ଫ୍ୟାକ୍ଟ ଚେକ୍: ଯୁଦ୍ଧଵିରତି ବଦଳରେ ଆଦାନୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ନେଇ ଦାବିରେ ନାହିଁ କୌଣସି ସତ୍ୟତା
ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଗ୍ରାଫିକ୍ସଟି ଫେକ୍ ଅଟେ । ଉକ୍ତ ଗ୍ରାଫିକ୍ସରେ ଲୋଗୋ ଥିବା ବୋଲତା ହିନ୍ଦୁସ୍ତାନ ମଧ୍ୟ ଏନେଇ ସ୍ପଷ୍ଟୀକରଣ ରଖିଛି ଏବଂ କହିଛି ଉକ୍ତ ଗ୍ରାଫିକ୍ସରେ କୌଣସି ସତ୍ୟତା ନାହିଁ ।

Claim :
ଭାଇରାଲ ହେଉଛି ଗ୍ରାଫିକ୍ସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବାକୁ କହିଥିଲେFact :
ଭାଇରାଲ ଗ୍ରାଫିକ୍ସଟି ଫେକ୍ ଅଟେ, ଉକ୍ତ ଘଟଣା ନେଇ କୌଣସି ପ୍ରମାଣ ନାହିଁ
ଭାରତ ପାକିସ୍ତାନ ଅସ୍ତ୍ର ବିରତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପୋଷ୍ଟ କରିଛନ୍ତି । ଭାରତ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି ଭାରତ ପାକିସ୍ତାନ ବୁଦ୍ଧିମତା ଦେଖାଇଥିବାରୁ ମୁଁ ଗର୍ବିତ । କାରଣ ଉଭୟଙ୍କ ପାଖରେ ଜାଣିବା, ବୁଝିବା ଶକ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ଅଛି । ବର୍ତ୍ତମାନ ଆକ୍ରମଣ ବନ୍ଦ କରିବା ସମୟ ଆସିଛି । ଯୁଦ୍ଧ ହୋଇଥିଲେ ମୃତ୍ୟୁ ଏବଂ ବିନାଶର ହୋଇଥାନ୍ତା । ଲକ୍ଷ ଲକ୍ଷ ନୀରିହ ଲୋକଙ୍କର ପ୍ରାଣ ଯାଇଥାନ୍ତା । ଦୁଇ ଦେଶରେ ମୁଁ ବାଣିଜ୍ୟିକ ସମ୍ପର୍କ ବଢ଼ାଇବି । ହଜାର ହଜାର ବର୍ଷର କାଶ୍ମୀର ସମସ୍ୟାର ସମାଧାନ ଦିଗରେ ମୁଁ କାମ କରିବି । ଭାରତ ପାକିସ୍ତାନର ନେତୃତ୍ବ ପାଇଁ ଭଗବାନ ଆଶୀର୍ବାଦ କରନ୍ତୁ ।
ଇତିମଧ୍ୟରେ ଏକ ଗ୍ରାଫିକ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଗ୍ରାଫିକ୍ସରେ ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ଉକ୍ତ ଗ୍ରାଫିକ୍ସରେ ବୋଲତା ହିନ୍ଦୁସ୍ତାନର ଏକ ଲୋଗୋ ରହିଛି । ତଳେ ଏକ ଲେଖା ମଧ୍ୟ ରହିଛି ଯେଉଁଥିରେ ହିନ୍ଦୀରେ ଲେଖା ହୋଇଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ବଦଳରେ ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ଆମେରିକା ରାଷ୍ଟ୍ରପତି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଗ୍ରାଫିକ୍ସଟି ଫେକ୍ ଅଟେ, ଏଭଳି ଘଟଣା ନେଇ କୌଣସି ପ୍ରମାଣ ନାହିଁ ।
