ଫ୍ୟାକ୍ଟ ଚେକ୍: ଜମିଜମା ମାମଲାକୁ ନେଇ ବ୍ରାଜିଲରେ ଘଟିଥିବା ହତ୍ୟାକାଣ୍ଡକୁ ଭାରତର ଘଟଣା ଲେଖି କରାଯାଇଛି ସେୟାର
ଦାବିରେ ନାହିଁ ସତ୍ୟତା, ଉକ୍ତ ଭିଡିଓ ସହ ଭାରତର ନାହିଁ କୌଣସି ସମ୍ପର୍କ । ଉକ୍ତ ଘଟଣାଟି ୬ମଇ ୨୦୨୫ରେ ବ୍ରାଜିଲର କାମ୍ପୋ ଆଲେଗ୍ରୀ ନାମକ ଏକ ଅଞ୍ଚଳରେ ଘଟିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି ।

Claim :
ଉତ୍ତରାଖଣ୍ଡର ଘଟଣା, ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ, ସାଇକଲ ଯୋଗେ ଫେରାର ହେଲା ଦୁର୍ବୃତ୍ତFact :
ଉକ୍ତ ଘଟଣାଟି ୬ମଇ ୨୦୨୫ରେ ବ୍ରାଜିଲର କାମ୍ପୋ ଆଲେଗ୍ରୀ ନାମକ ଏକ ଅଞ୍ଚଳର ଅଟେ। ଭାରତ ସହ ଉକ୍ତ ଘଟଣାର ନାହିଁ କୌଣସି ସମ୍ପର୍କ
ଯୁବପିଢ଼ିଙ୍କ ଯୋଗଦାନ ଦେଶର ବିକାଶ ଗତିକୁ ତ୍ୱରାନ୍ୱିତ କରେ । ହେଲେ ବିଗତ କିଛି ବର୍ଷହେବ ଏହା ବିପରୀତମୂଖୀ ହେବାରେ ଲାଗିଛି । ବର୍ତ୍ତମାନ ଯୁଗରେ ପ୍ରଗତି ବଦଳରେ ଯୁବଗୋଷ୍ଠୀ ଧଳାଜହର ଏବଂ ମୋବାଇଲ ଗେମିଙ୍ଗରେ ମାତିଥିବାର ଦେଖିବାକୁ ମିଳିଛି । କୌଣସି ବୃତ୍ତିକୁ ନ ଆଦରି ରାତାରାତି ଧନୀ ହୋଇଯିବାର ସ୍ୱପ୍ନ ଏହି ମୋବାଇଲ ଗେମିଙ୍ଗ ଆଡ଼କୁ ଯୁବକଙ୍କୁ ଟାଣି ନେଉଛି । ସେହିପରି ଧଳାଜହରରେ ବହୁ ଯୁବପିଢ଼ି ଲିପ୍ତ ରାହୁଥିବାର ଦେଖିବାକୁ ମିଳୁଛି । ଅତ୍ୟଧିକ ନିଶା ଏବଂ ପଇସା ଅଭାବରୁ ଯୁବପିଢ଼ି ହତ୍ୟା ଲୁଟ୍ ଭଳି ପନ୍ଥା ବାଛିନେଇଛନ୍ତି । ଯାହାଦ୍ୱାରା କିଛି ବର୍ଷ ହେବ ଏହାର ସଂଖ୍ୟା ବଢିବାରେ ଲାଗିଛି ।
ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି ରାସ୍ତାରେ ଦୌଡୁଛନ୍ତି ଏବଂ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ପିଛା କରି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରୁଛି । ଆକ୍ରମଣ ପରେ, ଆକ୍ରମଣକାରୀ ଏକ ସାଇକେଲରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । ଭିଡିଓଟିକୁ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି ଏହା ଭାରତର ଉତ୍ତରାଖଣ୍ଡର ଘଟଣା । ସେହିପରି ଉକ୍ତ ଦୁର୍ବୃତ୍ତକୁ ଧରିବାକୁ ସୋସିଆଲ ମିଡିଆରେ ଦାବି ହୋଇଛି ।
(ସ୍ପଷ୍ଟିକରଣ: ଏହି ଭିଡିଓରେ ଥିବା ଦୃଶ୍ୟ ଦର୍ଶକଙ୍କୁ ବିଚଳିତ କରିପାରେ, ଦୟାକରି ସତର୍କ ରହିବାକୁ ଅନୁରୋଧ )
ଯାହାର ଆର୍କାଇଭ୍ ଲିଙ୍କ୍ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ ସତ୍ୟତା, ଉକ୍ତ ଭିଡିଓ ସହ ଭାରତର ନାହିଁ କୌଣସି ସମ୍ପର୍କ । ଉକ୍ତ ଘଟଣାଟି ୬ମଇ ୨୦୨୫ରେ ବ୍ରାଜିଲର କାମ୍ପୋ ଆଲେଗ୍ରୀ ନାମକ ଏକ ଅଞ୍ଚଳରେ ଘଟିଥିବା ସୂଚନା ।
ଉକ୍ତ ଘଟଣା ନେଇ ଅନୁସନ୍ଧାନ କରିବାରୁ ନିକଟ ଦିନରେ ଏଭଳି କୌଣସି ଘଟଣା ଘଟିଥିବାର ସୂଚନା ପାଇନଥିଲୁ । ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତଭାବେ କୌଣସି ନା କୌଣସି ଗଣମାଧ୍ୟମ ଖବର ପ୍ରସାରିତ କରିଥାନ୍ତେ ।
(ସ୍ପଷ୍ଟିକରଣ: ଏହି ଭିଡିଓରେ ଥିବା ଦୃଶ୍ୟ ଦର୍ଶକଙ୍କୁ ବିଚଳିତ କରିପାରେ, ଦୟାକରି ସତର୍କ ରହିବାକୁ ଅନୁରୋଧ )
ତଦନ୍ତ କରିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଭିଡିଓ ଲିଙ୍କ୍ ହସ୍ତଗତ ହୋଇଥିଲା ।
ଭିଡିଓ ଉପରେ ଉଲ୍ଲେଖ ଥିଲା, A 59-year-old man was murdered on Tuesday, May 6, in Campo Alegre, Agreste de Alagoas. Police reported that three individuals attacked him, two with scythes and one with a stick.
