ଫ୍ୟାକ୍ଟ ଚେକ୍: ପାକିସ୍ତାନୀ ଡ୍ରୋନ୍ ରୁ ବର୍ତ୍ତିବା ପାଇଁ ଫୋନ୍ ଲୋକେସନ୍ ବନ୍ଦ କରିବା ଦାବିରେ ନାହିଁ କୌଣସି ସତ୍ୟତା
ଦାବିରେ ନାହିଁ କୌଣସି ସତ୍ୟତା । ଭାରତ ସରକାରଙ୍କ ପକ୍ଷରୁ ଏଭଳି କୌଣସି ନିର୍ଦେଶନାମା ଜାରି କରାଯାଇ ନାହିଁ । ଭାରତ ସରକାରଙ୍କ ଅନୁଷ୍ଠାନ ପିଆଇବି ଏହାକୁ ଖଣ୍ଡନ କରିଥିଵାର ଦେଖିବାକୁ ମିଳିଛି ।

Claim :
ଭାରତୀୟ ନାଗରିକଙ୍କୁ ନିର୍ଦେଶ ପାକିସ୍ତାନୀ ଡ୍ରୋନ୍ ଗୁଡିକରୁ ବର୍ତ୍ତିବା ପାଇଁ ଫୋନର ଲୋକେସନ ଅଫ୍ କରନ୍ତୁFact :
ଦାବିରେ ନାହିଁ କୌଣସି ସତ୍ୟତା, ଏଭଳିକୌଣସି ନିର୍ଦେଶ ଦେଇନାହାଁନ୍ତି ଭାରତ ସରକାର
ପାକିସ୍ତାନ ସହ ଅସ୍ତ୍ରବିରତି ସହମତି ପରେ ନୂଆଦିଲ୍ଲୀରେ ବସିଥିଲା ବେଶ୍ ଗୁରୁତ୍ବପୂର୍ଣ୍ଣ ବୈଠକ । ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଚାଲିଥିଲା ଏହି ବୈଠକ । ଏନଏସଏ ଅଜିତ ଡୋଭାଲ, ସିଡିଏସ ଅନୀଲ ଚୌହାନ ଏବଂ ତିନି ସେନାର ମୁଖ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଥିଲେ । ଅନ୍ୟପଟେ ସୀମାରେ ଭାରତଠାରୁ କଡା ଜବାବ ପାଇବା ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ମିସାଇଲ ଆକ୍ରମଣକୁ କଡା ଜବାବ ଦେଇଥିବାରୁ ପାକିସ୍ତାନର ଅବସ୍ଥା ଶୌଚନୀୟ ହୋଇପଡିଛି । ସବୁ କ୍ଷେତ୍ରରୁ ଭାରତ ଉପରେ ଆକ୍ରମଣ କରିବାରେ ବିଫଳ ହେଉଥିବାରୁ ଏବେ ସାଇବର ଆଟାକର ଉପାୟ ଆପଣାଇଛି ପାକିସ୍ତାନ ।
ଗୁଇନ୍ଦା ବିଭାଗର ସୂଚନା ଆଧାରରେ ଲୋକମାନଙ୍କୁ ସାବଧାନ ରହିବାକୁ କୁହାଯାଇଛି । କୌଣସି ଅଜଣା ଲିଙ୍କ୍ କିମ୍ବା ଫାଇଲ ଏବଂ ଅଜଣା ଫଟୋରେ କ୍ଲିକ୍ ନକରିବାକୁ ଭାରତରେ ଇଣ୍ଟରନେଟ ୟୁଜର୍ସଙ୍କୁ ପରାମର୍ଶ ଦିଆଯାଇଛି । ହ୍ୱାଟ୍ସଆପ୍, ଫେସବୁକ୍, ଟେଲିଗ୍ରାମ୍ ଏବଂ ଇ-ମେଲ ଭଳି ସୋସିଆଲ ପ୍ଲାଟଫର୍ମ ଗୁଡିକରେ ସାଇବର ଆଟାକ ହେବାର ସମ୍ଭାବନା ଅଧିକ ରହିଛି । ଶତ୍ରୁରାଷ୍ଟ୍ର ସର୍ବଦା ଭାରତୀୟ ୟୁଜର୍ସଙ୍କୁ ହ୍ୟାକ୍ କରି କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିଥାନ୍ତି । ଖାସକରି ଯୁଦ୍ଧ ସମୟରେ ହ୍ୟାକର୍ସ ଅଧିକ ଆକ୍ଟିଭ ରହିଥିବା ଦେଖିବାକୁ ମିଳେ ।
ଇତିମଧ୍ୟରେ ଏକ ଲେଖା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଲେଖାରେ ଉଲ୍ଲେଖ ରହିଛି, 'ATTENTION Hello everyone, We’ve received an official email from the faculty with an important advisory: please turn off the location services on your phones immediately. It has been brought to our attention that drones are being used to detect areas with high Population.’
