ଫ୍ୟାକ୍ଟ ଚେକ୍: ଛତିଶଗଡ଼ରେ ପ୍ରସ୍ତାବିତ ସିମେଣ୍ଟ କାରଖାନା ବିରୋଧୀ ପ୍ରତିବାଦର ଭିଡିଓକୁ ‘ସେଭ୍ ଅରାବଲ୍ଲୀ’ ଆନ୍ଦୋଳନ ସହ ଯୋଡ଼ାଯାଇଛି

Claim :
ରାସ୍ତାରେ ଜନ ସମାଗମ ସେଭ ଅରାବଲ୍ଲୀ ପାଇଁ ଅଣ୍ଟା ଭିଡ଼ିଲେ ଶତାଧିକ ବ୍ୟକ୍ତିFact :
ଭାଇରାଲ ଭିଡିଓଟି ଛତିଶଗଡ଼ରେ ହେବାକୁଥିବା ଏକ ସିମେଣ୍ଟ କାରଖାନା ବିରୋଧ ପ୍ରଦର୍ଶନ ସମୟର ଅଟେ
ଅରାବଲ୍ଲୀ ପାହାଡ଼ ଓ ପର୍ବତମାଳାର ସଂଶୋଧିତ ସଂଜ୍ଞାକୁ ନେଇ ବିଭିନ୍ନ ମହଲର ଉଦ୍ବେଗ ପରେ ସୁପ୍ରିମକୋର୍ଟ ନିଜଆଡ଼ୁ ମାମଲା ଦାୟର କରିଥିଲେ। ସୁପ୍ରିମକୋର୍ଟ ସୋମବାର ଏହାର ଶୁଣାଣି କରି ନଭେମ୍ବର ୨୦ରେ ଦେଇଥିବା ନିଜର ପୂର୍ବ ରାୟକୁ ସ୍ଥଗିତ ରଖିଛନ୍ତି। ପ୍ରସାରିତ ଖବର ଅନୁଯାୟୀ, ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ବିଚାରପତି ଜେକେ ମାହେଶ୍ୱରୀ ଓ ବିଚାରପତି ଏଜି ମସିହଙ୍କୁ ନେଇ ଗଠିତ ତିନି ଜଣିଆ ଅବସରକାଳୀନ ଖଣ୍ଡପୀଠ ବିଶେଷଜ୍ଞ କମିଟିର ରିପୋର୍ଟ ଏବଂ ଅଦାଲତଙ୍କ ମନ୍ତବ୍ୟର ଭୁଲ ବ୍ୟାଖ୍ୟା ନେଇ ଚିନ୍ତା ପ୍ରକଟ କରିଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ ବୋଲି ଖଣ୍ଡପୀଠ ଦର୍ଶାଇଥିଲେ। ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ସରକାରଙ୍କୁ ସ୍ପଷ୍ଟ ଭାବେ ପଚାରିଥିଲେ ‘ନୂତନ ଢାଞ୍ଚାରେ ଖଣି ଖନନ ବନ୍ଦ କରାଯିବ ନା ଏହାକୁ ଜାରି ରଖିବାକୁ ଅନୁମତି ଦିଆଯିବ? ସରକାରଙ୍କ ଯୁକ୍ତିର ବ୍ୟାଖ୍ୟା କରିବାକୁ କହିଥିଲେ’। ଏଥିସହିତ ଏକ ବିଶେଷଜ୍ଞ କମିଟି ଗଠନ କରି କୋର୍ଟକୁ ସହାୟତା ଲାଗି ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣି ଓ ବରିଷ୍ଠ ଓକିଲ ପିଏସ୍ ପରମେଶ୍ୱରଙ୍କୁ ଅନୁରୋଧ କରି ନୋଟିସ୍ ଜାରି କରିଥିଲେ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଲକ୍ଷାଧିକ ଜନ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା ।
ଉକ୍ତ ଭିଡିଓକୁ ୧୯ ଡିସେମ୍ବର ୨୦୨୫ରେ ଏକ ଗଣମାଧ୍ୟମ ନିଜ ସୋସିଆଲ ମିଡିଆରେ ଅପଲୋଡ କରି ଏହା ଅରାବଲ୍ଲୀ ବଞ୍ଚାଅ ଆନ୍ଦୋଳନର ଭିଡିଓ ବୋଲି ଦର୍ଶାଇଥିବାର ଦେଖୁବାକୁ ମିଳିଛି ।
ଉକ୍ତ ଭିଡିଓ ସେୟାର କରି ସମ୍ପୃକ୍ତ ଗଣମାଧ୍ୟମ ହିନ୍ଦୀରେ ଏକ ଲେଖା ମଧ୍ୟ ଉଲ୍ଲେଖ କରିଛି, ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ । ୨୦ ନଭେମ୍ବର ୨୦୨୫ରେ ସୁପ୍ରିମକୋର୍ଟ ଅରାବଲ୍ଲୀ ପାହାଡ଼କୁ ଏକ ନୂଆ ପରିଭାଷା ପ୍ରଦାନ କରିଥିଲେ । ଏବେ ଅରାବଲ୍ଲୀ ପାହାଡ଼ର ପରିଭାଷା ୧୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ସୀମିତ ରହିଚି । ୧୦୦ ମିଟରରୁ କମ୍ ଉଚ୍ଚ ଶ୍ରେଣୀ ଗୁଡିକ ପାହାଡ଼ ଶ୍ରେଣୀ ଅନ୍ତର୍ଭୁକ୍ତ ନୁହେଁ । ଖୋଳିବା ପାଇଁ ଫିଟିଲା ବାଟ ତେଜିଲା ପ୍ରତିବାଦ ।