ଯାହାର ଓଡ଼ିଆ ଅନୁବାଦ ହେଉଛି, ୬ମଇ ମଙ୍ଗଳବାର ଦିନ କ୍ୟାମ୍ପୋ ଆଲେଗ୍ରେରେ ଜଣେ ୫୯ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ପୋଲିସ ରିପୋର୍ଟ କରିଛି ଯେ ତିନି ଜଣ ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ, ଦୁଇଜଣ କଣ୍ଟା ସାହାଯ୍ୟରେ ଏବଂ ଜଣେ ବାଡ଼ି ସାହାଯ୍ୟରେ ।
ଉକ୍ତ କିୱାର୍ଡ ବ୍ୟବହାର କରି ଅନୁସନ୍ଧାନ କରିବାରୁ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ହସ୍ତଗତ ହୋଇଥିଲା ।
(ସ୍ପଷ୍ଟିକରଣ: ଏହି ଭିଡିଓରେ ଥିବା ଦୃଶ୍ୟ ଦର୍ଶକଙ୍କୁ ବିଚଳିତ କରିପାରେ, ଦୟାକରି ସତର୍କ ରହିବାକୁ ଅନୁରୋଧ )
୮ ମଇ ୨୦୨୫ରେ ଗାଜେଟାନ୍ୟୁଜ ଏଏଲ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓଟି ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓରେ ଦୁଇଜଣ ଉପସ୍ଥାପନ କରୁଥିବା ବେଳେ ପଛପଟ ସ୍କ୍ରିନରେ ଭାଇରାଲ ଭିଡିଓଟି ପ୍ରସାରିତ ହେଉଥିବାର ଦେଖିବାକୁ ମିଳିଛି ।
(ସ୍ପଷ୍ଟିକରଣ: ଏହି ଭିଡିଓରେ ଥିବା ଦୃଶ୍ୟ ଦର୍ଶକଙ୍କୁ ବିଚଳିତ କରିପାରେ, ଦୟାକରି ସତର୍କ ରହିବାକୁ ଅନୁରୋଧ )
ସେହିପରି ଟିଭି ପାଜୁକାରା ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଉକ୍ତ ଭିଡିଓଟି ପ୍ରସାରିତ ହୋଇଥିବାର ଦେଖିବାକୁ ପାଇଥିଲୁ ।
ଏଆସିମ ନାମକ ଏକ ଡିଜିଟାଲ ମିଡିଆରେ ଉକ୍ତ ଖବରକୁ ନେଇ ଏକ ବିସ୍ତୃତ ଲେଖା ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଛି ।
ପ୍ରସାରିତ ଖବର ଅନୁଯାୟୀ, ଏହି ଘଟଣାଟି ୬ମଇ ୨୦୨୫ରେ ବ୍ରାଜିଲର ଆଲାଗୋଆସ୍ ରାଜ୍ୟର ଏକ ସହର କାମ୍ପୋ ଆଲେଗ୍ରୀରେ ଘଟିଥିଲା । ରିପୋର୍ଟରେ କୁହାଯାଇଛି ଯେ, ସେବାଷ୍ଟିଓ ଫାବିଆନୋ ଡା ସିଲଭା ନାମକ ୫୯ ବର୍ଷୀୟ ବ୍ୟକ୍ତିଙ୍କୁ ତିନି ଜଣ ବ୍ୟକ୍ତି ଆକ୍ରମଣ କରିଥିଲେ, ସେମାନଙ୍କ ମଧ୍ୟରୁ ଦୁଇଜଣ ଧାରୁଆ ଅସ୍ତ୍ରରେ ସଜ୍ଜିତ ଥିଲେ । ଆକ୍ରମଣକାରୀ ମାନେ ବୃଦ୍ଧ ବ୍ୟକ୍ତିଙ୍କୁ ୧୫ ଥରରୁ ଅଧିକ ଛୁରୀ ଭୁଷି ହତ୍ୟା କରିଥିବା ଜଣାପଡ଼ିଛି, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ପୋଲିସ ସୂତ୍ରରୁ ଉଦ୍ଧୃତ କରି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହି ଘଟଣା ଏକ ପାରିବାରିକ ଜମିଜୁମା ବିବାଦରୁ ଘଟିଥିଲା ଏବଂ ପୀଡିତଙ୍କ ପରିବାର କିଛି ସମୟ ଧରି ଧମକ ପାଉଥିଲେ। ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି, ଏବଂ ସେମାନଙ୍କ ମଧ୍ୟରୁ ଜଣେ ନାବାଳକକୁ ପୋଲିସ ଗିରଫ କରିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ ସତ୍ୟତା, ଉକ୍ତ ଭିଡିଓ ସହ ଭାରତର ନାହିଁ କୌଣସି ସମ୍ପର୍କ । ଉକ୍ତ ଘଟଣାଟି ୬ମଇ ୨୦୨୫ରେ ବ୍ରାଜିଲର କାମ୍ପୋ ଆଲେଗ୍ରୀ ନାମକ ଏକ ଅଞ୍ଚଳରେ ଘଟିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି ।

