ଫ୍ୟାକ୍ଟ ଚେକ୍: ନରେନ୍ଦ୍ର ମୋଦିଙ୍କ ସହ ବୈଷ୍ଣୋଦେବୀଙ୍କ ମନ୍ଦିର ପରିଦର୍ଶନ କରୁଥିବା ଅସଦୁଦ୍ଦିନ୍ ଓୱେସୀଙ୍କ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ

Claim :
ମା ବୈଷ୍ଣୋଦେବୀଙ୍କ ଯାତ୍ରାରେ ମୋଦି ଏବଂ ଅସଦୁଦ୍ଦିନ୍ ଓୱେସୀFact :
ଭାଇରାଲ ହେଉଥିବା ଭିଡିଓ ଏଆଇ ଦ୍ୱାରା ନିର୍ମିତ
ପହଲଗାମ ଆକ୍ରମଣପରେ ପାକିସ୍ତାନ ଉପରେ ବର୍ଷିଛନ୍ତି ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ୍ ଓୱେସୀ । ସେଠାରେ ବାଛି ବାଛି ହିନ୍ଦୁ ଯୁବକମାନଙ୍କୁ ହତ୍ୟା କରିଥିଲେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ। ପାକିସ୍ତାନ ଆତଙ୍କବାଦୀମାନଙ୍କ ପୃଷ୍ଠପୋଷକ ସାଜିଛି। ସେମାନଙ୍କୁ ତାଲିମ ଦେଉଛି, ପଞ୍ଜାବ ହେଉ କି କଶ୍ମୀର- ସବୁଠି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଦେଖିବାକୁ ମିଳୁଛି। ଜାତିସଂଘ ଦ୍ୱାରା ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାକୁ ପାକିସ୍ତାନ ପ୍ରୋତ୍ସାହନ ଦେଉଛି। ଲସ୍କର ଓ ଅଲ୍-କଏଦାର ଆଦର୍ଶ ବେଶ୍ ମିଶିଯାଉଛି। ପାକିସ୍ତାନ କେବଳ ଭାରତ ପାଇଁ ନୁହେଁ, ପୂରା ଦକ୍ଷିଣ ଏସିଆ ପାଇଁ ବିପଦ ବୋଲି କହିଛନ୍ତି ଓୱେସୀ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନକୁ ନିୟନ୍ତ୍ରଣ କରିବା ଜରୁରୀ ବୋଲି ସେ କହିଛନ୍ତି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଉଭୟେ ମୁଣ୍ଡରେ ନାଲି ଫିତା ବାନ୍ଧିଥିବା ବେଳେ କାନ୍ଧରେ କାନ୍ଧ ମିଳାଇ ବୈଷ୍ଣୋଦେବୀଙ୍କ ଭଜନ ଗାଉଥିବାର ଦେଖିବାକୁ ମିଳିଛି । ଉଭୟଙ୍କ ପଛପାର୍ଶ୍ୱରେ ପାହାଡ଼ ଉପରେ ବିଶାଳ କୋଠା ମାନ ଥିବାର ଦେଖିବାକୁ ମିଳିଛି । ଯେପରି ଏହା ଜମ୍ମୁ କାଶ୍ମୀର ଅଞ୍ଚଳର ହୋଇଥିବାର ଅନୁମାନ କରାଯାଉଛି । କିଛି ୟୁଜର୍ସ ଉକ୍ତ ଭିଡିଓ ସେୟାର କରି କିଛି କଟାକ୍ଷ କରିଥିବାର ମଧ୍ୟ ଦେଖିବାକୁ ମିଳିଛି I
ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଉଭୟେ ପ୍ରଧାନମନ୍ତ୍ରୀ ଏବଂ ଓୱେସୀ ବୈଷ୍ଣୋଦେବୀଙ୍କ ଯାତ୍ରାରେ ଯାଇଥିବା ଦାବି କରିଛନ୍ତି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ହେଉଥିବା ଭିଡିଓଟି ଏଆଇ ଦ୍ୱାରା ନିର୍ମିତ । ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅସଦୁଦ୍ଦିନ୍ ଓୱେସୀ ବୈଷ୍ଣୋଦେବୀଙ୍କ ଯାତ୍ରାରେ ଯାଇ ନାହାନ୍ତି ।