ଉକ୍ତ ଘଟଣାନେଇ ଅନୁସନ୍ଧାନ କରିଥିଲୁ । ଏନେଇ କୌଣସି ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ ହୋଇଥିବାର ପାଇନଥିଲୁ । ଯଦି ଏଭକି କୌଣସି ଦାବି ଖୋଲାଖୋଲି ଭାବେ ଟ୍ରମ୍ଫ କରିଥାନ୍ତେ ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମ ଏହାକୁ ପ୍ରସାରିତ କରିଥାନ୍ତେ ।
ଏନେଇ ଟ୍ରମ୍ପଙ୍କ ସୋସିଆଲ ମିଡିଆରେ ତଦନ୍ତ କରିବାରୁ ତାଙ୍କ ସୋସିଆଲ ମିଡିଆରେ ଏନେଇ କୌଣସି ପୋଷ୍ଟ ଥିବାର ପାଇନଥିଲୁ ।
ଭାଇରାଲ ଗ୍ରାଫିକ୍ସକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଫେସବୁକ ପୋଷ୍ଟ ହସ୍ତଗତ ହୋଇଥିଲା।
ଉକ୍ତ ପୋଷ୍ଟଟି ବୋଲତା ହିନ୍ଦୁସ୍ଥାନ ନାମକ ଏକ ଫେସବୁକ ପେଜ୍ ରେ ୧୨ମଇ ୨୦୨୫ରେ ଅପଲୋଡ଼ ହୋଇଥିବାର ଜଣାଯାଇଛି ।
ଉକ୍ତ ଗ୍ରାଫିକ୍ସରେ ଭାଇରାଲ ଗ୍ରାଫିକ୍ସ ପରି ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ଉକ୍ତ ଗ୍ରାଫିକ୍ସରେ ବୋଲତା ହିନ୍ଦୁସ୍ତାନର ଏକ ଲୋଗୋ ରହିଛି । ତଳେ ଏକ ଲେଖା ମଧ୍ୟ ରହିଛି ଯେଉଁଥିରେ ହିନ୍ଦୀରେ ଲେଖା ହୋଇଛି, ଟ୍ରମ୍ପ କହିଛନ୍ତି, "ମୁଁ ଉଭୟ ଭାରତ ଏବଂ ପାକିସ୍ତାନକୁ କହିଥିଲି ଯଦି ତୁମେ ଯୁଦ୍ଧ ଅଟକାଇବ ନାହିଁ ତେବେ ଉଭୟଙ୍କ ସହ ମୁଁ ବ୍ୟାପାର ବନ୍ଦ୍ କରିଦେବି।"
ଉକ୍ତ ଗ୍ରାଫିକ୍ସଟି ଭାଇରାଲ ଗ୍ରାଫିକ୍ସ ପରି ଦିଶୁଥିବାରୁ ଉଭୟଙ୍କୁ ତୁଳନା କରିଥିଲୁ । ତୁଳନାରୁ ଲେଖାଟି ଛାଡ଼ିଦେଲେ ବାକି ସମସ୍ତ ଫଟୋ ସମାନ ଥିବାର ଦେଖିବାକୁ ମିଳିଛି ।
ସେହିପରି ଭାଇରାଲ ଗ୍ରାଫିକ୍ସଟିକୁ ବୋଲତା ହିନ୍ଦୁସ୍ତାନ ପେଜରେ ଖୋଜିବାରୁ ଏଭଳି କୌଣସି ଗ୍ରାଫିକ୍ସ ପୋଷ୍ଟ ହୋଇଥିବାର ପାଇନଥିଲୁ ।
ତେଣୁ ବୋଲତା ହିନ୍ଦୁସ୍ତାନ ପେଜରେ ସେୟାର ହୋଇଥିବାର ଗ୍ରାଫିକ୍ସକୁ କେହି ଏଡିଟ୍ କରି ଭାଇରାଲ କରିଥିଵାର ଅନୁମାନ କରାଯାଉଛି ।
