ପରିସ୍ଥିତି ସହ ନାହିଁ କୌଣସି ସମ୍ପର୍କ ।