ଉକ୍ତ ଘଟଣା ନେଇ ଯେତେବେଳେ ଆମେ ଅନୁସନ୍ଧାନ କରିଥିଲୁ, କୌଣସି ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ ହୋଇଥିବାର ପାଇନଥିଲୁ । ଯଦି ଏଭଳିକୌଣସି ଯାତ୍ରା ଉଭୟେ କରିଥାନ୍ତେ ନିଶ୍ଚିତ କୌଣସି ନା କୌଣସି ଗଣମାଧ୍ୟମ ପ୍ରସାରିତ କରିଥାନ୍ତା ।
ସେହିପରି ଉଭୟଙ୍କ ସୋସିଆଲ ମିଡିଆରେ ଅନୁସନ୍ଧାନ କରିବାରୁ ଏନେଇ କୌଣସି ଫଟୋ କିମ୍ବା ଭିଡିଓ ପୋଷ୍ଟ ହୋଇଥିବାର ପାଇନଥିଲୁ ।
ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ମନ୍ତ୍ରୀଙ୍କ ସହ ଏକ ବୈଠକରେ ଥିବାର ଏକ ଫଟୋ ପୋଷ୍ଟ କରିଥିବାର ଦେଖିବାକୁ ମିଳିଥିଲା ।
ସେହିପରି ଅସଦୁଦ୍ଦିନ୍ ଓୱେସୀ ମଧ୍ୟ ସାଉଦି ଗସ୍ତ କାର୍ଯ୍ୟକ୍ରମ ଏବଂ ପହଲଗାମ ନେଇ ପାକିସ୍ତାନକୁ ସମାଲୋଚନା କରିଥିବା ପୋଷ୍ଟ ସେୟାର କରିଛନ୍ତି ।
ଅନ୍ୟପଟେ ଉକ୍ତ ଭିଡିଓକୁ ତର୍ଜମା କରି ଦେଖିଲେ ଭିଡିଓଟି ବହୁ ମାତ୍ରାରେ ଅପ୍ରାକୃତିକ ଭଳି ମନେହେଉଛି ।
ଯେପରିକି ମୁହଁ ଗୁଡ଼ିକ ହଲୁଥିବା ବେଳେ ଅସ୍ୱାଭାବିକ ଦେଖାଯାଉଛି । ବିଶେଷକରି ମୁହଁ ଚାରିପାଖ ମେଳ ଖାଉନାହିଁ । ମୁଣ୍ଡରେ ବନ୍ଧାହୋଇଥିବା ପାଟିରେ ଥିବା ଲେଖା ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଦୃଶ୍ୟମାନ ହେଉଛି ଯାହାକି ଏଆଇ ଦ୍ୱାରା ନିର୍ମିତ ହେବାର ପ୍ରଥମ ଲକ୍ଷଣ । ସେହିପରି ପାଖରେ ଥିବା ଅନ୍ୟ ବ୍ୟକ୍ତି ମାନଙ୍କ ମୁହଁର ଅଙ୍ଗଭଙ୍ଗୀ ସମ୍ପୂର୍ଣ୍ଣ ଭାବେ ଅପ୍ରାକୃତିକ ଅଟେ । ମୁଖ୍ୟ ଦୁଇଜଣଙ୍କ ମୁହଁ ସହ ଉକ୍ତ ବ୍ୟକ୍ତିଙ୍କ ମୁହଁ ଠାଣି ସମ୍ପୂର୍ଣ୍ଣ ଭାବେ ଅଲଗା ରହୁଛି ।
ଉକ୍ତ ଭିଡିଓକୁ ଏଆଇ ଡିପଫେକ୍ ରେ ପରୀକ୍ଷା କରିବାରୁ ସେଥିରେ ମଧ୍ୟ ସମାନ ରିପୋର୍ଟ ପ୍ରକାଶ ପାଇଥିଲା ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ନରେନ୍ଦ୍ର ମୋଦିଙ୍କ ସହ ବୈଷ୍ଣୋଦେବୀଙ୍କ ମନ୍ଦିର ପରିଦର୍ଶନ କରୁଥିବା ଅସଦୁଦ୍ଦିନ୍ ଓୱେସୀଙ୍କ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ହୋଇଥାଇ ପାରେ ।