ସେହିପରି ଆଉ ଜଣେ ୟୁଜର୍ସ ମଧ୍ୟ ଉକ୍ତ ଭିଡିଓକୁ ଅରାବଲ୍ଲୀ ବଞ୍ଚାଅ ଆନ୍ଦୋଳନ ସମୟର ଲେଖି ସେୟାର କରିଥିଵ ଦେଖିବାକୁ ମିଳିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ, ଭାଇରାଲ ଭିଡିଓଟି ଛତିଶଗଡ଼ରେ ହେବାକୁଥିବା ଏକ ସିମେଣ୍ଟ କାରଖାନା ବିରୋଧ ପ୍ରଦର୍ଶନ ସମୟର । ସେଭ୍ ଅରାବଲ୍ଲୀ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।
ଯେତେବେଳେ ଆମେ ସେଭ ଅରାବଲ୍ଲୀ ନେଇ ସର୍ଚ୍ଚ କରିଥିଲୁ । ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରତିବାଦର ଭିଡିଓ ହସ୍ତଗତ ହୋଇଥିଲା । ହେଲେ ଭାଇରାଲ ହେଉଥିବା ଭିଡିଓ ହସ୍ତଗତ ହୋଇନଥିଲା । ଯଦି ଏତେବଡ଼ ବିକ୍ଷୋଭ ପ୍ରଦର୍ଶନ ନିକଟ ଦିନରେ ଅରାବଲ୍ଲୀ ବଞ୍ଚାଇବା ପାଇଁ ହୋଇଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମ ପ୍ରସାରିତ କିମ୍ବା ପ୍ରକାଶିତ କରିଥାନ୍ତେ ।
ଭାଇରାଲ ଭିଡିଓର ସତ୍ୟତା ଜାଣିବାକୁଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଫେସବୁକରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଉଭୟ ଭିଡିଓକୁ ତୁଳନା କରିଥିଲୁ । ତୁଳନାରୁ ଉଭୟ ଭିଡିଓ ଗୋଟିଏ ଦିନର ଗୋଟିଏ ଘଟଣାର ବୋଲି ଜଣାଯାଇଥିଲା ।
ଉକ୍ତ ଭିଡିଓ ପୋଷ୍ଟ କରି ୟୁଜର୍ସ ଜଣଙ୍କ ଉଲ୍ଲେଖ କରିଥିଲେ ଏହା ଛତିଶଗଡ଼ର ଖେରାଗଡ଼ ରେ ହେବାକୁ ଥିବା ଶ୍ରୀ ସିମେଣ୍ଟ କାରଖାନା ବିରୋଧରେ ହେଉଥିବା ଆନ୍ଦୋଳନର ଅଟେ ।
ସେହିପରି ଆଉକିଛି ୟୁଜର୍ସ ମଧ୍ୟ ସମାନ ଦାବି ସହ ସମାନ ଭିଡିଓ ଅପଲୋଡ କରିଥିଵାର ଦେଖିବାକୁ ମିଳିଛି । ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ଅଧିକ ତଦନ୍ତ କରିବାକୁଯାଇ ଉକ୍ତ କିୱାର୍ଡ ନେଇ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଟ୍ଵିଟରରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।
୬ ଡିସେମ୍ବର ୨୦୨୫ରେ ନିୟୁଜ ୧୮ ଛତିଶଗଡ଼ ନିଜ ସୋସିଆଲ ମିଡିଆରେ ଉକ୍ତ ଭିଡିଓ ଅପଲୋଡ଼ କରି ଉଲ୍ଲେଖ କରିଛି, "ଶ୍ରୀ ସିମେଣ୍ଟ ପ୍ଲାଣ୍ଟ ବିରୋଧରେ ଚାଷୀଙ୍କ ପ୍ରତିବାଦ, ଜିଲ୍ଲାରେ ପ୍ରସ୍ତାବିତ ସିମେଣ୍ଟ ପ୍ଲାଣ୍ଟ ବିରୋଧରେ ପ୍ରଦର୍ଶନ, ଛୁଇଖାଦାନର ଚାଷୀମାନେ ୩୦୦ ଟ୍ରାକ୍ଟର ସହିତ ପହଞ୍ଚିଲେ, ୪୦ ଗ୍ରାମର ହଜାର ହଜାର ଗ୍ରାମବାସୀ ପ୍ରତିବାଦରେ ଯୋଗ ଦେଲେ ।
ସେହିପରି ଉକ୍ତ ଭିଡିଓକୁ ସମାନ ସୂଚନା ସହ ଆଉକିଛି ଗଣମାଧ୍ୟମ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି । ଯାହାର ଲିଙ୍କ୍ ଏଠାରେ ଏବଂ ଏଠାରେ ଦେଖିବାକୁ ମିଳିଛି ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ଭିଡିଓଟି ଛତିଶଗଡ଼ରେ ହେବାକୁଥିବା ଏକ ପ୍ରସ୍ତାବିତ ସିମେଣ୍ଟ କାରଖାନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସମୟର ଅଟେ । ଅରାବଲ୍ଲୀ ବଞ୍ଚାଓ ଆନ୍ଦୋଳନ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।