ଅନ୍ୟପଟେ ଏନେଇ ବୋଲତା ହିନ୍ଦୁସ୍ତାନ ନିଜ ୱେବ୍ସାଇଟରେ ଏକ ସ୍ପଷ୍ଟୀକରଣ ରଖିଥିବାର ଦେଖିବାକୁ ମିଳିଛି ।
ସ୍ପଷ୍ଟିକରଣରେ ବୋଲତା ହିନ୍ଦୁସ୍ତାନ ଉଲ୍ଲେଖ କରିଛି, ୧୦ ମଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଭାରତ ସରକାର ଯୁଦ୍ଧବିରତି ଘୋଷଣା କରିବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରିଥିଲେ। ଏହା ପରେ ଟ୍ରମ୍ପ ଗୋଟିଏ ପରେ ଗୋଟିଏ ଅନେକ ବୟାନ ଦେଇଥିଲେ।
ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ବୟାନକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ମଧ୍ୟ ହୋଇଥିଲା । ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ପରି, ବୋଲତା ହିନ୍ଦୁସ୍ତାନ ମଧ୍ୟ ଟ୍ରମ୍ପଙ୍କ ବୟାନର ଏକ କୋଟ୍ କାର୍ଡ ପ୍ରସ୍ତୁତ କରିଥିଲା। ବୋଲତା ହିନ୍ଦୁସ୍ତାନର ପ୍ରତ୍ୟେକ କୋଟ୍ କାର୍ଡ ପରି, ଏହାକୁ ମଧ୍ୟ ଲୋକଙ୍କ ଦ୍ୱାରା ପ୍ରଶଂସା ଏବଂ ସେୟାର କରାଯାଇଥିଲା ।
ଆମର କୋଟ୍ କାର୍ଡରେ, ଆମେ ଟ୍ରମ୍ପଙ୍କ ବୟାନକୁ ଉଦ୍ଧୃତ କରିଥିଲୁ ଏବଂ ଲେଖିଥିଲୁ, "ମୁଁ ଭାରତ ଏବଂ ପାକିସ୍ତାନକୁ ଧମକ ଦେଇଥିଲି ଏବଂ କହିଥିଲି ଯେ, ଯଦି ତୁମେ ଯୁଦ୍ଧ ବନ୍ଦ ନ କର, ତେବେ କୌଣସି ବାଣିଜ୍ୟ ହେବ ନାହିଁ" ।
ଯେତେବେଳେ ଏହି ପୋଷ୍ଟର ଭାଇରାଲ ହୋଇଥିଲା, କିଛି ଦୁଷ୍ଟ ବ୍ୟକ୍ତି 'ବୋଲତା ହିନ୍ଦୁସ୍ତାନ'କୁ ବଦନାମ କରିବା ପାଇଁ ଏହି ପୋଷ୍ଟରକୁ ସମ୍ପାଦନ କରି ଏହାକୁ ଆଦାନୀ ସହିତ ଯୋଡ଼ିଥିଲେ। ଆମେ ବୋଲତା ହିନ୍ଦୁସ୍ତାନର ସମସ୍ତ ପାଠକଙ୍କୁ ବଡ଼ ଦାୟିତ୍ୱ ସହିତ କହିବାକୁ ଚାହୁଁଛୁ ଯେ, ଆମର ଏହି ନକଲି ପୋଷ୍ଟର ସହିତ କୌଣସି ସମ୍ପର୍କ ନାହିଁ। ବୋଲତା ହିନ୍ଦୁସ୍ତାନ ପକ୍ଷରୁ ଏପରି କୌଣସି କୋଟ୍ କାର୍ଡ କୌଣସି ପ୍ଲାଟଫର୍ମରେ ସେୟାର କରାଯାଇନାହିଁ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଗ୍ରାଫିକ୍ସଟି ଫେକ୍ ଅଟେ । ଉକ୍ତ ଗ୍ରାଫିକ୍ସରେ ଲୋଗୋ ଥିବା ବୋଲତା ହିନ୍ଦୁସ୍ତାନ ମଧ୍ୟ ଏନେଇ ସ୍ପଷ୍ଟୀକରଣ ରଖିଛି ଏବଂ କହିଛି ଉକ୍ତ ଗ୍ରାଫିକ୍ସରେ କୌଣସି ସତ୍ୟତା ନାହିଁ ।