ଯାହାର ଓଡ଼ିଆ ଅନୁବାଦ ହେଉଛି, ସମସ୍ତଙ୍କ ପାଇଁ ସୂଚନା, ଅଧ୍ୟାପକଙ୍କଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ସହିତ ଏକ ଅଫିସିଆଲ୍ ଇମେଲ୍ ପାଇଛୁ: ଦୟାକରି ଆପଣଙ୍କ ଫୋନରେ ଲୋକେସନ୍ ସେବା ତୁରନ୍ତ ବନ୍ଦ କରନ୍ତୁ। ଅଧିକ ଜନସଂଖ୍ୟା ଥିବା ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବା ପାଇଁ ଡ୍ରୋନ୍ ବ୍ୟବହାର କରାଯାଉଛି ବୋଲି ଆମର ଦୃଷ୍ଟିକୁ ଆସିଛି ।
ଉକ୍ତ ଦାବୀର ସ୍କ୍ରିନସଟ୍ ତଳେ ଉପସ୍ଥିତ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା । ଏଭଳି କୌଣସି ପ୍ରକାରର ପରାମର୍ଶ ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇ ନାହିଁ ।
ଡ୍ରୋନ୍ ଚିହ୍ନଟକୁ ଏଡାଇବା ପାଇଁ ଫୋନ୍ ଲୋକେସନ୍ ସେବା ବନ୍ଦ କରିବାକୁ ପରାମର୍ଶ ଦିଆଯାଇଥିବା ଏହି ବିଜ୍ଞପ୍ତି ସମ୍ବନ୍ଧୀୟ ଦାବି ନେଇ ଆମେ ତଦନ୍ତ କରିଥିଲୁ କିନ୍ତୁ ଏହାକୁ ନେଇ କୌଣସି ପ୍ରମାଣ ପାଇନଥିଲୁ । ଯଦି ଏପରି ଘଟଣା ଘଟିଥାନ୍ତା, କିମ୍ବା ନିର୍ଦେଶନାମା ଜାରି ହୋଇଥାନ୍ତା ତେଣୁ ନିଶ୍ଚିତଭାବେ କୌଣସି ନା କୌଣସି ପ୍ରମୁଖ ଗଣମାଧ୍ୟମ ଏହାକୁ ପ୍ରସାରିତ କରିଥାଆନ୍ତେ ।
ଉକ୍ତ ନିର୍ଦେଶନାମା ନେଇ ଯେତେବେଳେ ଆମେ ଭାରତ ସରକାରଙ୍କ ବିଭିନ୍ନ ୱେବସାଇଟ ଏବଂ ସୋସିଆଲ ମିଡିଆରେ ତଦନ୍ତ କଲୁ କୌଣସି ୱେବସାଇଟ କିମ୍ବା କୌଣସି ସୋସିଆଲ ମିଡିଆରେ ଏନେଇ କୌଣସି ନିର୍ଦେଶନାମା ଜାରି ହୋଇଥିବାର ପାଇ ନଥିଲୁ ।
ରିଭର୍ସ ଇମେଜ ସର୍ଚ୍ଚରେ ଯେତେବେଳେ ଆମେ ଏନେଇ ଅନୁସନ୍ଧାନ କଲୁ ଉକ୍ତ ନିର୍ଦେଶନାମାକୁ ଭାରତ ସରକାରଙ୍କ ଫ୍ୟାକ୍ଟ ଚେକ୍ ସଂସ୍ଥା ପିଆଇବି ଏହାକୁ ସେୟାର କରିଥିଵାର ଦେଖିବାକୁ ମିଳିଛି । ହେଲେ ଉକ୍ତ ନୋଟିସ ଉପରେ ଏହା ଫେକ୍ ବୋଲି ଦର୍ଶାଯାଇଛି ।
ଉକ୍ତ ଲେଖା ସେୟାର କରି ପିଆଇବି ଉଲ୍ଲେଖ କରିଛି, ଏଭଳି କୌଣସି ନିର୍ଦେଶନାମା ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇନାହିଁ । ଏଭଳି ଫେକ୍ ନୋଟିସ ଏବଂ ଲେଖା ଠାରୁ ଦୂରେଇ ରୁହନ୍ତୁ ।
ଉକ୍ତ ନିର୍ଦେଶନାମା ନେଇ ଟାଇମ୍ସ ନାଓ ଉଲ୍ଲେଖ କରିଛି, ହ୍ୱାଟସଆପ୍, ଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍ରେ ପ୍ରସାରିତ ଏକ ଭାଇରାଲ୍ ମେସେଜ୍ ସେୟାର ହେଉଥିବାର ଦେଖିବାକୁ ମିଳିଛି। ୟୁଜର୍ସଙ୍କୁ ସେମାନଙ୍କ ଫୋନର ଲୋକେସନ୍ ସେବା ବନ୍ଦ କରିବାକୁ ଅନୁରୋଧ କରାଯାଇଥିବା ଵେଳେ, ଏହା ଜନସାଧାରଣଙ୍କ ଚିନ୍ତା ବଢାଇ ଦେଇଛି । ମେସେଜ୍ରେ ଦାବି କରାଯାଇଛି ଯେ, ଏହା ଜନବହୁଳ ଅଞ୍ଚଳ ଚିହ୍ନଟ କରିବା ପାଇଁ ପାକିସ୍ତାନ ଦ୍ୱାରା ଡ୍ରୋନ୍ ବ୍ୟବହାର କରାଯିବାର ଜବାବରେ ଜାରି କରାଯାଇଥିବା ଏକ ସରକାରୀ ପରାମର୍ଶ। ଅନ୍ୟପଟେ ସରକାର ଏବେ ଏହି ମେସେଜ୍କୁ ଫେକ୍ ବୋଲି କହି ଏହାକୁ ଭୁଲ୍ ବୋଲି ଦର୍ଶାଇଛନ୍ତି ଏବଂ ଲୋକଙ୍କୁ ଏପରି ଭୁଲ୍ ସୂଚନାରେ ନ ପଡ଼ିବାକୁ ପରାମର୍ଶ ଦେଇଛନ୍ତି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାରତ ସରକାରଙ୍କ ପକ୍ଷରୁ ଏଭଳି କୌଣସି ନିର୍ଦେଶନାମା ଜାରି କରାଯାଇ ନାହିଁ । ଭାରତ ସରକାରଙ୍କ ଅନୁଷ୍ଠାନ ପିଆଇବି ଏହାକୁ ଖଣ୍ଡନ କରିଥିଵାର ଦେଖିବାକୁ ମିଳିଛି ।